Unknown

 

 

 

 

 

 

 

 

 

 

 

ମନେ ରହିବ

ଶ୍ରୀ ବ୍ରଜମୋହନ ଦାସ

 

ଏକ

 

‘‘ତୁ କୁଆଡ଼େ କି ଲୋ ?” ମଳୟା ହସି ହସି କହିଲା । ସେ ହସରେ ତା’ର ଖେଳ କରୁଥିଲା ଭଲ ପାଇବାର ଏକ ଉଚ୍ଛଳ ଅନ୍ତହୀନ ମଧୁର ତରଙ୍ଗ; ଭରି ରହିଥିଲା ହାର୍ଦ୍ଦିକ ସ୍ଵାଗତିକାର ନମ୍ର ଆବେଦନ । ଏ ଭଲ ପାଇବା ତା’ର ଅନ୍ତର ଭିତରେ ସଂଗୁପ୍ତ ନ ଥିଲା; ଜଡ଼ି ରହିଥିଲା ତା’ର ରକ୍ତର ପ୍ରତି କଣିକା ଭିତରେ; ସଚେତ ହୋଇ ରହିଥିଲା ଚେତନ, ଅବଚେତନ ଓ ଅଚେତନଠାରୁ ଆହୁରି ଗଭୀରତମ ସ୍ତର ପର୍ଯ୍ୟନ୍ତ । ଅପରିସୀମ ଆନନ୍ଦରେ ବୁଡ଼ିରହି ପାଖକୁ ଲାଗିଯାଇଥିଲା ମଳୟା । ବିଶେଷଭାବରେ ତାକୁ ସେ ଚିହ୍ନିବାର ସୁଯୋଗ ଲାଭ କରି ନ ଥିଲା । ତଥାପି ତା’ ନିକଟରେ ତା’ରି କୋଳରେ କେତେଗୁଡ଼ାଏ ଦିନ ବିତେଇ ଦେଇଥିଲା ପିଲାଦିନେ । ତା’ପରେ ଦୀର୍ଘ ପାଞ୍ଚଟା ବର୍ଷ ଏଇ ଜୀବନ ଉପରେ ତା’ର ଦଳିମକଚି ଚାଲିଗଲାଣି । ଏଇ ପାଞ୍ଚଟି ବର୍ଷ ଭିତରେ ସେ କେତେ ଖୋଜି ବୁଲିଛି ତାକୁ; କିନ୍ତୁ ଦିନେହେଲେ ପାଇନାହିଁ ଦେଖିବାକୁ । ଛୋଟ ପିଲାଦିନର ଛୋଟିଆ ସ୍ମୃତି ଫିକା ରଙ୍ଗ ଭଳି ମନରୁ ତା’ର କେଉଁଆଡ଼େ ନିଭିଯାଇଛି । ସାଇତିପାରିନି ମନ ଭିତରେ ତା’ର ରୂପଟାକୁ ମଧ୍ୟ । ବିସ୍ମୃତିର ବାଦଲସବୁ ତା’ ଉପରେ ଛାଇ ହୋଇଯାଇଛି । ଖାଲି ଏତିକି ଜାଣେ, ସର୍ବାଣୀ ତା’ର ଅପା, ଯେ ତା’ ଦୁଃଖରେ କେତେ କାନ୍ଦିଛି, କେତେ ବାୟାଣୀ ପରି ହୋଇଛି । ଏଇ ସର୍ବାଣୀ–ତା’ର ପିଲାଦିନର ଅତି ନିକଟର ସାଥୀ–ଭଉଣୀ–ବଡ଼ଭଉଣୀ–ସାବିଅପା ।

 

ଗାଡ଼ିଟି ଦୁଆରମୁହଁକୁ ଲାଗି ଠିଆ ହୋଇଛି । ବଳଦ ଦୁଇଟି ଗାଡ଼ିଟଣା ବାଧାରେ ହାଲିଆ ହୋଇ ପେଟଭରି ମୁଠାଏ ଖାଇବାପାଇଁ ସତୃଷ୍ଣ ନୟନରେ ଚାହିଁ ରହିଛନ୍ତି । ଗାଡ଼ିଆଳ ଜୁଆଳିରୁ ବଳଦ ଦୁଇଟି ଫିଟାଇବାରେ ଲାଗିଛି । ସେତେବେଳକୁ ସନ୍ଧ୍ୟା ପୂରାପୂରି ଆବୋରି ବସିଲାଣି ପୃଥିବୀକୁ । ଗାଡ଼ି ଭିତରୁ ପଦାକୁ ବାହାରିଲା ସର୍ବାଣୀ । ପୁଅକୁ ତା’ର କାଖେଇନେଲା ମଳୟା । ‘ବାବୁଲା ‘ବାବୁଲା’ କହି ଗେଲ କଲା ତାକୁ । ସର୍ବାଣୀ ଦେଖିଲା, ପିଲାଛୁଆରୁ ମାଇପି ପର୍ଯ୍ୟନ୍ତ କେତେଗୁଡ଼ିଏ ମଣିଷ ରୁଣ୍ଡ ହୋଇଛନ୍ତି ସେଇଠି । ସେଥିମଧ୍ୟରୁ କିଏ ତା’ର ଚିହ୍ନା କିଏ ଅଚିହ୍ନା । ଗୁରୁଜନମାନଙ୍କୁ ନମସ୍କାର କରି ଶୁଭାଶିଷ ଗ୍ରହଣ କଲା । ଟିକି ପିଲାମାନଙ୍କୁ ଆଦର କଲା । ବୋଉ ନେଇଗଲେ ମଳୟାଠୁଁ ବାବୁଲାକୁ । ମଳୟା କୁଣ୍ଡାଇ ଧରିଲା ସର୍ବାଣୀକୁ । ବାହୁ-ବେଷ୍ଟନୀ ଭିତରେ ତାକୁ ସବୁବେଳେ ଭିଡ଼ି ଧରିବାପାଇଁ କଅଁଳ ମନଟା ତା’ର ଆଟୁପାଟୁ ହେଲା ।

 

‘‘କାହିଁକି ମତେ ଭିଡ଼ିଧରିଛୁ କି ଲୋ ? ଆସୁ ଆସୁ ତ ମତେ ଦେଖି ଡରିଲୁଣି । ତୋ ଭାଗ ଖାଇଯିବିନି ମ ! ଆଉ କେଉଁଥିପାଇଁ ଡରିଯାଉଛୁ ? ସତରେ ତୁ ଏଡ଼ୁଟାଏ ହୋଇଗଲୁଣି ? ବରଷା ଦିନ ବୋଇତି କଖାରୁ ଗଛ ଭଳି କ’ଣ ଚାହୁଁ ଚାହୁଁ ବଢ଼ିଯାଉଛୁ ?” ମୁଖରେ ସରୁ ହସ ଫୁଟାଇ ଅନର୍ଗଳ କହିଚାଲିଥିଲା ସର୍ବାଣୀ । ମଳୟାର କଅଁଳ ଗାଲରେ ଗୋଟିଏ ଖୁନ୍ଦା ମାରି କହିଲା, ‘‘ମଳୟା, ତୋର ଏଇ ଗାଲରେ ଖୁନ୍ଦା ଦେଇ ଦେଇ ହାତ ନାହିଁ । ଆଉ କେହି ଧରିବା ପୂର୍ବରୁ ମୁଁ ହେଲେ ଟିକିଏ ଧରିଥାଏଁ ।” ହାତଟାକୁ ତା’ କାନ୍ଧ ନିକଟକୁ ବଢ଼ାଇନେଇ କହିଥିଲା, ‘‘ପିଲାଦିନେ ତ ସହୁଥିଲୁ; ଆଜି କ’ଣ ସହିବୁନି ?” ମଳୟା ଅଭିମାନ କରିଥିଲା । ତା’ ଗାଲକୁ ପୁଣି ଜଣେ କିଏ ଧରିବ–କିଏ ଅବା ସିଏ–ସେ ପୁଣି କେଉଁଦିନ, ତାହା ପୁଣି ରାଗରେ ନା ଆନନ୍ଦରେ ! ଏପରି ମୁହୂର୍ତ୍ତରେ କେଉଁଠି ତା’ର ଅବସ୍ଥିତି ହୋଇଥିବ ? ସାବିଅପା କାହିଁକି ଏଗୁଡ଼ା ତାକୁ ଶୁଣାଉଛି-? ସହିପାରିଲାନି ସେ, ଛିଞ୍ଚାଡ଼ି ଦେଲା ହାତଟାକୁ ତା’ର ଜୋରରେ । କ’ଣଗୁଡ଼ାଏ ମନେମନେ ଗାଲୁରୁ ଗାଲୁରୁ ହେଲା । ବୁଝିପାରିଲା ନାହିଁ ସର୍ବାଣୀ ସେଥିରୁ କିଛି, ଖାଲି କହିଲା, ‘‘ଗାଳିଦେଲୁ କି ଲୋ ?’’

 

‘‘ଗାଳି ଦେବିନାହିଁ କ’ଣ ଡରିକରି ! ତତେ ଦେଖିଛି; ତୋ ବରକୁ ବି ଦେଖିଛି । ଦୁହିଁଙ୍କୁ ଗୋଟାଏ ତାଳିରେ କୁଆଡ଼େ ଉଡ଼ାଇଦେବି ।” ଖୁବ୍ ବୀରଭଙ୍ଗୀରେ କହିଚାଲିଥାଏ ମଳୟା । ସର୍ବାଣୀକୁ ଆକ୍ରମଣ କରିବାପାଇଁ ନୂତନ ନୂତନ ଚିନ୍ତାଧାରା ଦ୍ରୁତଗତିରେ ଆନ୍ଦୋଳିତ ହେଉଥାଏ ତା’ ମନ ଭିତରେ ।

 

ବୋଉ ଦୁଆରବନ୍ଧକୁ ମୁଣ୍ଡଟି ଆଉଜାଇ ଦି’ଭଉଣୀଙ୍କର ବ୍ୟଙ୍ଗୋକ୍ତିକୁ ଶୁଣୁଥାନ୍ତି କାନ ଡେରି । ମନ ଭିତରଟା ଆନନ୍ଦରେ କୁଲୁରି ଉଠୁଥାଏ ତାଙ୍କର । ଭାବୁଥାନ୍ତି, ଭଙ୍ଗାକୁଡ଼ିଆ ଭିତରର ଏଇ ଦୁଇଟି କ୍ଷୁଦ୍ର ଶାବକଙ୍କ କଥା । ଅଭାବ ଅନଟନର ସଂସାର ଭିତରେ ଶାବକ ଦୁଇଟିକୁ ସେ ପାଳି ଆଣିଛନ୍ତି; କେତେ ଦାଉଧକ୍କା ସହିଛନ୍ତି ତାଙ୍କରି ପାଇଁ । ସେ ହେବେ ମଣିଷ; ମଣିଷ ପରି ବଞ୍ଚିରହିବେ ଏ ସଂସାରରେ । ତାଙ୍କ ଚିନ୍ତା ଲାଗିବନି, ତାଙ୍କ ଆଖିରେ ଲୁହ ଦେଖିବେନି, ତାଙ୍କରି ସୁଖ ଦେଖି ତାଙ୍କରି ଆଗରେ ଆଖି ବୁଜିବେ । ଏଇଥିପାଇଁ ସେ ନିଶିଦିନ ବ୍ୟାକୁଳ । ଦେବଦେବୀଙ୍କୁ ସନ୍ତୁଷ୍ଟ କରିବାକୁ ମନ୍ଦିରକୁ ଯାଆନ୍ତି । ଦେବତା ଶୁଣନ୍ତୁ ନ ଶୁଣନ୍ତୁ, ସେ କିନ୍ତୁ ତାଙ୍କ ମନକଥା ଜଣାନ୍ତି, ଭୋଗ ଦିଅନ୍ତି । ବ୍ରାହ୍ମଣଙ୍କୁ ଖୁସି କରାନ୍ତି । କେତେଦିନ ଏଇମିତି ଚାଲିଯାଇଛି । ତା’ପରେ ସେଇଥିରୁ ଗୋଟିକୁ ଉଡ଼ାଇ ଦେଇଛନ୍ତି ଅନନ୍ତ ଆକାଶକୁ । ଖାଇପିଇ ସେ ଗଢ଼ିବ ତା’ର ସୁଶ୍ରୀ ନୀଡ଼ । ବୋଝର ଭାରା କମାଇ ଦେବତାଙ୍କ ମୁଣ୍ଡରୁ । ତାଙ୍କର ଅନ୍ତରୋତ୍‍ଥିତ ଆଶାକୁ ସଫଳ କରିବ । ଆଉ ଗୋଟିଏ–ସେ ହୋଇଛି ତାଙ୍କର ଗୁରୁତର ଭାର । ତା’ର ପକ୍ଷ ବିକାଶନ୍ମୁଖୀ ମାତ୍ର । ପୂର୍ଣ୍ଣତା ଲାଭ କରିବାକୁ ଡେରି ଅଛି । ସେ ତାକୁ ଉଡ଼ାଇବେ, ଯିମିତି ସେ ନିର୍ଭୟରେ ପକ୍ଷ ଦୁଇଟି ଖୋଲା ପବନରେ ବାଡ଼େଇ ଆଗେଇଯିବ ଦୁନିଆର ମନମତାଣିଆ ଅଙ୍ଗନ ଉପରକୁ; ବାଧା କଷ୍ଟ କ’ଣ ଅନୁଭବ କରିବନି ।

 

ଗୁମ୍‍ମାରି କିଛିବେଳ ପରେ କହିଲେ, ‘‘କି ଲୋ, ଭାରି ତ ସାହସ ହେଇଗଲାଣି ! ତତେ କାଖେଇ କୋଳେଇ ମଣିଷ କରିଥିଲା ବୋଲି କି ଲୋ ? ଦେବି ଯେ ଏଇନେ ! ତା’ ପାଦଧୂଳିକୁ ତୁ ସରି ହବୁ ନା ? ମୁଁ ଥାଉଁ ଥାଉଁ ତୁ’ଟା ତା’ର କ’ଣ କରିବୁ ମ ? ମୁଁ...” ଆଉ କ’ଣ କହିଆସୁଥିଲେ, ବାକି କଥା ଜିଭରେ ଅଟକି ରହିଗଲା ।

 

ସର୍ବାଣୀ କହିଲା, ‘‘ବୋଉ, ଏଟା ଗୋଟାଏ ଶକତ କଳିହୁଡ଼ୀ ହେବ । ନ କହିଲା ଲୋକ ପଦ ପଦକରେ ଠୁକର ଦେବ ୟାକୁ । ଏଟା କିମିତି ପରଘରେ ଚଳିବ କେଜାଣି ?’’

 

–ଦେଖିଛି, ମୁହଁରେ ସ୍ନେହଶକ୍ତି ତାତ୍ସଲ୍ୟର ଭଙ୍ଗିମା ମଳୟାର ।

 

ଉତ୍କଣ୍ଠିତ ହୋଇ ବୋଉ କହିଲେ, ‘‘ଏତେ ଡେରି ହେଲା କାହିଁକି ? ଆମେ ଭାବିଲୁଁ, ଆଜି ଏତେବେଳ ହେଲାଣି, ବୋଧହୁଏ ଆସିବନି । ରାତିଗାଡ଼ିକି ଆସିବ କି କ’ଣ । ମଳୟାକୁ ତ ଭୋକ ନାହିଁ, ଏ ପାଖରୁ ସେ ପାଖକୁ ଯାଉଛି, ପୁଣି ଦାଣ୍ଡଆଡ଼େ ଘେରାଟାଏ ବୁଲିଆସୁଛି । ଚାହୁଁଛି ରାସ୍ତାକୁ, ଆଖିକୁ ଆଗକୁ ବଢ଼ାଇ ହାତ ଦେଖାଇ ସାବି, ମୋତି ହେରିକାଙ୍କୁ କହୁଛି, ‘ହେଇ ଦେଖ, ବହୁତ ଦୂରରେ ଗୋଟାଏ ଗାଡ଼ି ଆସୁନି ? ସେଇ ଗାଡ଼ି ଆମର । ସେଇଥିରେ ଅପା ଆସୁଛି ।’ ଛୁଆଗୁଡ଼ାକ ସତ ମଣିଲା ପରି କୁଲୁରି କୁଲୁରି ଦଉଡ଼ିଆସି ଡାକୁଛନ୍ତି, ବଡ଼ମା, ‘ବଡ଼ମା, ଗାଡ଼ି ଆସିଗଲାଣି ।’ ଏଇମିତି ଥରେ ନୁହେଁ, ଥରକୁ ପାଞ୍ଚଥର, ମୁଁ ଶୁଣି ଶୁଣି ଥକିଗଲି । ଆଉ ତାଙ୍କ କଥାକୁ ବିଶ୍ୱାସ ଗଲିନି । ମନରେ ସିମିତି ବି ଫୁର୍ତ୍ତି ଆସିଲାନି । ମୁଁ ବାଟୁଥାଏଁ ବିରି, ପିଠା କରିବି ବୋଲି । ଏତିକିବେଳେ ଟୁନା ଆସି କହିଲା, ‘ମାଉସୀ ଲୋ, ମାଉସୀ, ଅପା ଆସିଲାଣି । ପୋଖରୀ ହୁଡ଼ାତଳେ ଗାଡ଼ି, ବଳଦ ଦି’ଟା ଦଉଡ଼ୁଛନ୍ତି ପଡ଼ି !’ ମୁଁ କହିଲି, ହଁ, ହେଇଥିବ । ବଳଦ ପରା ଘରମୁହାଁ ହେଲେଣି, ତାଙ୍କୁ କୋଶକ ବାଟ ଖୋଜେ ଏଇଖିଣି । ତା’ କଥା ସରିଛି କି ନାହିଁ ମଳୟା ଦଉଡ଼ିଲା । ପିଠୋଉ ହାତରେ ମୁଁ ବି ଟିକିଏ ବାଡ଼ିପଟରେ ଯାଇଁ ଚାହିଁ ଆସିଲି । ଆ, ଆଉ ଠିଆ ହୋଇଛୁ କାହିଁକି ? ଗୋଡ଼ ଦି’ଟା ଧୋଇପକା । ଡାକିଲେ, ‘‘ମଳୟା, ପାଣିଢାଳେ ଆଣି ଦେଉନାହୁଁ-?” ପୁଣି ସର୍ବାଣୀକୁ କହିଲେ, ‘‘ଆଲୋ, ଏମିତି ଶୁଖିଗଲୁଣି କାହିଁକି ? ପୁଅ ପାଇଁ ଆଗରୁ ସଞ୍ଚିଲୁଣି କି ଲୋ ? ଆଗେ ନିଜ କଥା, ପରେ ଅନ୍ୟ କଥା । ପୁଅ ଝିଅ କେହି କାହାରି ନୁହନ୍ତି । ହାତଗୋଡ଼ ପଡ଼ିଗଲେ କେହି ପଚାରିବେ ନାହିଁ । ବେଳରୁ ନିଜକୁ ଜଗ ।’’

 

କଅଣ ମନମନ ହୋଇ ଏପାଖ ସେପାଖ ଘଡ଼ିଏ ଚାହିଁଲେ; ଉଛୁର ହେବା ଦେଖି ଜୋର ଗଳାରେ ଡାକ ଛାଡ଼ିଲେ, ‘‘ତୁ’ଟା ଏଡ଼ିକି ପଥର, ମଳୟା ? ପାଣି ଢାଳଟେ ପାଇଁ କହିଲି ଯେ, ଶୁଣିଲୁ ନାହିଁ ! ମୋ ମା ଲୋ ପୁଅ ! ଏତେ ପୁଅ ସୁହାଗୀ ହୋ ନା ମ ! ପୋଷିବ ତ ଦି’ ଭଉଣୀଙ୍କୁ । ହଉ ହଉ, ମୁଁ ଜିଇଥିଲେ ପୁଣି ଦେଖିବି ଯେ !’’

 

ମଳୟା କହିଲା, ‘‘କି, କୁଣିଆ ଆସିଛି କି ? କୂଅ ଦେଖିନାହିଁ ନା ଢାଳ ଚିହ୍ନି ନାହିଁ ? ତାକୁ ପୁଣି ଅଭ୍ୟର୍ଥନା କରିବି ! କି କଥା ତୁ କହୁ ?” ସର୍ବାଣୀ କହିଲା, ‘‘ତୋର ପୁଣି ଏତେ ବୁଦ୍ଧି ହେଲାଣି ? ଏଇମିତି ବୁଦ୍ଧି ଯଦି ଧରୁ ନା, ଉଠୁଣୁ ବସୁଣୁ ପିଠି ଦରଜ ହେବା ଖାଲି ସାର ହେବ । ସେତେବେଳେ ଯାଇ ମୋ କଥା ମନେ ପକାଉଥିବୁ ।’’

 

ମଳୟା ପଳାଇଗଲା ସେଠୁ । ଶୁଣିବାପାଇଁ ଯେମିତି ଇଚ୍ଛା ନ ଥିଲା ତା’ର । ‘ହୁଆ ବାୟା’ ଗୀତ ଗାଇ ବାବୁଲାକୁ ଖେଳାଇବାରେ ଲାଗିଲା । ବାବୁଲା କିନ୍ତୁ କାନ ଦେଲା ନାହିଁ ତା’ ଗୀତରେ । ‘ଗହଳ ମାଣ୍ଡିଆ କିଆରୀ’, ‘ଧୋରେ ବାୟା’ ଏଗୁଡ଼ାକ ଶୁଣିବାରେ ତୃପ୍ତି ଆସୁ ନ ଥାଏ ତା’ର । ଗୋଡ଼ହାତ ହଲାଇ କାନ୍ଦିବାରେ ସେ ବ୍ୟସ୍ତ । କାନ୍ଦି କାନ୍ଦି ଜଣାଉଥାଏ ତା’ର ମନକଥା । ଯେତେ ବୁଝାଇଲେ ବୁଝୁ ନ ଥାଏ ସେ । କାଳେ ହଗି ମୁତି ପକାଇବ, ସେଥିଲାଗି ହୁସିଆର ହୋଇଥାଏ ମଳୟା । ବାବୁଲାକୁ ଖଣ୍ଡେ ଛୋଟ କନାରେ ଧରିଥାଏ । ଗୋଡ଼ରେ ଶୁଆଇ ଯେତେବେଳେ ନ ହେଲା, କାନ୍ଧରେ ପକାଇଲା, ପୁଣି କାଖକଲା, ଝୁମୁକାଟାଏ ଆଣି ତା’ ଆଗରେ ବଜାଇଲା, କାଠର ଘୋଡ଼ାଟାଏ ଆଣି ଦେଲା ତା’ ହାତରେ । କିନ୍ତୁ ଫୋପାଡ଼ିଦେଲା ତାକୁ ବାବୁଲା; ବେଶି ବେଶି କାନ୍ଦିଲା । ସମ୍ଭାଳି ନ ପାରି ଅପାକୁ ଏଥର ଡାକ ଛାଡ଼ିଲା, ‘‘ନେ ଲୋ ତୋ ପୁଅକୁ, ନେ । ଏଡ଼େ ଅମାନିଆ, ଟିକେ କଥା ମାନୁନି, ଭୋକ କଲାଣି କି କ’ଣ ।” ସର୍ବାଣୀ ଆସି ପୁଅକୁ ନେଲା ।

 

କିଛିବେଳ ପରେ ପୁଅ ଘୁମେଇ ପଡ଼ିଲା ମା କୋଳରେ । ନିଃଶ୍ୱାସ ନେଉଥାଏ ଖୁବ୍ ଜୋରରେ । ନିଦ ଆଉ ଖାଦ୍ୟ, ଏଇ ତା’ର ସାଥୀ । ଜାଗତିକ ଅନ୍ୟ କାର୍ଯ୍ୟଗୁଡ଼ିକ ଯିମିତି ତା’ ନିକଟରେ ମୂଲ୍ୟହୀନ, ନିହାତି ଅଳୀକ । ସେ ଏତେ ବଙ୍କାଟଙ୍କା କଥା ଶୁଣିବାକୁ ଆଦୌ ଆଗ୍ରହୀ ନୁହେଁ ବୋଲି ଯିମିତି ଜଣାଇ ଦେଉଥାଏ । କୋଳରେ ଜାକି ଜାକି ହାତ ବଥାଇ ଉଠିଲା ସର୍ବାଣୀର-। ଗୋଟିଏ ବିଛଣା କରି ବାବୁଲାକୁ ନେଇ ଶୋଇଦେଲା । ତା’ ଉପରେ ମଶାରିଟିଏ ଢାଙ୍କିଦେଲା-। ପୁଅ ଆରାମରେ ଶୋଇପଡ଼ିଲା ସେଥିରେ ।

 

ବୋଉ ଚୁଲି ମୁଣ୍ଡରେ ବସି ରନ୍ଧାବଢ଼ା କରୁଥାନ୍ତି । ସର୍ବାଣୀ ଯାଇ ସେଇଠି ବସିଲା । ଦେଖିଲା, ବୋଉ ଏକୁଟିଆ କେତେ ବ୍ୟସ୍ତ ହେଉଛନ୍ତି । ତେଣେ ଗାଈ ଦି’ଟା ଖାଇନାହାନ୍ତି, ଚାକର ଟୋକାଟା ନିଦରେ ଶୋଇପଡ଼ିଲାଣି, ଡାକିଲେ ଜବାବ ନାହିଁ । ପାଣି ଦି’ଟା ଆସିନାହିଁ । କେତେ ଧନ୍ଦି ହେବେ ଏକୁଟିଆ ଲୋକ ? ବୋଉର ବ୍ୟସ୍ତତା ଦେଖି ସର୍ବାଣୀ ରାନ୍ଧିବସିଲା, ବୋଉ ଅନ୍ୟ କାମରେ ଲାଗିଲେ । ସେତେବେଳକୁ ରାତି ବେଶି ହୋଇଗଲାଣି । ଗାଁର ମାଇପେ, ଛୁଆପିଲା ଯିଏ ଯେତେ ଆସିଥିଲେ ସମସ୍ତେ ନିଜ ନିଜ ଘରକୁ ଗଲେଣି ।

 

ବୋଉ କାମ ଶେଷ କରି ଚୁଲି ମୁଣ୍ଡରେ ଆସି ବସିପଡ଼ିଲେ । ମଳୟା କେଉଁଠୁ ବୁଲି ବୁଲି ଆସି ବସିଲା । ନିଆଁରୁ ମେଞ୍ଚାଏ ଟାଣିଆଣିଲା ପାଖକୁ । ନିଆଁଗୁଡ଼ାକ ଦାଉଦାଉ ହେଉଥାଏ । ଥଣ୍ଡା ହାତ ଦି’ଟାକୁ ନିଆଁ ଉପରକୁ ଦେଖାଇଦେଲା ।

 

ସର୍ବାଣୀ ପଚାରିଲା, ‘‘ବୋଉ, ବାପା କେତେବେଳେ ଅଫିସରୁ ଫେରିବେ କି ?” ବୋଉ କହିଲେ, ‘‘ନାହିଁ ଲୋ ମା, ସେ କ’ଣ ଏଠି ଅଛନ୍ତି ? ହରିପୁର ଗାଁରେ ମର୍ଡ଼ର କେସ୍‍ । ଖିଆ ନାହିଁ, ପିଆ ନାହିଁ. ସଦାବେଳେ ସେଇଠିକି ଧାଇଁଛନ୍ତି । ଗାଧୁଆବେଳେ ଭାତ ତରକାରୀ ରାନ୍ଧିବାଢ଼ି ସାରିଲି । ମଳୟା ବାପାଙ୍କୁ ଖାଇବାକୁ ଦେଲା । ସେ ବାହାରିଗଲେ । ଆଜି କୁଆଡ଼େ ଏସ୍.ପି. ସେଠିକି ଆସୁଛନ୍ତି । ସେ କ’ଣ ଆଜି ଆସିବେ କି ? ଶୀତରାତି, ଜାଡ଼ୁଆଳି ଚାଦର ଖଣ୍ଡିକ ଛାଡ଼ିଯାଇଛନ୍ତି । ଆଜି କିମିତି ଶୋଇବେ କେଜାଣି ? କାଲି ସକାଳୁ ଆସିବେ । ଏତେ ବଡ଼ ଦିନଟାରେ ସେ କ’ଣ କେବେ ରହିବେ ?” ତା’ପରେ କିଛି ସମୟ ନୀରବ ରହି ସର୍ବାଣୀର ହାଲହଇକତ ଜାଣିବାପାଇଁ ବ୍ୟଗ୍ର ହୋଇ ଉଠିଲେ ।

 

ସ୍ୱାମୀ ଘରର ଭଲମନ୍ଦ, ସୁଖଦୁଃଖ କେତେ କଥା ସର୍ବାଣୀ ମନ ଭିତରେ ଉଙ୍କି ମାରିଲା-। ବାପଘର ଆଉ ସ୍ୱାମୀଘର ଭିତରେ ଆକାଶ ପାତାଳ ତଫାତ୍ । ସେ ସବୁ ଭାଗ୍ୟକଥା । ତେବେ ବୋଉ ନ ଶୁଣି ଆଉ କିଏ ଶୁଣିବ ? କିଏ ତା’ର ବୁକୁତଳ ଜଳନ୍ତା ନିଆଁକୁ ଉପଶମ କରିବ-? କହିଲା ଅତି ଦୁଃଖରେ, ‘‘ସ୍ୱାମୀଘର ବାସ୍ତବିକ ସୁଖର ସଂସାର; କିନ୍ତୁ ସମସ୍ତଙ୍କ ଭାଗ୍ୟରେ କ’ଣ ତା’ ଜୁଟେ ? ମୋ କପାଳଟା ଫଟା ଲୋ ବୋଉ ! ସୁନାରେ ମୋର ହାତ ବାଜିଲେ ଖପରା ପାଲଟେ-। ଆତୁର ହୋଇ ପାଣି ମନ୍ଦାଏ ଖୋଜିବସିଲେ ପୋଖରୀ ଗୋଟାକ କୁଆଡ଼େ ଶୁଖିଯାଏ । ଭଲ କଥା କହିଲେ ଲୋକେ ତାକୁ ମନ୍ଦ ବୁଝନ୍ତି । ଚଞ୍ଚଳା ଲକ୍ଷ୍ମୀ ବି ମୋ ନିକଟରେ ଅଚଳ ହୋଇ ପଡ଼ନ୍ତି-। ଘରେ କଳି ନ ଥିଲେ କେଉଁଠୁ ଶାଖା ପ୍ରଶାଖା ମେଲି ମାଡ଼ିଆସେ । ସେତେବେଳେ ମୁଁ ଭାବେ, କ’ଣ କଲେ ମୋର ସୁନାର ସଂସାର ହସିଉଠିବ । ଅନେକ ସମୟ ଚିନ୍ତାରେ କଟେ । ଚିନ୍ତା କରି ଭୁଲରେ କେବେ ମୁଁ କାହାରି ଦିନେ ଅନିଷ୍ଟ ପାଞ୍ଚିନି । ପାଞ୍ଚିବାକୁ ବି ଇଚ୍ଛା ନୁହେଁ । ଯେ ଯାହା ଲାଗି ଗୋହି ଖୋଳେ, ସେ ସେଇଥିରେ ପଢ଼େ । ଏଇଥିପାଇଁ ମୁଁ ବରାବର ହୁସିଆର ହୋଇ ମୋ କାମ ମୁଁ କରେଁ । ତଥାପି ସହିପାରନ୍ତିନି ଘରଲୋକେ । ଘର କଥା ଘୋର । ଏ ମିଛର ସଂସାର ଭିତରେ କିପରି ସମସ୍ତଙ୍କ ସାଙ୍ଗରେ ନିଜକୁ ଖାପ ଖୁଆଇ ଚଳିଲେ ଅପବାଦ ନ ରଟିବ, ସେଥିପାଇଁ ଖୁବ୍‍ ସାବଧାନ ଥାଏଁ । ଶାଶୁ ଯେଉଁ ଚିଠି ଦିଅନ୍ତି, ସେଥିରେ ହାଡ଼ ନ ଜଳୁଥିଲେ ଜଳେ । ମୁଁ କିନ୍ତୁ ଶାଶୁଙ୍କର ଭୁଲ ଧାରଣାକୁ ବଦଳାଇବା ପାଇଁ ଯଥାସାଧ୍ୟ ଚେଷ୍ଟା କରି ଚିଠି ଲେଖେଁ-। ସେ ଚିଠିଫାଳେ କାଗଜରେ ପୂରେନି କି ଘଣ୍ଟାଏ ବେଳରେ ସରେନି । ଲେଖୁ ଲେଖୁ ରାତି ଅନେକଗୁଡ଼େ ହୋଇଯାଏ । ଦେହ ଗରମ ହୋଇଯାଏ । ଆଖି ପୋଡ଼ିଉଠେ । ଲୁହ ବୁହେ-। ଖାଲି ଭଗବାନଙ୍କୁ ସାକ୍ଷୀ ରଖି ଆଖି ଲୁହକୁ କାନିରେ ପୋଛେଁ । ଆଖିରେ ନିଦ ନ ଥିଲେ ବି ମନଟାକୁ ପ୍ରବୋଧନା ଦେବାପାଇଁ ବିଛଣା ଭିତରେ ମୁହଁ ମାଡ଼ି ଶୁଏଁ । କିନ୍ତୁ ବିଛଣାରେ ବି ସେଇ ଦୁଶ୍ଚିନ୍ତା ଶୋଇଦିଏ ନାହିଁ । ତତଲା ତେଲ କଡ଼ାରେ ଜିଅନ୍ତା ମାଛ ଛଟପଟ ହେଲାପରି ବିଛଣାଟାରେ ମୁଁ ଏକଡ଼ ସେକଡ଼ ହୁଏଁ । ଏହିପରି ଗୋଟେ ନୁହେଁ କେତେ ରାତି ବିତିଯାଇଛି । ଶାଶୁଙ୍କ ଚିଠିର ମର୍ମ୍ମ ବୁଝି ବେଳେ ବେଳେ ଚିଡ଼ିଉଠେ । ରାଗ ତମରେ ନ ଲେଖିବା କଥା ମଧ୍ୟ ଲେଖିପକାଏଁ । ବଡ଼ ବଡ଼ ପଣ୍ଡିତମାନେ କହନ୍ତି, ଦୁର୍ଭାବନା, ବିବେକର ଯନ୍ତ୍ରଣା ଓ କଲାକର୍ମର ଅନୁଶୋଚନାରେ ମନ କ୍ଷତବିକ୍ଷତ ହୁଏ । ନ୍ୟାୟ ଅନ୍ୟାୟ, ପାପପୁଣ୍ୟର ଅନ୍ତର୍ଦ୍ୱନ୍ଦ୍ୱରେ ଶରୀର ଓ ମନ ଯେ କି ପରିମାଣରେ କ୍ଷତିଗ୍ରସ୍ତ ହୁଏ, ତାହା ଭୁକ୍ତଭୋଗୀ ମାତ୍ରକେ ଉପଲବ୍ଧି କରିପାରନ୍ତି । ବାସ୍ତବିକ ମୁଁ ନିଜେ ଯେତେବେଳେ ଆଇନାରେ ନିଜକୁ ଦେଖେଁ, ଭାରି ଦୁଃଖିତ ହୁଏଁ । ମୋର ଦେହ କେବଳ ସେଇଥିପାଇଁ ଭାଙ୍ଗିପଡ଼ିଛି ।

 

‘‘ଘରେ ଥିଲି ଯେ ଦିନରାତି ପାଟି ଲଗାଇଲେ । ଦିନେ ଖାଇବସିଥାଏଁ, କହିଲେ, ‘ଆଲୋ, ତୁ ବାପଘରେ ଏତେ ଖାଉଥିଲୁ ନା ? ଏଠି ଦେଖିଲୁ କି ଅମପା ଭଣ୍ଡାର ?’ ଭାତଗୁଣ୍ଡା ମୋ ହାତରୁ ଖସିପଡ଼ିଲା । ଯେଉଁ ମୁଠାକ ଖାଇବାକୁ ନେଇଥାଏଁ, ସେ ଆଉ ଖାଇହେଲା ନାହିଁ । କୋହ ଉଠିଲା, ମନଟା ଶିରିଶିରି ହେଲା । ଭାତ ବେଲାଟା ଧରି କୁକୁର ଆଗରେ ଆଜାଡ଼ିଦେଲି । ଭାବିଲି, ୟାଙ୍କ ସାଙ୍ଗରେ ପାଟି ନ କଲେ ଗଲା । ସେ କିନ୍ତୁ ଛାଡ଼ିବା ଲୋକ ନୁହନ୍ତି । ପଦେ ନ ଶୁଣିଲେ ଆଉ ପଦେ କହିବାର ସୁବିଧା ହେବ ନାହିଁ । ତେଣୁ କୁକୁର ଭାତ ଖାଉଥିବା ଦେଖିଆସି ମୁହଁ ପାଖରେ ମୁହଁ ଯୋଡ଼ି କହିଲେ, ‘ଆଲୋ, ଭାତ କ’ଣ କଲୁ ସତ କହ । ନ ହେଲେ ମୁଁ କାହାରି ନୁହେଁ, କହୁଛି ।’ କଥାଟାକୁ ମୋରି ତୁଣ୍ଡରୁ ଆଦାୟ କରିବାକୁ ବ୍ୟସ୍ତ ହୋଇପଡ଼ିଲେ । ମୁଁ ଯିମିତି କୁକୁରକୁ ଦେଲି ବୋଲି କହିଲି, ସଙ୍ଗେ ସଙ୍ଗେ ଶଶୁରଙ୍କୁ ଡାକିଆଣି ଦେଖାଇଦେଲେ । ଆଉ ଗାଁରୁ ଦୁଇ ତିନି ମାଇପିଙ୍କୁ ଡାକିଆଣି କହିଲେ, ‘ହେଇ ଦେଖ, ସମସ୍ତେ କୁହ, ମୁଁ ତାକୁ ଖାଇବାକୁ ଦେଉନାହିଁ । କେହି ତ ତା’ ଗୁଣ ଜାଣିବ ନାହିଁ । ସମସ୍ତେ ମୋ ଦୋଷ ଦେବ, କ’ଣ ନା ଶାଶୁ ବୋହୂଟାକୁ ମୋଟେ ଚଳେଇ ଦେଲା ନାହିଁ । କୁହନି, ଲକ୍ଷ୍ମୀ ଛାଡ଼ିଯିବା କଥା ଏ ନୁହଁ ? ୟାଙ୍କୁ ଦାନାକନା ମିଳିବ ?’ ଏକଥା ଶୁଣି କିଏ ମୋ ଉପରେ ପାଟିକଲା । କିଏ ମଉନ ହୋଇ ଫେରିଲା ।

 

‘‘ଏଇମିତି ଡହଳ ବିକଳ ହୋଇ କେତେଟା ଦିନ ଯେ ସେଠି କାଟିଲି, ଗୋଟାଏ ଯୁଗ ପରି ଲାଗିଲା ମତେ । ଭାବିଲି, ଯେଉଁଠି ଟିକେ ସ୍ନେହ ମମତା ନାହିଁ, ସେଠି କେମିତି ଚଳିବି ?’’ ଗାଁ ଭିତରୁ କେତେଜଣ ମାଇପେ ସେ ନ ଥିଲା ବେଳେ କହନ୍ତି, ‘ଚୁପ୍‍ ହୋଇ ରହିଯା । ସହିଲା ଲୋକ ବଡ଼ । ତାଙ୍କ କଲାକର୍ମ ତାଙ୍କର । ଚକ କାଲି ପରି ପୁଣି କୁଆଡ଼େ ଘୂରିଯିବ । ସବୁବେଳେ କ’ଣ ସବୁ କଥା ସମାନ ଥାଏ ?’ ଶାଶୁଙ୍କର ଭାରି ପତଳା କାନ । ସେ ଆମ କଥାବାର୍ତ୍ତାବେଳେ ହାବୁଡ଼ିଯାଆନ୍ତି । ସେଇଠୁ ତ ପାଲା ବେଶି ଲାଗିଲା । ମୋ ସାଙ୍ଗରେ ସେମାନେ ବି ଗାଳି ଖାଆନ୍ତି-। ତାଙ୍କୁ ଦୁଆର ବନ୍ଦ ହୁଏ । ସେହି ଦିନୁ ତାଙ୍କ ଡରେ ଗାଁର କେହି ମୋ ସାଙ୍ଗରେ କଥାବାର୍ତ୍ତା କରନ୍ତିନି । ମୁଁ ସେହି ଘରଟି ଭିତରେ ପଡ଼ିରହି ନିଜ ଧନ୍ଦା କରେଁ । ଚାଲିଲେ, ବସିଲେ, ରାନ୍ଧିଲେ, ବାଢ଼ିଲେ, କହିଲେ, ହସିଲେ ସବୁଥିରେ ଖୁଣ୍ଟନ୍ତି । ତଥାପି ତାଙ୍କରି କଥାକୁ ମାନେ । କିନ୍ତୁ ହେଲେ କ’ଣ ହେବ, ସେ କେବେହେଲେ ମୋ ଉପରେ ଖୁସି ହେବାର ଦେଖି ନାହିଁ ।

 

‘‘ମନଟାକୁ ସଦାବେଳେ ହତାଶିଆ କରି କିପରି ଚଳନ୍ତି ? ମାଆ ବାପ ହୋଇ ସେମାନଙ୍କୁ ଯଦି ନିଜର କରି ନ ପାରିଲି, ଆଉ କାହାକୁ ଆପଣାର କରିବି ? କେଉଁଠି ମୋର ଭୁଲ ରହୁଛି କିଛି ବୁଝିପାରେ ନାହିଁ । ରାତିରେ ଶୋଇଲାବେଳେ ଯାହା ଟିକିଏ ରକ୍ଷା ପାଏଁ । ହେଲେ ମନ ଭିତରଟା ସାରୁ ଖାଇଲା ଭଳି କୁଣ୍ଡାଇ ହୁଏ । ଆଖିରୁ ଲୁହ ଝରେ । ତକିଆ ତିନ୍ତେ । ବୁଝିପାରେନା ଭଗବାନଙ୍କ ମହିମା । ଭୁଲଟା କାହଁକି ଆତ୍ମଗୋପନ କରୁଛି ? ଜଣକର ପ୍ରଶଂସା ଆଉ ଜଣକର ନିନ୍ଦା କରିବାରେ ଭଗବାନ ହୁଏତ ଯଦି ତୃପ୍ତି ଲାଭ କରୁଥାନ୍ତି, ତେବେ ସେ ନିନ୍ଦା କାହାର ? ସତ୍ୟ ଆଉ ନ୍ୟାୟକୁ ଶୀର୍ଷ ସ୍ଥାନରେ ରଖିଲେ କାହିଁକି ? ସତ୍ୟ କ’ଣ ଏତେ ଘୃଣ୍ୟ ? ସତ୍ୟର ଉଜ୍ଜ୍ୱଳତା କ’ଣ କମିଗଲାଣି ? ତାହା କ’ଣ ଅସତ୍ୟଠାରୁ ବଳି ତୁଚ୍ଛ ?’’

 

କଥା ମଝିରେ ବୋଉ କହିଲେ, ‘‘ହଁ ଲୋ, କଳିଯୁଗ ପରା ଏ ! କଳଙ୍କି ଦେବତା ଚାରିଆଡ଼େ ବୁଲି ଘରେ ଘରେ ପଶି କଳି ଭିଆଉଛନ୍ତି । କୁଟୁମ୍ବ ଗୋଟାଏ ସେ ଦାଉରେ ଏକାଠି ରହିପାରୁ ନାହାନ୍ତି । ତାଙ୍କର ଉଦ୍ଦେଶ୍ୟଟା ଏ ଅବୁଝା ଲୋକଗୁଡ଼ାକ ଯଦି ବୁଝିଯାଆନ୍ତେ ନା, ଏତେଦୂର ଅଘଟଣ ଘଟନ୍ତା ନାହିଁ । ସେ ବା ବୁଝିବେ କିମିତି ? କଳିର ଆଉ ରାଜତ୍ୱ ରହିବ ନା ? ଏଇକ୍ଷଣି ଯେ ମିଛକୁ ଗଛରୁ ଛିଣ୍ଡେଇ ଆଣି ଥୋଇଲା ପରି କହିଲା, ତାହା କଥାକୁ ସମସ୍ତେ ସତ ମଣିବେ । ସେଇ ଏବେ ବଡ଼ । ଯେ ମିଛ ଯୋଡ଼ିପାରେ, ତା’ର ଭାରି ବଡ଼ ପାଟି, ବଡ଼ କଥା ।’’

 

ସର୍ବାଣୀ କହିଲା, ‘‘ହଉ ଶୁଣ୍‍ । କହୁଁ କହୁଁ ତିନିଟା ବରଷ କଟିଲା । ତାଙ୍କ ପାଖକୁ ଲେଖିଲି ଚିଠି । ସେ କେବେ କିମିତି ଘରକୁ ଆସନ୍ତି । ଦିନ ଗୋଟାଏ କି ଦି’ଟା ଖୁବ୍‍ ଜୋରରେ ରହନ୍ତି । ତାଙ୍କୁ ଏସବୁ ଘଟଣା କହେ । ସେ ଶୁଣନ୍ତି, କହନ୍ତି, ‘କ’ଣ କରିବା, ବାପ ମା ତ । ତାଙ୍କୁ କ’ଣ ଆଉ ଫୋପାଡ଼ି ଦେବା ? କିଏ ବାପ ମାଙ୍କୁ ହରାଇ ଜୀବନ ସାରା ହାଇପି ସାଇପି ହେଉଛନ୍ତି-। ଆମେ ପାଇଲା ଧନ ହରାଇବା ? ସେ ଯାହା କହନ୍ତୁ ନା, ତାଙ୍କର ସେବାହିଁ ଆମର ଧର୍ମ-। ସେ ଖୁସି ନ ହେଲେ ଯାଏ ଆସେନି । ଆମେ ଆମ କର୍ତ୍ତବ୍ୟ କରିବା । ତାଙ୍କର ଗାଳି ଆମର ଆଶୀର୍ବାଦ ବୋଲି ବୁଝିବାକୁ ହେବ । ସେତକ ଧୈର୍ଯ୍ୟ ରଖିପାରିଲେ ପଥର ବି ପାଣି ହୋଇଯିବ । ଅସାଧୁ ବି ସାଧୁ ହୋଇଯିବ । ଆମର ତ୍ରୁଟି ରହୁଛି । ତା’ ନ ହୋଇଥିଲେ ଆମକୁ ଏତେ ଏତେ ଗୁଡ଼ାଏ ଶୁଣିବାକୁ ପଡ଼ନ୍ତାନି । ଆମକୁ ସେଥିପାଇଁ ଚିନ୍ତା କରିବାକୁ ପଡ଼ିବ । ବୁଦ୍ଧି ଖଟାଇବାକୁ ପଡ଼ିବ-। ସାଧୁ ସନ୍ଥମାନଙ୍କ କଥା ତ ପଢ଼ିଛୁ । ସେମାନେ କିପରି ନିର୍ବିକାର, ନିଃସ୍ୱାର୍ଥ ନିର୍ଲୋଭା ହୋଇ ଚଳନ୍ତି-! ଜାଗତିକ ମୋହକୁ ସେମାନେ ଆଦୌ ପସନ୍ଦ କରନ୍ତିନି । ତେଣୁ ସେହିମାନେହିଁ ପ୍ରକୃତରେ ଶାନ୍ତି ପାଆନ୍ତି । ଆଉ ଶାନ୍ତି ପାଇବାର ବାଟକୁ ପ୍ରତ୍ୟେକଙ୍କ ପାଇଁ ସୁଗମ କରିଦିଅନ୍ତି । ତେଣୁ ତୁ ଟିକେ ଆଧ୍ୟାତ୍ମିକବାଦୀ ହେବାକୁ ଚେଷ୍ଟା କର । ତୋର ନୈତିକ ବଳ ଫେରିଆସିବ । ତାହାରି ବଳରେ ତୁ ହସିପାରିବୁ, ଆଉ ସମସ୍ତଙ୍କୁ ମଧ୍ୟ ହସାଇ ପାରିବୁ ।’’

 

‘‘ତାଙ୍କର ଏ କଥାଗୁଡ଼ା ମତେ ବଡ଼ ଅଡ଼ୁଆ ଅଡ଼ୁଆ ଲାଗେ । ଯେଉଁଠି ମାଛ ଶୁଖୁଆ ଶସ୍ତା, ସେଠି ସରୁ କାଖରୁକୁ ପଚାରେ କିଏ ? ଏମିତିକା ଢଙ୍ଗ ଦେଖିଲେ ଆଉରି ହସିବେ, ଥଟ୍ଟା କରିବେ । ଦେଖେଇ ଶୁଣେଇ ବାରକଥା କହିବେ । ମୁଁ କହିଲି, ‘ମୋ ଦେହାତରେ ଏକଥା ହେବ ନାହିଁ । ମୁଁ ତୁମ ପାଖକୁ ଯିବି । ତୁମେ ମତେ ନେବ କି ନାହିଁ କହିଲ ? ନ ହେଲେ ବାପାଙ୍କ ପାଖକୁ ଚିଠି ଲେଖି ଘରକୁ ପଳାଇବି । ତେଣିକି ମୋ ଭାଗ୍ୟରେ ଯାହା ଥିବ । ଏଠି ତ ବହିଟିଏ ମିଳିବାର ବା ପଢ଼ିବାର କୌଣସି ସୁବିଧା ନାହିଁ । ପଢ଼ି ବସିଲେ ପାଟି ନ ହେଉଥିଲେ ହେବ । ବହି ଥୁଆ ହୋଇ ଶେଷରେ ଉଇ ଲାଗିବ କି ପୋକ ଖାଇବ । ତୁମେ ତ ରହିଲା ଦୂରରେ । ତୁମେ କାହୁଁ ମୋ କଷଣ ଜାଣିବ ! ମୋ’ପରି ଏଠି ଯଦି ପଡ଼ି ରହନ୍ତ ନା, ଦେଖନ୍ତି ତୁମେ କେଡ଼େ ସହିବା ଲୋକ । ସମସ୍ତେ କହିଦିଅନ୍ତି । କରି ଦେଖାଇଦେବାଟା ବଡ଼ ଜଟିଳ ।’’

 

‘‘ସେଇଠୁ କହନ୍ତି, ‘ବହି ଘୋଷିଲେ କ’ଣ ନିଜର ଢଙ୍ଗ ବଦଳିଯିବ ? ଖାଲି ଟିକେ ସ୍ୱାର୍ଥକୁ ଏଡ଼ିଲେ ହେଲା । ସବୁ ବାଟ ସଫା ହୋଇଯିବ । ଅବଶ୍ୟ ମୁଁ ଘରେ ଥିବା ବେଳେ କେତେକ କଥାରେ ବିରକ୍ତ ହୁଏ । ପୁଣି ପରସ୍ତେଇ ହୁଏ ମୁଁ କ’ଣ କରିବାକୁ ଯାଉଛି । ତୁ ଆଉ ମୋ ସାଙ୍ଗରେ ଅଯଥା ଯୁକ୍ତି କରନା । ମୁଁ ଯାହା କହୁଛି ତାହା ପ୍ରକୃତ ମଣିଷ ହୋଇ ଗଢ଼ି ହେବାର ବାଟ-। ତୁ ମତେ ନଜିର ଦେଏନା । ତୋରି ପଥ ତୁ ନିଜେ ପରିଷ୍କାର କର । ତୋରି ପଥରେ ପଥୁକୀ ହୋଇ ମୁଁ ଆଲୋକର ସତ୍ତା ପାଏ । ତୋରି କର୍ମରେ ମୋର ଜୟଲାଭ ହେଉ । ରତ୍ନାବଳୀ ପରି ଜଣେ ସ୍ତ୍ରୀ ସକାଶେ ତୁଳସୀଦାସଙ୍କର ତ ବୈରାଗ୍ୟ ଆସିଥିଲା ।

 

ମୁଁ କହିଲି ଥାଉ ଥାଉ ସେ ନୀତିବାକ୍ୟ ମତେ ଶୁଣାନା । କିଛିଦିନ ପାଇଁ ମୁଁ ତୁମ ପାଖରେ ରହିବି । ମତେ ସେତକ ସୁବିଧା ଦିଅ । ଏହା କହି ତାଙ୍କ ପାଦଦୁଇଟାକୁ ଜାବୁଡ଼ି ଧରିଲି । ଆଖି ଲୁହରେ ପାଦ ଦି’ଟାକୁ ତିନ୍ତାଇ ଦେଲି ତାଙ୍କର । ସେ କଥାଟାକୁ ମୋର ବୁଝିଗଲେ । ଆଉ ବକାବକି ନ କରି ଶୋଇ ପଡ଼ିବାପାଇଁ ଅନୁରୋଧ କଲେ ।

 

ସକାଳ ହେଲା । ମୁଁ ମୋ କାମରେ ଲାଗିଲି । ସିଏ ବାପା ବୋଉଙ୍କ ପାଖରେ କାଇଲି ମାଇଲି ହୋଇ ଠିଆ ହୋଇଥାଆନ୍ତି । ଯିମିତି କିଛି ଜାଣନ୍ତି ନାହିଁ । ଶଶୁର କହି ବସିଲେ, ‘ଏ ବର୍ଷ ବିଲ ଧୋଇ ଯାଇଛି । ରବି ଫସଲକୁ ପୋକ ଚରିଗଲେଣି । ଧାନ ତ ଛଅ ମାସ ପାଇବନି । ଅନ୍ୟାନ୍ୟ ଖର୍ଚ୍ଚ ତ ପୁଣି ଅଛି ।’ ଶାଶୁ କହିଲେ, ‘କୁଆଡ଼େ ଟିକେ ବାହାରି ପଡ଼ିବାକୁ ମୋର ଖଣ୍ଡେ ହେଲେ ପେଡି ଶାଢ଼ି ନାହିଁ । ଶଶୁର ଅମଳରୁ ଆଜିଯାକେ ତ କାନରୁ ନିମକାଠି ଦି’ଖଣ୍ଡ ଛାଡ଼ିଗଲା ନାହିଁ । ଭଲ ଦରବଟିଏ ଖାଇବାକୁ ଆଶା କଲେ ପଇସାଟିଏ ପାଖରେ ନାହିଁ । କାହାକୁ ବା କହନ୍ତି, ମନକଥା ମନରେ ମାରି କହେ, ଦେ’ମ, ନ ହେଲା ନାହିଁ ।’ ପୁଅ ସବୁଗୁଡ଼ା ଶୁଣି ଶୁଣି କହିଲେ, ‘ବାପା, ହାତରେ ଚାଷ ନ କଲେ ଆମେ ଆଉ କେତେ କିଣି ଖାଇବା ? ଏ ବର୍ଷ ଯାହାହେଉ ବଳଦ ହଳେ ନ କଲେ ଚଳିବ ନାହିଁ । ଲୋକେ ଅଳସୁଆ ହେବାର ଦେଖି ଓ ଚାଷ ପ୍ରତି ଶିକ୍ଷିତ ଯୁବକମାନଙ୍କର ଅନାଦାର ଦେଖି ସରକାର ଚାଷ ଉପରେ ବର୍ତ୍ତମାନ ବେଶି ଜୋର୍‍ ଦେଲେଣି । ଆମେ ହାତରେ ଚାଷ କଲେ ଖୁସିରେ ଚଳିଯିବା । ବୋଉ, ତୁ ଯାହା ଭାବୁଛୁ, ମୁଁ ବୁଝୁଛି । ହେଲେ କନେଷ୍ଟବଳ ଚାକିରି କରି ମାସକୁ କେତେ ଅବା ଦରମା ପାଇବି, ସେଥିରେ ନିଜେ ଚଳି ଘରକୁ ପଇସାପତ୍ର ପଠାଇବି । ଆଉ ଅଧିକା କେଉଁଠୁ ଆସିବ ?

 

‘ଆଉ ସର୍ବାଣୀ କଥା ତ ଜାଣୁ । ତିନି ତିନିଟା ବର୍ଷ ଏଠି ସେ ରହିଲା । ତା’ର ଟିକେ ବାହାରେ ବୁଲିଆସିବା ଦରକାର । ସଂସାର ସମ୍ବନ୍ଧରେ ହୁଏତ ବାହାରୁ କିଛି ଧାରଣା ସଂଗ୍ରହ କରିବି । ମୁଁ ମଧ୍ୟ ହାତରେ ଚୁଲି ଫୁଙ୍କି ଫୁଙ୍କି ବଡ଼ କଷ୍ଟ ପାଉଛି । ଦିନେ ଦିନେ ଚାକିରି ଛାଡ଼ିଦେବାକୁ ଇଚ୍ଛା ହୁଏ । ଅଧିକାଂଶ ରାତିରେ ବଜାରରୁ ଜଳଖିଆ କିଣିଆଣି ଖାଇଦିଏ । ସେ ଗଲେ ଜଣକର ରୋଷେଇରେ ବି ଦି’ଜଣ ଚଳିପାରିବୁଁ, ଖର୍ଚ୍ଚ ସିମିତି କିଛି ବେଶି ପଡ଼ିବ ନାହିଁ ।’

 

କବାଟ କଣରେ ଥାଇ ମୁଁ ଏ କଥା ଶୁଣୁଥାଏଁ । ମୋର ଛାତି ଖାଲି ଦମ୍ ଦମ୍‍ ହେଉଥାଏ-। ନାଡ଼ି ଛାଡ଼ଛାଡ଼ ହେଉଥାଏ । ଶାଶୁ ବାହାର କଲେ, ‘ହଁ ରେ ବାପ, ତୁ କାହିଁକି ଏ କଥା ନ କହିବୁ-? ମୋ ଭାଗ୍ୟ କୁହାଉଛି । ବୋହୂ ପୁଣି ଘରୁ ଗୋଡ଼ କାଢ଼ି ବିଚ୍ ବଜାରକୁ ଯିବ; ଦାରୀ, ଭାଡ଼ୁଆଣୀ ପରି ହେବ ! କିଏ ନାହିଁ କରୁଛି ? ଆମେ କହିଲେ ତ କଥା ରହିବ ନାହିଁ । ତା’ ଇଚ୍ଛା ତୁମେ ଯାହା କରିବ କର ।’

 

‘‘ସେ କହିଲେ, ‘ବୋଉ, ଏତେ ନୀଚ ଭାବନା କଲେ ଚଳିବ ନାହିଁ । ତୋ ସୁନା କେବେ ଭେଣ୍ଡି ହେବ ନାହିଁ । ତୋ ବଂଶରେ କେବେ କଳଙ୍କ ରଟିବ ନାହିଁ । ତୋ ପୁଅ କେବେ ଅବାଟକୁ ଯିବ ନାହିଁ । ତୋ କଥାରୁ କେବେ ସେ ବାହାରିଯିବ ନାହିଁ । ତାକୁ ମଣିଷ ପରି ବଞ୍ଚିବାକୁ ଦେ, ପୁଅର ସୁଖ ଦେଖି ସୁଖୀ ହୋ, ସୁନାର ସଂସାରକୁ ତା’ର ଉଜ୍ଜ୍ୱଳ କର । ଆଉ ଆଶୀର୍ବାଦ କର, ତୁମରି ସେବାରେ ତୁମରି ଧ୍ୟାନରେ ଆମର ଚିତ୍ତଶୁଦ୍ଧି ହେଉ ।’’

 

‘‘ଶାଶୁ ହସିଲେ, ଶଶୁର ବି ହସିଲେ । ଶାଶୁଙ୍କ ହସିବାଟା ଏତେଦିନକେ ଦେଖିଲି । ମତେ ତାଙ୍କ ସାଙ୍ଗରେ ବାହାରିବାର ଆଦେଶଟା ବି ମିଳିଗଲା । ମୁଁ ସେତେବେଳେ ଯେଉଁ ଆନନ୍ଦ ପାଉଥାଏଁ, ତାହା ଆଉ କ’ଣ କହିବି, ଚଞ୍ଚଳ କରି ରନ୍ଧାବଢ଼ା ଗଣ୍ଡେ କରିଦେଲି । ଖିଆପିଆ ସରିଲା-। ନିଜର ଲୁଗାପଟା ଦି’ଖଣ୍ଡ ଟ୍ରଙ୍କ ଗୋଟାକରେ ପୂରାଇଲି । ସମସ୍ତଙ୍କଠୁଁ ବିଦାୟ ନେଇ ଚାଲିଲି ଗାଡ଼ି ପାଖକୁ । ସେତେବେଳେ ମତେ ନୂଆ ନୂଆ ଲାଗୁଥାଏ । ଗୋଟାଏ ଅଜଣା ଆନନ୍ଦରେ ମନଟା ନାଚି ଉଠୁଥାଏ । ଛାତିଟା ଫୁଲି ଉଠୁଥାଏ, ତାଙ୍କ ପାଖକୁ ଆସିଲି ।’’

 

‘‘ସେଠାରେ ତାଙ୍କୁ ଘରର ଦିନ ଦିନକର ଘଟଣା କହିଲି । ସେ ତ ମୋ ଉପରକୁ ଚିଡ଼ିଲେ; କହିଲେ, ‘ତୁ ଯିମିତି ତୋ ମନ ସିମିତି । ଅନ୍ୟକୁ ଭାବୁ ମଧ୍ୟ ସେଇମିତି । ଗୋଟାଏ ଗୋଟାଏ ଅପ୍ରୀତିକର ପରିସ୍ଥିତି ସମୟେ ସମୟେ ଉପୁଜେ । ତାକୁ ମଣିଷ ଜାଣିଶୁଣି ଡାକି ଆଣେନି । ସେଇଟା ହେଉଛି ଭଗବାନଙ୍କର ପରୀକ୍ଷା । ଆମେ ଯଦି ସେତକ ସୁଧାରି ନ ପାରିବା ତେବେ ମଣିଷ ବୋଲି କାହିଁକି ଗଣା ହେବା ?’’

 

ବୋଉ ସବୁ ଶୁଣିଲେ, ଠୋ ଠୋ ହୋଇ ହସିଲେ; କହିଲେ, ‘‘ସେ ତ ନିଗମାନନ୍ଦଙ୍କ ଶିଷ୍ୟ । ଚାକିରି କ’ଣ, ଘରଦ୍ୱାର କ’ଣ, କେତେବେଳେ ମନ ହେବ ତ ଛାଡ଼ି ପଳାଇବେ । ତୁ ତାଙ୍କୁ ମୋଟେ ଚିଡ଼ାଇବୁ ନାହିଁ ।’’

 

ସର୍ବାଣୀ ପୁଣି କହିଲା, ‘‘ଏଇମିତି, ବୋଉ, ପାଣି ଅସରା ପରି ଦିନଗୁଡ଼ାକ ବହିଯାଇଛି-। ଦିନ କେତେବେଳେ ଯାଏ, ରାତି କେତେବେଳେ ଆସେ, ମୁଁ ଜାଣେନା । ଖାଲି ଗଧ ପରି ଖଟେଁ; ଘୁଷୁରି ପରି ଖାଏଁ । ପୁନିଅଁ ପରବ ଅବା କୌଣସି ଗୋଟାଏ ଭଲ ଦିନ କ’ଣ ମୁଁ ଜାଣେନା-। ମୋର ଆଜି ଯିମିତି, କାଲି ସିମିତି । ନିଜ ଇଚ୍ଛା ଅନୁସାରେ ଗୋଟାଏ କାମ କରିଯିବା, ଏହା ଦିନେ ହୋଇନି । ବୋଉ ହେଉଛନ୍ତି ଇଞ୍ଜିନ୍, ମୁଁ ତାଙ୍କର ଡବା । ସେ ଯେଉଁଆଡ଼େ ଯାଆନ୍ତି, ମୁଁ ତାଙ୍କ ପଛରେ ଖାଲି ଦଉଡ଼ିବା କଥା । ସୁଖଶାନ୍ତି ଜନମରୁ ମୋ କପାଳରୁ ଷଠିଦୁଶୀ କାଟି ଦେଇଛି-। ତୁମ ପାଖକୁ ଚିଠି ଦେଇଛି, ତୁମେ ବି ଉତ୍ତର ଦେଇଛ । କିନ୍ତୁ ତାକୁ ପଢ଼ିବାକୁ ତର ହୁଏନା । ପଢ଼ିକରି ବି ଆଉରି ଦୁଃଖିତ ହୁଏଁ ।

 

‘‘ଏଇ ବାବୁଲା ହେଲାବେଳକୁ ତାଙ୍କ ପାଖକୁ ସେ ଚିଠି ଦେଲେ । ଶଶୁର ଆସି ପହଞ୍ଚିଲେ । ପୁଅକୁ କୋଳରେ ଧରିଲେ । କହିଲେ, ‘ଏଟା ଭାରି ଦୁଷ୍ଟ ହେବ । ବୁଢ଼ୀ ତ ସାବାଡ଼ କରିଦେବ’ ।’’

 

ଏତିକିବେଳେ ବାବୁଲା ନିଦରୁ ଉଠି ରଡ଼ି ଛାଡ଼ିଲା । ବୋଉ କହିଲେ, ‘ଦଉଡ଼ୁ, ଦଉଡ଼ୁ, ପୁଅଟା ଉଠିଲାଣି ।’ ସର୍ବାଣୀ ପଳାଇଗଲା ପୁଅ ପାଖକୁ । ପୁଅ ବିଛଣା ଛାଡ଼ି ହାମୁଡ଼େଇ ହାମୁଡ଼େଇ ଆସି ଦୁଆର ବନ୍ଧ ପାଖରେ ହୋଇଥାଏ । ତାକୁ କାଖେଇ ପକାଇଲା । ବିଛଣାରେ ହାତ ମାରି ଦେଖିଲା ମୂତରେ ଜୁଡ଼ୁବୁଡ଼ୁ ହୋଇଛି । ବୋଉକୁ ଡାକ ଛାଡ଼ିଲା, ‘ବୋଉ ଲୋ, ଟୋକାଟା ମୂତି ପକାଇଛି । ଶୀତଦିନ ତ, ଦେହଟା ଥଣ୍ଡା ଲାଗିଲା କି କ’ଣ ନିଦ ଭାଙ୍ଗିଗଲା । ଆଉ କ’ଣ ଖଣ୍ଡେ ଦେ, ତାକୁ ଶୁଆଇଦେବି !’ ବୋଉ ଆସିଲେ; ବିଛଣାକୁ ଚାହିଁ କହିଲେ, ‘ନଈ ତ ଭସେଇ ଦେଇଛି !’ ପୁଣି ଖଣ୍ଡିଏ ବିଛଣା କରିଦେଲେ । ପୁଅ ଦୁଧ ଟିକେ ଖାଇ ଶୋଇପଡ଼ିଲା ।

 

ମଳୟା କହିଲା, ‘‘ଅପା, ଭୋକ ହେଲାଣି, ଚାଲ ଖିଆପିଆ କରିବା ।” ବୋଉ ଭାତ ବାଢ଼ିଦେଲେ । ଦୁହେଁ ଗୋଟିଏ ଥାଳିରେ ଖାଇଲେ । ମଳୟା ନିଦୁଆ ଆଖିରେ ଗୁଣ୍ଡା ଉପରେ ଗୁଣ୍ଡା ବଳି ଟାକୁ ଟାକୁ କରି ଖାଇଯାଉଥାଏ । । ସର୍ବାଣୀ କହିଲା, ‘‘କିଲୋ, ଖାଇଲା ବେଳକୁ ତ ଆଗ । କାମ କରିବାକୁ ଦେହ କାହିଁକି ଭାଙ୍ଗି ପଡ଼ୁଛି ? ବୋଉକୁ ରୋଷେଇରେ ଟିକେ ସାହାଯ୍ୟ କରନ୍ତୁ ନାହିଁ !” ମଳୟା କହିଲା, ‘‘ମୁଁ କ’ଣ କିଛି କରେନା ? ଆଜି ତତେ ଦେଖି ପରା ବସିଗଲି । ମୁଁ ତ ସବୁଦିନେ କରୁଛି, ତୁ ଏବେ ଆସିଛୁ, ଏଣିକି ତୋ ପାଳି ପଡ଼ିଲା । ତୁ କ’ଣ କରିବୁ କି ?” ସର୍ବାଣୀ କହିଲା, ‘‘ମୁଁ ତ ଛୁଟି ପାଇ ଟିକିଏ ବସିବାକୁ ଆସିଛି । ମତେ କ’ଣ କାମର ବରାଦ ଦେଲୁଣି ?” ଏହାରି ଭିତରେ ଖିଆପିଆ ଶେଷ ହେଲା । ଦୁଇ ଭଉଣୀଯାକ ସାଙ୍ଗ ହୋଇ ଶୋଇଲେ ।

 

ତହିଁ ଆରଦିନ ସକାଳ । ମଗୁଶୀର ମାସ ଶୀତ ଚାରିଆଡ଼େ ଅଜାଡ଼ିହୋଇ ପଡ଼ିଛି । ଗଛପତ୍ର ସବୁ କାକରରେ ସ୍ନାନ କରି ନବ ସୂର୍ଯ୍ୟର ଦର୍ଶନ ଆଶାରେ ମଉନ ହୋଇ ଅପେକ୍ଷା କରିଛନ୍ତି । ଚାରିଆଡ଼ ଫରଚା ଦିଶିଲାଣି । ପୂର୍ବଦିଗ ରଙ୍ଗ ବୋଳିହୋଇ ଗର୍ବରେ ଫାଟି ପଡ଼ୁଛି । ପକ୍ଷୀମାନଙ୍କର କଳରବରେ ଚତୁର୍ଦ୍ଦିଗ ଝଙ୍କୃତ ହେଲାଣି । ନବପ୍ରଭାତ ସମସ୍ତଙ୍କୁ କର୍ମପ୍ରେରଣା ଦେଇଗଲାଣି ।

 

ସର୍ବାଣୀର ମନରୁ ଆଜି ଅତୀତର କାଳିମା ଲୁଚିଯାଇଛି । ଚାରିଆଡ଼କୁ ଚାହିଁ ସେ ଦେଖୁଛି, ସମସ୍ତେ ଯିମିତି ହସୁଛନ୍ତି । ତା’ ମନରେ ଯିମିତି ଟିକେ ବିଷାଦର ଆଘାତ ନ ଲାଗିବ ସେଥିପାଇଁ ସମସ୍ତେ ଯିମିତି ସତର୍କ ଅଛନ୍ତି । ତା’ର ଆନନ୍ଦକୁ ଦ୍ୱିଗୁଣିତ କରିବାକୁ ପାଖେ ପାଖେ ପୁଣି ମଳୟା ।

 

ସର୍ବାଣୀ ଶୀତ ଚଦର ଦେହରୁ କାଢ଼ି ପଦାରେ ଆସି ବୁଲୁଛି । ମଳୟା ତା’ ନିକଟରେ ପୁଅକୁ ଧରି ଠିଆ ହୋଇଥାଏ । ବୋଉ ଉଠି କାମରେ ଲାଗିଲେ । ବାପଘରେ ଆଜି ସର୍ବାଣୀ ପୁଅର ନବାନ୍ନ କର୍ମ ଯଥାବିଧି ପାଳିତ ହେବ । ସେଥିପାଇଁ କାହାରିକୁ ଟିକେ ଫୁରସତ ନାହିଁ । ଘର ଗୋଟାକ ଲୋକରେ ହାଉଯାଉ ହେଲା ।

 

ମଳୟା ବାବୁଲାକୁ କାନ୍ଧରେ ପକାଇ ଏ ପାଖରୁ ସେ ପାଖକୁ ଯାଉଥାଏ । ବୋଉ ପାଖକୁ ଲାଗିଯାଇ କହିଲା, ‘‘ଆଲୋ ବୋଉ, ତୁ ଆଜି ଏତେ ବଡ଼ ଦିନଟାରେ ବାବୁଲାକୁ ଟିକେ ଧରିଲୁ ନାହିଁ ? ସେ ପରା ତୋର ନାତି ! ସରଗରେ ତୋ ପାଇଁ ବତୀ ଜାଳିବ ! ତତେ ଅନ୍ଧାରରୁ ଆଲୁଅକୁ ନେବ ! ଦେଖ୍‍ନି ସେ ତତେ କିମିତି ଚାହିଁଛି । ତୋର ଟିକେ ଦୟା ଆସୁନି ?’’

 

ବୋଉ କହିଲେ, ‘‘ରଖ ରଖ ସେ କଥାଗୁଡ଼ା । ତାକୁ ଧରିଲେ ମୋ ହାତ ଗନ୍ଧେଇବ । ଆଜି ସକାଳୁ ତା’ ମୁହଁ ଚାହିଁଲିଣି, ଗଣ୍ଡେ ପେଟପୂରା ଖାଇବାକୁ ମିଳୁଛି କି ନାହିଁ । ମା ଲୋ, କିମିତି ଡୁମା ଡୁମା ଆଖି କାଢ଼ିଛି ! ଟୋକା ମତେ ଗିଳିବ କି କ’ଣ ! ନେଇଯା, ନେଇଯା ତାକୁ ସିଆଡ଼କୁ । ତାକୁ ଦେଖି ମତେ ଡର ମାଡ଼ିଲାଣି ।’’

 

ମଳୟା କହିଲା, ‘‘କି, ତତେ କାମୁଡ଼ି ପକାଉଛି କି ? ତୋ ଖାଇବା ଜିନିଷରୁ ଛଡ଼ାଇ ଖାଇଯାଉଛି କି ? ତା’ ଉପରେ ଏତେ କାହିଁକି ଘୋଷା ହେଉଛୁ ମ ? ତୁ ଯେତେ ଯାହା କହିଲେ ସେ କ’ଣ ତତେ ସହଜରେ ଛାଡ଼ିଦେବ ? ବେଠିଆ ପରି ତତେ ଆଜି ଦିନଯାକ ଖଟେଇବ । ତୁ ଖାଆ ତ ନ ଖାଆ । ତାକୁ ଯେତେବେଳେ ଆଜି ଭାତ ଖୋଇବୁ, ସେତିକିବେଳେ ତୋ ମଜାଟା ବୁଝିବି । ବାବୁଲାକୁ କହିବି, ମୁଦିଟିଏ ନ ପିନ୍ଧିଲେ ମୋଟେ ଖାଇବ ନାହିଁ ।’’

 

ବ୍ରାହ୍ମଣ ଆସି ଏତିକିବେଳେ କୁଶ ପାତିରି ଧରି ପହଞ୍ଚିଲେ । ସର୍ବାଣୀ ସବୁ ଦରବ ଆଣି ଥୋଇଲା । ପୁଅ ପାଇଁ ଭଗବାନଙ୍କୁ ଅମରପୁରୀରୁ ଟାଣି ଆଣିବାକୁ ବସି ତର୍ପଣ କଲା । ସେ ତା’ ପୁଅକୁ ଆଜି ଏଭଳି ଶୁଭ ଦିନରେ ଆଶିଷ ଦେଇଯିବେ । ତା’ ପୁଅର ଆଗାମୀ ଦିନଗୁଡ଼ିକର ପଥଦ୍ରଷ୍ଟା ହେବେ । ଏଇଥିପାଇଁ ଉତ୍କଣ୍ଠିତା ହୋଇପଡ଼ିଲା ସେ । ଦିନ ଯାଇଥିଲା । ସୁଖ ବି କେତେ ତା’ ଅଙ୍ଗଉପରେ ଖର ଗତିରେ ବହି ଚାଲିଯାଇଥିଲା । ସେ ସବୁ ଗୋଟି ଗୋଟି ହୋଇ ମନେ ଅଛି-। କିନ୍ତୁ ସେ ସୁଖ ରହିପାରିଲା ନି ସବୁଦିନେ । ସୁଖର ମିଠା ଫଳ ଚାଖିବାକୁ ଯାଇ ଶେଷରେ ପାଇଥିଲା ତା’ର ଚିଟା । ସେଗୁଡ଼ା ମନରୁ ଯେତେ ଘଷିମାଜି ନିଭାଇଲେ ସୁଦ୍ଧା ଛାଡ଼ୁ ନାହିଁ ତା’ର ଚିଟାଗୁଡ଼ା ।

 

କିନ୍ତୁ ଆଜିର ସୁଖରେ ଥିଲା ତା’ର ନୂତନତା । ଯୁବତୀ ସୁଲଭ ଚପଳତାକୁ ମନରୁ ଏଡ଼ାଇଦେଇ ଆହରଣ କରିଛି ସନ୍ତାନବାତ୍ସଲ୍ୟ । ସ୍ୱାମୀଙ୍କର ଶ୍ରଦ୍ଧାକୁ ଭୁଲିଯାଇଛି ବାବୁଲାକୁ ପାଇ-। ବାବୁଲା ହେବ ମଣିଷ । ସଂସାରରେ ତା’ପରି ଜଣେ ନଗଣ୍ୟା ସ୍ତ୍ରୀର ନାଁ ରଖିବ ।

 

ଚହଲିଗଲା ତା’ର ମନ ବୋଉର ଡାକ ଶୁଣି, ‘‘ପାଖସାଇରୁ କେତେ ମାଇପେ ଆସିଲେଣି । ଯା, ତାଙ୍କୁ ଟିକେ ଚର୍ଚ୍ଚା କରିଦେ । ନିମନ୍ତ୍ରିତ ଭଦ୍ରବ୍ୟକ୍ତିମାନେ ତ ଖାଇସାରିଲେଣି । ଖାଲି ଏଇମାନଙ୍କର ଖିଆପିଆ ସରିଲେ କାମ ବଢ଼ିଲା । ରୋଷେଇଆ ବ୍ରାହ୍ମଣ ତ ଦିନଯାକ ଖଟିଲା । କ’ଣ କରିବ ସେ ଗୋଟାଏ ଲୋକ ? ବିଚରା ଖୁବ୍ ଖଟିଛି । ତୁ ଆଗ ଉଠିଗଲୁ ।” କହିଦେଇ ଚାଲିଗଲେ ବୋଉ ।

 

ସର୍ବାଣୀ ସମସ୍ତଙ୍କୁ ଆସନ ଦେଇ ବସାଇଲା । ତା’ ପୁଅକୁ ସମସ୍ତେ ଦେଖି କଲ୍ୟାଣ କଲେ । କିଏ କହିଲା, ‘‘ପିଲାଟି ରାଜକଳା ଆଣିଛି । ଜଣେ ବଡ଼ ଲୋକ ହେବ, ବହୁତ ପାଠ ପଢ଼ିବ-।” ସର୍ବାଣୀ କହିଲା, ‘‘ସେ ଭାଗ୍ୟ ମୋର କାହିଁ ? ଆଜିକାଲି ତ ଧନ ଯା’ ପାଖରେ ପାଠ ତା’ ପାଖରେ । ତାଙ୍କର ମାନ ସମ୍ମାନ ଅଛି, ଗର୍ବ ଅଛି, ପ୍ରଶଂସା ଅଛି । ଆମ ଭଳି ଗରିବ ଘରେ ପିଲାଟିଏ ଜନ୍ମ ହେବା ଭଗବାନଙ୍କର ଅକଲ୍ୟାଣ ଛଡ଼ା ଆଉ କିଛି ନୁହେଁ । ବୋଉ ଅନେକ ସମୟରେ ଚିଠି ଲେଖନ୍ତି, ପୁଅକୁ ବିଲାତି ଗ୍ରାଇପ୍ ଓ୍ୟାଟର, ଗ୍ଲାକ୍ସୋ, ହରଲିକ୍ସ ଖୁଆଇବୁ-। ସେ ଯଦି କେବେ ଦେଇପଠାନ୍ତି, ତେବେ ଖୁଆଏ । ନ ହେଲେ ନାହିଁ । ତା’ ବାପା ତ ନିତି ଲଗାଇଛନ୍ତି, ଏଣିକି ପୁଅକୁ ଉଷୁନା ଚାଉଳ ଗଇଁଠା କରି ଖୁଆଅ । ମୁଁ ଏତେ ପଇସା କେଉଁଠୁ ଆଣିବି-? ଯେଉଁଠି ପେଟଲାଗି ଅଳପ ପଇସାରେ କାଣ୍ଟିକୁଣ୍ଡି ହୋଇ ଚଳିବାକୁ ହୁଏ, ସେଠି ପୁଅ ବଡ଼ ମଣିଷଟାଏ ହେବ ବୋଲି ମୋର ତ କେବେ କଳ୍ପନାରେ ଆସୁନି ।” ଜଣେ କହିଲା, ‘‘କି, ତା’ ଆଈ ପଢ଼ାଇବ ନାହିଁ କି ?’’

 

ବୋଉ ଏତିକିବେଳେ ପହଞ୍ଚିଗଲେ । ସର୍ବାଣୀର କଥାଗୁଡ଼ା ଶୁଣି କହିଲେ, ‘‘ତତେ ମୁଁ ଆଉ ପାରିବି ନାହିଁ । ତୁ ଏଇମିତି ହାଇପି ସାଇପି ହେଇ ଏତେ ସରି ହେଲୁଣି । ତୋ କଥା ତୁ ବୁଝ୍‍-। ନଅଙ୍କ ପରି ଦିନ ପଡ଼ିଛି । କେତେବେଳେ କେଉଁ କଥା ତା’ କ’ଣ ମୋ ହାତରେ ନା ତୋ ହାତରେ ? ଗରିବ ପୁଅ କ’ଣ ବଡ଼ ହେଉ ନାହିଁ ? ତୁ ପରା ଏତେ ବହି ପଢ଼ିଛୁ ! କଅଣ ଆଉ କହିବି ତତେ ? ଆଈ କାହିଁକି ପଢ଼ାଇବ ? ତା’ ସାଆନ୍ତ, ତା’ ସାଆନ୍ତ ମା ମୋ ପାଖରେ କ’ଣ କିଛି ଜମା ରଖିଦେଇଛନ୍ତି କି ?” କହି କହି ପଳାଇଗଲେ ।

 

ମଳୟା ଚିଡ଼ି ଉଠିଲା କାହିଁକି ବୋଉ କଥାରେ । ଖିଙ୍କାରି ହୋଇ କହିଲା, ‘‘ତୁ କାହିଁକି ତାକୁ ଗରିବ ଘରେ ଦେଲୁ କି ? ତତେ କ’ଣ ଆଉ ଜାଗା ମିଳୁ ନ ଥିଲା ? ମୋର ହେତୁ ଥିଲେ ମୋଟେ କରେଇ ଦେଇ ନ ଥାନ୍ତି ସେଠି । ସେ କେତେଥର ମୋ ପାଖକୁ ଚିଠି ଦିଏ । ଲେଖେ, ‘ମଳୟା, ଏ ହତଭାଗୀ ଅପା ଘରେ ତୋର ପାଦ କ’ଣ ଟିକେ ପଡ଼ିବ ନାହିଁ ?’ ମୁଁ କାନ୍ଦେ । ତା’ ଦୁଃଖ ମୁଁ କ’ଣ ସତରେ ବଦଳାଇପାରିବି ? ମୁଁ ତ ତା’ ଘରେ ପହଞ୍ଚିଗଲେ ସେ ମୋ ଲାଗି କେତେ ଖର୍ଚ୍ଚ କରିବ । ଏତେ ଅଡ଼ୁଆରେ କାହିଁକି ତାକୁ ପକାଇବି ? ମନଟା ମୋର ଖାଲି ଗୋଳେଇଘାଣ୍ଟି ହୁଏ । ପୁଣି ଭାବେ, ନ ଗଲେ କୋଳେ......” କହୁ କହୁ କାନ୍ଦିଉଠିଲା ଜୋରରେ ।

 

ସର୍ବାଣୀ ଦଉଡ଼ି ଆସିଲା । ନିଜ ପଣତ କାନିରେ ତା’ ଲୁହଗୁଡ଼ା ପୋଛିଲା । ନିଜେ ବି କାନ୍ଦିଲା । କହିଲା, ‘‘ଛି, ସୁନା ଭଉଣୀଟା ପରା, କାନ୍ଦନ୍ତି ଏମିତି ? ମୋର ଏତିକି ଦମ୍ଭ ଅଛି ଯେ ତୁ ଥିଲେ ମୋର ସବୁ ଅଛି । ତୁ ମୋର ଭଉଣୀ ନୁହଁ–ଭାଇ–ସାନଭାଇ–ପ୍ରାଣର ଭାଇ । ତୋ ଆଖି ଆଗରେ ଭଗବାନ ସତରେ କ’ଣ ମତେ ଏତେ ହୀନସ୍ତା କରିବେ ?’’

 

ଦୁଇ

 

ଶୀତ ଦିନ । ଗଛ ପତରରୁ ଖରା ନଇଁ ପଡ଼ିଲାଣି । କ୍ଷେତରୁ ମୁକୁଳ ଧରି ମୂଳିଆମାନେ ଫେରୁଛନ୍ତି । କେତେ କଚଡ଼ା ଗାଡ଼ି ସଡ଼କ ଉପରେ ଧୂଳି ଉଡ଼ାଇ ଚାଲିଛି । ସ୍କୁଲ ପିଲାମାନେ ଘରକୁ ଫେରୁଛନ୍ତି । ମଳୟା ସବୁଦିନ ପରି ସାଥୀମାନଙ୍କ ସାଙ୍ଗରେ ସ୍କୁଲରୁ ଫେରୁଛି । ବାଟରେ ପିଲାମାନଙ୍କର ହସ କୌତୁକ ପ୍ରତି ତା’ର ଲକ୍ଷ୍ୟ ନାହିଁ । ସେ ଭାବୁଛି, ବାବୁଲା କଥା । ଘର ଭିତରେ ଏ ପାଖରୁ ସେ ପାଖ ହେଉଥିବ । ପାଣି କୁଣ୍ଡରେ ହାତକୁ ବୁଡ଼ାଉଥିବ । ଅପା ତ ଯିମିତିଆ ଲୋକ-। ସେ ଲାଗିଥିବ ତା’ ଧନ୍ଦାରେ । ଭଲ ଛୁଆ ଜାଣିଶୁଣି ରୋଗ କିଣିବ ।

 

ଏଇମିତି ଭାବୁଭାବୁ ଘର ନିକଟରେ ପହଞ୍ଚିଲା । ସାଙ୍ଗ ପିଲାମାନେ ନିଜ ନିଜ ଘରକୁ ଗଲେ । ଉଷା ବୋଲି ଗୋଟିଏ ଝିଅ ତା’ ପାଖରେ ଅଟକି ଗଲା । କ’ଣ ଚୁପ୍ ଚୁପ୍ ହୋଇ କହିଲା-। ସେତିକିବେଳକୁ ମଳୟା ଆସି ତାଙ୍କ ଘର ଦୁଆର ମୁହଁରେ ହେଲାଣି । ଶୁଣିଲା, କିଏ ଗୋଟିଏ ବୋଉ ସାଙ୍ଗରେ ଘରେ କଥାବାର୍ତ୍ତା କରୁଛି । ବୋଉକୁ ଭାରି ପ୍ରଶଂସା କରୁଛି–ଏଇମିତି ଜନମ କଲା ମାଆ ହେବେ ନାହିଁ । ତୁମେ ଯାହା କରିଛ, ଏମିତି କିଏ କରିବ ମ ! ଝିଅଟିର ଭାଗ୍ୟ ଭଲ-। ତୁମ ଭଳି ଲୋକଙ୍କର ହାବୁଡ଼ରେ ପଡ଼ିଲା । ନଚେତ୍.....ହଉ ମା, ତୁମେ ତାକୁ ପଚାରିଥିଲେ ଦଇବ ତୁମକୁ ସେଇମିତି ଚାହିଁଥିବ । ତୁମର ଅଧିକରୁ ଅଧିକ ହେବ । ସେ ବି ଭଲ ପିଲାଟିଏ, ତାକୁ ବାରିବାକୁ ନାହିଁ । ବାର ଛ’ମାସରେ ଦିନେ ଆସିଛି ଯେ, ଗାଁ ଆଡ଼େ ବୁଲି ଯାଇଥିଲେ ଦଣ୍ଡେ ବସୁନାହିଁ । କହୁଛି, ଯାଉଛି, ବୋଉ ଗାଳି ଦେବେ । କହିବେ ତୁ’ଟା ଏମିତି ଗପୁଡ଼ି ହେଲୁଣି-। କହି କହି ପଳାଇ ଆସିବ ।

 

ମଳୟା ଚାହୁଁଥାଏ ଉଷାକୁ । ଉଷା ତା’ ଆଗରେ ଠିଆ ହୋଇଛି । ଆଖିରେ ଆଖି ପକାଇ କହିଯାଉଛି ଅନୁପମା କଥା । ଭାବୁଛି, ମଳୟା ତା’ କଥାଟାକୁ ବିଶ୍ୱାସ ଯିବ ଓ ତାକୁ ବାହାଦୁରିଟାଏ ଦେବ । ମଳୟା କିନ୍ତୁ ବାଧ୍ୟ ପଶୁଭଳି ତା’ କଥାରେ ହୁଁ ହାଁ ମାରି ସମ୍ମତି ଜଣାଉଥାଏ-। କଥା କୁଆଡ଼େ ଗଲାଣି, ସେଥିରେ ଝୁଙ୍କ ନାହିଁ ତା’ର । ଘର ଭିତର କଥା ବେଶି ଜୋରରେ ବାଜୁଥାଏ ତା’ କାନରେ । ସବୁ ଗୋଟି ଗୋଟି ହୋଇ ରହିଯାଉଥାଏ ସାତସିନ୍ଦୁକରେ ଚାବିପଡ଼ି ରହୁଥିବା ଧନଭଳି । ପରୀକ୍ଷା ଦେବା ପାଇଁ ବହିଗୁଡ଼ା ମୁଖସ୍ଥ କରି ଏତେ ଖିଆଲ ତା’ର କୌଣସି କଥାରେ ରହିନାହିଁ । ଅପାର କଥାଗୁଡ଼ାକ ଶୁଣିବ ବୋଲି ତା’ର ଆଗ୍ରହ ନ ଥିଲା ବା ଭାବି ନ ଥିଲା କେବେ ଦିନେ ମନରେ । ଦିନେ ଭୁଲରେ ମଧ୍ୟ କାହାଠାରୁ ଶୁଣି ନଥିଲା ଏ କଥା । ମୁଣ୍ଡ ତା’ର ଭ୍ରମିଗଲା କିଛିକ୍ଷଣ ପାଇଁ ।

 

ଉଷା ଦେଖିଲା, ମଳୟାର ତା’ କଥାରେ ଆନନ୍ଦ ନାହିଁ କି ନୈରାଶ୍ୟ ନାହିଁ । ଖାଲି ଜଳଜଳ କରି ଚାହିଁଛି ତା’ ଆଡ଼କୁ ମେଢ଼ ଭିତରେ ସଜା ହୋଇଥିବା ଗୋଟିଏ ନିର୍ଜୀବ ମୂର୍ତ୍ତି ଭଳି । ବେଶିଗୁଡ଼ାଏ କହିବାକୁ ମନ ହେଲାନାହିଁ ଉଷାର । ଡାକିଲା, ‘‘ମଳୟା, କିଲୋ ତୋ କାନ କୁଆଡ଼େ କି ? ମତେ ଖାଲି ସନ୍ତୁଷ୍ଟ କରିବା ପାଇଁ ବାଧ୍ୟ ହୋଇ ଠିଆ ହୋଇଛୁ ନା କ’ଣ ? ଯା ଯା, ଖାଇବୁ ଯା । ମୁଁ ଯାଉଛି । ସଞ୍ଜବେଳକୁ ଟିକେ ଆମ ଘରଆଡ଼କୁ ଯିବୁ । ମନେ ରଖିଲୁ ତ ?’’

 

‘‘ନାଇଁ, ନାଇଁ, ମତେ ବେଳ ହେବ ନାହିଁ ।” ଏହା କହି ମଳୟା ଚାଲିଗଲା ଘର ଭିତରକୁ-। ବହିଗୁଡ଼ାକ ଟେବୁଲ ଉପରେ ରଖିଦେଇ ଲୁଗାପଟା ବଦଳାଇଲା । ହାତଗୋଡ଼ ଧୋଇ ଖାଇବାକୁ ଗଲା ବୋଉ ପାଖକୁ । ମନରେ ତା’ର ସେଇ କଥାଗୁଡ଼ା ଗୁଡ଼େଇ ତୁଡ଼େଇ ହେଉଛି-। ଖାଇବାକୁ ଭୋକ ଥାଇ ସୁଦ୍ଧା ଭାତ ଖାଇପାରୁନାହିଁ ଖୁସିରେ । ତରକାରୀ ସୁଆଦ କି ଅସୁଆଦ କିଛି ଜଣାଯାଉନାହିଁ ତା’ ପାଟିକୁ । ଅପା ଆସିଛି ବୋଲି ଖଣ୍ଡେ ବାଟରୁ ଡାକି ଡାକି ଆସିବ-। ବାବୁଲା ବାବୁଲା ବୋଲି ରଡ଼ି ଛାଡ଼ିବ । ଲୁଗାପଟା ନ ବଦଳାଇ ତା’ ସାଙ୍ଗରେ ଖେଳିବ-। ତାକୁ ଠିଆ କରାଇ କାନ ଧରିବାକୁ କହିବ, ତାଳି ମାରିବାକୁ କହିବ । ଆଜି କିନ୍ତୁ ବାବୁଲା କଥା ତା’ ମନକୁ ଟିକେ ଆସୁନାହିଁ ।

 

ବୋଉ ସବୁ ଲକ୍ଷ୍ୟ କଲେ । ତାଙ୍କ ମନରେ ଦୁଃଖ ଘନେଇ ଆସିଲା । ପାଖକୁ ଲାଗିଆସି କହିଲେ, ‘‘କି ଲୋ ମଳୟା, ଆଜି ଦେହ ତୋର କ’ଣ ହେଉଛି କି ? ମନ ଭଲ ନାହିଁ କି-? କିଏ କ’ଣ କହିଛି କି ? ଏମିତି କାଠ କାଠ କାହିଁକି ହେଉଛୁ ? ପୁଅ କଥା ତ ଟିକେ ପଚାରୁ ନାହୁଁ-? କଥା କ’ଣ ?” ଆଉରି ପାଖେଇ ଆସିଲେ । କେତେ କଅଁଳେଇ ସଅଁଳେଇ ଭାତ ଗଣ୍ଡିକ ଖାଇ ଦେବାପାଇଁ କହିଲେ । ପଚାରିଲେ, ‘‘ଆଲୋ ତରକାରୀ ଟିକେ ଦେବି ?’’

 

ମଳୟା ବୋଉକୁ ଗୋଟାଏ ଦେଖାଣିଆ ଭାବ ଦେଖାଇ ହସିଲା । ଭାତ ଗୁଣ୍ଡାଏ ପାଟି ପାଖକୁ ନେଉ ନେଉ କହିଲା, ‘‘ଆଉ ତରକାରୀ କ’ଣ ହେବ ? ମୁଁ ଏଇ ଏତକରେ ଖାଇଦେବି ଯେ–ଆଉ ଯଦି ଅଛି, ଅପା ପାଇଁ ରଖି ଦେଇଥା । ମୋ ପାଇଁ କାହିଁକି ତୋର ଏତେ ଜିଗର, ଶୁଣେ-?’’

 

ବୋଉ କହିଲେ, ‘‘ତୁ ତ ଅପାକୁ ସେଇଥିଲାଗି ଏତେବେଳ ଯାଏଁ ଖୋଜୁନାହୁଁ । ଆଉ ମତେ କହୁଛୁ କ’ଣ ? ଅପା କ’ଣ ଆଉ ଅବେଳରେ ଖାଇବ ? ତା’ ପୁଅ ଦେହ ଖରାପ ହେବ ଏ ତରକାରୀ ଖାଇଲେ । ତୁ ତ ବେଶି ତା’ ଦେହକୁ ବିଗାଡ଼ିଲୁ ସାଙ୍ଗରେ ଖୋଇକରି । ପର ବୁଜୁଳା ଆଣି କ’ଣ ଯଦି ବିଗିଡ଼ିଲା... ।’’

 

ମଳୟା କହିଲା, ‘‘ବୋଉ ସତ କହନି କିଏ ପର ? ଅପା କ’ଣ ସତରେ ପର ? ସେ ଆମର କେହି ନୁହଁ ? ତେବେ ତା’ ଲାଗି ମୋ ପ୍ରାଣ ଏତେ ବ୍ୟଥିତ ହେଉଛି କାହିଁକି ? ତୁ କ’ଣ ତାକୁ ସତରେ ପର କରିଦେଇଛୁ ? ତା’ ଆମ ସମ୍ପର୍କକୁ ତୁଟାଇ ଦେଇଛୁ ? ଖାଲି ଜଗତ ଜାଣିବାକୁ ଝିଅ ବୋଲି ଡାକୁଛୁ ?’’

 

ବୋଉ ରାଗିଗଲେ । ଆଖିକୁ କଟମଟ କରି କହିଲେ, ‘‘ତୁ ଆର ବର୍ଷକୁ ମାଟ୍ରିକ ପରୀକ୍ଷା ଦେବୁ ପରା ! ଆଉରି ବୁଦ୍ଧି ଶିଖେଇବି ତତେ ? ଝିଅ ବାପଘରୁ ଶାଶୁଘରକୁ ଗଲେ ପର ବୁଜୁଳା କହନ୍ତି ନାହିଁ ? ଜଗତ ତ ସେଇମିତି ଲାଗିଛି । ତୁ ମତେ ପାଠ ପଢ଼ଉଛୁ କ’ଣ, ଶୁଣେ ?” ମୁହଁ ବୁଲାଇଦେଇ ପଳାଇଗଲେ ଚୁଲି ଲଗାଇବାକୁ ।

 

ମଳୟା ପୁଣି ବୋଉ ପାଖକୁ ଗଲା । କହିଲା, ‘‘ବୋଉ, ମୁଁ ତୋ କଥା କ’ଣ ବୁଝିପାରୁନାହିଁ ? ହେଲେ ସେଇ ଅପା କଥା ମତେ ଟିକେ କହିଲୁ ନାହିଁ ! ତୁ ତାକୁ କିମିତି ପାଳିନାଳି ବଢ଼ାଇଲୁ ? ତା’ର ଜନମ କେଉଁଠି ? ତା’ର ବାପ ମା କିଏ ? ମୋ ଆଗରେ ଲୁଚାଉଛୁ କାହିଁକି ?” ବହୁତ ନେହୁରା ହେଲା । କିନ୍ତୁ କିଛି ହେଲେ କଳିପାରିଲା ନାହିଁ ଘଟଣାଟା । ଭାବିହେଲା, ତେବେ ଏଇ ଘଡ଼ିକ ତଳେ ମାଇପିଟିଏ ବୋଉ ସାଙ୍ଗରେ ଯେଉଁ କଥାବାର୍ତ୍ତା କରୁଥିଲା, ସେଗୁଡ଼ା କ’ଣ ସବୁ ମିଛ ? ଘଡ଼ିଏ ବେଳ ଗୁମ୍ ହୋଇ ବସିଲା । ବୋଉ କିଛି ନ ଜାଣିଲା ଭଳି ଲାଗିଥାନ୍ତି ତାଙ୍କ କାମରେ । ମନଟା ତାଙ୍କର ଯିମିତି ଉଚ୍ଛନ୍ନ ହୋଇ ଉଠୁଥାଏ ମଳୟାକୁ ନିକଟରୁ ତଡ଼ିଦେବାକୁ । ମଳୟା କହିଲା, ‘‘ବୋଉ, କହିବୁନି, କହିବୁନି ?” ମୁହଁରେ ତା’ର ଜିଜ୍ଞାସୁର ଅସଂଖ୍ୟ ପ୍ରଶ୍ନ ଲହଡ଼ା ଖାଉଥିଲା ।

 

ଏତିକିବେଳେ ସର୍ବାଣୀ ପହଞ୍ଚିଲା । ଗାଁ ଭିତରୁ ବୁଲିଆସି ମଳୟାକୁ ଟିକେ ଦେଖିବାକୁ ତା’ ସାଙ୍ଗରେ ପଦେ କଥାବାର୍ତ୍ତା କରିବାକୁ ମନରେ ତା’ର ଅପୂର୍ବ ସରାଗ । କାଖରେ ବାବୁଲାଟାକୁ ଜାକି ଧରିଛି । ମଳୟାକୁ ଦେଖି ବାବୁଲା ତଳକୁ ଖସିବ ଖସିବ ହେଲା । ମଳୟା ପୁଅକୁ ଦେଖି ହସିଲା, କୋଳକୁ ନେଲା, କେତେ ଗେଲ କଲା । ହେଲେ ଅପାକୁ କାହିଁକି କିଛି ପଚାରି ପାରିଲା ନାହିଁ । ତାକୁ ଦେଖି ଛନକିଗଲା କାହିଁକି ଟିକିଏ । ସର୍ବାଣୀ ତା’ର ପରିବର୍ତ୍ତନକୁ ଲକ୍ଷ୍ୟ କଲା । ମଳୟା ବୋଉ ନିକଟରେ ଯେଉଁଥିପାଇଁ ଅନୁନୟ କରୁଥିଲା, ସେଥିରୁ କିଛି କାନରେ ବାଜିଥିଲା ତା’ର । ସେ ମଧ୍ୟ ଟିକିଏ ବିଚଳିତ ହୋଇପଡ଼ିଲା । କ’ଣ କହି ତାକୁ ସନ୍ତୁଷ୍ଟ କରିବ ? ସବୁ ଘଟଣା ଜଣାଇଦେଲେ ତା’ ମନରେ କି ପ୍ରକାର ଭାବ ସୃଷ୍ଟି ହେବ ତା’ ପ୍ରତି । ନା, କହିବା ଠିକ୍ ନୁହେଁ । ତାକୁ ତ ଦିନେ ସେ ବିଷୟରେ ବୋଉ କିଛି କହିନାହାନ୍ତି । ସେ ଆଜି ଶୁଣିଲା କିମିତି ? ମନଟା ତା’ର ବ୍ୟସ୍ତ ହୋଇଉଠିଲା । କେତେ ଦିନ ସେ ତା’ ପାଖରେ ଖୋଳ ପିନ୍ଧି ଚାଲିବ ? କଥା କ’ଣ ଲୁଚି ରହିଲାଣି କେଉଁଠି ? ମଳୟା ହୁଏତ କାହାଠାରୁ କିଛି ସୁରାଖ ପାଇଛି । ତା’ ନ ହୋଇଥିଲେ ସେ ଏତେ ଅଧୀର ହୁଅନ୍ତା ନାହିଁ । ବୟସ ଦିନୁଦିନ ପାଣି ପରି ଗଡ଼ିଚାଲିଛି । କେତେବେଳେ ଟିକି ପିଲାଟିଏ ହୋଇଥିଲା, ସବୁ ଶୁଣି ମଧ୍ୟ ବୁଝୁ ନ ଥିଲା କିଛି, ବୁଝିବାକୁ ବି ଆଗ୍ରହୀ ନ ଥିଲା ସେତେବେଳେ । ଆଜି ଦୁନିଆର ଭଲମନ୍ଦ ସବୁ ଅମଜେଇ ପାରିଲାଣି । ନିଜର ମତାମତ ଦେବାଭଳି ଜ୍ଞାନ ଅର୍ଜନ କଲାଣି । ସେ କ’ଣ କେବେ ଆଉ ଛାଡ଼ିବ ? ବଡ଼ ଭାବନାରେ ପଡ଼ିଗଲା ସର୍ବାଣୀ । ତାକୁ ସେଇ ମୁହୂର୍ତ୍ତରୁ କିଛି ଆଉ ଭଲ ଲାଗିଲା ନାହିଁ ।

 

ସନ୍ଧ୍ୟା ହେଲା । ଦି’ ଭଉଣୀଯାକ ପଦାଆଡ଼ୁ ଆସିଲେ । ସର୍ବାଣୀର ଭୟ, କାଳେ ମତେ ପଚାରିବସିବ ! ଏଇଥିପାଇଁ ତାକୁ ବାରକଥା କହି ଭୁଲାଇବାରେ ଲାଗିଥାଏ । ମଳୟା କିନ୍ତୁ ଭୁଲୁ ନ ଥାଏ କାହିଁରେ । ତା’ କଥାର ବୁଝିଗଲାଭଳି ଉତ୍ତର ଦେଉ ନ ଥାଏ ଟିକିଏ । ସର୍ବାଣୀ ସନ୍ଧ୍ୟାବତୀ ଚଉରାମୂଳରେ ଥୋଇ ନମସ୍କାର କଲା ମାଆ ବୃନ୍ଦାବତୀଙ୍କୁ । ମଳୟା ଲଣ୍ଠନ ଲଗାଇ ପଢ଼ିବସିଲା । ସର୍ବାଣୀ ବାବୁଲାକୁ ଧରି ତା’ ନିକଟରେ ଯାଇ ବସିଲା; ଥାପୁଡ଼ାଇ ଥାପୁଡ଼ାଇ ଶୁଆଇପକାଇଲା ବାବୁଲାକୁ । ଚାହିଁଲା ମଳୟା ପଢ଼ୁଛି । ପଚାରିଲା, ‘‘କି ବହି ପଢ଼ୁଛୁ କି ଲୋ ?” ମଳୟା ହସିଦେଇ କହିଲା, ‘‘ନାହିଁ, ଗୋଟେ ଉପନ୍ୟାସ । ଗୋଟାଏ ନାରୀ ଜୀବନର ବିଷାଦମୟ କାହାଣୀ । ଲେଖକ ଏଇ ବାସ୍ତବ ଦୁନିଆରୁ ବିଷୟବସ୍ତୁ ଗୋଟେଇ ବହିଟିକୁ ରୂପ ଦେଇଛନ୍ତି ନିଖୁଣ ଭାବରେ । ବଡ଼ ଚିତ୍ତାକର୍ଷକ ହୋଇଛି । ପଢ଼ିବସିଲେ ଛାଡ଼ିବ ନାହିଁ ହାତରୁ । ବହିଟିର ନାୟିକା ନିଜ ଜୀବନରେ ପାଇଛି ବହୁତ ଧକ୍କା । ଫୁଲ ଛିଣ୍ଡାଇବାକୁ ଯାଇ ପାଇଛି କଣ୍ଟାର ଆଘାତ । ସେଇ ଆଘାତରେ ଜଳିପୋଡ଼ି ହୋଇ ମରିବାକୁ ଯାଇଛି; କିନ୍ତୁ ମରିପାରିନି ।"

 

ବିଳିବିଳେଇ ଉଠିଲା ସର୍ବାଣୀ ଭିତରେ ଭିତରେ, ଯିମିତି ତାକୁ ହିଁ କେନ୍ଦ୍ରକରି ବହିଟି ଗଢ଼ିଉଠିଛି । କହିଲା, ‘‘ଲେଖକ ନିଜର ଆଶାର ସ୍ୱପ୍ନକୁ ସଫଳ କରିଛି, ଆତ୍ମପ୍ରସାଦ ଲାଭ କରିଛି । କୋଟି କୋଟି ଯୁବକଯୁବତୀଙ୍କ ପ୍ରାଣରେ ବସନ୍ତର ମଳୟ ଲେପିଦେଇଛି; କିନ୍ତୁ ସେ ଧର୍ଷିତା, ତା’ପାଇଁ କ’ଣ କରିଛି ? ତା’ପାଇଁ ଲେଖକ ଭରିଦେଇଛି ପ୍ରତି ଧାଡ଼ିର ପ୍ରତି ଅକ୍ଷର ଭିତରେ ଏକ ମର୍ମ୍ମସ୍ପର୍ଶୀ ବେଦନା–ଦୁଃସହଣୀୟ ଲାଞ୍ଛନା । ଲେଖକ ଲେଖନୀ ଚାଳନା ପାଇଁ ସମାଜରୁ ଭୂୟସୀ ପ୍ରଶଂସା ଲାଭ କରିଛି; କିନ୍ତୁ ପାରିନାହିଁ ବ୍ୟଥିତାର ବ୍ୟଥା ଲାଘବ କରି, ଯାହାପାଇଁ ସେ ପ୍ରଶଂସାର୍ହ ହୋଇଛି । ଜଣେ କାନ୍ଦିଛି, ଆଉ ଜଣେ କାନ୍ଦିବାପାଇଁ ଇନ୍ଧନ ଯୋଗାଇଛି–ଏଇ ତ ଲେଖକ ଆଉ ଧର୍ଷିତା ନାରୀର ସମ୍ପର୍କ !’’

 

ଆଶ୍ୱାସନା ବାଣୀ ଶୁଣାଇ ମଳୟା କହିଲା, ‘‘ଅପା, ଲେଖକ ଉଲ୍ଲସିତ ହୋଇଉଠେ ତା’ର ଲେଖାର ପ୍ରଭାବ ସମସ୍ତଙ୍କ ମନକୁ ଛୁଏଁ ଯେତେବେଳେ । କାରଣ, କୋଟି କୋଟି ଯୁବକ ଯୁବତୀ ଉଦ୍‍ବୁଦ୍ଧ ହୋଇଉଠନ୍ତି ନିରାଟ ଆଲୋକର ସନ୍ଧାନରେ । ଅନ୍ଧାର ପଛରେ ପଡ଼ିରହେ । ଘୃଣା ଜାଗେ ତା’ ପ୍ରତି । ବିଶେଷତଃ ଯେଉଁମାନେ ଅତ୍ୟାଚାରିତା, ତାଙ୍କୁ ସତ୍‍ବାଟକୁ ଆଣିବା ହିଁ ତାଙ୍କ ଲେଖନୀର ପ୍ରଗାଢ଼ ପ୍ରୟାସ । ତାଙ୍କର କଳୁଷିତ ଜୀବନର ନିଖୁଣ ଚିତ୍ର ଦେଇ ଅତ୍ୟାଚାରୀ ପୁରୁଷ ମସ୍ତକରେ କରିଥାନ୍ତି କୁଠାରାଘାତ । ସ୍ତ୍ରୀ ଜାତିକୁ ପାଦ ଚିପି ଚାଲିବାପାଇଁ ଦେଇଥାନ୍ତି ଚେତନା । ତୋର ତାଙ୍କ ପ୍ରତି ଏତେ ବିତୃଷ୍ଣା କାହିଁକି ?’’

 

ମଳୟା ବହିଟାକୁ ରଖିଦେଲା । ଭାବିହେଲା, ନିଶ୍ଚୟ ଅପା ମନରେ ସେଇଭଳି କୌଣସି ଆଘାତ ଲାଗିଛି, ଯାହାର ଜ୍ୱାଳାରେ ବିଷେଇ ଉଠୁଛି ତା’ର ଅଙ୍ଗପ୍ରତ୍ୟଙ୍ଗ । କହିଲା, ‘‘ଅପା, ତୁ ମୋ ପାଖରେ ଏତେ ଲୁଚିଲୁଚି ଚାଲୁଛୁ କାହିଁକି, କହନି ? ମୁଁ ତୋ କଥା କିଛି ଶୁଣିଛି । ତେବେ ସେଗୁଡ଼ା ମିଛ ହୋଇଥିବ ବୋଲି, ମୋର ମନେ ହେଉନାହିଁ । ବୋଉକୁ ଯେତେଥର ପଚାରିଲି, ସେ ମତେ ଏଣୁତେଣୁ କହି ଭୁଲାଇଦେଉଛି । ତା’ଠୁଁ ଆଜିଯାକେ କିଛି ଆଦାୟ କରିପାରିଲିନି । ତୁ କ’ଣ କହ ଆଜି ମତେ । ଯଦି ନ କହୁନା, ଜାଣିବି ଭଉଣୀଠି ତୋର ଶ୍ରଦ୍ଧା ନାହିଁ-।’’

 

ସର୍ବାଣୀ ଦେଖିଲା, ଏହାର ଏକାଜିଦ୍, ନ ଶୁଣିଲେ ଛାଡ଼ିବ ନାହିଁ କି ତାକୁ ଶୁଆଇଦେବ ନାହିଁ । ମନରେ ତା’ର ଦୁଃଖ ହେବ । ଏଇ କଥାରେ ସନ୍ଦେହ କରି ସଦାବେଳେ ଧରିସରି ହେବ । ସେ କ’ଣ ନ ଜାଣିବା ସତରେ ! ଯେତେବେଳେ ଜାଣିବ, ସେତେବେଳେ କ’ଣ ନ ଭାବିବ ମନରେ-! ତେବେ ତାକୁ କହିଦେଲେ କ୍ଷତି କ’ଣ ? ଦେଖିଲା, ମଳୟା ଆଖିକୁ ନିଦ ଆସୁନାହିଁ-। କହିଲା, ‘‘ହଉ ତେବେ ଚାଲ, ଖାଇକରି ଆସିବା । ଶୁଣିଲେ ଶୁଣିବୁ ।” ଖିଆପିଆ ସରିଲା, ଦୁହେଁ ଗୋଟିଏ ବିଛଣାରେ ଶୋଇଲେ ।

 

ସର୍ବାଣୀ କଥା ଆରମ୍ଭ କଲା, ‘‘ମଳୟା, ମୁଁ ଗୋଟାଏ ଅପରାଧିନୀ–ନାରକୀ । ଏ ନାରକୀର ବିଷାକ୍ତ ଜୀବନର ଅଧ୍ୟାୟ ଭିତରୁ ପାଇବୁ ଖାଲି ନର୍ଦ୍ଦମାର ପଙ୍କିଳ ଆବର୍ଜନା, ଯାହାର ଆଘ୍ରାଣରେ ଭ୍ରୂକୁଞ୍ଚନ କରି ପଳାଇବୁ ଖଣ୍ଡେଦୂର । ଛି, ସୁନା ଭଉଣୀଟା ପରା, ଶୋଇପଡ଼ !’’

 

ମଳୟା ତାକୁ ସାନ୍ତ୍ୱନା ଦେଇ କହିଲା, ‘‘ଅପା, ଦୋଷଟା କାହାର ଜନ୍ମରୁ ସାଥିରେ ଆସି ନ ଥାଏ । ଆଉ କେହି ବି ଦୋଷଟାକୁ ଜାଣିଶୁଣି ଡାକିଆଣେ ନାହିଁ । ଅପରାଧକୁ ଘୃଣା କରିବା ଉଚିତ, କିନ୍ତୁ ଅପରାଧୀକୁ ନୁହେଁ । କୃତକର୍ମ ପାଇଁ ଯେତେବେଳେ ଜଣେ ଅନୁତାପ କରେ, ସେତେବେଳେ ଆମକୁ ଆଗକୁ ଆସିବାକୁ ହେବ, ତାକୁ ସାନ୍ତ୍ୱନା ଦେବାକୁ ହେବ, ତା’ର ଦୁଃଖରେ ଦୁଃଖିତ ହେବାକୁ ହେବ, ବନ୍ଧୁତା ମଧ୍ୟରେ ତା’ର ଗୋପନ କାରଣଟା ଜାଣିବାକୁ ହେବ । ସେ କଥା ଜାଣି ନିଜର ବ୍ୟକ୍ତିତ୍ୱ, ବୁଦ୍ଧି, ସଦିଚ୍ଛା ଓ ସହାନୁଭୂତି ଦ୍ୱାରା ତା’ର ମନର ପରିବର୍ତ୍ତନ କରିବାକୁ ହେବ-। ମନୁଷ୍ୟ ପରିବେଶ ସୃଷ୍ଟି କରେ; କିନ୍ତୁ ପରିବେଶ ମନୁଷ୍ୟ ଉପରେ ପ୍ରଭାବ ବିସ୍ତାର କରେ-। ସବୁଠାରୁ ବିପଜ୍ଜନକ ପରିବେଶ ହେଉଛି ଗୁପ୍ତ ପ୍ରଣୟ । ଗୁପ୍ତ ପ୍ରଣୟର ଯନ୍ତ୍ରଣା ସେହିମାନେ ଭୋଗନ୍ତି, ଯେଉଁମାନେ ତାକୁ ଗୋଟାଏ ପେଶାରୂପେ ଧରିଥାନ୍ତି, ଯେଉଁମାନେ ସର୍ବସଂଶୋଧନର ଅତୀତ; କିନ୍ତୁ ଯେ କ୍ଷଣିକ ଦୁର୍ବଳତାରେ ପରିବେଶର ପ୍ରଭାବରେ ବା ଅପରର ପ୍ରରୋଚନାରେ ଗୋଟାଏ ଅନ୍ୟାୟ କରିପକାନ୍ତି, ସେଥିପାଇଁ ତାଙ୍କୁ ଅପରାଧୀ ବୋଲି କେହି ଯଦି କହନ୍ତି, ସେ କ’ଣ ଅପରାଧପ୍ରବଣ ହୋଇପଡ଼ନ୍ତିନି ? ତା’ ଫଳରେ କ୍ଷତି ହେବ ସମାଜର, ପରିବାରର, କ୍ଷତି ହେବ ରାଷ୍ଟ୍ରର । ଏଇ କଥା ଚିନ୍ତାଶୀଳ ବ୍ୟକ୍ତିମାନଙ୍କ ମନରେ ସର୍ବପ୍ରଥମେ ସ୍ଥାନ ପାଇବା ଉଚିତ । ଅପା, କହିବାକୁ ତୁ ଲଜ୍ଜା କରନା ! କହିବାଦ୍ୱାରା ଭାବୁଥାଉ ଯଦି ନିଜର କ୍ଷତି ବା ନିନ୍ଦା ହେବ ତାହା ତୋର ବଡ଼ ଭୁଲ, ବରଂ ଜୀବନ ପରିମାର୍ଜିତ ହେବ ।’’

 

ସର୍ବାଣୀ ଥରିଉଠିଲା ଗୋଟାପରି । ନିଜର ଆତ୍ମୀୟ ଲୋକକୁ କହିବାକୁ ବିଶ୍ୱାସ କଲା ନାହିଁ, କାଳେ କେଉଁ ଅଘଟଣ ଘଟିଯିବ । ବାଆଁରେଇ ହେଲା ଅନେକ ବାଜେକଥା କହି । ତଥାପି ଦେଖିଲା ମଳୟା ଅଟଳ । ସେ ଯେକୌଣସିମତେ କଥାଟା ଆଦାୟ କରିବ । ଭାବିଲା, ମୋ କଥା ଶୁଣି ଯଦି ସେ ଶାନ୍ତି ପାଏ, ତେବେ ଶୁଣୁ । ମୋ ଜୀବନ ଉପରେ ଆଉ କ’ଣ ସେ ପରିବର୍ତ୍ତନ ଆଣିପାରିବ ? ଯାହା ହେବାର ଥିଲା, ହୋଇଯାଇଛି । ସେସବୁ ଦୁନିଆର ଲୋକେ ତ ଶୁଣିଛନ୍ତି, ସେ ଶୁଣିଲେ କ୍ଷତି କ’ଣ ?

 

ନିଜର ଜୀବନ ଉପରଦେଇ ସୁଖଦୁଃଖକୁ କେନ୍ଦ୍ର କରି ଯେ କେତୋଟି ବସନ୍ତ ବହିଯାଇଛି, ସବୁ କହିବ କହିବ ହେଲା । ସେତେବେଳକୁ ରାତି ଗଭୀର ହୋଇ ଆସୁଥାଏ, ମଳୟାର ଆଖିକୁ କିନ୍ତୁ ନିଦ ନାହିଁ କଥାଗୁଡ଼ାକ ଶୁଣିବ ବୋଲି । ଚାରି ଆଡ଼କୁ ଚାହିଁଲା, ନୀରବ ନିସ୍ତବ୍ଧ । ତା’ କଥାକୁ ଶୁଣିବାକୁ ଘରର ଚାଳ ବାଉଁଶ ଆଦି ଯିମିତି କାନ ଡେରି ଚାହିଁବସିଛନ୍ତି । ଏଇ କଥା ଦିନେ ସେ କାହା ଆଗରେ କହିନାହିଁ, କହିବାକୁ ବି ମନ ହୁଏ ନାହିଁ । ଲାଜ ମାଡ଼େ । ନିଜ ନିନ୍ଦା ଗାଇବାକୁ ସମସ୍ତେ ଯିମିତି କୁଣ୍ଠାବୋଧ କରନ୍ତି । କିନ୍ତୁ ସେ ଆଜି ଯେଉଁ ପରିସ୍ଥିତିରେ ପହଞ୍ଚିଛି, ନ କହି ଉପାୟ ନାହିଁ । ମଳୟା ସେଥିପାଇଁ ତାକୁ କେତେ ଉଦାହରଣ ଦେଇ କଥାଟାକୁ ଟାଣି ବାହାର କରିବାକୁ ଆଟୁପାଟୁ ହେଲାଣି । କହିଲା, ‘‘ହଉ ତେବେ ଶୁଣ ।’’

 

‘‘ଠିକ୍ ଏଇମିତି ଗୋଟିଏ ରାତି । କାନ ଯେଉଁଠି କି ବୋଲି ମୋର ପାଇଛି, ଖାଲି ଶୁଣିଛି, ‘ସାବି, ତୁ ଫେରିଆ–ଫେରିଆ ସାବି ।’ ଭଦ୍ରଖ ଷ୍ଟେସନ । ଗାଡ଼ିରୁ ଓହ୍ଲାଇପଡ଼ିଛି ମୁଁ । ଚାରିଆଡ଼େ କୋଳାହଳ । କେହି କାହାରିକୁ ଚିହ୍ନିବାକୁ ଟିକେ ଇଚ୍ଛା କରୁନାହିଁ । ନିଜ ନିଜ ପଥରେ ସମସ୍ତେ ଚାଲିଛନ୍ତି । ଆକାଶଟା ଯିମିତି ନିର୍ବିକାର ଜଣାଯାଉଥାଏ । କଇଁଫୁଲିଆ ଜହ୍ନ ଆଲୁଅ ଚାରିଆଡ଼େ ବିଞ୍ଚିହୋଇ ପଡ଼ିଥାଏ । ସମସ୍ତେ ଯିମିତି ନୂତନତା ଉପଲବ୍ଧି କରୁଥାନ୍ତି । ରିକ୍ସାବାଲା ଟୋକାମାନେ କେତେ ମନ ମଉଜରେ ଗୀତ ଗାଇ ଗାଇ ରାଜପଥ ଉପରେ ରିକ୍ସା ଚଳାଇଥାନ୍ତି ଖୁବ୍ ଦ୍ରୁତ ଗତିରେ ।

 

‘‘କ୍ରମେ ଲୋକଙ୍କର ପାଟିତୁଣ୍ଡ ଥମିଆସିଲା । ମୁଁ ପ୍ଲାଟଫର୍ମ ଡେଇଁ ସେତେବେଳକୁ ଆସିଲିଣି ପଦାକୁ । ମନରେ ମୋର ଦୁର୍ଭାବନାର ବିରାଟ ଆସ୍ତରଣ, ଯାହାଦ୍ୱାରା କି ମୋର ଛନ୍ଦି ହୋଇଯାଉଥାଏ ଗୋଡ଼ ହାତ । କାହାରିକୁ କିଛି ପଚାରିବାକୁ ଆବଶ୍ୟକ ବୋଧ କଲିନି । ମତେ ବା କାହିଁକି କିଏ କେଉଁ କଥା ପଚାରିବ ? ଭାବୁଥାଏଁ, କୁଆଡ଼କୁ ଯିବି ? ରାତି ସେତେବେଳକୁ ଅଧ ହୋଇ ଆସିଲାଣି । ଦୂର ବଣ ନିକଟରୁ ଶିଆଳଗୁଡ଼ାଙ୍କର କୁହାଟ ଅତି ଜୋରରେ ମୋ କାନରେ ବାଜିଲା । କାହିଁକି ଟିକିଏ ଭୟ ଲାଗିଲା ସେତେବେଳେ । ଭାବିଲି, ଯିମିତି ଏଗୁଡ଼ାକ ଶତ୍ରୁପରି ମୋ ପଛେ ପଛେ ଗୋଡ଼ାଉଛନ୍ତି । ଗୋଡ଼ ଚଳିଲା ନାହିଁ ଆଉ । ନିକଟରେ ବଜାରଟା । ସେଠାକୁ ଗଲେ ଲୋକେ ନାନାପ୍ରକାର ସନ୍ଦେହ କରିବେ । ସେଠୁ ଆଖି ଫେରାଇଲି । ବଜାରର କିଛି ଦୂରରେ ଅରମା ଅନ୍ଧାରୁଆ ସ୍ଥାନଟାଏ ନଜରରେ ପଡ଼ିଲା । ସେଇଠି ଗୋଟାଏ ଝଙ୍କାଳିଆ ଆମ୍ବଗଛ ଥାଏ । ମୋର ଦୀର୍ଘନିଃଶ୍ୱାସ ପରି ପୂବେଇ ପବନ ଆମ୍ବଗଛ ଉପରଦେଇ ସୁ ସୁ ହୋଇ ବହିଯାଉଥାଏ । ମୋ ନିଃଶ୍ଵାସରେ ଥିଲା ଅସଂଖ୍ୟ ଅହେତୁକ ଦୁର୍ଭାବନାର ବୀଜାଣୁ । ତା’ ଦେହରେ ଥିଲା କିନ୍ତୁ କୋଟି ପ୍ରାଣ ପଲ୍ଲବନ ଦେବପ୍ରିୟ ସୁଧା । ମୁଁ ଥିଲି ସକାମ, ସେ କିନ୍ତୁ ଥିଲା ନିଷ୍କାମ । ଗଛଆଡ଼କୁ ଗଲି । ନିଜର ବୋଲି ଖଣ୍ଡିଏ ବେଗ୍‍ ସାଥିରେ ଥାଏ । ସେଥିରେ ଖଣ୍ଡିଏ ଲୁଗା ଓ ଖଣ୍ଡିଏ ଚାଦର । ଭାବିଲି, ଚୋର ବା ମୋ’ଠାରୁ କ’ଣ ନେବ ? ହେଲେ ମନଟା ବେଶି ଭୟଭୀତ ହେଉଥାଏ କାଳେ କିଏ ଦୁଷ୍ଟ ପ୍ରକୃତିର ଲୋକ ଯଦି ଅତ୍ୟାଚାର କରିବସିବ, ତା’ହେଲେ ଉପାୟ ନାହିଁ । କ’ଣ କରିବି, ଯାହା ଘଟିବାର ଥିବ, ଘଟିବ । ଆଉ ନିନ୍ଦାକୁ ଡରି କିଛି ଲାଭ ନାହିଁ । ନିନ୍ଦା ତ ପବନ ପରି ବହିଚାଲିଛି ସଦାବେଳେ । ଆଉ ଢାଙ୍କିହେଲେ ସେ କ’ଣ ଦେହରେ ନ ବାଜିବ !

 

‘‘ଦେଖିଲି, ଘାସର କୋମଳ ଗାଲିଚା ମୋ ଲାଗି ଯିମିତି ବିଛାହୋଇଛି । ପାଖରେ ଗୋଳମାଳ କରିବାକୁ କେହି ନାହିଁ । ସୁସୁପ୍ତିର ଅବକାଶ କିନ୍ତୁ ମୋର ନ ଥିଲା । ପ୍ରକୃତିକୁ ହେୟଜ୍ଞାନ କରିଥିଲି ସେତେବେଳେ । କାରଣ ପ୍ରକୃତି ମୋତେ ସର୍ବଦା ଉପହସିତ କରି ଚାଲିଥିଲା-। ବେଗ୍‍ଟିକୁ ମୁଣ୍ଡ ନିକଟରେ ଥୋଇ ଦେଇ ଶୋଇପଡ଼ିଲି ଘାସ ଉପରେ । ଶୀତ ଦିନ-। ତେଣୁ ଚାଦରଟାକୁ ଘୋଡ଼େଇ ହୋଇ ପଡ଼ିଲି ଗୋଟାପରି । ଶୀତରୁ ରକ୍ଷା ପାଇବା ଆଉ ମତେ କେହି ନ ଦେଖିବା ବା ନ ଜାଣିବା ପାଇଁ ଚାଦରଟି ବେଶ୍ କାମ ଦେଲା । ହେଲେ ମୁଣ୍ଡ ଭିତରେ ଛୁଞ୍ଚି ମାରିବା ଭଳି କାହିଁକି ବେଦନା ଅନୁଭବ କରୁଥାଏଁ । ନିଦ ହେଲାନି । ଏଇକ୍ଷଣି ସିନା ରାତିଟା, କେହି ଜାଣିପାରୁନାହାନ୍ତି । ସକାଳ ହେଲେ ତ ଧରାପଡ଼ିଯିବି । ସେତେବେଳେ ଉପାୟ କ’ଣ-? ମନ ହେଉଥାଏ, ଏ ରାତିଟା ଆଉ ନ ପାହାନ୍ତା କି, ଆରାମରେ ଶୋଇଥାନ୍ତି ଏଠି ସବୁଦିନ ପାଇଁ-। କିନ୍ତୁ ଏ କଳ୍ପନା କି ସତ ହେବ ? ତେଣୁ ଉପାୟଟା ଆଗରୁ ସ୍ଥିର ନ କଲେ ପଛରେ ଅଧିକ ବିପଦ ମୁଣ୍ଡେଇବାକୁ ପଡ଼ିବ । ସେଇଠୁ ସ୍ଥିର କଲି, ମତେ କେହି ଆଉ ନଜାଣିବା ଲାଗି ସବୁଠୁଁ ବଡ଼ ଉପାୟ ହେଉଛି ମୃତ୍ୟୁ । ମାରିବାକୁ ମନକଲେ ଦଣ୍ଡେ ଲାଗିବ ନାହିଁ । ମରିଗଲେ ସବୁ ଚିନ୍ତା ସରିଯିବ । ନିଷ୍କୃତି ପାଇବ ଜୀବନଟା ଏ ସମାଜ ଦାଉରୁ । ମୁଣ୍ଡରୁ ଚାଦର କାଢ଼ି ଚାହିଁଲି ବାହାରକୁ-। ନିକଟରେ ଗୋଟାଏ ପୋଖରୀର ପାଣି ଥେଇଥେଇ କରି ନାଚୁଛି । ଯୌବନର ଜଳ ପାଇଲେ କିଶୋରୀମାନେ ଯେପରି ମତୁଆଲ ହୁଅନ୍ତି । ଆକାଶର ନୀଳ ଛାୟା, ପୋଖରୀ ହୁଡ଼ା ଉପର ଗଛର ଛାୟା, ଢେଉର କମ୍ପନରେ କମ୍ପି ଉଠୁଥାନ୍ତି । ମନଟା ମୋର ଆନନ୍ଦରେ ଗୁମୁରି ଉଠିଲା-। ତାକୁ ଦେଖି ଭାବିଲି, ତେବେ ସେଦିନ ସବୁ ଆଶା ଭରସାକୁ ବିସର୍ଜନ ଦେଇ ଦେଶ ଛାଡ଼ିଲି କାହିଁକି-? ସେଠାରେ ମରିବାକୁ କ’ଣ କିଛି ଉପାୟ ନ ଥିଲା ? ପୋଖରୀକୁ ଚାହିଁ ଆଖିରୁ ଲୁହ ପୋଛିଲି-। ସରଳ ମନର ସହଜ ମୀମାଂସାରେ ପହଞ୍ଚିଲି, ନା, ମରିବି ନାହିଁ । ମରିବାର ଇଚ୍ଛା ଥିଲେ ଅନେକ ଦିନ ଆଗରୁ ନାଁ ବୁଡ଼ିଯାଆନ୍ତାଣି । ଭାବିଲି, ଦେଖିବି ପ୍ରକୃତି ଆଉ ସମାଜପତିମାନେ କେତେ ଦାଉ ସାଧିପାରନ୍ତି । ସହିବି, ହେଉ ପଛେ ନିନ୍ଦା । ସମସ୍ତେ ତ ଆଉ ପ୍ରଶଂସା ଭିତରେ ବୁଡ଼ି ରହୁନାହାନ୍ତି-! ମୋ ପରି ତ ଅନେକ ଲୋକ ଅଛନ୍ତି । ତେବେ ମୁଁ କାହିଁକି ଲୋକ ଅପବାଦକୁ ଡରିଯିବି-? ଯେଉଁମାନେ ଅପବାଦ ରଟାଇ ପାରନ୍ତି, ତାଙ୍କ ଘରେ କ’ଣ ଏମିତି ଘଟଣା ଘଟୁନାହିଁ ? ତାଙ୍କ ଘଟଣା ଲୁଚିଯାଉଛି । ଆମ ଭଳି କେତେଟା ନିରକ୍ଷଙ୍କର ଜୀବନ ପଦାରେ ପଡ଼ିଯାଉଛି-। ଆମେ ହେଉଛୁଁ କଳଙ୍କିନୀ; ସେମାନେ ବୋଲାଉଛନ୍ତି ସତୀ ସାବିତ୍ରୀ । ଏଇଆ ତ ! ଏଇକଥାକୁ ଡରିଗଲେ ହେବ ?

 

‘‘ଏଇମିତି ଭାବି ଭାବି ମନକଲି, ସକାଳ ହେଲେ ରାସ୍ତା ଧାରରେ ଭିଖାରୁଣୀମାନଙ୍କୁ ଖୋଜିବି । ତାଙ୍କଠୁଁ କୌଣସି ଗୋଟିଏ ସମ୍ଭ୍ରାନ୍ତ ପରିବାରର ସନ୍ଧାନ ନେବି । ତାଙ୍କର ଘରେ ପାଇଟି ପତ୍ର କରି ଦିନଗୁଡ଼ା କଟେଇବି । ତେଣିକି ଯାହା ବରାଦ ଥିବ । ଏଇଟା ଖୁବ୍ ଭଲ ଉପାୟ । ସମୁଦ୍ର ମନ୍ଥନ କରି ଅମୃତ ପାଇଲା ଭଳି ମତେ ଭଲ ଲାଗିଲା ଏଇ ଉପାୟଟି । ମନଟା ସ୍ଥିର ହେଲା । ଏତେ ଦୁଃଖ ଭିତରେ ସନ୍ତୁଷ୍ଟିର କେଉଁଠି ଟିକେ ସୂକ୍ଷ୍ମ ଅଣୁ ଲୁଚି ରହିଥିଲା ସେଇଥିରେ । ଖୁବ୍‍ ଆଶା ବାନ୍ଧି ବସିଲି । ନିଦ ବି ମାଡ଼ିଆସିଲା ଜୋରରେ । ଗଛଟାକୁ ନିଜର ସାହାଯ୍ୟକାରୀ ମନେକରି ନିଶ୍ଚିନ୍ତରେ ଶୋଇଲି । ଶୋଇବାବେଳେ କୌଣସି ପ୍ରକାର ଭୟ ଆଉ ଜଣାଗଲା ନାହିଁ । କାରଣ ମନରେ ଏଇଟା ବଡ଼ ଖିଆଲ ରହିଥାଏ ଯେ, ଏ ଜୀବନ ଏତେ ଚଞ୍ଚଳ ଯିବ ନାହିଁ । ୟାକୁ କେହି ଛୁଇଁବାକୁ ଆସିବେ ନାହିଁ ।

 

‘‘ସକାଳ ହୋଇଆସିଲା । ଚାରିଆଡ଼ୁ ଅନ୍ଧାର ଛାଡ଼ି ନ ଥାଏ । ପାହାନ୍ତିଆ ତରାଟା ବଡ଼ ଦାଉଦାଉ ଦିଶୁଥାଏ ପୂରୁବ ଆକାଶରେ । ମତେ ସେ ଯିମିତି ଚାହିଁଛି । ମୁଁ ସେହି ଆଲୋକରେ ନିଜକୁ ଥରେ ଭଲକରି ଚାହିଁଲି । ଭାବିଲି, ଏଇ ରୂପକୁ ନେଇ ସଡ଼କ ଉପରେ ପାଦ ପକାଇପାରିବି ତ ? ଲୋକେ ତ ପଛରେ ନ ଗୋଡ଼ାଉଥିଲେ ଗୋଡ଼ାଇବେ । ଯେଉଁଠି ଯୌବନର ଢେଉ ଦେହ ଆଉ ମନଟାକୁ ଲୋଭାଣିଆ କରି ରଖିଛି, ସେଠି ନ ଚାହୁଁଥିବା ଲୋକେ ଚାହିଁବେ । ଯାହାଙ୍କୁ ଭଦ୍ରଲୋକ କହନ୍ତି, ସେ ବି ଟିକିଏ ଆଖି ବୁଲାଇ ଚାଲିଯିବେ । ଧରିପାରିବେ ନାହିଁ ସିନା, ମନଟା କ’ଣ ମତାଣିଆ ହୋଇ ଉଠିବନି ? କିନ୍ତୁ ନିତି ଯେ ସେ କଥାକୁ ବେଉସା କରି ବସିଛନ୍ତି, ସେ କ’ଣ ଖାଲି ଚାହିଁଦେଇ ଚାଲିଯିବେ ? ତାଙ୍କ ମନ କ’ଣ ସେଥିରେ ମାନିବ ? ସେ ନିଶ୍ଚୟ ପାଖକୁ ଆସିବେ, କେତେ ମିଠା କଥା କହି ଆପଣାର କରିବାକୁ ଧାଇଁବେ । ସେତେବେଳେ କ’ଣ କରିବି ? ସେଗୁଡ଼ାଙ୍କ କଥାରେ ଭୁଲିଗଲେ ଭାଗ୍ୟ ଆହୁରି ବିପାକ ହେବ । ସେମାନେ କେବେହେଲେ ଚିରଦିନର ସାଥୀ ହେବେ ନାହିଁ । ତେବେ ଦୁଇଦିନିଆ ସାଥିଟିଏ ବାଛି ଲାଭ କ’ଣ ? କିମିତି ଆଗକୁ ପାଦ ପକାଇବି, କିମିତି ଜଣେ ଭଲ ଗୃହସ୍ଥର ସନ୍ଧାନ ନେବି । ହେଲା ନାହିଁ କୌଣସି ମତେ-। କେହି ବି ସେଭଳି ଜଣେ ଲୋକ ଆଖିରେ ପଡ଼ିଲେନି ଯାହାଠୁଁ ନିଜର କିଛି ଜାଣିବା ଭଳି ଖବର ସଂଗ୍ରହ କରିବି ।

 

‘‘ଫରଚା ହୋଇ ଆସିଲା, ଆଉ ରକ୍ଷା ନାହିଁ । ଏଇଥର ସମସ୍ତଙ୍କର ଉପହାସ କରିବାକୁ ସମୟ ଆସିଗଲା । ହଠାତ୍‍ ଲୁଗାଟାକୁ ପୁରୁଷ ପରି ପିନ୍ଧିପକାଇଲି । ସେତେବେଳେ ଖାଲି ଛନଛନ ହେଉଥାଏ, କାଳେ କାହାର ନଜର ପଡ଼ିଯିବ କି ! ଲୁଗାଟା ପିନ୍ଧୁ ପିନ୍ଧୁ ଚାରିଆଡ଼କୁ ଚାହିଁ ଦେଖିଲି, କେହି ସେଆଡ଼କୁ ଆସୁନାହାନ୍ତି । ବହୁତ ଦୂରରେ ନିଆଁର ଛୋଟ ଗୁଳାଟାଏ ବେଳେବେଳେ ଦାଉ ଦାଉ ହୋଇ ଦେଖାଯାଉଥାଏ । କେହି ବିଡ଼ି ଟାଣି ଝାଡ଼ା ବସିଥାନ୍ତି କି କ’ଣ ? ଗଛ ଉପରେ ଚଢ଼େଇଗୁଡ଼ାକ କେଁ କେଁ ଶବ୍ଦ କଲେ; ନିଜ ସ୍ଵନରେ ସ୍ଥାନଟାକୁ ମୁଖରିତ କଲେ । ଭାବିଲି, ମତେ ବୋଧହୁଏ ଏମାନେ ହୁସିଆର ହେବାପାଇଁ ଚେତାଇ ଦେଉଛନ୍ତି । ଆଉ ଡେରି ନ କରି ଯେତେ ଶୀଘ୍ର ପାରେ ବ୍ଲାଉଜ ଉପରେ ଚାଦରଟାକୁ ଭିଡ଼ିଦେଲି । ମୁଣ୍ଡ ବାଳଗୁଡ଼ାକ ଉପରକୁ ଟେକିନେଇ ଅସ୍ୱାଭାବିକ ଭାବରେ ଗଣ୍ଠି ପକାଇଲି । ଏ ଗଣ୍ଠିକୁ ଦେଖି ଯିମିତି ଗୋଟାଏ ପାହାଡ଼ି ଲୋକ ବୋଲି ଲୋକଙ୍କର ଧାରଣା ହେବ । କାଚଗୁଡ଼ାକ ପିଟିଦେଲି ଗୋଟାଏ ପଥର ଉପରେ । ମୁଣ୍ଡର ସିନ୍ଦୂରବିନ୍ଦୁକୁ ଲିଭାଇଦେଲି । ସ୍ତ୍ରୀର ଯେଉଁଟିକକ ଅହଙ୍କାର, ସେ ତ ମୋର ନ ଥିଲା । ମୁଁ ହୋଇଥିଲି ଗୋଟାଏ ନଷ୍ଟ ବିହଙ୍ଗୀ । ଆଉ ଅଯଥା ଏ କାଚ ସିନ୍ଦୂର କାହିଁକି ? ଏଗୁଡ଼ାକର ମୂଲ୍ୟ ତ ବଜାରରେ ଅଳପ ପଇସା । ହେଲେ, ମୋ ପାଖରେ ବଜାର ଦରଠାରୁ ଆଉରି ମୂଲ୍ୟହୀନ ହୋଇଥାଏ । ଆଖିକୁ ବିଷ ପରି ଦେଖାଯାଉଥାଏ । ଭାବୁଥାଏଁ, ଏଗୁଡ଼ାକ ମତେ ଆଉରି ବିପଦକୁ ଟାଣିନେବେ । ଏଗୁଡ଼ାକଠାରୁ ଯେତେ ଶୀଘ୍ର ଛାଡ଼ ପାଇଲେ ହେଲା ।

 

‘‘ହିନ୍ଦୁ ନାରୀର ଲଜ୍ଜା ସଂକୋଚ ଦଣ୍ଡକେ ଅପସରିଗଲା । ଦେହଟାକୁ ମନେମନେ ଅଭିସମ୍ପାତ ଦେଉଁଥାଏଁ, ଏତେ ସୌନ୍ଦର୍ଯ୍ୟ କାହିଁକି ? ଏହାରି ଲାଗି ସିନା ସବୁ କଳଙ୍କ ଜୀବନରେ ଲାଗୁଛି । ଏ ଯଦି ଏଇକ୍ଷଣି ମଉଳି ଯାଆନ୍ତା, ମୁଁ ବେଶ୍ ଆରାମରେ ସବୁଠେଇଁ ବସନ୍ତି । ଏହାକୁ କେତେ ଡରି ଡରି ଚାଲିବି ! ଦେହଟା କ’ଣ ଏଗୁଡ଼ା ବୁଝନ୍ତା ? ମନର ରାଗ ମନରେ ମଲା । ସୂର୍ଯ୍ୟକିରଣ ଲାଗି ଦେହଟା ବେଳୁ ବେଳ ଦାଉଦାଉ ଦିଶିଲା । ଭିତରେ ଗୋଟାଏ ଅଜଣା କମ୍ପନ ସୃଷ୍ଟି ହେଲା । କାହାର ସାହଚର୍ଯ୍ୟ ଯିମିତି ଲୋଡ଼ିବସିଲା । ହେଲେ ଘୋଡ଼ାକୁ ଲଗାମ ଦେଇ ଜବତ କଲାଭଳି ତାକୁ ମାଡ଼ି ଜାକି ରୋକିଲି ।’’

 

‘‘ପାଦ ବଢ଼ାଇଲି ଆଗକୁ ଲକ୍ଷ୍ୟହୀନ ଭାବରେ । କେଉଁଆଡ଼କୁ ଯିବି, କେଉଁଠି ମୋ ପଥର ସମାପ୍ତି ଘଟିବ ତାହା ଭାବିପାରୁ ନ ଥାଏ । ବଜାର ଭିତର ରାସ୍ତା, କୁଆଡ଼କୁ ବାଟ ନାହିଁ ଯେ ଯେଉଁଠି ମତେ କେହି ନ ଦେଖିବେ ! ଲୋକଙ୍କର ଗହଳି ଲାଗିଗଲାଣି । ମୁଁ ତାଙ୍କରି ମଝିରେ ଚାଲିଥାଏ, କେଉଁଆଡ଼କୁ ଚାହୁଁ ନ ଥାଏ, ଚାଲିଥାଏ ସତେ ଯେମିତି ମୁଣ୍ଡ ଉପରେ ବହୁତ କିଛି ଦାୟିତ୍ୱ ଅଛି । ଫେରିବାଲା କେତେଟା ଜିନିଷର ନମୁନା ଦେଖାଇ କିଣିବାପାଇଁ ମତେ ବ୍ୟସ୍ତ କରୁଥାନ୍ତି । ପାଖ ଦେଇ ଆଉରି କେତେ ଲୋକ ଜିନିଷ କିଣିବାପାଇଁ ଡାକଦେଇ ଚାଲିଯାଉଥାନ୍ତି । କେତେ ମଟରସାଇକେଲ ଅତିକ୍ରମ କରି ଚାଲିଯାଉଥାଏ । ମୋର ବା ସେଗୁଡ଼ାକରେ ମଥା ଖେଳାଇ ଲାଭ କ’ଣ ? ମୋ ମନ ତ ଜଳିଯାଉଛି । ମୁଁ ବଜାରର ଦୃଶ୍ୟ ଦେଖନ୍ତି କ’ଣ ? ନା, ଜିନିଷ କିଣିବାର କଳ୍ପନା କରନ୍ତି ? ଆଗକୁ ଆଗକୁ ଚାଲିଥାଏଁ ଜୋରରେ ।’’

 

‘‘ଗୋଟାଏ ଫେରିବାଲା ମୋ ପାଖରୁ ଯାଇ କେତେଟା ବଜାରୀ ଟୋକାଙ୍କ ପାଖରେ ପହଞ୍ଚି କହିଲା, ‘ଆରେ, ଏଇଟା ଆଗରେ ଯିଏ ଯାଉନି, ତାକୁ କ’ଣ ଠଉରାଉଛ କୁହନି ? ମୁଁ ଦେଖିଲି, ତା’ ଛାତିଟା ଉଚ୍ଚାଉଚ୍ଚା କାହିଁକି ଦିଶୁଛି । ସତେଯେମିତି ଦୁଇଟା ପାହାଡ଼ ତା’ ଲୁଗା ଭିତରୁ ମୁଣ୍ଡ ଟେକି ଉପରକୁ ଉଠିବାକୁ ବ୍ୟସ୍ତ ହୋଇପଡ଼ୁଛନ୍ତି । ମାଇପିଟାଏ କି କ’ଣ !’ ଆଉ ଜଣେ କହିଲା, ‘କାହିଁ ବା କେଉଁଠି ?’ ସେ ହାତ ଠାରି ଦେଖାଇଦେଲା, ‘ହେଇ ଯେଉଁଟା ନାଲିଲୁଗା ପିନ୍ଧି ମୁଣ୍ଡରେ ଗୋଟାଏ ବଡ଼ ଗଣ୍ଠି ଦେଇନି–ସେଇ ବାବୁଲାଲ୍‍ ଦୋକାନ ସିଧାରେ ମ–ଦେଖିପାରୁନା ? ଏହା କହୁକହୁ ଜଣେ ସାଇକେଲ ଛୁଟାଇଦେଲା ମୋ ଆଡ଼କୁ ଖୁବ୍‍ ଜୋରରେ । ମୋ ଆଗରେ ସାଇକେଲକୁ ଧରି ଠିଆ ହୋଇଗଲା । ମତେ କହିଲା, ‘ହେ-ହେ, ଠିଆ ହୋ ସେଇଠି, ଗୋଟାଏ ବଡ଼ କାମ ଅଛି ତୋ’ଠି ?’ ମୁଁ ନାହିଁ ନାହିଁ ହେଲି; ସେ କିନ୍ତୁ ମତେ ବାଟ ଓଗାଳିଲା, ଛାଡ଼ିଦେଲା ନାହିଁ ମୋଟେ । ଅନେକ ଲୋକ ଜମିଗଲେ ସେଇଠି, ଚାରିଆଡ଼ୁ ଘେରିଗଲେ ମୋତେ । ମୁଁ ମରିବି କି ବଞ୍ଚିବି କିଛି ଠିକ୍‍ କରିପାରିଲି ନାହିଁ କି ଆଗକୁ ଟିକେ ପାଦ ବଢ଼ାଇପାରିଲି ନାହିଁ । ତାଙ୍କରି ଭିତରୁ କେତେଟା କ’ଣ ଠରାଠରି ହେଲେ, କେତେକ ଚୁପ୍‍ଚୁପ୍‍ ହୋଇ କ’ଣ କଥାବାର୍ତ୍ତା ହେଲେ । ଜଣେ କହିଲା, ‘ଆଲୋ, ତୁ ତ ମାଇପିଟା, ଏମିତି କ’ଣ ଢଙ୍ଗ ଧରିଛୁ ? ତୋ ଘର କେଉଁଠି, କହ ? ତୁ ଆଦୌ ଭୟ କରନା ଆମକୁ ଦେଖି । ଆମେ ତତେ ଭଲବାଟକୁ ନେବୁଁ; ତୋର କୌଣସି କ୍ଷତି ହେବ ନାହିଁ ।’ ମତେ କଥା କହିବାକୁ ବାଧ୍ୟ କଲେ । ମୁଁ ଯେତେ ନିଦା ପଥର ହେଲି, ସେ ସେତେ ଦୋହଲାଇଲେ । ଭାବିଲି, ଏଇଥର ସବୁ ଯୋଜନା ପଣ୍ଡ ହେଲା; ଏମାନଙ୍କ କବଳରୁ ଆଉ ରକ୍ଷା ପାଇବାର ନୁହେଁ । ଗୋଟାଏ ଶିକାରକୁ ଯେଉଁଠି ଗୁଡ଼ାଏ ଶିକାରୀ ଜୁଟନ୍ତି, ସେଠି ଆଉ କି ଉପାୟ ଅବା ଥାଇପାରେ ? ଖାଲି କ୍ଷତବିକ୍ଷତ ହେବାକଥା ।’’

 

‘‘ମୋ ମନ ଅନୁସାରେ କେହି ମତେ ଆଗକୁ ଚାଲିଯିବାକୁ ସୁଯୋଗ ଦେଲେ ନାହିଁ । କାରଣ ମୋ କଳ୍ପନାଠୁ ତାଙ୍କ କଳ୍ପନା ଢେର୍‍ ତଫାତ୍‍ ଥିଲା । ଶେଷରେ ତାଙ୍କରି କଥା ହେଲା । ମୁଣ୍ଡଟାକୁ ତଳକୁ ମାଡ଼ି ଠିଆହୋଇ ରହିଲି; ବୁଢ଼ାଆଙ୍ଗୁଠିରେ ଭୂଇଁକୁ ବହେ ଗାରେଇଲି । ଲାଜରା ମୁହଁଟାକୁ ଯେତେ ତଳକୁ ମାଡ଼ିଲେ ସୁଦ୍ଧା ବେହିଆ ଟୋକା କେତେଟା ତଳେ ବସିପଡ଼ି ମୋ ମୁହଁକୁ ଚାହୁଁଥାନ୍ତି । ଆନନ୍ଦରେ ବିଭୋର ହୋଇଉଠୁଥାନ୍ତି ମୋର ତନୁ ତନିମାକୁ ଦେଖି । କିଏ କେତେ କଥା କଳ୍ପନା କରିଯାଉଥାଏ । ହେଲେ ଏତେ ଲୋକଙ୍କ ଆଗରେ ମୋ ପ୍ରତି ଦୁର୍ବ୍ୟବହାର ଦେଖାଇବାକୁ ସାହସ କୁଳାଉ ନ ଥାଏ ତାଙ୍କର । ଜଣେ ଜଣକୁ କହିଲା, ‘ଏତେ ଚାହୁଁଛୁ କ’ଣ, ନେଇଯା ତାକୁ ସାଙ୍ଗରେ । ବାହା ତ ହୋଇନାହୁଁ, ତାକୁ ବାହା ହୋଇପଡ଼ । ଟୋକୀଟା ସେ, ତା’ର କ’ଣ ବାହା ହବାକୁ ଇଚ୍ଛା ନାହିଁ ?’’

 

‘‘ମତେ ଦେଖି ଆଉ କିଏ ମୁରୁକି ମୁରୁକି ହସୁଥାଏ । ପାଗଳୀ କହି କେହି ପଳାଇଯାଉଥାଏ । ମୁଁ ଭାବୁଥାଏଁ, ‘ପାଗଳୀ ତ ବର୍ତ୍ତମାନ ହୋଇନାହିଁ; କିନ୍ତୁ ହେବି । ତୁମ୍ଭେମାନେ ମୋତେ ପାଗଳୀ କରିବ । ଖାଲି ମତେ ନୁହଁ, ମୋ’ପରି ଏଇମିତି ଅନେକଙ୍କୁ । ତା’ ଅପେକ୍ଷା ଗୋଟାଏ କାର୍ଯ୍ୟ କରନା ! ତୁମ୍ଭେମାନେ ତ ଆମ ସ୍ତ୍ରୀଜାତିର ହର୍ତ୍ତାକର୍ତ୍ତା । ବାରମ୍ବାର ଆଉ ଆମ୍ଭମାନଙ୍କ ବିଷୟରେ ଖେଳ କରନା । ତୁମ୍ଭମାନଙ୍କ ହାତର ସେହି ଭାଗ୍ୟର ଖଣ୍ଡାଟା ଆମ୍ଭମାନଙ୍କ ଗଳାରେ ବସେଇଦିଅ, ଆମର ଅନୁଭୂତିଗୁଡ଼ିକୁ ଲୋପ କରିଦିଅ, ସେଇଥିରେ ଆମ୍ଭେମାନେ ବଞ୍ଚୁ ଓ ତୁମ୍ଭେମାନେ ସବୁ ଦାୟ-ଦାୟିତ୍ୱରୁ ରକ୍ଷାପାଅ ।’’

 

‘‘ମୋର ଭାବନାକୁ ଏଡ଼ାଇ ଆଉ ଜଣେ କହିଲା, ‘ଏଗୁଡ଼ା କି କଥା ! ତୁମର କ’ଣ ମାନଇଜ୍ଜତ ନାହିଁ ? ତୁମେ ତାକୁ ଏଇଠି ଅଟକାଇଥାଅ, ମୁଁ ଡାକିଦେଉଛି ପୁଲିସକୁ ।’ ମୁଁ ତ ଆଉରି ଥରିଲି । ହେ ହରି ! ଲୋକଟା ଏତେ ଭଲ ଜଣାଯାଉଥିଲା, ପୁଣି କ’ଣ ଏମିତି କହିଲା ? ଯେଉଁ ପୁଲିସ ନାଁ ଶୁଣିଲେ ଲୋକେ ଭୟରେ ଥରହର ହୁଅନ୍ତି, ମତେ ତାଙ୍କ ଜିମାରେ ଦେବେ କି ? ମୁଁ ପୁଣି ଥାନାକୁ ଯିବି ! କାହିଁକି ? ମୁଁ କ’ଣ ପାପକାମ କରିଛି ନା ଚୋରି ଡକାୟତି କରିଛି ? ଝିଅପିଲାକୁ ଥାନାକୁ ନେବାର କାରଣ କ’ଣ ? ଆଉରି କ’ଣ ଭଗବାନଙ୍କର ଇଚ୍ଛା ପୂରଣ ହେଇ ନାହିଁ ? ଏଇମିତି ଗୁଡ଼ାଏ ଭାବୁଥାଏଁ । ପାଞ୍ଚ ମିନିଟ୍‍ ଭିତରେ କନେଷ୍ଟବଳ ଆସି ପହଞ୍ଚିଗଲେ । ତାଙ୍କର ବେଶପୋଷାକ ଦେଖି ମୁଁ ଛାନିଆ । ଲୋକଟି କିନ୍ତୁ ସେତେ ଉଦ୍ଧତ ନୁହନ୍ତି । ତାଙ୍କୁ ଦେଖି ସବୁଲୋକ ଆଡ଼େଇ ହୋଇଗଲେ । ସେ ମୋ ଆଗକୁ ଆସିଲେ, ବାରକଥା ପଚାରିଲେ । ମୁଁ କିଛି ଉତ୍ତର ଦେଲି ନାହିଁ । ମୋ ଜବାବ ନ ପାଇ ସେ ହସିଲେ । ଘଡ଼ିକ ପରେ କହିଲେ, ‘ଚାଲ ଥାନାକୁ, ତତେ ମୁନ୍‍ସିବାବୁ ଡାକୁଛନ୍ତି ।’ ତାଙ୍କର ଏତେ ଜିଦ୍ ଯେ ନ ଗଲେ ଛାଡ଼ିବେ ନାହିଁ । ସବୁ ଲୋକଙ୍କଠୁଁ ସିନା ଛାଡ଼ ମିଳିବ, ହେଲେ ପୁଲିସଙ୍କଠାରୁ ଛାଡ଼ ପାଇବା କଷ୍ଟ । ତଥାପି ନାହିଁ କଲି ଯିବି ନାହିଁ ବୋଲି । ସେ କହିଲେ, ‘ତତେ ଯିବାକୁ ହେବ, ସେ ବୁଦ୍ଧି ଛାଡ଼ । ଯଦି ଭଲ ଚାହୁଁ, ତେବେ ମୋ ସାଙ୍ଗରେ ଆ !’ ଭାବିଲି, ଭଲ ପୁଣି ମୋ ଜୀବନରେ ଆସିବ ? ଏମାନେ ନେଇ ମୋର ପୁଣି ସୁବିଧା କରିଦେବେ ? ବିଶ୍ୱାସ ଗଲିନି ଟିକିଏ । ଲୋକେ କହିଲେ, ‘ଯା, ଯା, ଡରନା ମୋଟେ ।’ କ’ଣ କରିବି ? ହଉ, ଯାହା ହେବାର ଥିବ ହୋଇଯିବ ।

 

‘‘ସେ ଆଗରେ ଚାଲିଲେ; ମୁଁ ତାଙ୍କ ପଛରେ ଚାଲିଲି । ଦୁଷ୍ଟ ଲୋକଗୁଡ଼ାକ ମତେ ଦେଖାଇ ଯେଉଁ କଥା କହୁଥାନ୍ତି, ତାହା ମୁହଁରେ ଧରିବୁ ନାହିଁ । ଛାତିକୁ ପଥର କରି ସେ କଥାଗୁଡ଼ାକୁ ମୁଁ ଖାଲି ଏ କାନରେ ପୂରାଇ ସେ କାନରେ ବାହାର କରିଦେଉଥାଏଁ । ଗୋଟାଏ ମୋଡ଼ ପାରିହେଲି । ଆଗରେ ଥାନା ପଡ଼ିଲା । ମୁନ୍‍ସିବାବୁ ବସିଥାନ୍ତି ଥାନାରେ । ଚୌକିଆଗୁଡ଼ା ପାଳିରେ ଆସି ନିଜ ନିଜ ଗାଁ ଖବର କହୁଥାନ୍ତି । ମତେ ଦେଖି ସମସ୍ତଙ୍କ କାମ ବନ୍ଦ ହୋଇଗଲା । ସମସ୍ତେ ଚାହିଁଲେ ମୋ ଆଡ଼କୁ, ଖବରଟା ବୁଝିବା ପାଇଁ । ମୋ ପଛେ ପଛେ ବଜାରରୁ କେତେଟା ଲୋକ ବି ଗୋଡ଼େଇଥାନ୍ତି । ମୁଁ ଥାନା ବାରଣ୍ଡାରେ ବସିପଡ଼ିଲି । ମୁନ୍‍ସିବାବୁ ମତେ କ’ଣ ପଚାରିବେ, ମୁଁ କି ଉତ୍ତର ଦେବି, ସେଇକଥା ଭାବୁଥାଏଁ । ତଳକୁ ମୁହଁଟାକୁ ମାଡ଼ିଥାଏ, ଯିମିତି କି ତଳର ଧୂଳି, କାଠି, କୁଟା ଆଦି ମୋତେ ବୁଦ୍ଧି ବତାଇଦେବେ । ମୁନ୍‍ସିବାବୁ ଚୌକି ଛାଡ଼ିଲେ; ଲୋକଗୁଡ଼ାଙ୍କ ଉପରେ ପାଟିକଲେ । ସେମାନେ ଯେ ଯୁଆଡ଼େ ପଳାଇଗଲେ । ଆଉ କେତେଟା ଗଳିଛପି ରହିଯାଇଥାନ୍ତି । ସେହି କନେଷ୍ଟବଳ ଜଣକ ମୋ ନିକଟକୁ ଆସିଲେ; ମତେ କହିଲେ, ‘ମୋ ସାଙ୍ଗରେ ଆ ।’ ଭାବିଲି, ଆଉ କ’ଣ ଗୋଟାଏ ଅଲଗା ଥାନା ଘର ଅଛି ନା ହାଜତ ଘର ଅଛି ଯେ ସେଠାକୁ ନେବାକୁ ଡାକୁଛନ୍ତି । ମୋର କ’ଣ ଦୋଷ ଦେଖିଲେ ଯେ, ମତେ ବାନ୍ଧିକରି ରଖିବେ-। ବଡ଼ ଅଡ଼ୁଆରେ ପଡ଼ିଲି । ଥାନାଟା ଏତେ ନିକଟରେ ବୋଲି ଯଦି ଆଗରୁ ଜାଣିଥାନ୍ତି ମୋଟେ ୟାଡ଼କୁ ଆସି ନ ଥାନ୍ତି । କ’ଣ କରିବି, ଥାନାବାଲା ତ ଯିମିତି ନଚାଇବେ ସିମିତି ନାଚିବା କଥା । ସେଥିରେ ଜବାବ ଦେବାକୁ ମୋର ବା ସାହସ କେତେ ? ଟାଣୁଆ ଲୋକେ ତ ଭାଙ୍ଗିପଡ଼ୁଛନ୍ତି ତାଙ୍କ ନିକଟରେ । ଚାଟଶାଳି ପିଲାଏ ଅବଧାନଙ୍କ କଥା ମାନି ଯିମିତି ଏ ପାଖରୁ ସେପାଖ ହୁଅନ୍ତି, ମୁଁ ସେଇମିତି ହେଲି । ତାଙ୍କ ପଛରେ ପୁଣି ଯିବାକୁ ପଡ଼ିଲା । ସେତେବେଳକୁ ଭାରି ଭୋକ ହେଲାଣି, ଦେହ ନିସ୍ତେଜ ଲାଗିଲାଣି ।’’

 

‘‘ଅଳପ ବାଟରେ ଗୋଟିଏ ଘର ପଡ଼ିଲା, ଘରଟି ଆଧୁନିକ ପରିପାଟୀରେ ସଜା ହୋଇଥାଏ । ଘର କାନ୍ଥରେ ଗୋଟିଏ ଛୋଟ ଝିଅର ଫଟୋ ଟଙ୍ଗାଯାଇଥାଏ, ତାକୁ ନିରେଖି ଚାହିଁଲି । ପିଲାଦିନେ ଠିକ୍ ଏଇମିତି ଡଉଲଡାଉଲ ହୋଇଥିଲି ବୋଲି ସମସ୍ତେ କହନ୍ତି । ଭାବିଲି, ଏଇମିତି ଯଦି ପିଲାଟିଏ ହୋଇ ସବୁଦିନେ ରହିଥାନ୍ତି, ବେଶ୍‍ ଶାନ୍ତି ପାଉଥାନ୍ତି । କାହିଁ ଥାଏ ! ମତେ ତ କେତେ ହୀନସ୍ତା ହେବାକୁ ଅଛି, ଶାନ୍ତି ମିଳିବ କେଉଁଠୁ ? କନେଷ୍ଟବଳ ଜଣକ ଘର ଭିତରକୁ ପଶିଗଲେ, ମୁଁ ରହିଲି ବାହାରେ । ଘରଟି ଦେଖି ମନେହେଲା, ଏ ନିଶ୍ଚୟ ଜଣେ ବଡ଼ଲୋକର ଘର-। ମୋର ଭାବନା କ’ଣ ସତ ହେବ କି ? ଏତିକିବେଳେ ଗୋଟିଏ ଝିଅ ଆସି ପହଞ୍ଚିଲା, ବୟସ ତାକୁ ଅନୁମାନ ଆଠ ଖଣ୍ଡେ ହେବ । ସେ ଫଟୋଟିକୁ ଆଉ ଏ ଝିଅଟିକୁ ଚାହିଁଲି । ଭାବିଲି, ଏ ସେଇ ନିଶ୍ଚୟ । ହାତରେ ତା’ର ଦୁଇପଟି ସାଧା କାଚ, କାନରେ ହଳେ ଦୁଲ ଝୁଲୁଥାଏ । ପିଲାଟିକୁ ଦେଖି ଭାରି ଶ୍ରଦ୍ଧା ଆସିଲା । ସେ ମତେ ଡାକିଲା, ‘ଆମ ଘରକୁ ଆ, ବୋଉ ଡାକୁଛନ୍ତି-।’ ମୁଁ ସଂକୋଚ କଲି । ଛୋଟ ପିଲାଟା, ମନକୁ ଯାହା ପାଇଲା କହିଯାଉଛି । ମୁଁ ତାକୁ ଚାହିଁ ହସିଲି-। ଡାକିଲି, ‘ମୋ ପାଖକୁ ଆ, ଏଇଠି ବସ ।’

 

‘‘ଏତିକିବେଳେ ପିଲାଟିର ବୋଉ ଆସି ମତେ ଡାକିଲେ । ମୁଁ ତାଙ୍କ ସାଙ୍ଗରେ ଗଲି ଘରଭିତରକୁ । ସେ ମୋ ମନ ଜାଣିଲାଭଳି ଗୋଟାଏ ଆସନ ପକାଇ ଦେଇ ଗଲେ ଭାତ ବାଢ଼ି ଆଣିବାକୁ । ଭାତ ଆଉ ପାଣି ଢାଳେ ଆଣି ଥୋଇଲେ; କହିଲେ, ‘ନେ, ଗୋଡ଼ହାତ ଧୋଇପକା ।’ ମୋର କାହିଁକି କୋହ ଉଠିଲା । ମନକୁ ମନ ଆଖିରୁ ଲୁହଧାର ଗଡ଼ିବାକୁ ଲାଗିଲା । ସେ ଦେଖିଲେ । ଧୈର୍ଯ୍ୟଧରି ନ ପାରି ନିଜ କାନିରେ ମୋ ଆଖିରୁ ଲୁହ ପୋଛିଲେ । ମୋ ହାତ ଧରି ଟାଣିନେଲେ ଅଗଣା ଭିତରକୁ । ଗୋଡ଼ ଦି’ଟା ଧୋଇଦେବାପାଇଁ ବସିଲେ । ପାଣି ଢାଳଟା ଛଡ଼ାଇଆଣି ମୁଁ ନିଜେ ଧୋଇଲି । ବସିଲି ଭାତ ପାଖରେ । ସେ ତରକାରୀ ଆଣିଲେ । ଭାତ ତରକାରୀ ସବୁ ଗରମ ହୋଇଥାଏ । ଖଣ୍ଡିଏ ବିଞ୍ଚଣା ଧରି ବିଞ୍ଚିଲେ । ଖାଇଦେବା ପାଇଁ ମତେ ବାରମ୍ବାର କହିଲେ । ହାତକୁ ଧରି ଜବରଦସ୍ତ ଥାଳିରେ ମାଡ଼ିଲେ । ମୁଁ ସେଇଠୁ ଖାଇଲି । ଖାଇବାରେ ଆଉ ଲାଜ କଲିନି ସେତେବେଳେ । ଲାଜ କଲେ ତ ନିଜେ ମରିବା କଥା ।’’

 

‘‘ଖାଇସାରିଲି । ସିଏ ମତେ ଖଣ୍ଡେ ପାନ ଆଣି ଦେଲେ । ସେତେବେଳକୁ କେତୋଟି ମାଇପେ ଆଉ ଛୁଆପିଲା ରୁଣ୍ଡ ହୋଇଥାନ୍ତି । ସେ ସମସ୍ତଙ୍କୁ ବାହାର କରିଦେଇ ବାହାର କବାଟ ବନ୍ଦ କରିଦେଲେ । ମତେ କହିଲେ, ‘ଆଲୋ, ତୁ ଝିଅଟା ହୋଇ ଏ ବେଶ କ’ଣ ଧରିଛୁ ? କାଢ଼ କାଢ଼, ଚାଦର କାଢ଼ ।’ ଏହା କହି ମତେ ଲଙ୍ଗଳା ମୁକୁଳା କରିବାକୁ ବସିଲେ । ମୁଁ ଲୁଗାଟାକୁ ଯେତେ ଯାକି ମୋଡ଼ି ଧରିଲି ଆଉ ହେଲା ନାହିଁ । ତାଙ୍କରି କଥା ରହିଲା । ମୁଁ ଝିଅଙ୍କ ପରି ଲୁଗା ପିନ୍ଧିଲି । ସେ ପଳାଇଗଲେ ଭିତରକୁ । ଟ୍ରଙ୍କ ଫିଟାଇ କାଚ ସିନ୍ଦୂର ଆଣିଲେ; ଝିଅକୁ ତେଲ ବୋତଲ ଓ ପାନିଆ ଆଣିବାକୁ କହିଲେ । ସେ ବି ସାଙ୍ଗେ ସାଙ୍ଗେ ତାକୁ ଧରି ଆସି ପହଞ୍ଚିଲା । ମତେ ବସାଇ ମୋ ହାତରେ କାଚ ପିନ୍ଧାଇଦେଲେ, ମଥାରେ ସିନ୍ଦୂର ଘେନାଇଦେଲେ; କହିଲେ, ‘ଏ ସବୁ କ’ଣ ? ଏଇମିତି ବୁଦ୍ଧି ଧରିଲେ ଝିଅ ସବୁ କ’ଣ ପୁଅ ପାଲଟିଯିବେ ?’ ମୋର କ’ଣ ସତରେ ପୁଅ ହେବାର ଆଶା ଥିଲା ? ମୁଁ ଥିଲି ମୋ ଭାବନାରେ । ମା ଯିମିତି ଝିଅକୁ ବାର କଥା କହି ଶାସନ କରେ, ସେ ମତେ ସେଇମିତି ଝୁଙ୍କେ କହିଲେ । ତାଙ୍କ କଥାରେ ମୁଁ ଦୁଃଖ କରିବି କ’ଣ ଆନନ୍ଦରେ ଆଉରି ନାଚିଉଠିଲି । ସେଇ ଆନନ୍ଦରେ କାହିଁକି କେଜାଣି ଲୁହ ଗଳିପଡ଼ିଲା ଆଖିରୁ । ଛୋଟ ପିଲାଙ୍କ ଭଳି କଇଁ କଇଁ କାନ୍ଦିଲି । ସେ ମତେ କୁଣ୍ଢାଇ ଧରି ପ୍ରାବୋଧନା ଦେଉଥାନ୍ତି । ମୁଁ କାନ୍ଦି କାନ୍ଦି କହିଲି, ‘ତୁମେ ମୋର ମା । ମୁଁ ମା’ଠୁଁ ଦିନେ ଏମିତି ସ୍ନେହ ପାଇନି । ତୁମେ ମୋର ମନକଥା ଜାଣିପାରିଚ । କେଉଁ ଜନ୍ମରେ ମୁଁ ତୁମର କ’ଣ ଥିଲି, ଆଜି ଝିଅ ହେଇଚି । ଦୁଃଖୀକୁ ସମସ୍ତେ ଗୋଡ଼ରେ ଆଡ଼େଇଦିଅନ୍ତି । କୁହ, ମତେ ଗୋଡ଼ରେ ଆଡ଼େଇଦେବ ନାହିଁ ତ ?’ ସେ ବି ମୋ ସାଙ୍ଗରେ କାନ୍ଦିଲେ । ଦୁଃଖୀର ଦୁଃଖ ଜାଣିବାଭଳି ତାଙ୍କ ହୃଦୟଟା ଅତି କୋମଳ ବୋଲି ଜାଣିପାରିଲି । କାହିଁକି କେଜାଣି ମନଟା ବଦଳିଗଲା । ମୁଁ ତ ଅନେକ ଦାଉ ଧକ୍କା ସହିଥିଲି; ଚାହୁଁଥିଲି ଟିକିଏ ଆଶ୍ରୟ । ଜୀବନଟାକୁ ଏଥର ନିଖୁଣ କରି ଗଢ଼ିବାକୁ ଚେଷ୍ଟା କରିବି; ପାଦରେ ଯିମିତି କଣ୍ଟା ନ ପଶିବ ସେଥିପାଇଁ ଖୁବ୍ ସଜାଗ ହେବି; ଏଇ ଦୃଢ଼ ପ୍ରତିଜ୍ଞା କଲି । ସେ ସୁବିଧା ଆସି ମନକୁ ଜୁଟିଲା, ସାହସଟା ବଢ଼ିଲା । ବୁକୁଭରା ଆଶା, ଚକ୍ଷୁଭରା ସ୍ୱପ୍ନ ନେଇ ମୁଁ ବିଭୋର ହୋଇ ଉଠିଲି ।’’

 

‘‘ସେ ମତେ ବୋଧଦେଇ ସବୁ ହାଲହଇକତ ଜାଣିବାପାଇଁ ମୋ ପାଖରେ ବସିଲେ । ଭାବିଲି, ଏଇଭଳି ଲୋକ ଆଗରେ ଯେବେ ନ କହିବି, ତେବେ କହିବି ଆଉ କାହା ଆଗରେ ? ସେ କ’ଣ ସତ ଘଟଣାଟା ନ ଜାଣିଲେ କେବେ ସନ୍ତୁଷ୍ଟ ହେବେ ? ଆଉରି କହିବେ, ଏ ଝିଅଟା ବଡ଼ ବୁଲିଖାଇ–ସାତଘରଭାଙ୍ଗୀ, ଛତରୀଟାଏ । ଘୃଣା କରିବେ, ଅବିଶ୍ୱାସ କରିବେ । ସେ କ’ଣ ମତେ ଆଉ ଝିଅ ଆଖିରେ ଦେଖିବେ ? କାମଧନ୍ଦା କରି ଖାଇପିଇ ସିମିତି କ’ଣ ଚାକରାଣୀ ରହୁନାହାନ୍ତି-? ମୁଁ ସେଇମିତି ତାଙ୍କ ନିକଟରେ ରହିବି । ସେଇଟା କ’ଣ ମୋ ଜୀବନରେ ଆଉ ପରିବର୍ତ୍ତନ ଆଣିବ, ନା କେବେ ସୁଖୀ ହୋଇପାରିବି ? ଯିଏ ନିଜକୁ ନିର୍ମଳ କରି ନ ପାରିଛି, ସେ ଅନ୍ୟଠାରୁ ସେପରି ଆଶା କରିବ କିପରି ? ସ୍ନେହମମତା ତ ଐଶ୍ୱରିକ ଦାନ; ତାହା ସମସ୍ତଙ୍କଠେଇଁ ଜଡ଼ିରହିଛି-। ତାହାକୁ ନିଜେ ଯଦି ଅପରକୁ ଦାନ କରିପାରିବା, ତେବେ ସିନା ସେଇ ଭଳି ପ୍ରତ୍ୟାଶା କରିବା; ନଚେତ୍ ଓଲଟା ଫଳ ମିଳିବ । ସେଇକଥାକୁ ହେଜି ହେଲି । ତାଙ୍କୁ ମା’ ବୋଲି ସମ୍ବୋଧନ କରି ପୁଣି କ’ଣ ତାଙ୍କ ସାଙ୍ଗରେ ଖେଳିବି ?’’

 

‘‘ସେ ମତେ ତୁହାଇ ତୁହାଇ ପଚାରିଲେ । ତାଙ୍କ ମନଟାକୁ ଖରାପ ନ କରିବାପାଇଁ ବା ସନ୍ଦେହଟାକୁ ବେଶି ନ ବଢ଼ିବାକୁ ଦେବାପାଇଁ ମୁଁ ଟିକିନିଖି ସବୁ ଘଟଣା କହିଲି । ମା’ ଆଗରେ ଯିମିତି ଝିଅ କହନ୍ତି ନିରାଟ ସତ୍ୟ ଘଟଣା । ଯାହା ଏ ଦେହ ଉପରେ କେତେ ଅଙ୍କାବଙ୍କା ତରଙ୍ଗ ସୃଷ୍ଟି କରିଦେଇଯାଇଛି, ଯାହାର ଶବ୍ଦ ଆଜି ସମସ୍ତଙ୍କ କାନରେ ପ୍ରତିଧ୍ୱନି ଛଳରେ ନିନାଦିତ ହେଉଛି-। ସମସ୍ତେ ଶୁଣିଛନ୍ତି, ନ ଶୁଣିଲା ଲୋକେ ଏବେ ମଧ୍ୟ ଶୁଣୁଛନ୍ତି । ସେମାନେ ଶୁଣି ତୃପ୍ତିଲାଭ କରୁଛନ୍ତି; ମୁଁ କିନ୍ତୁ ତାକୁ ମନେପକାଇ ପାଉଛି ଅବ୍ୟକ୍ତ ବେଦନା । ଯେତେ ଚେଷ୍ଟା କଲେ ସେ ଭୁଲି ହେଉନାହିଁ, କି ତା’ର ଅସ୍ତିତ୍ୱ ଲୋପ ହେଉନାହିଁ ।’’

 

‘‘ସେ ସବୁ କଥା ଶୁଣିଲେ । ଶୁଣିବାବେଳେ ତାଙ୍କ ଆଖିର ପିଛଡ଼ା ପଡ଼ୁ ନ ଥାଏ । କେହି କାଳେ ପହଞ୍ଚିଯିବ ବୋଲି ସେ ବେଳେବେଳେ ସଦର ଦରଜା ଆଡ଼କୁ ଅନାଉଥାନ୍ତି, ମଝିରେ ମଝିରେ ଗୋଟାଏ ଲେଖା ଦୀର୍ଘନିଃଶ୍ୱାସ ଛାଡ଼ୁଥାନ୍ତି । ଝିଅଟା ତାଙ୍କର ବସିଥାଏ ପାଖରେ । କ’ଣ ମନକରି ସେ ଉଠିଯାଇ ଅଗଣାରେ ଖେଳିଲା । ପିଲାଲୋକ, ସେ ବା ଏଥିରୁ କ’ଣ ବୁଝନ୍ତା ? ମଝିରେ ମଝିରେ ଆସି ଗୋଳମାଳ ସୃଷ୍ଟି କରୁଥାଏ, ବୋଉର କାନି ଧରି ଝିଙ୍କୁଥାଏ ବାହାରକୁ ଯିବାକୁ । ବୋଉଙ୍କର କବାଟ ଖୋଲିବାକୁ ମୋଟେ ଇଚ୍ଛା ନୁହେଁ । ତାକୁ କେତେ କଥା କହି ଭୁଲାଉଥାନ୍ତି । ମୁଁ ତାକୁ କୋଳକୁ ଟାଣିଆଣିଲି । ସେ ମୋ ମୁହଁକୁ ବଲବଲ କରି ଚାହିଁଲା । ଅଚିହ୍ନା ବାରିଲା, ତଥାପି କୋଳରେ ବସିଲା । ‘ଆଲୋ, ସେ କିଏ କି ?’ –ବୋଉ କହିଲେ । ଝିଅଟି ତା’ର କଅଁଳ କଣ୍ଠରେ କ’ଣ କହିବ ବୋଲି ବୋଧହୁଏ ଭାବି ଆସୁଥିଲା, ବୋଉ କହିଲେ, ‘ତୋ ଅପା, ଜାଣିଲୁ !’ ‘ଅପା ଅପା’ କହି ସେ ଆନନ୍ଦରେ ମତେ ଜାବୁଡ଼ି ଧରିଲା । ମୁଁ କୃତାର୍ଥର ହସଟାଏ ହସିଲି । ତା’ ଗାଲରେ ଚୁମା ଦେଲି । କହିଲି, ‘ସତରେ ତୁ ମୋର ଭଉଣୀ ? କହନି ତୋ ନାଁ କ’ଣ-? ସେ ତା’ର ନାଁ’ଟି କହିଲା ।’’

 

ମଳୟା ସେଇଠି ସର୍ବାଣୀର କଥା ଉପରେ ବାଡ଼ି ପକାଇଦେଲା । ଉତ୍କଣ୍ଠିତ ହୋଇ ପଚାରିଲା, ‘‘କ’ଣ, ତା’ ନାଁଟା କହିଲୁ ନାହିଁ ତ ?” ସର୍ବାଣୀର କୌତୂହଳ ବୃଦ୍ଧି ହେଲା; କହିଲା, ‘‘ତୁ ଏତେ ବ୍ୟସ୍ତ ହେଉଛୁ କାହିଁକି ? ମୁଁ କହିବି ଯେ, ଶୁଣିସାର ଆଗ ।’’

 

‘‘ସେ ଝିଅଟିର ଗୋଳମାଳରେ ମୁଁ ମଧ୍ୟ ଅନ୍ୟମନସ୍କ ହେଲି । ବୋଉ କହିଲେ, ‘ଥାଉ ଲୋ ମା, ଏ ଝିଅଟା ଆଉ ବସେଇ ଦେବ ନାହିଁ । ଆ, ଚୁଲି ଲଗାଇବା । ବେଳ ବୁଡ଼ି ଆସିଲାଣି । ଏଇ କଥା ପାଇଁ ତୁ ଏତେ ଭାବନା କରୁଛୁ ? କେତେ ଘଟଣା ଏମିତି ଏ କାନ ଶୁଣିସାରିଲାଣି । ସେମାନେ ତ ମଣିଷ ହୋଇ ଏ ସମାଜରେ ଚଳୁଛନ୍ତି; ତାଙ୍କଠୁଁ ଏମିତି କ’ଣ ବଡ଼ ପାପଟାଏ ତୁ କରିପକାଇଛୁ କି ? ସେଗୁଡ଼ା ଚିନ୍ତା କରି ତୁ ଆଉ ମୁଣ୍ଡକୁ ବିଗାଡ଼ ନା । ତା’ଦ୍ୱାରା ତୋର ଦେହର କ୍ଷତି ହେବ । ତୋ କଥା ଏଣିକି ତତେ ଆଉ ଭାବିବାକୁ ପଡ଼ିବ ନାହିଁ । ସେ ଭାର ମୋ ଉପରେ । ତୁ ଏଇଠି ହସଖୁସି ଦିନ କଟା । ଖେଳିବାକୁ ତୋର ସାଥୀଟିଏ ଦେଲି, ଆଉ ଚିନ୍ତା କ’ଣ ?’ ସେ ଝିଅଟି ହସିଲା । ସେଇଠୁ ସମସ୍ତେ ହସିଲୁଁ । ପଥଶ୍ରାନ୍ତ ପଥିକର ମୁଣ୍ଡରୁ କେହି ବୋଝଟା ଓହ୍ଲାଇଦେଲେ ସେ ଯିମିତି ଗୋଟାଏ ଆଶ୍ୱସ୍ତିର ନିଃଶ୍ୱାସ ମାରେ, ମୁଁ ସିମିତି ନିଜକୁ ବଡ଼ ହାଲୁକା ମନେକଲି ସେତେବେଳେ । ବାପଘର ଝିଅ ପରି ଆନନ୍ଦରେ, ଅଚିନ୍ତାରେ ଖେଳିବୁଲିବାପାଇଁ ମନ ଭିତରଟା କଲବଲ ହେଲା ।

 

‘‘ଦୁହେଁ ଗଲୁଁ ରୋଷେଇ ଘରକୁ । ତାଙ୍କ ଘରକରଣା ଦେଖି ମତେ ବଡ଼ ନୂଆ ନୂଆ ଲାଗିଲା । ସେ ଯିମିତି ମତେ ଇଙ୍ଗିତ ଦେଲେ, ସିମିତି ମୁଁ କାମରେ ଲାଗିଲି । ହେଲେ, ତାଙ୍କର ଇଚ୍ଛା ନ ଥାଏ କାମଟାଏ କରାଇଦେବାପାଇଁ । ମୁଁ ଉପରେ ପଡ଼ି କରିଯାଉଥାଏଁ । କାମଧନ୍ଦା କଲାବେଳେ ମତେ ଭାରି ଖୁସି ଲାଗୁଥାଏ । ମୋ ମୁଣ୍ଡରୁ କିନ୍ତୁ ଚିନ୍ତା ଛାଡ଼ୁ ନ ଥାଏ । ଭାବୁଥାଏଁ, କନେଷ୍ଟବଳଟି ମତେ ଥାନାକୁ ଆଣି ଏଠି ରଖେଇଦେଇଗଲେ । ଯାହାହେଉ, ଥାନା ହାକିମଙ୍କ ଯୋରରୁ ରକ୍ଷା ପାଇଲି । ନଇଲେ ମୋର ଦଶା ଆଉ କ’ଣ ହେଇଥାନ୍ତା । ମାଇପିଟାଏ ହୋଇ କିମିତି ପାଞ୍ଚଜଣଙ୍କ ଆଗରେ ଠିଆହୋଇ ଜବାବ ଦେଇଥାନ୍ତି ? ଭଗବାନ ତାଙ୍କ କଣ୍ଠରେ ବସିଲେ-।’’

 

‘‘ଏତିକିବେଳେ ମଚ୍‍ ମଚ୍‍ ଜୋତା ଶବ୍ଦ ଶୁଭିଲା । କେହି ଜଣେ ଲୋକ ଘର ଭିତରକୁ ପଶିଆସିଲେ । ଗୋଟାଏ କୋଠରୀକୁ ପଶିଯାଇ କ’ଣ କାଗଜପତ୍ର ଖେଳାଇଲେ । ସେ ଝିଅଟି ‘ବାପା, ବାପା’ କହି ଦଉଡ଼ିଗଲା ତାଙ୍କ ନିକଟକୁ ।’ ଟେବୁଲରେ ହାତ ବାଡ଼େଇଲା, କହିଲା, ‘ବାପା ଆମ ଘରକୁ କିଏ ଜଣେ ଆସିଚି, ତୁମେ ଦେଖିବ ଆସ ।’ ଦେଖାଇବା ପାଇଁ ସେ ଭାରି ଉଦ୍‍ବିଗ୍ନ ହୋଇଉଠିଲା । ମୁଁ ଏ ପାଖ ଘରେ ଥାଏଁ । ମତେ ସେ ଝିଅର କଥା ଶୁଣି ବଡ଼ ହସ ମାଡ଼ିଲା । କିନ୍ତୁ ହସିପକାଇଲେ କାଳେ କ’ଣ ମନେକରିବେ, ସେଥିପାଇଁ ନିଜକୁ ଟିକେ ଜଗିଲି । ତା’ପରେ ଗୋଡ଼ ଚିପି ସେ ଘରକୁ ପଶିଗଲି । କୃତଜ୍ଞତାର ଭଙ୍ଗୀରେ ତାଙ୍କ ପାଦତଳେ ମୁଣ୍ଡ ଲଗାଇ ପ୍ରଣାମ କଲି । ଦେଖିଲି, ଏ ହେଉଛନ୍ତି ସେଇ ସବ୍‍ଇନ୍‍ସପେକ୍ଟଟରବାବୁ । ସେ ମତେ କ’ଣ ଆଶୀର୍ବାଦ କଲେ ଭଲଭାବରେ ଶୁଣିପାରିଲି ନାହିଁ; ତଥାପି ତାଙ୍କର ମୋ ପ୍ରତି ଆନ୍ତରିକତା ଥିବାର ଜାଣିପାରିଲି । ସଙ୍ଗେ ସଙ୍ଗେ ଝିଅକୁ ପଚାରିଲେ, ‘ତାକୁ ଖାଇବାକୁ ଦେଲାଣି ?’ ଝିଅଟି ହୁଁ ମାରିଲା । ପୁଣି କହିଲେ, ‘ଆଚ୍ଛା, ତୁ ତାକୁ ନମସ୍କାର କରିଛୁ ?’ ସେ ଭୁଲଟାଏ କରିଛି ବୋଲି ଲାଜରା ହସଟାଏ ହସିଲା । ସେଇଠୁ ତାକୁ ନମସ୍କାରଟାଏ କରିବା ପାଇଁ ଇଙ୍ଗିତ ଦେଲେ । ପିଲାଟି ବାପାଙ୍କ କଥାରେ ଅବାଧ୍ୟ ନ ହୋଇ ମୁଣ୍ଡ ନୁଆଁଇବ ବୋଲି ମୋ ନିକଟକୁ ଲାଗିଅସିଲା । ମୁଁ ତାକୁ କାଖେଇ ନେଲି । କହିଲି, ‘ଚାଲ ଯିବା ।’ କୋଠରୀ ଭିତରୁ ଗୋଡ଼ କାଢ଼ିଲାବେଳକୁ ସଦର ଦରଜା ନିକଟରେ ଜଣେ ନୀରବ ହୋଇ ଠିଆ ହୋଇଥିବାର ଦୃଷ୍ଟି ପଡ଼ିଲା । ସେ କହିଲେ, ‘ମୁନ୍‍ସିବାବୁଙ୍କୁ ଡାକିଦିଅ ଟିକିଏ-।’ ବାବୁ ଭିତରୁ ଜବାବ ଦେଲେ । ତା’ପରେ ବୋଉ ସାଙ୍ଗରେ କ’ଣ କଥାବାର୍ତ୍ତା କରି ପଦାକୁ ବାହାରିଗଲେ ।’’

 

ଭିଡ଼ିମୋଡ଼ି ହେଲା ମଳୟା । ହାଇଟାଏ ଜୋରରେ ଛାଡ଼ିଲା । ଉଚ୍ଛ୍ୱସିତ କଣ୍ଠରେ କହିଲା, ‘‘ସେ ଝିଅଟିର ନାଁ ସେତେବେଳେ ପଚାରିଲି ଯେ କହିଲୁ ନାହିଁ । ଆଉ ବାକି ରହିନି କିଛି ବୁଝିବାକୁ ମତେ । ତୁ ଏତେ ଚାଲାଖ ? ଆମରି ଘର କଥା ସବୁ କହୁଛୁ ବାଆଁରେଇ ହେଇ । କାହିଁକି ଖୋଲି କହୁନାହୁଁ ? ତୁ ତ କହିଲୁନି । କେହି ବି ଆଜିଯାକେ ତୋ ପରିଚୟ ମତେ ଦେଲେ ନାହିଁ । ତୋ ସାଙ୍ଗରେ କଳିକରିବି ବୋଲି କି କ’ଣ ?’’

 

ସର୍ବାଣୀ କହିଲା, ‘‘ତୁ କଳି କଲେ ମୋର କ’ଣ ପାଟି ନାହିଁ ? ହଉ, ଜାଣିଲୁ ତ, ଏବେ ଶୁଣ । ତୁ ମତେ ଦେଖି ମୋ’ଠାରୁ ଯିମିତି ଟିକେ ଶ୍ରଦ୍ଧା ମମତା ପାଇଲୁ ମୋତେ ମୋଟେ ପାଖଛଡ଼ା କଲୁ ନାହିଁ । ଖାଲି କହିଲୁ, ‘ଅପା, କାଖା ମତେ ।’ ମୁଁ ତତେ କାଖେଇ ବୁଲିଲି ।’’

 

‘‘କ୍ରମେ ସନ୍ଧ୍ୟା ହେଲା । ବାପା ଅଫିସରୁ ଫେରିଲେ । ଗଣ୍ଡେ ଖାଇଦେଇ ବାହାରିଗଲେ ଟୁରରେ । ଆମେ ପଛରେ ଖିଆପିଆ କରି ଶୋଇଲୁଁ । ବୋଉ ଆମ ପାଖକୁ ଶୋଇବାକୁ ଆସି କହିଲେ, ‘ଦେଖ୍‍ ମା, ପଦାକୁ ଯିବାକୁ ହେଲେ ମତେ ଡାକିବୁ । ନୂଆ ଲୋକ । ତୁ ବାଟଘାଟ ଠଉରାଇ ପାରିବୁ ନାହିଁ । କିଛିଦିନ ଏଇଠି ରହ । ତା’ପରେ ସୁବିଧା ଦେଖି ତତେ ତୋର ସ୍ୱାମୀଘରକୁ ବିଦା କରିଦେବି । ମୁଁ ତତେ ଖୋଜିବି, ଲୋଡ଼ିବି । ତୋର କିଛି ଆଉ ଦକା ରଖିବି ନାହିଁ ।’ ବୋଉଙ୍କ କଥାଟା ଯିମିତି ଶୁଣିଲି, ମନଟା ତ ଘାଉରା ହେଲା । ବିଛଣାରେ ଆଉ ନିଦ ହେଲା ନାହିଁ । ତୁମେସବୁ ଶୋଇପଡ଼ିଲ । ମୁଁ ବିଛଣାଟାରେ ପଡ଼ି କେତେ କ’ଣ ଭାବୁଥାଏ, ବେଳେବେଳେ କାନ୍ଦିପକାଉଥାଏ । ପୁଣି କ’ଣ ସେଇ ହୀନସ୍ତା ଭୋଗିବାକୁ ଅଛି ? ଏମାନେ କ’ଣ ଶେଷରେ ଏଇଆ କରିବେ ? ମନେମନେ ସ୍ଥିର କଲି, ନା, ଏଠାରୁ ପଳାଇଯିବା ଭଲ ।’’

 

‘‘ମୁଣ୍ଡକୁ ଟେକି ଚାହିଁଲି ସବୁଆଡ଼କୁ । ନିଘୋଡ଼ ନିଦରେ ବୋଉ ଆଉ ତୁ ଶୁଶୁରି ମାରିବାଭଳି ଶବ୍ଦ ଛାଡ଼ୁଥାଅ । ଲଣ୍ଠନଟା ମିଞ୍ଜିମିଞ୍ଜି ହୋଇ ଜଳୁଥାଏ ଅଳ୍ପ ଦୂରରେ । ଟିକେ ଶବ୍ଦ ନ ହେବା ଭଳି ଖୁବ୍‍ ସାବଧାନତାର ସହିତ ବିଛଣାରୁ ଉଠିଲି । କବାଟଟା ଖୋଲିଲି ଖୁବ୍‍ ଆସ୍ତେ ଆସ୍ତେ । କିନ୍ତୁ ଦଗାଦିଆ କବାଟଟା କେଁ କରି ଶବ୍ଦ କଲା । ବୋଉ ଧଡ଼କରି ଉଠିଲେ । ନିଦୁଆ ଆଖିରେ କବାଟଆଡ଼କୁ ଚାହିଁଲେ ଅତି ବିସ୍ମୟରେ । ମୁଁ ସେତେବେଳକୁ ପଥର ପାଲଟି ଗଲିଣି । ବିଛଣାରୁ ଉଠିପଡ଼ି କହିଲେ, ‘ମତେ ଦଗାଦେବୁ କିଲୋ ? କାହାର କ’ଣ ହେବ ? ତୁ ନିଜେ ହଇରାଣ ହେବୁ । ତତେ ଏତେ ବୁଝାଇସୁଝାଇ କହିଲି । ତୁ ପୁଣି ଉଠି ଗୋଡ଼ କାଢ଼ିଲୁ ପଦାକୁ ! ତୋର ଏପରି କଥା ଯଦି ସେ ଶୁଣନ୍ତି ମୋର ଆଉ ବାସ ରଖିବେ ନାହିଁ । ତାଙ୍କ ଚାକିରି ଖଣ୍ଡିକ ତୋ ପାଇଁ ଯିବ ।’ ବୋଉଙ୍କ କଥାରେ ବାଧାଦେଇ ଛଳନା କରି କହିଲି, ‘ମୁଁ ପଦାକୁ ଉଠିଥିଲି ପରା-।’ ସେ କହିଲେ, ‘ବେଶ୍, ମତେ ଡାକିଲୁ ନାହିଁ ?’ ସେ ମୋ ସାଙ୍ଗରେ ଲଣ୍ଠନ ଧରି ଚାଲିଲେ-। ଦୁହେଁ ଆସିଲୁଁ ପଦାରୁ । ମୋ କଥାରେ ବିଶ୍ୱାସ କରି ସେ ଶୋଇଲେ । ମୁଁ ବି ଶୋଇଲି । ମୋ ମନ କିନ୍ତୁ ସଦାବେଳେ ଅସ୍ଥିର ହେଉଥାଏ । ଆଉ ଶୋଇବି କ’ଣ ? ପୁଣି ସେହି ଭାବନା ଭିତରେ ରହି ଖାଲି ଏପାଖ ସେପାଖ ହେଲି ।’’

 

‘‘ପାହାନ୍ତା ପହର ଗଡ଼ିଗଲାଣି । କୁଆଗୁଡ଼ାକ ପିଢ଼ା ଉପରେ ବସି କା କା ଶବ୍ଦ କଲେ । ସେହି ଭାବନା ପୁଣି ମୋ ମୁଣ୍ଡକୁ ଢୁକିଲା । ଏଥର କବାଟ କାଢ଼ିଲି । କେହି ତୁମେ ଆଉ ଜାଣିପାରିଲ ନାହିଁ । ତର ତର ହୋଇ ଚୋରଙ୍କ ପରି ଦମେ ଦଉଡ଼ିଲି । ଏକା ନିଃଶ୍ଵାସରେ ଗୁଡ଼ାଏ ବାଟ ଚାଲିଗଲି । ସଡ଼କଟା ଗଛ ଛାଇରେ ଅନ୍ଧାରୁଆ ଦିଶୁଥାଏ । ଆଗରେ କିଏ ଜଣେ ହାତଗୋଡ଼ ଲମ୍ବାଇ ବଡ଼ ବଡ଼ ଆଖିକରି ମୋ ଆଡ଼କୁ ଚାହିଁଲା ଭଳି ମତେ ଲାଗୁଥାଏ । ଭାରି ଡର ଲାଗିଲା । ଛାତି ଭିତରଟା ସିନା ଛନକି ଉଠୁଥାଏ, ହେଲେ ପାଦ ଯୋଡ଼ାକ ବନ୍ଦ ହେଉ ନ ଥାଏ । କ୍ରମେ ଧାନ କ୍ଷେତର ସେପାରି ଦିଗାନ୍ତରେ ପ୍ରଭାତୀ ସୂର୍ଯ୍ୟର କ୍ଷୀଣ ଆଲୋକ ଭାସି ବୁଲିଲା ଅସ୍ପଷ୍ଟଭାବରେ । ନିର୍ବୋଧ ଦୃଷ୍ଟି ମେଲି ଚାହିଁଲି ସିଆଡ଼େ । କ୍ରମେ ଚାରିଆଡ଼ ପରିଷ୍କାର ଦେଖାଗଲା । ପୁଣି ପଛକୁ ଫେରିଚାହିଁଲି, କାଳେ କିଏ ଆସୁଥିବ । ସତକୁ ସତ ଦେଖିଲି, ଜଣେ କିଏ ନାଲି ପଗଡ଼ି ପିନ୍ଧି ମୋ ଆଡ଼କୁ ଆସୁଛି । ମୁଁ ତାକୁ ଦେଖି ସଡ଼କ ତଳ ଗୋଟାଏ ଜଙ୍ଗଲିଆ ସ୍ଥାନରେ ଲୁଚିଗଲି । ସେ ଲୋକଟି ମୋ ପର୍ଯ୍ୟନ୍ତ ଆସି ସାଇକେଲରୁ ଓହ୍ଲାଇଲା । ଦେଖିଲା, କେହି କୁଆଡ଼େ ନାହାନ୍ତି । ନୀରବ ହୋଇ ଦି’ଘଡ଼ି ଠିଆହେଲା । ତା’ପରେ ତା’ର ନଜର ପଡ଼ିଗଲା ମୋ ଉପରେ । ସାଇକେଲକୁ ଡେରିଦେଇ ମୋ ନିକଟକୁ ଗଲା । ତାକୁ ଦେଖି ମୁଁ କ’ଣ କରିବି କିଛି ଉପାୟ ସ୍ଥିର କରିପାରିଲି ନାହିଁ । ଖାଲି କାନ୍ଦିଲି । ସେଇ କାନ୍ଦରେ ଯିମିତି କି ଜଣାଇଲି, ତୁ ଫେରିଯାଆ । ମୋ ବାଟରେ ମୋତେ ଯିବାକୁ ଦେ । ମୁଁ ନର୍କର ଗୋଟାଏ କୀଟ । ମତେ ତାରି ଭିତରେ ମରିବାକୁ ଦେ-। ପଥ ଓଗାଳିଲେ ତୁ କିଛି ଯଶ ପାଇବୁ ନାହିଁ । ସେ ମତେ କହିଲା, ‘ତୁ ଏତେ ଅବୁଝା-? ମୁନ୍‍ସିବାବୁଙ୍କ ପରି ମଣିଷ ଆଉ ପାଇବୁ ? ତାଙ୍କୁ ଛାଡ଼ିଲେ ତତେ ବହୁତ ବିପଦ ପଡ଼ିବ-। ମୋ କଥାଟି ମାନି ସୁନାପିଲାଟି ଭଳିଆ ଚାଲିଆ ମୋ ସାଙ୍ଗରେ ।’ ହାତ ଛନ୍ଦିରି ଚୋରକୁ ସିନା ଧରିଆଣନ୍ତି । ମୁଁ କିନ୍ତୁ ବଳେବଳେ ତା’ ପଛରେ ଆସିଲି ।’’

 

‘‘ବୋଉଙ୍କର ସେତେବେଳକୁ ମୁଣ୍ଡ ଭ୍ରମିଗଲାଣି । ଭାବୁଥାନ୍ତି, ‘ଉଡ଼ାପକ୍ଷୀଟାକୁ ଆଣିଥିଲି ଯେ, ପିଞ୍ଜରା କାଟିଦେଇ ପଳାଇଗଲା; ଆମକୁ ହଟହଟା କରିଦେଇ ଗଲା !’ ମୁଁ ଯେତେବେଳେ ନିକଟରେ ପହଞ୍ଚିଲି, ସେ ମୋ ଉପରେ ରାଗିବେ କି ଖୁସି ହେବେ କିଛି ତାଙ୍କ ଢଙ୍ଗରୁ ଠଉରାଇପାରିଲି ନାହିଁ । ମୋ ପହଞ୍ଚିବା ଦେଖି କେତେଗୁଡ଼ାଏ ଲୋକ ରୁଣ୍ଡ ହୋଇଗଲେ । ବାର କଥା କହିଲେ । ବୋଉ କାହା କଥାର ଉତ୍ତର ଦେଲେ ନାହିଁ । ମୁଁ ଘର ଭିତରକୁ ପଶିଗଲି । ବୋଉ କହିଲେ, ‘ତୋର ଯଦି ଯିବାର ଇଚ୍ଛା, ତେବେ ଭଲରେ ତତେ ବିଦା କରିଦେବି । ଏମିତିଭାବରେ ଯାଉଛୁ କାହିଁକି ? ଏମିତି ହେବାଟା ତତେ କ’ଣ ଭଲ ଲାଗୁଛି ? ଆଉରି ଅକଲ ଶିଖିବୁ ? ମୁଁ ତୋ ଲାଗି କେତେ ବାଡ଼େଇକୁଟି ହେଲିଣି, କହନି ?’ କି ଉତ୍ତର ଦିଅନ୍ତି ଆଉ ? ବୋଉଙ୍କ ହାତ ଦି’ଟା ଧରି କାନ୍ଦିଲି । ନିର୍ଲଲଜ୍ଜ କଣ୍ଠରେ କ୍ଷମା ମାଗିଲି । କହିଲି, ‘ଆଉ ଏମିତି କରିବି ନାହିଁ ବୋଉ, ମୋ ରାଣ ରହିଲା । ତୁମେ ଆଉ କିଛି ଭାବିବ ନାହିଁ ।’ ସେଦିନ ବୋଉ କାମଧନ୍ଦାରେ ଲାଗିଲେ ସିନା; ମନଟା କିନ୍ତୁ କୁଷୁଣ୍ଡାକୁଷୁଣ୍ଡା ହୋଇଥାଏ । ତାଙ୍କର ମନକୁ ପରିବର୍ତ୍ତନ କରିବାପାଇଁ ମୁଁ ନ କହିଲା ସ୍ଥାନରେ ପଦେ ପଦେ କଥା ହସିକରି କହୁଥାଏଁ । ତିନିଟା ସରିକି ହେବ ବାପା ଆସିଲେ । ମୁଁ ତ ଆଉରି ଲାଜରେ ମଲି । କୁଆଡ଼େ ଯିବି, କ’ଣ କରିବି ? ବୋଉ ତ ଏଇକ୍ଷଣି ନିଶ୍ଚୟ କହିଦେବେ ! ସେଠି ସିମିତି କେହି ସାଙ୍ଗସାଥୀ ଥିଲେ ଯେ ତାଙ୍କ ନିକଟକୁ ପଳାଇବି ? ମୋଡ଼ିଯାକି ହୋଇ ରହିଲି । ବୋଉ ସବୁ ଘଟଣା କହିଦେଲେ ବାପାଙ୍କ ଆଗରେ । ମୁଁ ଭାବିଲି, ଆସୁ ଆସୁ ତ କହିଦେଲେଣି । ବାପା ବିଗିଡ଼ିବେ କି ? ତାଙ୍କ ମୁହଁରୁ କ’ଣ ବାହାରିବ ଖାଲି କାନ ଡେରି ରହିଥାଏଁ ଶୁଣିବାକୁ । ସେ ଗୋଡ଼ ଧୋଉ ଧୋଉ ହସିଲେ । କହିଲେ, ‘ପିଲାଳିଆ ଢଙ୍ଗ । ମୋଟେ ବୁଦ୍ଧି ନାହିଁ-। ଜଗତରେ ବଞ୍ଚିରହିବାକୁ ହେଲେ କେତେ ପଥର ମାଡ଼ ସହିବାକୁ ହେବ । ତୁ ପରା ସ୍ତ୍ରୀଲୋକ ଜଣେ ! ଘରୁ ଗୋଡ଼ କାଢ଼ିବାଟା କ’ଣ ସୁନ୍ଦର ଭାବୁଛୁ ?’ ତାଙ୍କ କଥା ଶୁଣିବାବେଳେ ମୋର ଖାଲି ନିଃଶ୍ୱାସ ଘନଘନ ଯାଉଥାଏ । ହେଲେ ମୁଁ ନିଷ୍କ୍ରିୟ ହୋଇଯାଇଥିଲି । ଅଡ଼ୁଆତଡ଼ୁଆ ମନଟାକୁ ପୁଣି ବାଟକୁ ଫେରାଇଆଣିବାକୁ ଧୈର୍ଯ୍ୟ ଧରିଲି । ତାଙ୍କ କଥାଗୁଡ଼ାକ ଦରକାରୀ ଔଷଧ ଭଳି ମୋ ଦେହ ଭିତରେ ଭେଦିଯାଇ ନୂଆଚେତନା ଆଣିଦେଲା । ସେହିଦିନଠାରୁ ମୁଁ ହେଲି ତାଙ୍କର ଧରମ ଝିଅ ।’’

 

ମଳୟା କହିଲା, ‘‘ଅପା, ବୋଉ ଆଗରେ କ’ଣ କହିଲୁ, ମତେ ତ କହିଲୁ ନାହିଁ !’’ ସର୍ବାଣୀ ହସିଲା; କହିଲା, ‘‘ମୋ ଜୀବନକୁ ଲେଖିବସିଲେ ଗୋଟାଏ ଉପନ୍ୟାସ ହେବ । ତୁ ଧୈର୍ଯ୍ୟ ଧରି ଶୁଣିଲେ ହେଲା । ତୁ ତ ନିଦେଇଆସିଲୁଣି । ଆଉ ଶୁଣିବୁ କ’ଣ ?” ମଳୟା ଅନିଚ୍ଛାକଣ୍ଠରେ କହିଲା, ‘‘ନାହିଁ ଥାଉ । କାଲି କହିବୁ ଏକା ।’’ ଦୁହେଁ ଶୋଇଲେ । ରାତି ନିଃଶବ୍ଦ ହୋଇଗଲାଣି ସେତେବେଳକୁ । ପୁଅଟା ଫୁଙ୍ଗୁଳା ହୋଇ ପଡ଼ିଥାଏ । କଥା ଭିତରେ ବୁଡ଼ିରହି ପୁଅ କଥା ଖିଆଲ ନାହିଁ ଆଉ ସର୍ବାଣୀର । ଛାତିପାଖକୁ ଆଉଜାଇ ଆଣିଲା ତାକୁ । ଚୁଁ ଚୁଁ କରି ବାବୁଲା ଦୁଧ ଖାଇବାରେ ଲାଗିଲା । ତା’ ପିଠିରେ ସର୍ବାଣୀ ହାତ ବୁଲାଇଆଣିଲା । ଟାଉଁସିଆ ହାତରେ ତା’ର କୋମଳତା ଲାଭ କରି ଭାବିଲା, ଜୀବନର ଶେଷ ବସନ୍ତରେ ଉନ୍ମାଦିନୀ ହୋଇ ବୁଲୁବୁଲୁ ପାଇଲି ଶତ ଶିବପୂଜାର ଫଳସ୍ୱରୂପ ପ୍ରାଣର ଦେବତା, ଯାହାଙ୍କୁ ଜୀବନଯୌବନ ସମର୍ପଣ କରି ପାଇଛି ଏ ମଣିଟିକୁ, ଯାହାଙ୍କ ଅମାପ ସ୍ନେହର ପ୍ରତିଦାନ ଏଇ ବାବୁଲା ।

 

ତିନି

 

ବଡ଼ଦିନ ଛୁଟି । ଧାନକଟା ପ୍ରାୟ ସରିଆସିଲାଣି । ଷାଣ୍ମାସିକ ପରୀକ୍ଷାଟା ଦେଇ ମଳୟା ନିଜକୁ ଟିକେ ହାଲୁକା ମନେକରିଛି । ଛୁଟିରେ କେଉଁଆଡ଼େ ବୁଲିଯିବାକୁ ମନରେ ତା’ର ବାସନା ଜାଗିନି । ବାବୁଲା ଆଉ ଅପା–ଏହାଙ୍କ ପାଖରେ ସମୟଗୁଡ଼ା କଟାଇଛି । ମଳୟାକୁ ଦେଖି ସର୍ବାଣୀ ମଧ୍ୟ ବାବୁଲା ଧନ୍ଦାରୁ ଟିକିଏ ରକ୍ଷା ପାଇଛି । ସର୍ବାଣୀ ପୁଅ ଲାଗି ଗୋଟିଏ ସ୍ଵେଟର ବୁଣୁଥାଏ । ମଳୟା ପୁଅକୁ କାଖେଇ ପହଞ୍ଚିଲା ତା’ ନିକଟରେ । କହିଲା, ‘‘ଅପା, ସେତିକିରେ କ’ଣ ଶେଷ ହୋଇଗଲା ? ମତେ ତ ଶେଷବେଳକୁ ନିଦ ମାଡ଼ିବସିଲା । ମୁଁ କରନ୍ତି କ’ଣ ? ଆଖି ଦି’ଟାକୁ ସମ୍ଭାଳି ପାରିଲି ନାହିଁ । ତୁ କେତେବେଳେ ଶୋଇଲୁ ?” ଆଉ କ’ଣ କହିଆସୁଥିଲା, ଚିଡ଼ିଚିଡ଼ି ହୋଇ ସର୍ବାଣୀ କହିଲା, ‘‘ମୋର ସବୁ ଭୁଲ ହେଲା । କହନି, କାହିଁକି ଗୋଳମାଳ କରୁଛୁ ? ସିଧାଜାଗାରେ ଓଲଟା, ଓଲଟା ଜାଗାରେ ସିଧା ବୁଣି ଦୁଇଟା ଧାଡ଼ି ଭୁଲ କରିଦେଲାଣି । ଏତକ ନ ଫିଟାଇଲେ ଆଉ ହେବ ନାହିଁ ।’’ ମଳୟା ତା’ ବୁଣାକୁ ଅବଜ୍ଞା କରି କହିଲା, ‘‘ଏଇଟା ଭଲ ପେଟର୍ନ ନୁହେଁ । ସବୁ ଫିଟାଇ ଦେ; ମୁଁ ଆଉ ଗୋଟାଏ ଲଗାଇଦେବି ।’’ ସର୍ବାଣୀ କିନ୍ତୁ ରାଜି ହେଲା ନାହିଁ ସେଥିରେ । ଅନେକ ସମୟର ଶ୍ରମକୁ ତା’ କଥା ପଦକରେ ବ୍ୟର୍ଥ କରିଦେବାକୁ ମୋଟେ ପସନ୍ଦ କଲା ନାହିଁ । କହିଲା, ‘‘ମତେ ତ ଭଲ ଦିଶୁଛି, ତୁ ସେଥିରୁ କ’ଣ ପାଇବୁ କହନି ?” ‘‘ହେଲେ ପୁଅ ପିନ୍ଧିବି ନାହିଁ ସେଇଟା । ତୁ ତୋର ପିନ୍ଧିଲେ ପିନ୍ଧିବୁ ।” ଏହା କହି ଦରବୁଣା ସ୍ଵେଟରଟାକୁ ଛଡ଼ାଇନେଲା ତା’ ହାତରୁ ମଳୟା । ସର୍ବାଣୀ ବଲବଲ କରି ଚାହିଁଥାଏ । ମଳୟା ସ୍ଵେଟରକୁ କେଉଁଠି ଲୁଚାଇଦେଇ ଫେରିଲା । ଅନୁନୟ କଣ୍ଠରେ କହିଲା, ‘‘କହ ଏଥର ।” ସର୍ବାଣୀ ଦୃଷ୍ଟି ଫେରାଇଲା କବାଟକଣକୁ । ପାନଡାଲାଟା ଥୁଆ ହୋଇଥାଏ । ଟାଣିଆଣି ପାନ ଖଣ୍ଡେ ଭାଙ୍ଗିବସିଲା । କହିଲା, ‘‘ତୁ ସେ କଥା ଶୁଣିଲେ ବିଗିଡ଼ିଯିବୁ । କହିବିନି ତତେ ।” ‘‘ହେଲେ ମତେ ପଛେ... !” ମଳୟା ଆଉ କ’ଣ କହିଆସୁଥିଲା । ସର୍ବାଣୀ କହିଲା, ‘‘ଓଃ ! ବାହା ହେବୁନାହିଁ ପରା ! ଏଇମିତି ସମସ୍ତେ କହନ୍ତି ।” ମଳୟା କହିଲା, ‘‘କାହିଁକି ବାଜେ କଥା କହୁଛୁ, କହନି ?” ସର୍ବାଣୀ କହିଲା, ‘‘ଆଲୋ, ତୋ ବା’ଘର କଥା ! ସେଇଟା ପୁଣି ବାଜେ ?” ଗୋପନ ଆନନ୍ଦରେ ଅଭିଭୂତ ହୋଇପଡ଼ିଥିଲା ମଳୟା ।

 

ମଳୟାର କଥା ଭାଙ୍ଗିପାରିଲାନି ସର୍ବାଣୀ । ପାନ ଖଣ୍ଡକ ପାଟିରେ ପୂରାଇ ହାତଟାକୁ ପୋଛିପୋଛି ସଫା କଲା । ତା’ ଆଡ଼କୁ ଚାହିଁ ଦେଖିଲା, ସେ ଯିମିତି ଶୁଣିବାକୁ ଉତ୍କଣ୍ଠିତ ହୋଇପଡ଼ିଛି ।

 

ଆରମ୍ଭ କଲା । ‘‘ବେଳ ଦଶଟା ହେବ । ଆମର ଖିଆପିଆ ଲାଗିଥାଏ । ବାପାଙ୍କୁ ମୁଁ ଭାତ ଆଣି ଦେଇସାରିଲି । ବାପା ଖାଉଥାନ୍ତି । ବୋଉ ତାଙ୍କଠୁଁ ଅଳ୍ପ ଦୂରରେ ବସି ମୁଗ ରଗଡ଼ିଲେ-। ମତେ ସେଇଠିକି ଡାକିଲେ । ମୁଁ ଯିମିତି ସେଠି ବସିପଡ଼ିଲି, କହିଲେ, ‘ତୋର କ’ଣ ଇଚ୍ଛାଟା, କହନି ? ସଫା ସଫା କହ । ମୁଁ ତୋର ବାଟ କରିବି । ନାଇଁ ତ ମତେ ନିନ୍ଦା ହେବ ।’ ମୁଁ ଢୋକି ଢୋକି ହୋଇ କହିଲି, ‘କେଉଁଠାକୁ ଆଉ ଯିବି ? ଶାଶୁଘର ବୋଲି କହୁଛ ଯେ, କିଏ ମୋର ଶାଶୁଘର ? କିଏ ମୋର ସ୍ୱାମୀ ? କେଉଁଠିକି ଯିବି ନାହିଁ ।’ ବାପା ଖାଉ ଖାଉ କହିଲେ, ‘ନାଇଁ, ତାକୁ ବାଧ୍ୟ କରନା । ତା’ର ଯଦି ମନ ନାହିଁ, ଆମେ ଜାଣିଶୁଣି କାହିଁକି ତାକୁ ନିଆଁ ଭିତରକୁ ଠେଲିଦେବା ? ସଦାବେଳେ ଅଶାନ୍ତି, ଦୁଃଖ ଭୋଗିବା ଅପେକ୍ଷା ଏଇଠି ପଡ଼ିରହିବା ଭଲ-। ତେଣିକି ତା’ ଭାଗ୍ୟରେ ଯାହା ଥିବ ।’ ବୋଉ ତାଙ୍କ କଥାରେ ବାଧା ଦେଇ କହିଲେ, ‘ଏଇଟା କ’ଣ ଦାଣ୍ଡକୁ ସୁନ୍ଦର ? ବୟସ ବେଳେ ଯଦି ଘରସଂସାର କରି ସୁଖରେ ରହି ନ ପାରିଲା ତେବେ ଗଧ ଘୁଷୁରିପରି ପେଟକୁ ଗଣ୍ଡେ ଖାଇ ଲାଭ କ’ଣ ? ମନକୁ ଘେନିଲା ଭଳି କଥା କହ । ତା’ରି ବୟସର ଝିଅମାନେ ବାହା ହୋଇନାହାନ୍ତି । ତାକୁ କ’ଣ ପାଖରେ ରଖି ଆଉରି କନ୍ଦାଇବ ?’ ବାପା କହିଲେ, ‘ବୁଝିଲି ! ତେବେ ସେଥିପାଇଁ ଧୈର୍ଯ୍ୟ ଧରିବାକୁ ହେବ । ଏତେ ଟକଟକ ହେଲେ ଚଳିବ ନାହିଁ । ଏଇଟା କିଛି ବଜାର ସଉଦା ହୋଇ ନାହିଁ ।’

 

‘‘ବାପା ବୋଉଙ୍କର ଏପରି କଥାବାର୍ତ୍ତା ବେଳେ ମୁଁ ସେଠାରେ ବସିରହିବାକୁ ମନ କଲି ନାହିଁ । ଗୋଟାଏ ପ୍ରକାର ଯାତନା ଅନୁଭବ କଲି । ବିରାଡ଼ିଟାଏ ବାପାଙ୍କ ଅଇଁଠା ଥାଳି ପାଖକୁ ଗଲା । ମୁଁ ଏଇ ସୁବିଧା ପାଇ ହାତ୍ ହାତ୍ କରି ଉଠିଗଲି ତାକୁ ମାରିବାକୁ । ବିରାଡ଼ିଟି ମୋ ପାଟି ଶୁଣି ପଳାଇଗଲା । ମୁଁ ଅଇଁଠା ବାସନା ଉଠାଉଥାଏଁ । କାନ ଥାଏ ବାପାବୋଉଙ୍କ କଥାଆଡ଼କୁ । ଘଡ଼ିକ କାମକୁ ସେଇଥିଲାଗି ଦି’ଘଡ଼ି ଲଗାଇଥାଏ । କିନ୍ତୁ ହେଲା ନାହିଁ । ସେ ଆଉରି ଥିରି ଥିରି କଥାବାର୍ତ୍ତା ହେଲେ । ମୋ ମନଟା ସେତେବେଳେ ଖାଲି ରାମ୍ପୁଡ଼ି କାମ୍ପୁଡ଼ି ହେଉଥାଏ । ବାସନ ଦି’ଟା ଗୋଟାଇବାକୁ କେତେବେଳ ଅବା ଲାଗନ୍ତା । ମୁଁ ବାଧ୍ୟ ହୋଇ ଉଠିଲି । କୂଅମୂଳକୁ ଗଲି । ଫେରିଲାବେଳକୁ ବାପା ଆଉ ନାହାନ୍ତି । ବଡ଼ ହାଇପିସାଇପି ହେଲି । ବାପା କ’ଣ ଆଉ ଆସିବେ ନାହିଁ ? ବୋଉ କ’ଣ ଏତେ ଚଞ୍ଚଳ ମୋ କଥା ଶେଷ କରିଦେଲେ ?’’

 

ମଳୟା ଖୁସି ହୋଇ କହିଲା, ‘‘ମତେ କହିଲୁ ନାହିଁ ? ମୁଁ ତ ବାପାଙ୍କୁ ଭିଡ଼ିଓଟାରି ଧରିଥାନ୍ତି । ଶେଷ ମୀମାଂସା ନ କଲା ପର୍ଯ୍ୟନ୍ତ ଛାଡ଼ି ନ ଥାନ୍ତି । ଜଣକୁ ଏତେ ଡହଳବିକଳ କରିବା ଅପେକ୍ଷା ତା’ ବାଟରେ ତାକୁ ବିଦା କରିଦେବା ଦରକାର । ହୁଏତ ଟିକିଏ କଷ୍ଟସାଧ୍ୟ । ନଚେତ୍ କେଉଁକଥା ଅସମ୍ଭବ ହେଲାଣି ?’’

 

ସର୍ବାଣୀ ବିଦ୍ରୂପ କରି କହିଲା, ‘‘ଯାହାଦ୍ୱାରା ସାଗ ସିଝିବ ନାହିଁ, ତାକୁ କହି ଲାଭ କ’ଣ-? ତୁ ତ ସେତେବେଳେ ଧୂଳିଖେଳ ପିଲାଟା । କ’ଣ ବୁଝିଥାନ୍ତୁ ଏ କଥାରୁ, କହନି ? ଆଉ ଗାଉଁଲି ସ୍ତ୍ରୀମାନେ ସାଧାରଣତଃ ଲଜ୍ଜାଶୀଳା । ଅନ୍ୟ ଆଗରେ ପ୍ରାଣ ଖୋଲି ଏଭଳି କଥା କହିବାକୁ ଭୀରୁତା ପ୍ରକାଶ କରିଥାନ୍ତି । ମୁଁ ତ ତୋ’ପରି ଏତେ ଆଗୁଆ ହୋଇ ନ ଥିଲି । କାହା ଆଗରେ କହିଥାନ୍ତି ? ତୋର ତ ବେଳକାଳ ଆସୁଛି । ତୋ ମନଲାଖି ବରଟିଏ ବାଛିଥାଆ । ଦରକାର ବେଳେ ମୋ ଆଗରେ କାହିଁକି, ବାପାଙ୍କ ଆଗରେ କହିଦେବୁ । ବାପାଙ୍କୁ ଆଉ ହଇରାଣ ହେବାକୁ ପଡ଼ିବ ନାହିଁ ।’’

 

ମଳୟାର ଅଧର କୋଣରେ ହାସ୍ୟର ଏକ ତରଙ୍ଗ ସୃଷ୍ଟି ହୋଇଥିଲା । ସୁକୋମଳ ଗଣ୍ଡ ଦୁଇଟି ତା’ର ତରଙ୍ଗାୟିତ ହୋଇ ଫୁଲି ଉଠିଥିଲା ଉପରକୁ, ଯିମିତି ପୂର୍ଣ୍ଣିମା ଚାନ୍ଦର ରଜତ କିରଣ ସ୍ପର୍ଶରେ ସମୁଦ୍ରର ବୁକୁ ଫୁଲିଉଠେ । ଜୋର ଗଳାରେ କହିଲା, ‘‘ହଁ, କହିଲେ କ୍ଷତି କ’ଣ ? ନିଜର ଅଭାବଟାକୁ ପୂରଣ କରିବାକୁ କହିପକାଇଲେ କ’ଣ ଦୋଷ ଲାଗିଯିବ ? ସେ ସବୁ ବୁଝିବା ଭ୍ରମ । ତା’ଦ୍ୱାରା ବରଂ ଜୀବନର ଅବସାଦ ମେଣ୍ଟିବ । ଚିରଦିନ ଶାନ୍ତିରେ କଟିବ । ତୁ ତୋ କଥା କହିବାକୁ ଯାଇ ମଝିରେ ମଝିରେ ମତେ କାହିଁକି ଚୁମୁଟି ଦେଉଛୁ, କହନି ? ଏଇଟା ଗୋଟାଏ ତୋର ବଦ୍ ସ୍ୱଭାବ, ଦେଖୁଚି ।’’

 

ସର୍ବାଣୀ କହିଲା, ‘‘ହଉ, କାନିରେ ଗଣ୍ଠିପଡ଼ିଲା । ଜିଇଥିଲେ ପୁଣି ଦେଖିବି ଯେ । ମୁଁ କିନ୍ତୁ ତାଙ୍କ ପାଖରେ ମୋଟେ ମୁହଁ ଖୋଲିପାରିଲି ନି । ସବୁଦିନେ ବାପା ଥାନାରୁ କାଗଜପତ୍ର ଘାଣ୍ଟିଚକଟି ଆସନ୍ତି । ବସାକୁ ଆସିଲେ ବି ସେଇକଥା । ଘରେ ଖାଲି ଖାଇବା ଗଣ୍ଡାକ ତାଙ୍କର ସାର । ମୋ ସାଙ୍ଗରେ ତାଙ୍କର ଏଇ ଭାତ ଖାଇଲାବେଳେ, ପାନ ଭାଙ୍ଗିଲାବେଳେ ପଦେ ଦି’ପଦ କ’ଣ କଥାବାର୍ତ୍ତା ହୋଇଥାଏ । ମୁଁ ମଧ୍ୟ ସେତିକିରେ ଯଥେଷ୍ଟ ଆନନ୍ଦ ପାଏଁ । ଘରଧନ୍ଦା ଛିଣ୍ଡିଲେ ଟିକେ ପଦାକୁ ବୁଲିଯିବାକୁ ମନଟା ବ୍ୟସ୍ତ ହୁଏ । ବୋଉଙ୍କୁ କହେଁ । ବୋଉ ମତେ ଯିବାପାଇଁ ସୁବିଧା ଦିଅନ୍ତି । ଆମ ବସାକୁ ଲାଗି ଏ.ଏସ୍.ଆଇଙ୍କ ବସା । ତାଙ୍କର ଗୋଟିଏ ଝିଅ ଥାଏ । ତା’ ନା ଅଞ୍ଜନା । ବୟସରେ ମୋଠୁ ଅଳ୍ପ କିଛି ସାନ ହେବ । ସେ ତୋ’ପରି ଏତେ ଆଉ ପାଠଶାଠ ପଢ଼ି ନ ଥିଲା । ଝିଅଟାକୁ ପାଠ ପଢ଼େଇବା ଯିମିତି ଗୋଟାଏ ମୂର୍ଖତା ବା ଅବିବେକିତାର କାର୍ଯ୍ୟ ବୋଲି ତା’ର ଅଭିଭାବକମାନେ ମନେ କରୁଥିଲେ ବୋଧହୁଏ । ତେଣୁ ସେ ପାଠପଢ଼ାରୁ ବଞ୍ଚିତ ହୋଇ ଘରଧନ୍ଦା କରୁଥାଏ । ବେଳେବେଳେ ବୁଣାବୁଣି କାମ ଶିଖୁଥାଏ । ମୁଁ କାଳେ ଭଲକାମ ଜାଣିଥିବି ଏଇଥିଲାଗି ସେ ଦିନେ ମୋ ନିକଟକୁ ଆସିଲା । ମୁଁ ଯାହା ଜାଣେ ତାକୁ ଶିଖାଇଲି । ତା’ର ମୋର ଦେଖାଚାହାଁ ହୋଇଯିବା ଦିନରୁ ସେ ମତେ ତାଙ୍କ ଘରକୁ ବୁଲିଯିବାକୁ ଡାକେ । ମୁଁ ମଧ୍ୟ ଯାଏ । ମତେ ତା’ ବୋଉ ଖୋଳିତାଡ଼ି ଅନେକ କଥା ପଚାରନ୍ତି । ମୁଁ କିନ୍ତୁ କିଛି କହେ ନାହିଁ । କହିବାପାଇଁ ଦେହ ଭିତରୁ ଯିମିତି କିଏ ମନାକରେ । ଏଥିରେ ତାଙ୍କର ସନ୍ଦେହ ହେବାର କଥା । ବୋଉ କିନ୍ତୁ ତାଙ୍କୁ ବାଆଁରେଇ କହିଥାନ୍ତି, ସେ ମୋ ପିଉସୀ ଝିଅର ଝିଅ; ମୋ ଝିଆରୀ । ବୋଉର ଏ କଥା ଶୁଣି ମୁଁ ଭିତରେ ଭିତରେ ହସେ ।’’

 

‘‘ଅଞ୍ଜନା ସାଥିରେ ମୋର ଖେଳର ଆସର ଜମେ । କେଉଁଦିନ ଲୁଡୁ, କେଉଁଦିନ ତାସ-। ଅଞ୍ଜନାର ସାଙ୍ଗସାଥୀ ହେନା, ମାଧବୀ, ସୁକାନ୍ତି ଆଦି ଆସି ଜୁଟନ୍ତି । ଖେଳଟା ଭଲ କରି ବଢ଼ିଚାଲେ । ସବୁଠୁଁ ଅଞ୍ଜନା ମୋର ବଡ଼ ସାଥୀ । ତାକୁ ଆଜି ବି ଭୁଲି ହେଉ ନାହିଁ । ବିଚରା ବାହା ହୋଇ ଏଇକ୍ଷଣି କେଉଁଠି ବସିଥିବ । ତା’ ସଂସାର ଗଢ଼ି ଚାଲିଥିବ । ତା’ କଥା ମନେପଡ଼ିଲେ ମନଟା କ’ଣ ନାଇଁ କ’ଣ ବେଳେ ବେଳେ ହୋଇଯାଏ । ଖେଳରୁ ଉଠିଲେ ମୁଁ ମୋ ଧନ୍ଦାକୁ ବାହାରିଆସେଁ । ଦେଖେଁ ତ ଅଞ୍ଜନା ମୋ ପଛେ ପଛେ ଆସୁଛି । ପୁଣି ଏଇକ୍ଷଣି ବୁଣାବୁଣି ଶିଖିବାକୁ କହିବି କି କ’ଣ । ମୁଁ କାମଧନ୍ଦା ଛାଡ଼ି କିମିତି ତାକୁ ବତେଇ ଦେବି ! ଦିନଆସି ଗଡ଼ିଗଲାଣି । ମୋ ଭାବନା ମୋ’ଠାରେ ରହିଯାଏ । ସେ ମୋ ପାଖରେ ଆସି ବସେ । ହାତରୁ ଛଡ଼ାଇ କାମଗୁଡ଼ାକ କରିପକାଏ । ଯେତେ ମନାକଲେ ମାନେ ନାହିଁ । ମର୍ଦ୍ଦ ଗୋଟାକର ବଳ ତା’ଠି-। ଚଟାଚଟ୍ କାମଗୁଡ଼ାକ କରିଯାଏ । ମୋ ଆଖି ଖୋସିହୋଇଯାଏ । ମତେ ମାଡ଼ି ମାଡ଼ି ପଡ଼େ-। ତେଣୁ ସେ ତାଙ୍କ ଘରେ କାମ କରୁଥିବାବେଳେ ମୁଁ ଯାଇ ତାକୁ ସାହାଯ୍ୟ କରେଁ । ବହେ ହସଖୁସି ହୁଏ । ନିରୋଳାବେଳେ ମତେ ସେ ପ୍ରେମରାଇଜର କାହାଣୀ ଭିତରେ ବୁଡ଼ାଇଦିଏ । ମୁଁ ତ ତା’ଠୁଁ ଆହୁରି ବଡ଼ ଓସ୍ତାତ୍ । ତେଣୁ ମୋ କଥା ଶୁଣି କାମପୀଡ଼ାରେ ସେ ମାତୁଆଲ ହୋଇଉଠେ-। କହେ, ‘ସତେ, ସାବି ଅପା ! ପ୍ରେମର ମହିମା ଏମିତି ?’ ମୁଁ ସେ କଥାକୁ ଆଉଟିକେ ଭଲଭାବରେ ବ୍ୟାଖ୍ୟା କରେଁ । ପ୍ରେମ ପାଇଁ ଜଗତ ତିଷ୍ଠିଛି । ଶ୍ରୀକୃଷ୍ଣ ପ୍ରେମର ମହିମା ଗାଇବା ପାଇଁ ନିଜ ଜୀବନର ଉଜ୍ଜ୍ୱଳ ଦୃଷ୍ଟାନ୍ତ ଥୋଇଦେଇଛନ୍ତି ସମସ୍ତଙ୍କ ଆଗରେ । ଆଉ ନଳରାଜାଙ୍କ ସଙ୍ଗେ ଦମୟନ୍ତୀଙ୍କର ପ୍ରେମର ବିନିମୟ, କାନନଚାରିଣୀ ଋଷିକନ୍ୟା ଶକୁନ୍ତଳାଙ୍କ ସଙ୍ଗେ ପ୍ରେମାସକ୍ତ ଦୁଷ୍ମନ୍ତଙ୍କର ନିରଙ୍କୁଶ ବିହାର, ଏଇମିତି କେତେ ଜୀବନର ଶାଶ୍ୱତ ପ୍ରେମ ଲିପିବଦ୍ଧ ହୋଇରହିଛି-। ତେଣୁ ପ୍ରେମ ବିନା ସୃଷ୍ଟି ଯିମିତି ନିରର୍ଥକ, ନିଃସ୍ୱ, ଜଡ଼ । ମୋ’ଠାରୁ ଏ କଥା ଶୁଣି ସେ ନିଜକୁ ଶୂନ୍ୟ କରିଦିଏ ମୋ ପାଖରେ ।’’

 

‘‘ଅଞ୍ଜନା ମୋ ବିଭାଘର ବିଷୟରେ କେତେବେଳେ ବା କାହାଠାରୁ କ’ଣ ଶୁଣେ, ମୋ ଆଗରେ ଆସି ଫୋଡ଼ିଦିଏ । ସତେ ଯିମିତି ଏଇ ଆଠ ଦିନ ଭିତରେ ତା’ର ମୋର ଆଉ ଦେଖା ହେବ ନାହିଁ । ତା’ ବୋଉ କେତେଥର ଆମ ଘରକୁ ଆସନ୍ତି । ବୋଉ ତାଙ୍କୁ ମୋ ବିଭାଘର ସମ୍ବନ୍ଧରେ କହନ୍ତି କି କ’ଣ । ସେଇଥିରେ ତ ସେ ଆନନ୍ଦରେ ନାଚିଉଠେ । ମୋର କିନ୍ତୁ ତା’ କଥାରେ ଟିକିଏ ହେଲେ ଆନନ୍ଦ ଆସେ ନାହିଁ । କାରଣ, ମୁଁ ମନେକରେଁ, ଆଖି ବାଳରେ କ’ଣ ସତରେ ଗଣ୍ଠି ହେବ ? ଗୋଟାଏ ହତାଶାର ଝଡ଼ ଖେଳିଯାଏ ମୋ ଅବୟବ ଭିତରେ; ଦୋହଲିଯାଏ ସେଥିରେ । ଯେତେ ସ୍ଥାନରେ ବାପା ପ୍ରସ୍ତାବ ପକାନ୍ତି, ସମସ୍ତେ ନିରାଶ କରନ୍ତି । କହନ୍ତି, ସେ କ’ଣ ତାଙ୍କ ଝିଅ ? କେଉଁଠୁ ଗୋଟେ ବାରବୁଲି ଆସି ଆଶ୍ରୟ ନେଇଛି ତାଙ୍କ ଘରେ । ତା’ର ଜାତିଗୋତ୍ର ନା ମାନ ଇଜ୍ଜତ୍‍ ଅଛି ? ରୂପ ଥିଲେ କ’ଣ ହେବ, ଗୁଣ ନାହିଁ । ଗୁଣ ଲାଗି ସିନା ଆଦର । ମୋ ଆଗରେ ଅବଶ୍ୟ କେହି କହନ୍ତିନି; କିନ୍ତୁ ଅଞ୍ଜନା ଶୁଖିଲା ମୁହଁ କରି ମତେ କହିଦେଇଯାଏ । ସେତେବେଳେ ଦେହର ନାଡ଼ିଗୁଡ଼ା ଟିକ୍ ଟିକ୍ ହୋଇ ଛିଡ଼ିଗଲା ଭଳି ଅନୁଭବ କରେ । ମୁଣ୍ଡଟା ଝିମ୍ ଝିମ୍ ହୋଇଯାଏ । ସେ ବି ମୋ ହାବଭାବ ଦେଖି ଦୁଃଖରେ ଭାଙ୍ଗିପଡ଼େ ।’’

 

‘‘ଦିନେ ଅଞ୍ଜନାବୋଉ ମହାଦେବଙ୍କ ନିକଟକୁ ଯିବାପାଇଁ ଆମକୁ ଆସି କହିଲେ । ମନ୍ଦିରଟା ସେଠାକୁ ବାଟ ପାଏ ଖଣ୍ଡେ ହେବ । ବୋଉ ଭଲ ଶାଢ଼ି ଖଣ୍ଡିଏ କିଣିଆଣି ମତେ ପିନ୍ଧିବାକୁ ଦେଲେ । ମୁଁ ଯେତେ ମନାକଲି, ହେଲା ନାହିଁ । ଚଞ୍ଚଳ କରି ଖିଆପିଆ ବଢ଼ାଇ ବେଶଭୂଷା ହେଲି । ବୋଉ, ତୁ ଆଉ ମୁଁ ଆମେ ତିନି ଜଣ, ସେ ମା ଝିଅ ଦୁଇ ଜଣ, ଚାଲିଲେ ଗୋଟାଏ ଗଳିବାଟ ଦେଇ । ଅଞ୍ଜନା କହିଲା, ‘ସାବି ଅପା, ଆମେ କୁଆଡ଼େ ଯାଉଛେଁ କହନି ।’ ତୋ କଥାରୁ ଅନୁମାନ କଲି, ଗୋଟାଏ କିଛି ରହସ୍ୟ ଅଛି ବୋଧହୁଏ । କଥାଟା ଆଦାୟ କରିବାପାଇଁ ତା’ପାଖକୁ ଲାଗିଗଲି । ତା’ କାନ୍ଧରେ ହାତ ପକାଇ କହିଲି, ‘ତୋର ଆଉ ଚିନ୍ତା କ’ଣ କି ? ଗୋଟାଏ କୁଆଡ଼ୁ କିଛି ଉଡ଼ା ଖବର ପାଇଛୁ ବୋଧହୁଏ ।’ ସେ ସ୍ମିତ ହାସ୍ୟରେଖା ଫୁଟାଇ କହିଲା, ‘ଉଡ଼ା ଖବର କ’ଣ ହାତକୁ ଆସେନି ? ଧରିଜାଣିଲେ ହେଲା’ ।’’

 

‘‘ତା’ କଥାଗୁଡ଼ାକ ମତେ କାହିଁକି ଭଲ ଲାଗିଲା ନାହିଁ । କହିଲି, ‘କ’ଣ ଗୁଡ଼ାଏ ନାଟକୀୟ ଭଙ୍ଗୀରେ କହିଚାଲିଛୁ ?’ ମୋ ମୁଣ୍ଡଟାକୁ ହଲାଇଦେଇ ସେ କହିଲା, ‘ମୋ କଥାକୁ ତେବେ ମିଛ ବୁଝୁଛୁ । ହଉ ଚାଲ, ଆଉ ଅଳପ ବାଟ ତ ।’ ମୁଁ ତା’ର ଓଠକୁ ପାଞ୍ଚ ଆଙ୍ଗୁଳିଆ କରି ଆଉଁସିଦେଲି । ଶୁଖିଲା ମୁହଁରେ ହସର ରେଖା ଟାଣି କହିଲି, ‘କ’ଣ କହନି । ତତେ ମୋ ରାଣ ।’ ସେ କହିଲା, ‘କହିବି; ମତେ କ’ଣ ଦେବୁ କହନି ?’ ଖାଲି ହସୁଥାଏ । ମୁଁ କହିଲି, ‘ଜାଣିଛୁ ନା ପୁଣି ଚିଡ଼ାଉଛୁ, ଦି ପୁଞ୍ଜା ବିଧା ଦେବି । ନ କହ; ତୋ କଥା ତୋଠେଇଁ ଥାଉଁ । ମୁଁ ଶୁଣି ପକାଇଲେ କେଉଁ ବଡ଼ ହୋଇଯିବ ଯେ । ଆଉରି ସେଇ ଘଟଣାଟାରେ ମନଟା ବେଶି ଛଟପଟ ହେବ ।’ ସେ ପୁଣି ସେଇମିତି ଥଟ୍ଟା କରି କ’ଣ କହିଆସୁଥିଲା, ବୋଉ ପଛକୁ ଚାହିଁଲେ । କହିଲେ, ଏ ଦି’ଟା ବୁଢ଼ୀହାଡ଼ି ପରି କିମିତି ସାତପଛରେ ପଡ଼ିଛନ୍ତି ଦେଖ ତ । ତାଙ୍କ ପାଖକୁ ଲାଗିଯିବା ପାଇଁ ଆମେ ଟିକେ ଚଞ୍ଚଳ ପାଦ ପକାଇଲୁ । ଖଣ୍ଡେ ଦୂରରୁ ଦୁଇଟି ସ୍ତ୍ରୀଲୋକ ଆସିଲେ । ବୋଉହେରିକାଙ୍କ ସାଙ୍ଗରେ କ’ଣ କଥାବାର୍ତ୍ତା କଲେ । ଏଇ କଥାବାର୍ତ୍ତା ଭିତରେ ଆମେ ପହଞ୍ଚିଗଲୁଁ ମନ୍ଦିର ନିକଟରେ-।’’

 

‘‘ମନ୍ଦିରଟି ସାଳନ୍ଦୀ ନଦୀ କୂଳରେ । ଯିମିତିକି ନଦୀଜଳ ତା’ର ପାଦ ଧୋଇଦେଉଛି । ଅନ୍ୟ ପଟରେ ଗୋଟିଏ ପର୍ବତ । ସେ ତାକୁ ଚାମର ବିଞ୍ଚିବାରେ ଲାଗିଛି । ନଦୀ ଓ ପର୍ବତ ଏ ଦୁହେଁ ଯିମିତି ଦେଉଳର ଦେହରକ୍ଷୀ ହୋଇ କେଉଁ ଅନାଦି କାଳରୁ ନିର୍ଲିପ୍ତଭାବରେ ସାକ୍ଷ୍ୟ ଦେଇ ଆସୁଛନ୍ତି । ସ୍ଥାନଟି ବେଶ୍‍ ମନୋହର, ନିକାଞ୍ଚନ । ପ୍ରାଚୀନ ଶିଳ୍ପୀଙ୍କର ଶିଳ୍ପନୈପୁଣ୍ୟ, ରାଜା ମହାରାଜାମାନଙ୍କର ଦେବାଦେବୀମାନଙ୍କ ପ୍ରତି ଅଟଳ ବିଶ୍ୱାସ ଏହି ସତ୍ୟକୁ ପ୍ରତିପାଦନ କରି ଦେଉଳଟି ଏ ଯୁଗର ଗର୍ବର ସମ୍ଭାର ହୋଇ ରହିଛି । କିନ୍ତୁ ଆଜି ଦେଶରେ ସେ ଶିଳ୍ପୀ ନାହାନ୍ତି କିମ୍ବା ଶିଳ୍ପକୁ ଉପଭୋଗ କରିବାକୁ କେହି ଲୋକ ନାହାନ୍ତି କି ଧର୍ମ ବିଶ୍ୱାସ ନାହିଁ । ଖାଲି ସ୍ୱାର୍ଥ, ଲୋଭ, ହିଂସା ଶଠତାର ରାଜୁତି । ଏହାରି ଭିତରେ ମନୁଷ୍ୟ ନିଜର ମନୁଷ୍ୟତ୍ୱକୁ ଜାଣିଶୁଣି ହରାଇଦେଇଛି-। ଅତିଷ୍ଠ ହୋଇ ଉଠିଲି ମୁଁ ।’’

 

‘‘ସେଦିନ ହୋଇଥାଏ ସୋମବାର; ଶିବ ଦର୍ଶନର ଗୋଟିଏ ଶୁଭ ଦିନ । ଲୋକ କିନ୍ତୁ ବେଶି ହୋଇ ନ ଥାନ୍ତି । ଆମେ ମନ୍ଦିର ବେଢ଼ା ଚାରିପଟେ ବୁଲିଲୁଁ । ଆମ ସାଙ୍ଗରେ ଆଉ ଦଳେ ସ୍ତ୍ରୀଲୋକ ମଧ୍ୟ ବୁଲୁଥାନ୍ତି । ଗୋଟିଏ ପଟରେ ଠାକୁରଙ୍କ ରୋଷେଇ ଘର । ସେଠାରେ ରୋଷେଇ ଖୁବ୍ ଜୋରସୋରରେ ଚାଲିଥାଏ । ଆମେ ବୁଲିସାରି ଦେଉଳ ଅଗଣାରେ ବସିଲୁଁ । ସେ ଦଳଟି ବି ଆମ ପାଖରେ ବସିଲେ । ବୋଉ ରୋଷେଇ ଘରଆଡ଼କୁ ଥରେ ଦି’ଥର କାହିଁକି ଗଲେ; ପୁଣି ଆସି ଆମ ପାଖରେ ବସିଲେ । କଥାବାର୍ତ୍ତା ହେଲେ ସେହି ଅଚିହ୍ନା ଲୋକଙ୍କ ସାଙ୍ଗରେ । ସେମାନଙ୍କ ଭିତରୁ ଜଣେ ମତେ ବାରମ୍ବାର ଚାହୁଁଥାଏ । ଘଡ଼ିକ ପରେ ମତେ ପଚାରିଲା, ‘ଆଲୋ ଝିଅ, ତୋ ଘର କେଉଁଠି ?’ ମୁଁ କିଛି ଉତ୍ତର ଦେଲିନାହିଁ । ବୋଉ କହିଲେ, ‘ମତେ ବିଶ୍ୱାସ କର, ସେ ପରା ମୋର ଝିଆରୀ । ତା’ର କେହି ନାହାନ୍ତି । ଅକାଳରେ ବାପ, ମା ଚାଲିଗଲେ । ଗାଁ ଲୋକଙ୍କର ଦାଉ ସମ୍ଭାଳି ନ ପାରି ଘରଛାଡ଼ି ଚାଲିଆସିଛି ମୋ ନିକଟକୁ । ଆପଣା ଲୋକଟା ଯେତେବେଳେ, ମୁଁ ତ ପୁଣି ମୋର କର୍ତ୍ତବ୍ୟ କରନ୍ତି !’ ସେ ସବୁ ଶୁଣିଲେ, କହିଲେ, ‘ହଁ ହଁ, ଉଧାରକୁ ଅନ୍ଧାର ଲାଗିଛି । ହଉ, ଭଲ କଥା ।’ ଏହା କହି କାନିରୁ ଖଣ୍ଡିଏ ଦଶଟଙ୍କିଆ ନୋଟ କାଢ଼ି ମୋ ହାତକୁ ବଢ଼ାଇଦେଲେ । ମୁଁ ପ୍ରଥମେ ନେଲି ନାହିଁ, ବୋଉ କହିଲେ, ‘ନେ, ଧର । ସେ ଖୁସିରେ ତତେ ଖର୍ଚ୍ଚ କରିବାକୁ ଦେଉଛନ୍ତି, ତୁ ନେବୁ ନାହିଁ କାହିଁକି ?’ ହାତରେ ଧଇଲି । ସେତେବେଳେ ଅଙ୍ଗପ୍ରତ୍ୟଙ୍ଗଗୁଡ଼ାକ କାହିଁକି ଟିକିଏ ଶିରିଶିରି ହୋଇଉଠିଲା । କାହାର ଆଶ୍ଳେଷ ଭିକ୍ଷା କଲା ଯିମିତି-। ମାତ୍ର ଅପୂର୍ଣ୍ଣ ଆଶା ଅପୂର୍ଣ୍ଣ ହିଁ ରହିଲା । ଭାବିଲି, ଜଣେ ପ୍ରକୃତ ରହସ୍ୟ ଭେଦ କରିବାକୁ ବ୍ୟାକୁଳ; ଆଉ ଜଣେ ମିଥ୍ୟା କହିବାକୁ ପ୍ରସ୍ତୁତ । ବୋଉଙ୍କର ଏମିତି ମିଥ୍ୟା କହିବା ମୂଳରେ କୌଣସି ଦୁରଭିସନ୍ଧି ନ ଥିଲା । କେବଳ ଜଣକର ଜୀବନକୁ ବିପନ୍ନ ହେବାକୁ ନ ଦେବା ପାଇଁ ସେ ମିଥ୍ୟାର ଆଶ୍ରୟ ନେଇଥିଲେ । ବୋଉ ଯେତେବେଳେ ତାଙ୍କୁ କହୁଥାନ୍ତି, ମୁଁ ଖାଲି ପୋଡ଼ିଜଳି ଗଲାପରି ହେଉଥାଏଁ । ଭାବୁଥାଏଁ, ଆଉ କିଛି ନ କହିବେ କି, ସ୍ତ୍ରୀଲୋକ ଜଣକ ଏଇ ଏତିକିରେ ସନ୍ତୁଷ୍ଟ ହୋଇଯିବେ କି । ସେଇଆ ହେଲା । ବୋଉ ରୋଷେଇଘରକୁ ଯାଇ ବ୍ରାହ୍ମଣକୁ ଡାକିଲେ-। ମନ୍ଦିର ଅଗଣାରେ ପତ୍ର ପଡ଼ିଲା । ସେମାନେ ଆଉ ଆମେ ସମସ୍ତେ ଖାଇବସିଲୁଁ । ଅଞ୍ଜନା ବୋଉ କହିଲେ, ‘ଦିଅ ଦିଅ, ନୂଆ ଲୋକ ସେ, ତାଙ୍କ ପାଖରେ ଟିକେ ଭଲକରି ଦିଅ । ଆଉ କ’ଣ ସତରେ ଏ ମଉଜଟା ମିଳିବ ?’ ସେ ସ୍ତ୍ରୀଲୋକଟି କହିଲେ, ‘ନୂଆ ଲୋକଙ୍କର ଦିନକାଳ ଆସୁଛି, ପୁରୁଣା ଲୋକଙ୍କ କଥା ଆଗେ ବୁଝ ।’ ତାଙ୍କ ଦୁଇ ଜଣଙ୍କର ଏଇମିତି ମଜାଗପ ଚାଲିଲା । ଅଞ୍ଜନା, ତୁ ଆଉ ମୁଁ ଆମେ ତିନିହେଁ ପାଖକୁ ପାଖ ଲାଗି ଖାଇ ବସିଥିଲେଁ । ଅଞ୍ଜନା ମତେ ଚାହିଁ ଖାଲି ହସୁଥାଏ । ମୁଁ ଭାବିଲି, ଅଞ୍ଜନା ବି ଏକଥା ସବୁ ବୁଝିପାରିଲାଣି । ଖିଆପିଆ ଶେଷ ହେଲା-। ବୋଉ ଠାକୁରଙ୍କ ପାଖରେ ମୁଣ୍ଡିଆ ମାରି ଜଣାଇଲେ–ମନସ୍କାମନା ପୂର୍ଣ୍ଣକର ପ୍ରଭୁ !’’

 

‘‘କ୍ରମେ ଦିନ ମଉଳିଆସିଲା । ଆମେ ଫେରିଲୁଁ ଘରକୁ । ସେମାନେ ବି ବିଦାୟ ନେଲେ-। ବାଟରେ ଆସିବାବେଳେ ଅଞ୍ଜନାବୋଉ ସାଙ୍ଗରେ ବୋଉ କ’ଣ କଥାବାର୍ତ୍ତା ହେଲେ । ମୁଁ କିଛି ଜାଣିପାରିଲି ନାହିଁ । ଅଞ୍ଜନା କିନ୍ତୁ ସବୁ ଜାଣିଲାପରି ମୋ ନିକଟରେ ମୁହଁ ହାତ ହଲାଇ ବିଭିନ୍ନ ଭଙ୍ଗୀ କରୁଥାଏ । ତା’ କଥାରେ ମୁଁ କାହିଁକି ଟିକିଏ କାନ ଦିଅନ୍ତି ? ମୁଁ ତ ଜାଣେ, ମୋ ମନଟାକୁ ଆଟୁପାଟୁ କରିବା ପାଇଁ ସେ ବହେ ଖେଳିବ । ତେଣୁ ମୋ ପାଖକୁ ଯେତେବେଳେ କହିବ କହିବ ହୋଇ ଲାଗିଆସେ, ମୁଁ ତାକୁ ପେଲିଦିଏଁ । ଏଇମିତି ଥରେ ପେଲିଦେଲି ଯେ ସଡ଼କ ତଳକୁ ପଡ଼ିଗଲା । ଗୋଟାଏ ପଥର ଡେଣୁଆ ବାଜି ତା’ ଗୋଡ଼ ଖଣ୍ଡିଆ ହୋଇଗଲା । ରକ୍ତ ବୋହିଲା-। ତୁ ପାଟିକଲୁ । ତା’ ବୋଉ ପଛକୁ ଫେରି ଚାହିଁଲେ । ପଚାରିଲେ, ‘କ’ଣ ହେଲା କି ଲୋ-?’ ଅଜରୀଟା ତଥାପି କହୁନାହିଁ ଲୋ ଝୁଣ୍ଟିଲି ! ମୁଁ ତା’ ଗୋଡ଼ର ରକ୍ତଗୁଡ଼ାକ ଖଣ୍ଡେ ଛିଣ୍ଡା କାଗଜରେ ପୋଛିଦେଲି । ସେ କ’ଣ କଲା ନା, ମେଞ୍ଚେ ଧୂଳି ପକାଇଦେଲା ତା’ ଉପରେ । ମୁଁ ହସିଲି । କହିଲି, ‘ଯାହାହେଉ, ଭଲ ଔଷଧ ଜାଣୁ ଏକା’ ।’’

 

‘‘ଘର ପାଖରେ ଆସି ପହଞ୍ଚିଲେ । ରୋଷେଇବେଳ ଗଡ଼ିଗଲାଣି ସେତେବେଳକୁ । ମୁଁ ତରତର ହୋଇ ଲୁଗାପଟା ବଦଳାଇ ଚୁଲି ଲଗାଇଲି ।’’ ବୋଉ କହିଲେ, ‘‘ବାପାଙ୍କ ପାଇଁ ଭୋଗ ଦି’ଟା ରଖିଦେଇ ଦି’ ଭଉଣୀଯାକ ଖାଇଦିଅ ।’’ ତୁ ତ ଭାରି ଟକଳି । ଦଉଡ଼ି ଯାଇ ଭୋଗ ଡାଲାଟାକୁ ଟେକିଆଣିଲୁ । ମୁଁ ତତେ ଆଉ ବୋଉଙ୍କୁ ବାଢ଼ିଦେଲି । ତା’ପରେ ରୋଷେଇଘରେ ପଶିଲି । ଏତିକିବେଳେ ବାପା ଆସି ପହଞ୍ଚିଲେ । କହିଲେ, ‘କ’ଣ ଠାକୁର ଦେଖା ହୋଇଗଲା ?’ ମୁଁ ଟିକିଏ ହସିଲି । ବୋଉ କହିଲେ, ‘ସେମାନଙ୍କ ଜବାବ ଠିକ୍ । ଆମେ ପହଞ୍ଚିଲାବେଳକୁ ସେମାନେ ଆସିସାରିଥିଲେ । ଦେଖାଚାହାଁ କଥାବାର୍ତ୍ତା ହେଲା । ସବୁ ଭଲ । ଆମ କଥାବାର୍ତ୍ତା ସରିଲାବେଳକୁ ବ୍ରାହ୍ମଣ ବି କାମ ବଢ଼େଇ ଦେଇଥିଲା । ସେମାନେ ମୋଟେ ରାଜି ହେଲେ ନାହିଁ ଖାଇବାକୁ । ବହୁତ ବିନୟ ହୋଇ କହିଲି । କଥା ରଖି ପତ୍ର ପାଖରେ ଆସି ବସିଲେ ।’

 

‘‘ଅଞ୍ଜନା ହେଉଛି ମୋର ଖବରକାଗଜ, ଯାହା ସାଙ୍ଗରେ କଥାବାର୍ତ୍ତା ହେଲେ ଦୁନିଆଟାର ପ୍ରାୟ ସମସ୍ତ ଖବର ଜଣାପଡ଼େ । ଭଲ ପିଲାଟାଏ ଏକା । ତା’ର ଗର୍ବ ଟିକିଏ ନ ଥାଏ-। ତାକୁ ଦେଖିଲେ ଗୋଟାଏ ଭଲ ଜିନିଷ ପାଇଲାପରି ମୋର ମନେହୁଏ । ଉଦବେଗ ବଢ଼େ-। ମନରେ ନୂଆ ଆଶା, ନୂଆ ଭାବନା ସୃଷ୍ଟି ହୁଏ । ସେ କିନ୍ତୁ ସେଦିନ ସଞ୍ଜରେ କି ରାତିରେ ଆସିଲା ନାହିଁ । ମତେ ବଡ଼ ଦୁଃଖ ଲାଗିଲା । ତାକୁ ପେଲିଦେଇ ମୁଁ କି ଭୁଲ ନ କରିଛି ! ସେ ବୋଲି ସିନା ସହିଲା । ଅନ୍ୟ କିଏ ହୋଇଥିଲେ ମୋ ସାଙ୍ଗରେ ଝୁଙ୍କେ କଳି କରିଥାଆନ୍ତା । ଭାବିଲି, ବୋଧହୁଏ ସେଇ ରାଗରେ ଆସୁନାହିଁ କି କ’ଣ ? ରନ୍ଧାବଢ଼ା ସାରିଲି । ସମସ୍ତଙ୍କୁ ଖାଇବାକୁ ଦେଇ ନିଜେ ଖାଇଲି । ବୋଉ ବାଟଚଲା ବାଧାରେ ହାଲିଆ ହୋଇ ଶୋଇପଡ଼ିଲେ । ଜିନିଷଗୁଡ଼ା ଯେଯେଉଁଠି ପଡ଼ିଛି । ବାଡ଼ି କବାଟ ମୁକୁଳା ହେଇଛି । ମୁଁ ଜିନିଷପତ୍ର ରଖାରଖି କରି କବାଟ ଦେଲି । ଗୋଡ଼ହାତ ଧୋଇ ବିଛଣା ନିକଟକୁ ଗଲି । ବୋଉଙ୍କୁ ମୋଡ଼ିବସିଲି । କେତେବେଳ ପରେ ବୋଉ କହିଲେ, ‘ତତେ କ’ଣ ରାତି ହୋଇନାହିଁ କି ? ଶୋଇପଡ଼ୁଛୁ ନା !’ ମତେ ବି ନିଦ ଝାଙ୍କିଲାଣି ସେତେବେଳକୁ । ମୁଁ ସେଇଠି ଶୋଇପଡ଼ିଲି ।

 

‘‘ବିରାଡ଼ିକୁ ଯିମିତି ଚୁଲିକନ୍ଧା ଛଡ଼ା ଅନ୍ୟ କେଉଁଠି ଶୋଇବାକୁ ଭଲ ଲାଗେ ନାହିଁ, ଅଞ୍ଜନାକୁ ସିମିତି ମୋ’ଠାରୁ ପାଖଛଡ଼ା ହେବାକୁ ଭଲ ଲାଗେ ନାହିଁ । କେତେ ସାଥୀ ତା’ର ଥାଆନ୍ତି-। ହେଲେ ସେ ସେତେ ଲେସିହୁଏ ନାହିଁ ତାଙ୍କ ପାଖରେ । ମତେ ଦେଖିଲା ଦିନରୁ କାହିଁକି ଯେ ମତେ ଏତେ ଭରସିଗଲା ତା’ ସେଇ ଜାଣେ । ମୋ ଭିତରଟା ଯଦି ସେ ଚିରି ଦେଖିବାର ସୁଯୋଗ ପାଇଥାନ୍ତା ତେବେ ମତେ ନିଶ୍ଚୟ ଘୃଣା କରିଥାନ୍ତ; ଆଡ଼େଇ ହୋଇଯାଇଥାନ୍ତା ଆପେ ଆପେ-। ମାତ୍ର ସେ ସୁବିଧା ମୋ’ଠାରୁ ପାଇନି । ମୁଁ ନିଜର ଅବିଗୁଣଗୁଡ଼ାକ କିମିତି ବା ତା’ ଆଗରେ କହନ୍ତି-? ସେଥିପାଇଁ ମୁଁ ଖୁବ୍ ସାବଧାନ ହୋଇ ତା’ ପାଖରେ କଥାବାର୍ତ୍ତା କରୁଥିଲି । ସେ ଯାହା ଟିକେ ସନ୍ଦେହ କରନ୍ତା ନା, ବୋଉ ସେ ସନ୍ଦେହକୁ ତା’ର ବଢ଼ିବାକୁ ଦିଅନ୍ତି ନାହିଁ । ତେଣୁ ସେ ବା ଆଉ କିଏ ଦିନେ ଭୁଲରେ ମଧ୍ୟ ମୋ ବିଷୟରେ ମୁଣ୍ଡ ଖେଳାଇନାହାନ୍ତି ।”

 

‘‘ବୁଝିଲି, ତୁ ଅଞ୍ଜନାର ସୁନ୍ଦର ବିଜ୍ଞପ୍ତି ପ୍ରକାଶ କରିବାକୁ ବ୍ୟଗ୍ର । ସେ ଯାହାକୁ ଭଲ ପାଏ ସେ ତା’ର ସେତେ ଆସ୍ଥାଭାଜନ ହୋଇଥାଏ । ପଶୁର ମଧ୍ୟ ଏଇ ପ୍ରବୃତ୍ତି ଅଛି । ଏଥିରେ ଆଶ୍ଚର୍ଯ୍ୟ ହେବାର ଅବକାଶ ନାହିଁ । ତା’ପରେ କ’ଣ ହେଲା କହ ?” ମଳୟା କହିଉଠିଲା ବିରୁଦ୍ଧାତ୍ମକ କଣ୍ଠରେ ।

 

‘‘ଜଣକର ପ୍ରଶଂସାରେ ଜର୍ଜ୍ଜରିତ ହୋଇ ତୁ ଏଭଳି ବିରୋଧୀ ମନ୍ତବ୍ୟ ଦେବୁ ବୋଲି ମୁଁ ଆଶା କରି ନ ଥିଲି । କୌଣସି ଲୋକ ସାଙ୍ଗରେ ଆତ୍ମିକ ଐକ୍ୟ ରଖିଲାଭଳି ଗୁଣ ତୋ’ଠାରେ ନାହିଁ ବୋଲି ତୋ କଥାରୁ ପରିଷ୍କାର ସୂଚନା ମିଳିଲା ।”–ଲଜ୍ଜିତା ହୋଇ କହିଥିଲା ସର୍ବାଣୀ ।

 

ହସିଲା ମଳୟା । ଆଉ ହସାଇବାକୁ ଚେଷ୍ଟା କଲା ସର୍ବାଣୀକୁ । କହିଲା, ‘ବାସ୍ତବିକ ଅପା, ମୁଁ ବହୁତ ପଛରେ ପଡ଼ିଛି । ଜଣକର ପ୍ରଶଂସାକୁ ସହ୍ୟ କଲା ଭଳି ଶକ୍ତି ମୋର ନାହିଁ । ମୁଁ ପଥର ପରି କଠିନ, ନିଷ୍ଠୁର । ମତେ ଆଖି ଖୋଲିବାକୁ ଦେ–’ ଅଶ୍ରୁଳ ଚକ୍ଷୁରେ ମଳୟା ନିବେଦନ କଲା ସର୍ବାଣୀ ନିକଟରେ ।

 

ବୋଉ ପହଞ୍ଚିଗଲେ ଏତିକିବେଳେ । କହିଲେ, ‘‘କିଲୋ, ‘ଆଜି କ’ଣ ଦି’ଭଉଣୀଙ୍କର ଭାରି ଗପ ଲାଗିଯାଇଛି ?” ସର୍ବାଣୀ ଭାବିଲା, ବୋଉଙ୍କ କହିବା ଭିତରେ କିଛି ଗୋଟାଏ କାରଣ ଅଛି । ଦିନ ଚାଲିଗଲାଣି । କାମ କେତେ ବାକି ପଡ଼ିଛି । ଏଠି ଅଯଥାରେ ଗପ କରି ଲାଭ କ’ଣ ? କହିଲା, ‘‘ଚାଲ୍ ଯିବା, ମଳୟା ! ପାଣି ଆସିବ, ଜାଳ ଆସିବ । ଆଉରି କେତେ କାମ ।” ଏହା କହି ଉଠିଗଲା ।

 

ରାତିରେ ଶୋଇବାପାଇଁ ବିଛଣା ପଡ଼ିଲା । କମଳଟାଏ ଘୋଡ଼େଇହୋଇ ଦୁହେଁ ଶୋଇଲେ । ବାବୁଲା ମଝିରେ ଶୋଇଲା । ତାକୁ ଭୟଙ୍କର ନିଦ । ମଳୟା କାହିଁକି କାମର ପୀଡ଼ା ଅନୁଭବ କଲା । ତାହାର ପ୍ରାଣ କାହାର ଆଲିଙ୍ଗନ ପାଇଁ ଯିମିତି ବ୍ୟାକୁଳ ହୋଇଉଠୁଥିଲା । ଥିରି ଥିରି କଥାରେ କହିଲା, ‘‘ଅପା, ବାହାଘର କି ମଜା ଲୋ !” ସର୍ବାଣୀ ହସ ନ ଥାଇ ବି ହସିଲା । ଏହିଭଳି ଗୋଟେ ଗୋଟେ କଥା ଶୁଣିଲେ ବୃଦ୍ଧ ଲୋକର ମଧ୍ୟ ରୋମାଞ୍ଚ ଜାତ ହୁଏ । ସର୍ବପ୍ରକାର ଦୁଃଖ, ଦୁଶ୍ଚିନ୍ତା ଲୋପ ହୋଇଯାଏ କିଛିକ୍ଷଣ ପାଇଁ । ଏଇଟା ପ୍ରକୃତ ସତ । କହିଲା, ‘‘ଏଁ, ତୁ କ’ଣ ଆଜହୁଁ ଏମିତି ହେଲୁଣି ?” ତା’ର ଏକଥା କାହାରିକୁ ଶୁଣିବାକୁ ନ ଦେବାପାଇଁ ମଳୟା ତା’ ପାଟିରେ ଜୋରରେ ହାତ ଚାପିଧରିଲା, ଯିମିତି କି ସେ କଥାଗୁଡ଼ାକ ତଣ୍ଟି ବାଟଦେଇ ପୁଣି ଭିତରକୁ ଢୋକି ହୋଇଯିବ । କହିଲା, ‘‘ଅଞ୍ଜନା କଥା ଆଉଥରେ କହ, ଶୁଣେ । ମୁଁ ଯଦି ତାକୁ ଏଇକ୍ଷଣି ପାଖରେ ପାଆନ୍ତି ନା, କେବେ ଛାଡ଼ନ୍ତିନି ।” ସର୍ବାଣୀ କହିଲା, ‘‘ପାଇବାର ବାଟ କଲେ ପାଇବୁ ନାହିଁ କାହିଁକି ? ହସଖୁସି, ଦେଖାସାକ୍ଷାତ୍, ମିଳାମିଶା କରିବାକୁ କିଏ ନ ଚାହେଁ ? ଅଞ୍ଜନାକୁ କିନ୍ତୁ ଯିଏ ଥରେ ଟାଣରେ କଥା କହିଦେବ, ସେ କାହାରି ନୁହେଁ । ଆଉ ଦିନେ କଥା ପଦେ ବି କହିବ ନାହିଁ ।’’

 

‘‘ମୁଁ ତ ତତେ କହୁଥିଲି, ତା’ ଗୋଡ଼ ମୋ’ରି ସକାଶେ ଖଣ୍ଡିଆ ହୋଇଥିଲା ବୋଲି । ସେଦିନ ରାତିଟା ଗଲା । ତା’ ପରଦିନ ସକାଳୁ ମୁଁ ପାଣି କାଢ଼ୁଥାଏ କୂଅରୁ । ତାକୁ ଦେଖିଲି; ସେ ତାଙ୍କ ବାଡ଼ିରେ ବସି ବାସନ ମାଜୁଛି । ମୁହଁକୁ ତଳକୁ କରିଛି, ଯିମିତି ତା’ର ମୋର ବହୁଦିନରୁ ଶତ୍ରୁତା ରହିଛି । ମୁଁ ଆଗ କହିଲି, ‘ହେତ୍, ସକାଳଟାରୁ ଅପଯଶୀ ମୁହଁଟା ଚାହିଁଲିଣି; କି ଦଶା ଆଜି ଅଛି କେଜାଣି !’ ସେ ବାସନକୁସନ ପକାଇଦେଇ ଦଉଡ଼ିଆସିଲା ମୋ ପାଖକୁ । ପାଣିଗରାଟା ଛଡ଼ାଇନେଇ ଡବଡବ କରି ଢାଳିଦେଲା ମୋ ଉପରେ । ଶୀତଦିନଟା । ମୁଁ ଥରିଗଲି ଗୋଟାପରି । ସେ କହିଲା, ‘ଆଜି ମୋ ଲାଗି ଚଞ୍ଚଳକରି ଗାଧୋଇଲୁଣି; ବେଶି ଖାଇବୁ ।’ ମୁଁ ଆଉ ଗରାଏ ପାଣି କାଢ଼ିଲି । ସେ ଠିଆ ହୋଇଥାଏ । ମୋର ଚାଲାଖିଟା ଜାଣିପାରି ସେ ଦୌଡ଼ିଲା । ମୋର ଯଦିବା ତାକୁ ତିନ୍ତାଇଦେବାକୁ ଇଚ୍ଛା ଥିଲା, ତଥାପି ଦଉଡ଼ିଲି ନାହିଁ । କାରଣ ମୁଁ ପୂର୍ବଦିନର ଘଟଣାପାଇଁ ତା’ ପ୍ରତି ବିଚାରଟା ଟିକେ କୋହଳ କରିଦେଇଥିଲି । ସେ ବେଳଟା କଟିଗଲା । ଆଉ ତା’ର ମୋର ଦେଖା ନାହିଁ । ମୁଁ ମୋ ଧନ୍ଦାରେ ଲାଗିଲି । ବେଳ ଦୁଇଟା ସରିକି ହେବ ସେ ମୋ ନିକଟକୁ ଆସିଲା । ସେତେବେଳକୁ ମୋର ସବୁ ଧନ୍ଦା ଶେଷ ହେଲାଣି । ସେ ଗୋଟାଏ ମଫଲର ବୁଣୁଥାଏ-। ମୋ ପାଖରେ ବସିପଡ଼ି କହିଲା, ‘କାଲି ଯେଉଁ ଡାଲିଭାତ ନା ! ପାଟିରୁ ଛାଡ଼ିବନି, କି କେବେ ମଲାଯାକେ ମନରୁ ଯିବନି ସେଦିନର ସ୍ମୃତିଟା । ତୁ ହୁଏତ କେଉଁଠି ବସିଥିବୁ; ସ୍ୱାମୀ ସାଙ୍ଗରେ ବସି ଖୁସି ଗପସପ କରୁଥିବୁ । ମନେପଡ଼ିବ କି ନାହିଁ ସେତେବେଳେ କେ ଜାଣେ ?’ ମୁଁ ଯଦିଓ ମୋର ବିବାହ ପ୍ରସଙ୍ଗର ବନ୍ଧୁମିଳନ ଓ ଉତ୍ସବଟା କାଲି ହୋଇଥିଲା ବୋଲି ଜାଣିଥିଲି, ତଥାପି ଘଟଣାଟା ବିଶେଷ ଭାବରେ ଜାଣି ନ ଥିଲି । ସେ ସବୁ ଫିଟାଇ କହିଲା, ମୋ ଆଗରେ–‘ମୋ ବୋଉର ବଡ଼ଅପା କାଲି ଆସିଥିଲେ । ତାଙ୍କରି ପୁଅ । ସେ କୁଆଡ଼େ ପ୍ରଥମେ ବିବାହ କରିଥିଲେ-। ସ୍ତ୍ରୀଟି ତାଙ୍କର ପ୍ରସୂତି ରୋଗରେ ପଡ଼ି ଅକାଳରେ ମରିଗଲା । ମୁଁ ସେ ମାଉସୀଙ୍କୁ କେତେଥର ଆଗରୁ ଦେଖିଛି; କିନ୍ତୁ ସେ ଭାଇଙ୍କୁ ବହୁତ ଦିନ ତଳେ ଥରେଅଧେ ଦେଖିଥିଲି । ତାଙ୍କ ନାଁ ଅଜୟ-। ତାଙ୍କୁ ମୋ ବାପା ଚାକିରି କରେଇ ଦେଇଛନ୍ତି । ସେ ଏଇକ୍ଷଣି କନେଷ୍ଟବଳ ହୋଇଛନ୍ତି । ତୋରି ବିଷୟରେ ତାଙ୍କ ଘରେ ବୋଉ ପ୍ରସ୍ତାବ ପକାଇଛି । ତାଙ୍କର ଚଳିବା ସେତେ ଭଲ ନୁହେଁ-। ଯାହାହେଉ ଅଜୟଭାଇ ଚାକିରି କରିବାଦିନରୁ ତାଙ୍କର ଅଭାବ କ’ଣ ଦିନେ ଜାଣିନାହାନ୍ତି । ଶୁଣିଲୁ ତ, ଦେ କଅଣ ଦେଲୁ’ !’’

 

‘‘ତୋର ବିଭାଘର, ତୁ ମାରିବୁ ମଜା । କେତେ ନୂଆନୂଆ ସ୍ୱପ୍ନ ମନ ଭିତରେ ଗଢ଼ିଚାଲିବୁ । ମୁଁ ହୁଏତ ସାଇପଡ଼ିଶାଙ୍କ ଭଳି ଗଣ୍ଡାଏ ଭୋଜିଭାତ ଖାଇବି । ସିମିତି ତ କୁକୁର ବିରାଡ଼ି କେତେ ଖାଇଯିବେ । ଆଉ ମୁଁ ତତେ କ’ଣ ଦିଅନ୍ତି କହନି ? ତୁ ଆଉରି ଗଲାବେଳେ ମତେ କ’ଣ ଦେଇଯାଆନ୍ତୁ ନା !” ହସିହସି ଯୁକ୍ତି ବାଢ଼ିଲା ମଳୟା ।

 

ସର୍ବାଣୀ କହିଲା, ‘‘ଓଲୀଟା ! ତତେ କ’ଣ ମୁଁ କହୁଛି ? ସେ ମୋତେ କହିଲା ନା ! ହଉ ଶୁଣ୍ ।” ମୁଁ ତାକୁ କହିଲି, ‘ଆଲୋ, ଘରେ ଝିଅଟାଏ ଥିଲେ ଏଇମିତି ଅନେକ ଖବର ଆସେ । କେତେ ଖିଆପିଆ ହୁଏ । ବାପ ମା ଖର୍ଚ୍ଚ କରି କରି ମରନ୍ତି । ସବୁ ବୃଥା ହୁଏ । ଆଉ ଏଇଟା ହେଇଯିବ ବୋଲି କେଉଁ ବିଶ୍ୱାସ ? ବାପା କ’ଣ ସିମିତି କେତେ ସ୍ଥାନରେ ଟିପଣା ପକାଇ ନାହାନ୍ତି କି ! କାହିଁ, ହେଲା କେଉଁଠି ?’ ସେ କିନ୍ତୁ ମୋ ହାତରେ ଜୋରରେ ତାଳିଟେ ଦେଇ ଜିଦ୍ ମାରିଲା । କହିଲା, ‘ହଉ, ଦେଖିବା । ଏଇ କଥା ଏକା ତୋର ମୋର ପଡ଼ିଲା । ବିଭାଘର ଠିକ୍‍ ହେଲେ ତୁ ବେଦୀକୁ ଯିବୁ ନାହିଁ ତ ?’ ମୁଁ କହିଲି, ‘ଯିବିନାହିଁ କାହିଁକି ? ତୁ କ’ଣ ବେଦୀଉପରେ ଗୋଡ଼ ପକାଇବାକୁ ମନ କରୁନାହୁଁ କି ? ମତେ କ’ଣ ନିରାଶ ଦେଖିଲୁ ?’ ହସିଲା ସେ । କହିଲା, ‘ଆଉ ମନା କରୁଥିଲୁ ?’ ଏତିକିବେଳେ ତା’ ବୋଉ ଡକାଇପଠାଇଲେ ତାକୁ । ସେ ପଳାଇଗଲା ।

 

‘‘ବିଭାଘରଟା ନିକଟଇ ଆସୁଛି ଶୁଣି ମତେ କାହିଁକି ଅଲଗା ଅଲଗା ଜଣାଗଲା । ଭାବିଲି, ଦୁଇଟା ବରଷ ହେଲା ଏଠିକି ଆସିଲି । ଏ ଦି’ଟା ବରଷ କିନ୍ତୁ ଗୋଟାଏ ମୁହୂର୍ତ୍ତ ଭଳି କଟିଯାଇଛି । ବାପା-ବୋଉଙ୍କର ଯେଉଁ ସ୍ନେହ ହୁଏତ ଜନ୍ମ କଲା ପୁଅ ଝିଅ ପାଉ ନ ଥିବେ । ସ୍ନେହ ମମତାର ଏମିତି ପୁଣି ଆକର୍ଷଣୀ ଶକ୍ତି ଅଛି ! ମୁଁ କୌଣସି ଦିନ କୌଣସି ବିଷୟରେ ଲାଜ କରିନି-। ଯାହା ଯେତେବେଳେ ଚାହିଁଛି, ଅବାଧରେ ତାହା ପାଇଛି । ପୁଣି ଭାବେ, ମଳୟାକୁ କିମିତି ଭୁଲିବି-? ସେ ନିଶ୍ଚୟ ମତେ ଝୁରିହେବ, କେତେ କାନ୍ଦିବ ! ତା’ ଆଖିରେ ଲୁହ ଦେଖିଲେ ମୁଁ ଧୈର୍ଯ୍ୟ ଧରିପାରିବି ତ ? ପୁଣି ଭାବେ, ନାଇଁ ମ, ସତରେ କ’ଣ ହେବ ! ଆକାଶର ତାରା ପୃଥିବୀକୁ ଆସିଲାଣି କେବେ ! ଖତଗଦାରେ ପଦ୍ମ ଫୁଟିଲାଣି କେଉଁଠି ! ଏ ଘଟଣାଟା କ୍ଷଣିକ ଆନନ୍ଦ ଦେବାପାଇଁ ମୋ ନିକଟକୁ ଆସିଛି, ମତେ ବିଦ୍ରୂପ କରୁଛି । ଯାହାର ଜୀବନ ଜଳିପୋଡ଼ି ପାଉଁଶ ହେବାକୁ ବସିଲାଣି, ତାକୁ କାହିଁକି ବା କିଏ ଆଦର କରିବ ? ମୋ ଦେହ ଭିତର ଛାପା ମୋହରଗୁଡ଼ାକ ମତେ ଲଜ୍ଜିତ କଲା ବେଶି । ହେଲେ ବାପାବୋଉଙ୍କର ପ୍ରଗାଢ଼ ଉଦ୍ୟମ । ଥରକୁ ପାଞ୍ଚ ଥର ସେଠାକୁ ଖବର ଦିଆନିଆ କଲେ ।’’

 

‘‘ଅଞ୍ଜନା ମତେ ଆଉ ବସାଇ ଉଠାଇ ଦେଲା ନାହିଁ । ଚାଲି ଯାଉଁ ଯାଉଁ କହିଲା, ‘ରୂପ ତ କ’ଣ ବଦଳିଗଲାଣି ?’ କଥାଟା ତା’ର ନ ଶୁଣିଲେ କହିଲା, ‘କି ଲୋ, ତତେ କ’ଣ ଶୁଭୁନାହିଁ କି-? ତୋ ମନ କେଉଁଠି କି ? ଅଜୟଭାଇ ଆସିଲେ କହିବି, ଏ ଭାରି ମଉନମୁହୀଁ, ୟାକୁ ମୋଟେ ବାହାହେବ ନାହିଁ ।’ ମୁଁ କହିଲି, ‘ସେ ତ ପୁଣି ବାହା ହେବେ ନା ନାହିଁ ? ମୁଁ ଯଦି ତୋ ଆଖିକୁ ପସନ୍ଦ ନ ଗଲି, ତେବେ ତୁ ବାହା ହେଇପଡ଼ ।’ ବିଚରା ଲାଜରା ହୋଇଉଠିଲା । ମତେ ଗାଳି ଦେଲା, ବହେ ଝଙ୍କାଓଟରା କଲା । ସେ ଯେଉଁ କେତେ ଘଣ୍ଟା ମୋ ପାଖରୁ ଅଲଗା ରହୁଥିଲା, ସେତକ ସମୟ ବି ତା’ର ମୋ ନିକଟରେ କଟିଲା । ରାତି ପାହିଲେ ତା’ର ମୋର ସବୁ ସମ୍ପର୍କ ତୁଟିଯିବ ଭାବି କେତେ କାନ୍ଦିଲା । ମୁଁ ତାକୁ ବୁଝାଏ । ସେ କିନ୍ତୁ ମୋତେ ବୁଝେନି-। ଅନେକ ସମୟରେ ମୁଁ ଭାବେ, ୟା ସାଙ୍ଗରେ ମୋର ଏତେ ସମ୍ପର୍କ ଭଗବାନ ଜୁଟାଇ ଦେଲେ କାହିଁକି-?’’

 

‘‘ବିଭାଘରଟା କିମିତି ସୁରୁଖୁରୁରେ ବଢ଼ାଇବେ, ଏଥିପାଇଁ ବୋଉଙ୍କୁ ନିଦ ନ ଥାଏ । ସବୁ ଯୋଗାଡ଼ କଲେ । ବାପାଙ୍କୁ ବରାଦ ଦେଲେ ଯେତେକ ଆୟଅଳଙ୍କାର ପାଇଁ । ବାପା ବ୍ରହ୍ମପୁର ଗଲେ; ସୁନାର ଅଳଙ୍କାର କେତେଗୁଡ଼ାଏ କିଣିକରି ଆଣିଲେ ମତେ ସବୁ ଗୋଟି ଗୋଟି କରି ପିନ୍ଧାଇଲେ । ବୋଉ କହୁଥାନ୍ତି, ‘ଝିଅ କିଛି ନ ପାଇଲାବେଳେ ଏ ଦି’ଖଣ୍ଡ ବିକିଭାଙ୍ଗି କିଛିଦିନ ତ ଚଳିଯିବ, ତେଣିକି ତା’ ଭାଗ୍ୟ ।’ ମୁଁ ଭାବେ, ଯେଉଁଠି ସବୁ ଆଶାକୁ ମନରୁ ପୋଛିଦେଇ କାଚ-ସିନ୍ଦୂର ଫିଙ୍ଗା ଯାଇଥିଲା, ସେଠି ଏ ସୁନାର ପହରଣ ! ହଠାତ୍‍ କେତେ ପରିବର୍ତ୍ତନ ! ଦୁର୍ଯୋଗ କି ସୁଯୋଗ, ଏ ଚିନ୍ତାରେ ମୁଁ ଅଡ଼ୁଆରେ ପଡ଼ିଲି ।’’

 

‘‘ଅଞ୍ଜନା ଆସି ଡାକିଲା, ‘ବୋଉ ଡାକୁଛି, ଆମ ଘରକୁ ଆ ।’ ବୋଉ ବି ଛାଡ଼ିଦେଲେ । ମୁଁ ତା’ ସାଙ୍ଗରେ ଗଲି । ତା’ ବୋଉ ଗୋଟାଏ ମୁଦି ପିନ୍ଧାଇଦେଲେ ମୋ ହାତରେ । ପାଞ୍ଚ ଛଅ ପ୍ରକାର ତରକାରୀପତ୍ର କରି ମତେ ଖାଇବାକୁ ଦେବାକୁ ଠିକ୍‍ କରିଥାନ୍ତି । ମୁଁ ଅଞ୍ଜନା ସାଙ୍ଗରେ ସେଇଠି ଖାଇଲି । ଅଞ୍ଜନା ବୋଉ କହିଲେ,.‘ଦେ ଲୋ ମା, ଆମେ ତ ଗରିବ ଘର; ତତେ ଆଉ କ’ଣ ଦେବୁଁ ?’ ମୁଁ ମନେମନେ କହୁଥାଏ, ତୁମେ ତ ଯାହା କରିଛ ମୋ ଜୀବନସାରା ଭୁଲିପାରିବି ନାହିଁ, ଆଉ ଦେବ କ’ଣ ? କାନ୍ଦ ମାଡ଼ିଲା; ମୁଁ କାନ୍ଦିଲି । ସେ ବି କାନ୍ଦି କାନ୍ଦି ମୋ ଆଖିରୁ ଲୁହ ପୋଛିଲେ । ଏଇମିତି ଅନେକ ଘର ବୁଲି ନିମନ୍ତ ଖାଇ ଆସିଲି । ସମସ୍ତେ ବିଦାୟକାଳୀନ ଶୁଭେଚ୍ଛା ଜଣାଇ ସମ୍ବର୍ଦ୍ଧନା କରୁଥାନ୍ତି ।’’

 

‘‘ବୋଉଙ୍କର କିନ୍ତୁ ଭାରି ଆକଟ । କେଉଁଠି ଟିକେ ମତେ ବାଟରେ ଘାଟରେ ହେଁଫେଁ ହେବାକୁ ଦିଅନ୍ତିନି । ଟଙ୍କା ପଇସାକୁ ମଣିଷ ଜାଗତିଆର ରହିବାଭଳି ସେ ମତେ ଗୋଡ଼େ ଗୋଡ଼େ ଜଗିଥାନ୍ତି । ବୋଉଙ୍କୁ ନିନ୍ଦା ନ ହେବ ବୋଲି ମୁଁ ଖୁବ୍ ହୁସିଆରରେ ଚଳୁଥାଏ । ତଥାପି ବୋଉ ମତେ ଶେଷ ମୁହୂର୍ତ୍ତରେ ବୁଝାଇବସିଲେ, ‘ଖବରଦାର୍, କେବେ ବେଢଙ୍ଗରେ କଥା କହିବୁ ନାହିଁ, ମୁଣ୍ଡରେ ସବୁବେଳେ ଲୁଗା ଦେବୁ, ଅଳସେଈଙ୍କ ପରି ବସିବୁ ନାହିଁ, ଶାଶୁ ଶଶୁରଙ୍କ ସେବା କରିବୁ । ଦେଖ୍, ମୋ ନାଁ ଯିମିତି ତଳେ ନ ପଡ଼େ !’ ଏଇମିତି ବୋଉ ବକି ବକି, କାମଧନ୍ଦାରେ ଧନ୍ଦି ହୋଇ କଳାକାଠ ପଡ଼ିଗଲେ । ତାଙ୍କୁ ଯେତେ ନିବର୍ତ୍ତାଇଲି, ହେଲା ନାହିଁ ।’’

 

‘‘ବିଭାଘର ପୂର୍ବରୁ ସାଧାରଣତଃ ଝିଅମାନଙ୍କ ମନରେ ଯେଉଁ ଗୋପନ ଆନନ୍ଦ ଉଙ୍କି ମରିଥାଏ, ତାହା ମୋ ହୃଦୟକୁ ଛୁଇଁ ନ ଥିଲା ସେତେବେଳେ । କାରଣ ପୂର୍ବରୁ ସେସବୁ ଝାଡ଼ପରି ମୋ ଦେହରେ ବହିଯାଇ ମତେ ନଷ୍ଟଭ୍ରଷ୍ଟ କରିଦେଇଛି । ନିରବଚ୍ଛିନ୍ନ ଅନ୍ଧକାର ଭିତରେ ପକାଇଦେଇଛି ମତେ । ଆଖି ଥାଇ ମଧ୍ୟ କିଛି ଦେଖିପାରୁ ନାହିଁ; ବିଶ୍ୱାସ କଲା କଥାକୁ ବିଶ୍ୱାସ କରୁନାହିଁ । ଦେହରେ ଶକ୍ତି ଥାଇ ମଧ୍ୟ ବ୍ୟାଧିଗ୍ରସ୍ତ ଲୋକଠାରୁ ଅଧିକ ମୁମୂର୍ଷୁ ହୋଇପଡ଼ିଛି । ଆଉ କି ଆନନ୍ଦ ! ସେ ଆନନ୍ଦ ପାଇଁ ବିଭୋର ହୋଇଉଠି ଶେଷରେ ଯେ ପୁଣି ଶନିର କୋପ ଦୃଷ୍ଟିରେ ନ ପଡ଼ିବି, ଏ କଥା କିଏ କହିବ ? ଖାଲି ଗୋଟେ ହେଲାଠେଲା ଭାବରେ ବୋଉଙ୍କ କଥାକୁ ମାନି ନେଉଥାଏ । ବୋଉ ମୋର ଏ ଢଙ୍ଗ ଦେଖି କହନ୍ତି, ‘କି ଲୋ, ତୁ ଏମିତିଟା କାହିଁକି ହେଉଛୁ ? ଗୋଟାଏ କେତେବଡ଼ ଖୁସିର ଦିନ, ସେଥିରେ ତୋର ଟିକେ ଆନନ୍ଦ ନାହିଁ କି ଫୁର୍ତ୍ତି ନାହିଁ ! ପୁଣି କହନ୍ତି, ଆଉ କେଉଁ ଜିନିଷ ଲାଗି ମନରେ ଯଦି ଦୁଃଖ ଆସୁଛି କହ, ସବୁ ଦେବି, ତୁ ଯିମିତି ଖୁସି ହେବୁ । ମୋର ପାଞ୍ଚ ପଇସା ଖର୍ଚ୍ଚ ହେବ, ଯାଉ, ମୋର ତ କିଛି ସୁଅ ମୁହଁରେ ପଡ଼ି ଭାସିଯାଉନି ! କହିବୁ ନି ? ଭାବିଛୁ କ’ଣ ପିଲାଙ୍କର ଅରଦଳି ସହିବାକୁ ଏ ଦେହରେ ଜୁ ନାହିଁ ? ଏ ଦେହଟା କ’ଣ ଏମିତି ନିଷ୍ଠୁରିଆ ହୋଇ ଗଢ଼ାହୋଇଛି । ପିଲାଛୁଆଙ୍କୁ ସ୍ନେହ କରି ଜାଣେନା ? କ’ଣ ମା ପାଖରେ ଅଳି କରିବୁ ନାହିଁ ? ଅଝଟ କରିବୁ ନାହିଁ ? ମା’ଠଉଁ ଟିକେ ଗାଳି ଶୁଣିବୁ ନାହିଁ ? ମା’କୁ ଟିକେ ଚିଡ଼ାଇବୁ ନାହିଁ ? ଏ ମା କ’ଣ ତୋର ନୁହେଁ ?’ ଏହା କହି ଭୋ ଭୋ କରି କାନ୍ଦିଉଠିଲେ । ମୁଁ ଭାବିଲି, ଏ କ’ଣ ନ କରିଛନ୍ତି ମୋର, ମୁଁ ବା ତା’ର ପ୍ରତିଦାନ କ’ଣ ଦେଇଛି, ମଳୟାଠାରୁ ତ ମତେ ଅଧିକ କରିଛନ୍ତି ! କେଉଁ ବିଷୟରେ ମୋର ଅଭାବ ? ନ ଖାଇ ଖୋଇଛନ୍ତି; ନ ପିନ୍ଧି ପିନ୍ଧାଇଛନ୍ତି । ଆଉ କ’ଣ ମାଗିବି ନା ଆଉ କ’ଣ ସେଠି ନିନ୍ଦା କରିବି ! ନିନ୍ଦା କଲେ ମତେ ସାତଜନ୍ମରେ ଆଉ କେଉଁଠି ଠା ମିଳିବ ! ଏ ଜିଭ ଛିଡ଼ିପଡ଼ିବ ନାହିଁ ! କହିଲି, ‘ବୋଉ ତୁମେ କାହିଁକି କାନ୍ଦିଲ ? ତୁମେ ଯାହା ଦିଅ, ମୁଁ କିଛି ନେବି ନାହିଁ; ନେବି ଖାଲି ତୁମ ଗୋଡ଼ର ଟିକେ ଧୂଳି, ଟିକେ ଆଶୀର୍ବାଦ, ଆଉ ଏଇ ହତଭାଗିନୀ ପ୍ରତି ସନ୍ତାନବାତ୍ସଲ୍ୟ ଦେଖାଇ ଯେଉଁ ଦୁଇ ବିନ୍ଦୁ ଲୁହ ଢାଳିଛ ସେଇ ହେବ ମୋର ସମ୍ବଳ, ଯାହାକୁ ଧରି ଚାଲିବି ମୁଁ ଦୁର୍ଗମ ସଂସାର ଭିତରେ ରଙ୍ଗୀନ ସ୍ୱପ୍ନର ନୀଡ଼ ରଚନା କରିବାକୁ ।’ କହୁଁ କହୁଁ କାନ୍ଦିଉଠିଲି ଜୋରରେ । ସେଇଦିନ ମା ଝିଅଙ୍କର ସ୍ନେହ ବନ୍ଧନ ଯେ କିଭଳି ଆତ୍ମପ୍ରକାଶ କରିଥିଲା, ତାହା ତୋ ଆଗରେ ବର୍ଣ୍ଣନା କରି ପ୍ରକାଶ କରିପାରୁ ନାହିଁ ଆଜି ।” କହୁଁ କହୁଁ କାନ୍ଦିପକାଇଲା ସର୍ବାଣୀ, କାନ୍ଦିଉଠିଲା ମଳୟା ।

 

ଚାରି

 

ପରଦିନ ରାତି । ପଡ଼ାଟାର ଚାରିଆଡ଼େ ନିଃଶବ୍ଦ ହୋଇଆସିଲାଣି । ନିଜ ନିଜ ଘର ଭିତରେ ସମସ୍ତେ କାମଧନ୍ଦା ଶେଷ କରିବାରେ ଲାଗିଛନ୍ତି । କିଏ ଶୋଇପଡ଼ିଲାଣି, କିଏ ବା ଯାଉଛି-। ତନ୍ଦ୍ରାଳୁ ପୃଥିବୀ ବେଳୁବେଳ ନୀରବ ହୋଇଆସିଲା । ମୁଣ୍ଡ ଉପରେ ଗୋଟାଏ ଚିନ୍ତା ବା କାର୍ଯ୍ୟର ଦାୟିତ୍ୱ ଥିଲେ ଯିମିତି ନିଦ ପାଖ ଛୁଇଁଆସେ ନାହିଁ, ମଳୟା ସେଭଳି ଅନୁଭବ କରୁଥିଲା-। ଘୁମନ୍ତ ରାତ୍ରିର କୋଳରେ ଉଜାଗର ରହି କୌଣସି ଗୋଟାଏ ବିରାଟ ତଥ୍ୟ ଆବିଷ୍କାର କରିବାକୁ ସେ ପ୍ରୟାସୀ ହୋଇଉଠିଥିଲା ଯିମିତି ।

 

କେତେ ରାତି ସେ ତା’ର ମା କୋଳରେ କଟାଇଛି । କେତେ ସାଙ୍ଗସାଥୀଙ୍କ ମେଳରେ ସୁସୁପ୍ତିର ନିଶ୍ୱାସ ମାରିଛି । ଏମାନଙ୍କ ନିକଟରେ ଶୋଇ ସେ ଶୁଣିଛି କେତେ ବାଘ ଭାଲୁ ଗପ, ରାଜା ମହାରାଜାଙ୍କ ଗପ. ଯେଉଁଗୁଡ଼ା ନିହାତି ମନଗଢ଼ା, ଅବାସ୍ତବ, ନିର୍ଜୀବ କିନ୍ତୁ ଅପା ନିକଟରେ ଯେ କେତୋଟି ରାତି ଶୋଇଲାଣି ସେ ଥିଲା ତା’ଠାରୁ ଯଥେଷ୍ଟ ଭିନ୍ନ । ଜଣକ ଜୀବନର ଭଲମନ୍ଦ କଥା ଶୁଣି କେହି ପ୍ରଶଂସା କରିଥାନ୍ତି, କେହି ଦୁଃଖିତ ହୋଇଥାନ୍ତି, କେହି ଈର୍ଷାନ୍ୱିତ ହୋଇଉଠନ୍ତି । ବିପଦରେ ପକାଇଦେବାକୁ ବିଭିନ୍ନ ଉପାୟ ଉଦ୍ଭାବନ କରିଥାନ୍ତି । ମଳୟା ତ ସେହିଭଳି ଆଶା ପୋଷି ନ ଥିଲା । ସେ ଚାହୁଁଥିଲା ଅପାର ପରବର୍ତ୍ତୀ ଜୀବନକୁ ପରିମାର୍ଜିତ କରିବାକୁ, କଳଙ୍କିର ଅଣୁଗୁଡ଼ାକ ଛଡ଼ାଇ ଆଖିରୁଚକ ହେବାଭଳି ତାକୁ ସଫେଦ କରିବାକୁ । ଅପାଆଡ଼କୁ ଚାହିଁଲା । ପାନ ଖାଇ ସେ ତଳପାଟିଟା ବୁଲାଇବାରେ ଲାଗିଛି । ବଡ଼ ଗମ୍ଭୀର ଜଣାଯାଉଥାଏ । ବୋଧହୁଏ ଅତୀତ ଘଟଣାକୁ ତା’ ଆଗରେ ପ୍ରକାଶ କରିବାପାଇଁ ଯିମିତି ମନ ଭିତରୁ ବାହାର କରି ଠୁଳ କରୁଛି-

 

ସର୍ବାଣୀ ମୁଣ୍ଡଟାକୁ ଟେକି ଦେଖିଲା, ବୋଉ ପାଟି ମେଲାକରି ନିଃଶ୍ୱାସ ନେଉଛନ୍ତି ଜୋରରେ । ନିଦ ରାକ୍ଷସ ତାଙ୍କ ଉପରେ ଚାପ ଦେଇ ତାଙ୍କୁ ଯିମିତି ଅକାଲୁଆ କରିପକାଇଛି । ବାବୁଲାକୁ ଚାହିଁଲା, ସେ ବି ନିଦ ନିଶାରେ ପଥର ଖଣ୍ଡଟିଏ ପାଲଟିଯାଇଛି । ଏକା ମଳୟା–ଏକ ଧ୍ୟାନରେ ଅପେକ୍ଷା କରିଛି ରେଡ଼ିଓରୁ ଗୀତ ଶୁଣିବାକୁ ସମସ୍ତେ ଉତ୍କଣ୍ଠିତ ହୋଇ ଅପେକ୍ଷା କରିଥାନ୍ତି ଯେପରି । ସର୍ବାଣୀ କହିଲା, ‘‘ତତେ ଆଉ ନିଦ ହେବ ନାହିଁ । କ’ଣ ପାଇବୁ ମୋ କଥା ଶୁଣି, କହନି-? ଭାରି ତୋର ଝୁଙ୍କ । ମୁଁ ତ ଏଇକ୍ଷଣି ଏକପ୍ରକାର ଭଲରେ ଅଛି । ଯେତେ ଯାହା ଘଟିଛି, ତାକୁ ସବୁ ସମାଧି ଦେଇଛି ଏ ଦେହ ଭିତରେ । ତା’ର ଯିମିତି ଆଉ ପୁନରୁଦ୍ଧାର ନ ହେବ । ତୁ ମଢ଼ଖିଆ ହେଟା, ଶିଆଳ, କୁକୁରଙ୍କ ଭଳି ସେଗୁଡ଼ା ଝିଙ୍କି ଓଟାରିଆଣୁଛୁ କାହିଁକି ? ସେଇଥିରେ କ’ଣ ତୋର ପେଟ ପୂରିବ ? ମୁଁ ଉଚ୍ଛନ୍ନ ହେବି–ସଂସାରରୁ ଯିବି । କେହି ସିନା ମରିଗଲେ ପୋଡ଼ିହୁଏ-। ମୁଁ ଜିଅନ୍ତା ପୋଡ଼ିହେବି ।’’

 

ମଳୟା ଟିକେ ଚମକ ଦେବାପାଇଁ କୌତୁକ କରି କହିଲା, ‘‘ମୁଁ କାହାରି ଆଗରେ କହିବି ନାହିଁ ମ ! କହିଲେ କହିବି ସେଇ ଅ...ଜ...ୟ… ଭାଇଙ୍କୁ, ଯେ ତୋ ପାଇଁ ହସନ୍ତି, ଯେ ତୋ ପାଇଁ କାନ୍ଦନ୍ତି । ସେ ଶୁଣିଲେ କ୍ଷତି କ’ଣ ?’’

 

‘‘ହୁଁ, ମତେ ନର୍କରୁ ଉଦ୍ଧାର କରିବୁ । ତତେ ମୁଁ କ’ଣ କରିଦେବି, ଜାଣୁ ତ ? ତୋ’ରି ମୁଣ୍ଡରେ ଅଠା ବୋଳିଦେବି !” ଚଢ଼ା ଗଳାରେ କହିଲା ସର୍ବାଣୀ । ଏପରି ତାକୁ କହିବାରେ ଆକ୍ଷେପ ନ ଥିଲା, ବିଦ୍ରୋହ ମନୋଭାବ ମଧ୍ୟ ନ ଥିଲା ମଳୟାଠି ତା’ର । ସେ ଭଲ ଭାବରେ ମଳୟାକୁ କଷି ନେଇଛି, ଯିମିତି କଷଟିରେ ସୁନାକୁ କଷନ୍ତି ।

 

ସର୍ବାଣୀ କେବେହେଲେ ଦବିଯାଇ ନ ଥିଲା ମଳୟାର କଥାରେ । ବରଞ୍ଚ ହସିଲା । ଭାବିଲା, ମୋ ମନଟାକୁ ଅଧିକ ପଲ୍ଲବିତ କରିବାକୁ ଯିମିତି ମଳୟାର ଏ ଗୋଟେ ପ୍ରକାର ଉଦ୍ୟମ-। ଅଜୟ ତା’ର ଶେଷ ବସନ୍ତ । ଏହା ପରେ ଆଉ ସେ ନିଷ୍ଠୁର ବସନ୍ତର ଆବାହନୀ ଗୀତ ଗାଇବନି-। ବସନ୍ତର ମାଦକତାରେ ନିଜକୁ ଭୁଲାଇଦେବନି । ଏଇ ଗୋଟିକ ବସନ୍ତହିଁ ତା’ର କାମ୍ୟ-। ଏଇ ବସନ୍ତରେ ଭଲକରି ଉପଭୋଗ କରିବ ଜୀବନଟାକୁ । ସେ ତାକୁ କେତେ ପ୍ରାଣଭରି ଭଲ ପାଆନ୍ତି-! ଗୋଟାଏ ନୀରବ ଆଲିଙ୍ଗନ ତାଙ୍କଠାରୁ ପାଇଲା ଯିମିତି ମଳୟାର କଥା ପଦକରେ-। ଉଛୁଳା ଆନନ୍ଦରେ କହିଲା, ‘‘ମଳୟା, ଯାହାଙ୍କ ନାଁ ଧରିଲୁ, ସେ ମୋ ଆଖିକୁ କେଡ଼େ ସୁନ୍ଦର-! କେଡ଼େ ମଧୁର ତାଙ୍କର ଚାହାଁଣି ! କେତେ କୋମଳ ତାଙ୍କର ପରଶ ! କାହିଁକି ଯେ ମନଟା ଏମିତି ତାଙ୍କ ପ୍ରତି ଜଡ଼ିରହେ, ସେକଥାର ସୂତ୍ର ବାହାର କରିବାକୁ ମୁଁ ଦୁର୍ବଳ । ମୁଁ ତ ସେତେ ଶିକ୍ଷା ପାଇନି-! ତୁ ପାଠଶାଠ ପଢ଼ିଛୁ, ମନୋବିଜ୍ଞାନବିତ୍‍ମାନଙ୍କର ଲେଖାରୁ ହୁଏତ କିଛି ଜାଣିଥିବୁ । ତୋର ଆଜି ଯେଉଁ ବୟସ ଆସିଛି, ତୁ ବି ଅନୁଭବ କରୁଥିବୁ, ସେଇ ଆକର୍ଷଣୀ–ସେଇ ସାହଚର୍ଯ୍ୟ-। ସମଗ୍ର ବିଶ୍ୱଟା ଏଇଥିପାଇଁ ବ୍ୟାକୁଳ । କାହିଁକି ଏସବୁ ?

 

‘‘ପିଲାବେଳଟା । ପାଠ ପଢ଼ୁଥାଏଁ ଆମ ଗାଁ ସ୍କୁଲରେ । ମୁଁ ଆଗଆଗ ସ୍କୁଲକୁ ଯିବାକୁ ମୋଟେ ମନ କରୁ ନ ଥିଲି, ଖାସ୍‍ ମାଡ଼ ଭୟରେ । ଅନେକଥର ଲୁଚେ; ଜର ହୋଇଛି ବୋଲି ବାହାନାକରି ଘରେ ରହିଯାଏ । କିନ୍ତୁ ବାପାଙ୍କର ଯେଉଁ ତାଗିଦା, ନ ଯାଇ ଆଉ ଚାରା ନ ଥାଏ । ଯେତେବେଳେ ଷଷ୍ଠ ଶ୍ରେଣୀରେ ପଢ଼ିଲି, ସେତେବେଳକୁ ଆଉ ପୂର୍ବ ଢଙ୍ଗ ନ ଥାଏ । କେହି ନ କହିବା ପୂର୍ବରୁ ମୁଁ ବ୍ୟସ୍ତ ହୁଏ ଯିବାକୁ । ଦିନେଦିନେ ଅଖିଆ ବାହାରିଯାଏ । ତାହାର କାରଣ ହେଲା ଏକମାତ୍ର ଅବିନାଶ ଭାଇ । ଅବିନାଶ ଭାଇ ନବମ ଶ୍ରେଣୀରେ ପଢ଼ନ୍ତି । ସେ ମୋର ସାଙ୍ଗ । ତାଙ୍କ ଘର ଆମରି ଗାଁରେ, ଗୋଟାଏ ସାଇ ପରେ, ଶେଷ ମୁଣ୍ଡରେ । ସ୍କୁଲବେଳ ହେଲେ ସବୁ ପିଲା ଚାଲିଯାଆନ୍ତି । କେତେଟା ଝିଅ ରହିଯାନ୍ତି ମୋ ସାଙ୍ଗରେ ଯିବାପାଇଁ । ଅବିନାଶ ଭାଇ ଆସନ୍ତି । ମତେ ଅପେକ୍ଷା କରନ୍ତି । ସାଙ୍ଗହୋଇ ସ୍କୁଲକୁ ଯାଉ । ସମସ୍ତଙ୍କୁ ଆଡ଼େଇଦେଇ ସେ ମୋ ପାଖକୁ ଲାଗିଆସନ୍ତି । ମୋ ସାଙ୍ଗରେ କଥାବାର୍ତ୍ତା କରନ୍ତି । କେତେଟା ଝିଅ ମୋ ସାଙ୍ଗ ଛାଡ଼ନ୍ତିନି । ଲାଗିଲାଗି ଆସନ୍ତି । ସେମାନେ ମୋଠୁଁ ବୟସରେ ସାନ । ତେଣୁ ତାଙ୍କ ସାଙ୍ଗରେ ମୋର କଥାବାର୍ତ୍ତା ପଟେ ନାହିଁ । ଅବିନାଶ ଭାଇଙ୍କ କଥା ବାଜେ ମୋ କାନରେ । ମୁଁ ବି ଧୈର୍ଯ୍ୟର ସହିତ ଶୁଣିବାପାଇଁ ତାଙ୍କୁ ସୁବିଧା ଦିଏ । ସେ କହିବାପାଇଁ ଲଜ୍ଜା ବା ଭୟ କରନ୍ତି ନାହିଁ ମୋଟେ । କଥା କହିବା ଭିତରେ ପାଖ କ୍ଷେତରୁ ମୁଗଛୁଇଁ, ବିରିଛୁଇଁ ଛିଣ୍ଡାଇ ମତେ ଖାଇବାକୁ ଦିଅନ୍ତି । ମୁଁ ଫ୍ରକ୍‍ଟିକୁ ଉପରକୁ ଟେକି ଧରେ । ସେ ଅଜାଡ଼ି ଦିଅନ୍ତି । ତାଙ୍କ ହାତଟା ମୋ ଫ୍ରକରେ ବାଜି ମୋ ଦେହରେ ବାଜିଯାଏ । ମୋ ଲୋମଗୁଡ଼ାକ କାହିଁକି ଟାଙ୍କୁରିଉଠେ ସେତେବେଳେ ।

 

‘‘ଆଷାଢ଼ ମାସରେ ରାସ୍ତା କଡ଼ରୁ ଛତୁ ତୋଳୁ । ଦିନେ ରବିବାର ହୋଇଥାଏ । ବଡ଼ି ସକାଳୁ ଉଠି ଚୁପ୍ ଚୁପ୍ କରି ସେ ମତେ ଆସି ଡାକିଲେ । ମୋ ନିଦ ଚାଉଁ କରି ଭାଙ୍ଗିଗଲା । କାହାରିକୁ କିଛି ନ କହି କବାଟଟା ମୁକୁଳା କରି ମୁଁ ଦୌଡ଼ିଲି ତାଙ୍କ ସାଙ୍ଗରେ । ଅନ୍ଧାର ଛାଡ଼ି ନ ଥାଏ ପୃଥିବୀ ଉପରୁ । କେତେ ରାତ୍ରିଚର ଜୀବ ବାହୁଡ଼ି ନ ଥାନ୍ତି ମଧ୍ୟ ବସାକୁ । ଆମର ଯଦିବା ସେମାନଙ୍କୁ ଭୟ ଥାଏ, ତଥାପି ଡର ଆସୁ ନ ଥାଏ ସେତେବେଳେ । କାରଣ, ଭୟ ଅପେକ୍ଷା ଆନନ୍ଦର ମତ୍ରାଟା ବେଶି ହୋଇପଡ଼ିଥାଏ । ସେ ଆନନ୍ଦ ଛତୁ ତୋଳା ପାଇଁ ନୁହେଁ । ଛତୁ ତୋଳାଟା ହେଲା ଗୌଣ । ମୁଖ୍ୟ ହେଲା ଦୁହେଁ ଦୁହିଙ୍କୁ ଭଲ କରି ଥରେ ଦେଖିବା । ମନବୋଧ କରି ସମସ୍ତଙ୍କ ଅଜାଣତରେ କଥାବାର୍ତ୍ତା ହେବା । ଏଇ ହେଲା ବଡ଼ିଅନ୍ଧାରୁଆରୁ ଉଠି ଆସିବାର ବଡ଼ ଲାଳସା ।’’

 

‘‘ଦୁହେଁ ଗୋଟିଏ ହୁଙ୍କା ପାଖରେ ବସିଲୁ । ଗୁଡ଼ାଏ ଛତୁ ସେଥିରେ ଫୁଟିଥାଏ । ହୁଙ୍କାଟା ଗୋଟାଏ ବରଫର ସ୍ତୂପ ଭଳି ଧୋବ ଫରଫର ଦିଶୁଥାଏ । ଲୋଭନୀୟ ହୋଇଥାଏ ଏକା । ଛତୁଗୁଡ଼ିକ ବ୍ୟଗ୍ର ହୋଇ ନିଜକୁ ଆମ ନିକଟରେ ଶୂନ୍ୟ କରିଦେବାକୁ ଯିମିତି ସବିନୟ ଆବେଦନ କରୁଥାନ୍ତି । ମୁଁ ହସି ହସି ତାଙ୍କ ଦେହରେ ଥରେ ହାତ ବୁଲାଇଆଣିଲି । ତାଙ୍କୁ ସେହି ରୂପରେ ଦେଖିବାକୁ ମତେ ଖୁବ୍‍ ଖୁସି ଲାଗିଲା । ଅବିଭାଇ ମୋ ଆଡ଼କୁ ମୁହଁ କରି ଛତୁ ତୋଳିଲେ । ମୁଁ ବି ତୋଳିଲି । ମୁଁ ପିନ୍ଧିଥାଏ ପ୍ୟାଣ୍ଟ । ବସିବା ବେଳେ ଫ୍ରକ୍‍ଟାକୁ ପାଦଯାକେ ଲମ୍ବାଇଦେଇ ଛତୁ ତୋଳୁଥାଏ । ତାଙ୍କ ହାତରେ ସେ ମେଞ୍ଚାଏ ଛତୁ ତୋଳି ମୋ ଫ୍ରକ୍‍ଟିକୁ ଟେକିଦେଲେ ଆଣ୍ଠୁ ଉପରକୁ । ଛତୁ ପୂରାଇଲେ । ମୁଁ ବି ପୂରାଇଲି । ଫ୍ରକ୍‍ଟିକୁ ଆଉ ତଳକୁ ଖସାଇପାରିଲିନି । ସେତିକି ବେଳଠୁଁ ତାଙ୍କ ହାତର ଗତି ମନ୍ଥର ହୋଇଗଲା । ଛତୁ ତୋଳୁଛନ୍ତି ବୋଲି ଭୂଇଁକୁ ବହେ ରାମ୍ପୁଡ଼ିଗଲେ । ମୁଁ ହସିଲି । କହିଲି, ‘ଅବିଭାଇ, ତୁମ ମନଟା କେଉଁଠିକି ? ଅନ୍ୟ ପିଲା ଯଦି ଆସିବେ, ସବୁ ତୋଳିନେଇଯିବେ । ଆମେ ତୋଳିବା କ’ଣ ? ଚଞ୍ଚଳ ଟିକେ ହାତ କର ।’ ତାଙ୍କର ଅନ୍ୟମନସ୍କତାହିଁ ମୋ ମନରେ କୌତୂହଳ ଆଣିଲା । ମୁଁ ତାଙ୍କର ମନର ଉଚ୍ଛ୍ୱାସଟାକୁ ବଢ଼ାଇବା ପାଇଁ ସେହିପରି ଯଥା ସ୍ଥାନରେ ବସିଥାଏ । ମନ ସିନା ହୁଏ, ସେହିପରି ବସି ତାଙ୍କ ସାଙ୍ଗରେ କଥାବାର୍ତ୍ତା କରିବାକୁ, ନିଜକୁ ତାଙ୍କ ନିକଟରେ ଶୂନ୍ୟ କରିଦେବାକୁ; ହେଲେ ନାରୀ ମନ ତ, ଲଜ୍ଜା ସଙ୍କୋଚର ଆଘାତରେ ବିବ୍ରତ ହୋଇଉଠିଲି । ଠିଆହୋଇ ହସଟାଏ ହସିଦେଲି । ସେ ହସରେ କିନ୍ତୁ ସେ ସନ୍ତୁଷ୍ଟ ହେଲେନି । ସେ ମତେ ସେହିପରି ଦେଖିବାକୁ ବ୍ୟାକୁଳ ହୋଇ ଉଠୁଥିଲେ ଯିମିତି-। ମୋ ହାତ ବନ୍ଦ ହେବାରୁ ତାଙ୍କର ମଧ୍ୟ ଛତୁ ତୋଳା ବନ୍ଦ ହେଲା । ଆମେ ଜାଣୁ, କିଏ ଆସିଲେ ହୁଏତ ସବୁ ତୋଳି ନେଇଯିବ । ଆମର ଦାବି ନାହିଁ ସେଥିରେ । ସର୍ବସାଧାରଣ ସ୍ଥାନରେ ହୋଇଛି-। ତଥାପି ହାତ ଚାଲିଲା ନାହିଁ କିଛି କ୍ଷଣ ପାଇଁ ।’’

 

‘‘ସେ କହିଲେ, ‘ଉଠିପଡ଼ିଲୁ କ’ଣ ? ଏତେଗୁଡ଼ାଏ ଛତୁ ମୁଁ କ’ଣ ଏକା ତୋଳିପରିବି ? ବସିଯାଉନୁ ! ବସିବାକୁ ଇଚ୍ଛା ଥାଏ; ତଥାପି ବସିପାରିଲିନି । ଏଇମିତି ଗୋଟାଏ ଅସ୍ୱାଭାବିକ ଭାବରେ ବସିଲେ ସେ ମତେ କ’ଣ ମନେ ନ କରିବେ ! ଏଇଥିପାଇଁ ଦୋଦୋପାଞ୍ଚ ହେଲି । ଉପାୟ ଖୋଜିବସିଲି ମନେମନେ । କିଛିକ୍ଷଣ ପରେ କହିଲି, ‘ଛତୁଗୁଡ଼ା ମତେ ଅଡ଼ୁଆ କରୁଛି, ବସିବି କିମିତି ? ଦି’ଟା ବରପତ୍ର ଆଣେ, ତାକୁ ବିଛେଇ ଦେଇ ଛତୁକୁ ରଖିଦେବା ।’ ସେ ରାଜି ହେଲେ ନାହିଁ । ମୁଣ୍ଡ ହଲାଇ କହିଲେ, ‘ତଳେ ମାଟି ଧୂଳି ଲାଗିଯିବ । ଖାଇବା ଜିନିଷକୁ ଏମିତି ରଖିବୁ ?’ ମୁଁ କିନ୍ତୁ ବୁଝିଲିନି । କହିଲି, ‘ତେବେ ତୁମ ଗାମୁଛାଟା ଦିଅ, ସେଇଥିରେ ରଖିବା ।’ ସେ ମନା କଲେ । ମୁଁ ଜୋର କରି ଟାଣିଆଣିଲି ତାଙ୍କ ଦେହରୁ । ସେ ଆଉ କିଛି କହିଲେନି । ଛତୁଯାକ ସେଥିରେ ପୂରେଇଲି । ଗାମୁଛା ଯେତେବେଳେ ଆଣିଲି ତାଙ୍କ ଦେହରେ ମୋ ହାତ ବାଜିଗଲା । ମୁଁ ଗୋଟାଏ ନୂଆ ଜିନିଷ ହାତରେ ପାଇଲାଭଳି ଆନନ୍ଦିତ ହେଲି । ସେଇଦିନ ହେଲା ଆମର ଗୋପନ ମନୋଭାବର ପ୍ରଥମ ପ୍ରକାଶ ।’’

 

‘‘ସ୍କୁଲକୁ ଯାଏଁ । ଗଣିତ, ସାହିତ୍ୟ, ଇତିହାସ ଆଦି ବହି ପଢ଼େ । ବିଷୟଗୁଡ଼ା କାହିଁକି ଶୀଘ୍ର ମନେ ରହେ ନାହିଁ ମୋର । ସେଇଥିପାଇଁ ନିର୍ବୁଦ୍ଧିଆ ପିଲାଟା ବୋଲି ସମସ୍ତଙ୍କ ମୁହଁରୁ ମତେ ଶୁଣିବାକୁ ହୁଏ । କିନ୍ତୁ ଯେଉଁଗୁଡ଼ାକୁ ଲୋକେ ଅଗୁରୁ ପାଠ କହନ୍ତି, ସେଇଗୁଡ଼ାକରେ ମୋର ବେଶି ହେଲା ପ୍ରବେଶ । ପରିବେଷ୍ଟନୀ ମଧ୍ୟ ମତେ ସେଇମିତି କରି ଗଢ଼ିଲା । ଗାଁରେ ମାଇପି ମାଇପିଙ୍କ ଭିତରେ କଳି ହେଲେ, ବାପା ଦାଦା କେବେ ଉଗ୍ର ମୂର୍ତ୍ତି ଧରିଲେ ତାଙ୍କ ପାଟିରୁ ଯା ନାଇଁ ତା’ ବାହାରିପଡ଼େ, ଯେଉଁଗୁଡ଼ାକ ଶୁଣିଲେ ଭଦ୍ରଲୋକ ଅପ୍ରସ୍ତୁତ ହୋଇଯାନ୍ତି । ମୋରି ଭଳି କେତେ ପୁଅଝିଅ ଏଗୁଡ଼ାକ ଶୁଣି ଦୁଃଖିତ ହେବେ କ’ଣ, ମନେମନେ ଭାରି ଖୁସି ହୋଇ ଚାଲିଯାଆନ୍ତି । ମୁଁ ସେଇଗୁଡ଼ାକ ଶୁଣି ତାଙ୍କରି ପରି ଆନନ୍ଦରେ ନାଚିଉଠେ । ଖୋଜିବୁଲେ ସେଇପରି ଗୋଟାଏ ପରିବେଶ ।’’

 

‘‘ଷଷ୍ଠଶ୍ରେଣୀ ବାର୍ଷିକ ପରୀକ୍ଷା ଦେଲି । ପରୀକ୍ଷାରେ ଖୁବ୍‍ କମ୍ ନମ୍ବର ରହିଥାଏ । ଯାହାହେଉ, ପାସ୍‍ଟା ହୋଇଛି ବୋଲି ଶୁଣିଲି । ଗୁରୁଜୀ ବେଳେବେଳେ ମୋ ମନ ଜାଣିଲାପରି କହନ୍ତି, ‘ଏଣିକି କ’ଣ ଚଗଲା ପ୍ରକୃତି ଧରିଲୁଣି ! ପାଠ ତ ଭଲ ପଢ଼ୁନାହୁଁ । ସପ୍ତମ ଶ୍ରେଣୀରେ ଘୋଷରା ଖାଇବୁ, ଜାଣିଥା ।’ ମୁଁ ମନେମନେ କହିହୁଏ, ବହି ତ ମୋଟେ ଧରିବାକୁ ଯାଉଛି । ପଢ଼ିଲିଣି କେଉଁଠୁ ? ପଢ଼ିଲେ କ’ଣ ଆଗେଇଯିବିନି ? ମୋ ପଢ଼ାଟାର ମୂଲ୍ୟ ସିନା କେହି ବୁଝିବେନି, ମୁଁ ତ ବୁଝିବି–ଅବି ଭାଇ ତ ବୁଝିବେ ! ପାଠପଢ଼ାର ପରୀକ୍ଷା ଦେବି ତାଙ୍କ ପାଖରେ । ଯିମିତି ତାଙ୍କର ଇଚ୍ଛା ସେ ପରୀକ୍ଷା କରିପାରନ୍ତି । ସେ କ’ଣ ପାସ୍ ନମ୍ବର ଦେବେନି ? ଆଉ ଏ ବହିଘୋଷା ପାଠରେ କି ଲାଭ ? ବୋଉ ତ କହୁଛି, ମାଇକିନିଆ ଝିଅ, ଯେତିକି ପଢ଼ିଲା ସେତିକି । ପାଠ ପଢ଼ି କେଉଁଠି ଦିପୋଟି ହେବ ! ଖାଲି ଟିକେ ରାସକ୍ରୀଡ଼ା, ଭାଗବତ ଦୁଇ ଅଧ୍ୟାୟ, ଚିଠିଲେଖା ଆଦି ଜାଣିଗଲେ ହେଲା । ଖାତାଟେ ମାଗିଲେ, ଫାଉଣ୍ଟେନଟେ ମାଗିଲେ, ଦୁଆତଟେ ମାଗିଲେ ସିଙ୍ଗିସିଙ୍ଗି ହୋଇ କହେ, ‘ପଇସା ଏତେ କେଉଁଠୁ ଆଣିବି କହନି । ସେଗୁଡ଼ାକ ଆମର ଦରକାର ନାହିଁ । ତୁ ସେଇମିତି ପଢ଼ିକରି ଆ, ବହି ତ ଏତେଗୁଡ଼ାଏ ଅଛି, ଆଉ କ’ଣ ?’ ମୁଁ ଯେତେ ବୁଝାଇଲେ ସୁଦ୍ଧା ବୁଝେନି । ଆଉରି କହେ, ‘ଫାଉଣ୍ଟେନ୍‍ଗୁଡ଼ାକ କ’ଣ ଶାଶୁଘରକୁ ନେଇ ଚୁଲିରେ ଜାଳ କରିବୁ ନା ଦୁଆତରେ ପାଣି କାଢ଼ିବୁ ?’ ମତେ ହସ ନ ମାଡ଼ୁଥିଲେ ବି ଏକ ଅହେତୁକ ହସ ହସେ । ସେଇଠୁ ଭାବିଲି, ଦେ ମ, ନ ହେଲା ନାହିଁ ! ସୁମା, ମୋତି, ରାଧୀ ତ ପୁଣି ପାଠ ପଢ଼ି ନ ଥିଲେ; ତାଙ୍କୁ କ’ଣ ବର ମିଳିଲା ନାହିଁ ! କେତେଟା ଏମିତି ପାଠୋଈ ଝିଅ ଅଛନ୍ତି ଆମ ଦେଶରେ-? କିଏ ଏମିତି ବଡ଼ ଚାକିରି କରିଛି ? ବୋଉର କଥା ଅନୁସାରେ ଗୋଟାଏ ବର୍ଷ କିମିତି ମାରିଦେଲେ ଯାଏ ।’’

 

‘‘ସପ୍ତମ ଶ୍ରେଣୀରେ ପଢ଼ିଲି । କ୍ଲାସରେ ସବା ଆଗ ବେଞ୍ଚରେ ମୁଁ ବସେ । ପାଠପଢ଼ାରେ ମୁଁ ଟିକେ ଦୁର୍ବଳ ବୋଲି ମତେ କିନ୍ତୁ ସେଠି ବସିବାକୁ ଭଲ ଲାଗେ ନାହିଁ । ପ୍ରଶ୍ନ ଗୋଟାଏ ଆସିଲା ତ ଆଗ ମୋ ଉପରେ ପଡ଼ିଯିବ । ଏଇଥିପାଇଁ ଭୟ । ପଛରେ ବସିଥିଲେ ମୁଣ୍ଡଟାକୁ ତଳକୁ ମାଡ଼ି ରହିଯାନ୍ତି । ଗୁରୁଜୀଙ୍କର ଏକା ଜିଦ୍‍, ଝିଅପିଲା ସବୁ ଆଗରେ ବସିବେ । ତାଙ୍କ କଥା ଆଉ ନ ମାନନ୍ତି କିମିତି ? ସେଇଠି ସବୁଦିନେ ବସେ । ମୋ ପାଖରେ ଚନ୍ଦ୍ରଲେଖା ବସେ । ଡାକନାମ ତା’ର ଲେଖା । ସେ ଥିଲା ବଡ଼ଘରର ଝିଅ । ତା’ର ବେଶପୋଷାକ ମୋ’ଠାରୁ ଭିନ୍ନ । ଏଇ ବଡ଼ଲୋକିର ଆଭିଜାତ୍ୟ ନେଇ ସେ ସମସ୍ତଙ୍କ ନିକଟରେ ନିଜକୁ ଗର୍ବିତ ମନେକରେ । ସବୁ ଟୋକାଗୁଡ଼ାକ ମଧ୍ୟ ଲୋଭନୀୟ ଦୃଷ୍ଟି ପକାନ୍ତି ତା’ଠି ବେଶି । କାମ କିଛି ନ ଥିଲେ ବି କେତେ ପିଲା ତା’ପାଖକୁ ଆସନ୍ତି-। ତା’ ସାଙ୍ଗରେ ଅଯଥା ଗପ କରି ଚାଲନ୍ତି । ସେ ହସେ, ଆଉ ସେହି ହସରୁ ସେମାନେ ଆହରଣ କରନ୍ତି ଅମୃତ; ପରିତୃପ୍ତିର ନିଃଶ୍ୱାସ ମାରନ୍ତି । ମୋ ଉପରେ ବି କେତେକଙ୍କର ଆଖି ପଡ଼େ-। ମୋର ସିନା ସେପରି ପରିଚ୍ଛଦ ନ ଥାଏ; କିନ୍ତୁ ଅଙ୍ଗସୌଷ୍ଠବ ତା’ଠୁଁ ବେଶି । ତେଣୁ ଲୋଭେଇବାକୁ ପିଲାମାନଙ୍କର ଅବସର ରହେ ନାହିଁ । କିମିତି କାଇଦାର କଥା କହିବାକୁ ହେବ, କିମିତି ଆଖିରେ ଚାହିଁବାକୁ ହେବ, ସେସବୁ ପଦ୍ଧତି ମୋର ଶିଖିବାକୁ ବାକି ନ ଥାଏ । ତାଙ୍କ ମନ ବୁଝିଲାଭଳି ମୁଁ ତାଙ୍କ କଥାର ଉତ୍ତର ଦିଏ, ହାସଟାଏ ବି ହସେ । ସେମାନେ କ’ଣ ବୁଝନ୍ତି, ହସିଦେଇ ପାଳନ୍ତି; ମୁଁ କିନ୍ତୁ ସହଜେ କାହାରିକୁ ଧରାଦିଏ ନାହିଁ ।’’

 

Unknown

‘‘କିଶୋରୀ ଜୀବନ ମତେ ଛୁଇଁଲା । ସେତେବେଳେ ମୁଁ ପୁରୁଷ ଜାତିଟାକୁ ନୂଆ ରୂପରେ ଦେଖିଲି; ତାଙ୍କୁ ଧରି ଖେଳିବାକୁ ପଘାଛିଣ୍ଡା ପଶୁପରି ଅମାନିଆ ହୋଇଉଠିଲି । ଦେହ ଆଉ ମନ ମୋର ଗୋଟାଏ ନୂଆ ଭାବରାଜ୍ୟରେ ଖେଳିବୁଲିଲା । ନିଜକୁ ଅଧିକରୁ ଅଧିକ ସୁନ୍ଦର କରିବାପାଇଁ କେତେ ଉପାୟ ପାଞ୍ଚେ । ଆମର ଅଭାବଗ୍ରସ୍ତ ଘରେ ଯାହା ସମ୍ବଳ ଥାଏ, ମୁଁ ସେଇଥିରେ ଦେହକୁ ସଜାଏ । ବୋଉ କିନ୍ତୁ ଏଗୁଡ଼ାକୁ ସୁଖ ପାଏ ନାହିଁ । ଭାବେ ବୋଧହୁଏ, ଏମିତି ବେଶ ଧରିଲେ ଝିଅଟା ଖରାପ ହୋଇଯିବ । କିନ୍ତୁ ସିମିତି କିଛି ତା’ ମୁହଁରୁ ଦିନେ ଶୁଣିନାହିଁ-। ପଡ଼ିଶାଘର ଝିଅମାନଙ୍କୁ ତ ସେ ନିତି ଦେଖେ; ତାଙ୍କରି ଭଳି ମୋ ମନ ତ ଚାହୁଁଥିବ-! ତେଣୁ ଥିଲା ନ ଥିଲାକୁ ଆଉ ନ ଚାହିଁ ମତେ ସବୁ ଜିନିଷ ଯୋଗାଇଦେଉଥାଏ । ମୁଁ ସ୍କୁଲକୁ ଗଲାବେଳେ ବୋଉ ଅବଶ୍ୟ କିଛି କହେନି; ତଥାପି ତା’ ହାବଭାବରୁ ଜାଣେ ଯେ, ସେ ମତେ ଦେଖିବାରେ ନିଶ୍ଚୟ ଖୁସି ହୁଏ । ଉଡ଼ା ଚଢ଼େଇ ପରି ମୋ ମନଟା ଏଣେତେଣେ ଧାଏଁ । ଚଢ଼େଇ ଯେପରି ତା’ର ଚିତ୍ତସମ୍ଭୋଗ ଆଶା ନେଇ ପ୍ରିୟତମର ସନ୍ଧାନରେ ଉଡ଼ିବୁଲେ, ମୋ ମନ ଭିତରଟା ସେହିପରି ଗୁଞ୍ଜରି ଉଠିଲା । କେତେ ବନ୍ଧୁର ପଥ ଦେଇ ଉଡ଼ିବୁଲିଲି ମୁଁ କାହାରି ସନ୍ଧାନରେ-। କେଉଁଦିନ ମୋର ଏ ଦୁର୍ଦ୍ଦମନୀୟ ଆଶା ପୂର୍ଣ୍ଣତା ଲାଭ କରିବ ତା’ପାଇଁ ସୁବିଧା ଖୋଜିହେଲି-।’’

 

‘‘ଝଡ଼ିବର୍ଷା ସମୟ । ଆକାଶଟା ଯିମିତି କାହାର ଆଘାତରେ ବେଦନାବିଧୁର ହୋଇ ଆଖିରୁ ଧାର ଧାର କରି ଲୁହ ଗଡ଼ାଉଛି । ବ୍ୟାକୁଳ ହୋଇ ଧରଣୀ ସାଙ୍ଗରେ ମିଶିଯିବା ପାଇଁ ଧାଇଁଛି । ଯିମିତିକି ଜଣାଇଦେଉଛି, ଆକାଶ ଆଉ ଧରଣୀର ସମ୍ପର୍କ ଅଭିନ୍ନ, ଅଚ୍ଛେଦ୍ୟ । ତା’ର ଦୁଃଖରେ ବାଟଘାଟ ସେଇଥିପାଇଁ ବୋଧହୁଏ ନିଜକୁ ଶ୍ରୀହୀନ କରିଦେଇଥାନ୍ତି । ଘରୁ ଗୋଡ଼ କାଢ଼ିଲେ କାଦୁଅର ଛିଟିକା ଦେହକୁ ବେଢ଼ିଯିବ; ଓଦା ସରସର ହୋଇଯିବ ପିନ୍ଧିଲା ଲୁଗାପଟା । ବିଶେଷ ଆକଟ କାମ ନ ଥିବା ଲୋକେ ସେତେବେଳେ ପଦାକୁ ବାହାରୁ ନ ଥାନ୍ତି । କିନ୍ତୁ ଦିନଟା ଅବିଶ୍ରାନ୍ତ ଭାବରେ ତା’ କାମରେ ଲାଗିଥାଏ । ବେଳ ଆସି ଦଶଟା ହେଲା । ମୁଁ ଦୁଇ ଦିନ ହେଲା ସ୍କୁଲକୁ ଯାଇ ନ ଥାଏ ବୋଲି ଭାରି ବ୍ୟସ୍ତ ଲାଗୁଥାଏ । ବୋଉ କହିଲା, ‘ଏ ପାଗରେ ଆଜି ସ୍କୁଲ ଯାଆନା । ଅବିକୁ ଜର, ବାସନ୍ତୀକୁ ତା’ ଭାଇ ମନା କରିଛି–ତୁ ଏଇଠି ଘରେ ବସି ବହିପତ୍ର ଦେଖ୍‍-।’ ଅବିଭାଇଙ୍କ ଜର କଥା ଶୁଣି ମୁଁ ଟିକେ ଭାଙ୍ଗିପଡ଼ିଲି ଏଭଳି ଦିନରେ ତାଙ୍କର ମୋର ଟିକେ ସାକ୍ଷତ୍‍ ହେଲା ନାହିଁ । ପାଗଟାକୁ ନିନ୍ଦା କଲି । ଆମ ଦୁଇ ଜଣଙ୍କର ସମ୍ପର୍କ ନିବିଡ଼ତର ହୋଇଆସିଲାବେଳକୁ ଏଇଟା ଆମର ଅନ୍ତରାୟ ହେଲା । ତାଙ୍କ ଘରଟା ବହୁତ ପଛକୁ-। ସ୍କୁଲ ଯିବା ବାଟରେ ହୋଇଥିଲେ ନିଶ୍ଚୟ ଡାକିଦେଇ, ଟିକେ ଦେଖାକରି ଯାଇଥାନ୍ତି । ସେତକ ତ ହୋଇପାରିବ ନି । ଆଉ କାହିଁକି ଯିବି ? ମନଟା ଆପଣାଛାଏଁ ଦବିଗଲା । ଆଜି କ’ଣ ସତରେ ପିଲା ଆସିବେ, ନା ସ୍କୁଲରେ ପାଠପଢ଼ା ହେବ ! ଏଇମିତି ଭାବି ପିଣ୍ଡାଟା ଉପରେ ଏପାଖ ସେପାଖ ହେଉଥାଏ ।’’

 

‘‘ସୁରେନ୍ଦ୍ରଭାଇ ଆସି ପହଞ୍ଚିଲେ । ସେ ନବମ ଶ୍ରେଣୀରେ ପଢ଼ନ୍ତି ଅବିଭାଇଙ୍କ ସାଙ୍ଗରେ-। ତାଙ୍କ ଘରଟା ଆମ ଗାଁରେ ନୁହେଁ । ସେ କିନ୍ତୁ ଆମରି ଗାଁରେ ତାଙ୍କ ମାମୁଘରେ ରହି ପଢ଼ୁଥିଲେ-। ସେଦିନ ଦେଖିଲି, କାନ୍ଧରେ ତାଙ୍କର ଗୋଟିଏ ବ୍ୟାଗ ଆଉ ହାତରେ ଖଣ୍ଡିଏ ଛତା । ପାହାଡ଼ ଉପର ଝରଣାରୁ ପାଣିଗୁଡ଼ାକ ତଳକୁ ଢୁ ଢୁ ହୋଇ ପଡ଼ିବାପରି ତାଙ୍କ ଛତାରୁ ପାଣି ଗଡ଼ୁଥାଏ-। ଦେହସାରା ବସନ୍ତର ଫୋଟକାଭଳି ଗୁଡ଼ାଏ ପାଣିବୁନ୍ଦା ମୁଣ୍ଡ ଟେକିଥାନ୍ତି ଉପରକୁ । ଗୋଡ଼ରେ ତାଙ୍କର ବର୍ଷାଦିନିଆ ଜୋତା । ଏମିତିଆ ପାଗରେ ମଧ୍ୟ ଗୋଟାଏ ଦିନ ଘରେ ବସିଯିବାକୁ ତାଙ୍କ ମାମୁ ମାଇଁ ସୁବିଧା ଦେଇନଥାନ୍ତି । ଏଇ ସୁରେନ୍ଦ୍ରଭାଇ ହେଲେ ‘ଲେଖା’ର ସାଙ୍ଗ-। ଲେଖାକୁ ଘଡ଼ିଏ ପାଖଛଡ଼ା କରିବାକୁ ଚାହାନ୍ତି ନାହିଁ । ତାକୁ ପେନ୍‍ସିଲ କଲମ ଯୋଗାନ୍ତି-! ତା’ ଖାତାରେ ଅଙ୍କ କଷିଦିଅନ୍ତି । ତା’ର କାମଟାକୁ ମୋଟଉପରେ କୋହଳ କରିବାକୁ ସେ ଯେତେଦୂର ଯାହା ପାରନ୍ତି, କରନ୍ତି । ଭାବିଲି, ଏ କେମିତି ଆଜି ମୋ ପାଖକୁ ଆସିଲେ !’’

 

‘‘ବୋଉକୁ କହିଲି, ‘ସୁରଭାଇ ଆସିଛନ୍ତି; ମୁଁ ଯାଉଛି ତାଙ୍କ ସାଙ୍ଗରେ । ଅନେକ ପଢ଼ା ଅଛି ।’ ବୋଉ କହିଲା, ‘ତୋର ତ ଛତା ନାହିଁ, ଯିବୁ କିମିତି ? ଶର୍ଦ୍ଦି ଜରରେ ପଡ଼ିବୁ । କାହିଁକି, ଦିନେ ନ ଗଲେ କ’ଣ ଚଳିବ ନାହିଁ ?’ ସୁରଭାଇ କହିଲେ, ‘ଏଇ ଗୋଟାଏ ଛତାରେ ଚାଲିଯିବୁ ନାହିଁ !’ ମୋର ପାଠପଢ଼ା ପ୍ରତି ଆଗ୍ରହ ଆଉ ସୁରଭାଇଙ୍କର ବଦାନ୍ୟତାରେ ବୋଉ ରାଜି ହୋଇଗଲା । ବସ୍ତାନିପତ୍ର ସଜାଡ଼ି ବାହାରିଲି ତାଙ୍କ ସାଙ୍ଗରେ । ସେଦିନର ପାଠଗୁଡ଼ା ଠିକ୍‍ କରିଛି କି ନାହିଁ ଟିକେ ଭାବିନେଇ ହୋସ ବାନ୍ଧିଲି ।’’

 

‘‘ଚିକିଟା ମାଟି; ରାସ୍ତା ଭାରି ଖସଡ଼ା ହୋଇଥାଏ । ଗୋଡ଼ ଖସିଗଲେ ସବୁ ଶେଷ । ହୁସିଆର ହୋଇ ଯିବାକୁ ହେଉଥାଏ । ସୁରଭାଇଙ୍କ ଜୋତାରୁ କାଦୁଅପାଣି ପିଚିକା ମାରି ମୋ ଗୋଡ଼ରେ ପଡ଼ୁଥାଏ । ଦୁହେଁ ବେଳେବେଳେ ଗୋଡ଼କୁ ଗୋଡ଼ ଛନ୍ଦରି ହେଲାପରି ଲାଗି ଲାଗି ଯାଉଛୁଁ । ଏହା ହେବା ସ୍ୱାଭାବିକ । ସେଥିପାଇଁ ମୋର ଟିକେ ହେଲେ ମନରେ ଦୁଃଖ ନ ଥାଏ । ଗାଁ ଟପି ପହଞ୍ଚିଲୁ ବିଲ ମଝିରେ । ହିଡ଼ ରାସ୍ତା; ଦୁଇଜଣ ଏକ ସଙ୍ଗରେ ଯିବା ବଡ଼ କଷ୍ଟ । ସେ ଧରିଲେ ଛତା । ମୁଁ ବିଲ ଭିତରେ ପଶି ତାଙ୍କ ପାଖେ ପାଖେ ଚାଲିଲି । କିଛି ବାଟ ଗଲାପରେ ପଡ଼ିଆ ପଡ଼ିଲା । ଭାବିଲି, ଏଇଥର ସୁବିଧା ହେଲା । କିନ୍ତୁ ଚାଁହୁ ଚାହୁଁ ଜୋରରେ ପବନ ବହିଲା । ଛତାଟାକୁ ସମ୍ଭାଳି ପାରିଲେନି ସୁରଭାଇ । ଦୁହେଁଯାକ ଧରିଲୁଁ; ହେଲେଆଉ ଯାଇପାରିଲୁଁନି ଆଗକୁ-। ଗୋଟାଏ ଜାଗାରେ ଠିଆହୋଇଗଲୁଁ । ତାଙ୍କ ଥଣ୍ଡା ଦେହଟା ମୋ ଦେହରେ ଲାଗି ମତେ ବାୟାଣୀ କରିପକାଇଲା । ମନେହେଲା, ଏହାଙ୍କ ଶୀତଳ ଦେହର ସ୍ପର୍ଶରେ ପୃଥବୀର ସବୁ ଉତ୍ତାପ ଯିମିତି ଶୀତଳ ହୋଇଯିବ । ସେ ବି ମୋ ପରଶ ପାଇ ସେଇମିତି ଅନୁଭବ କରୁଥାନ୍ତି କି କ’ଣ-। କୌଣସି କଥା ବାହାରୁ ନ ଥାଏ କାହାରି ପାଟିରୁ ।’’

 

‘‘ପବନ ଟିକେ ଥମିଲା । ଆମେ ପୁଣି ଚାଲିବା ଆରମ୍ଭ କଲୁଁ । ମେଘ ସାମାନ୍ୟ ହେଉଥାଏ । ସୁରଭାଇ କହିଲେ, ‘ଅବି ସ୍କୁଲକୁ ନ ଆସିବାର କାରଣ କିଛି ଜାଣିଛୁ ?’ ମୁଁ କହିଲି, ‘ତାଙ୍କୁ ପରା ଜର !’ ସେ କହିଲେ, ‘ନା, କଥାରେ ମଞ୍ଜି ଅଛି ନା; ତୁ କହୁଛୁ ଜର !’ ମତେ ବଡ଼ ଆଶ୍ଚର୍ଯ୍ୟ ଲାଗିଲା । କ’ଣ ସୁରେନ୍ଦ୍ରଭାଇ କହୁଛନ୍ତି, ବୁଝିପାରିଲିନି ମୋଟେ । ସେ କହିଲେ, ‘ଲେଖାକୁ ତୁ ଜାଣୁ ? ତୁ ଯେଉଁଦିନ ସ୍କୁଲକୁ ଆସି ନ ଥିଲୁ, ସେହିଦିନର କଥା । ଚାରିଟା ବେଳେ ହଷ୍ଟେଲ ପିଲା ଖେଳିବାକୁ ଗଲେ । ଆମେସବୁ ଘରକୁ ଫେରୁଥାଉଁ । ଲେଖା ଖେଳପଡ଼ିଆ ପାଖରେ ଠିଆହୋଇ ଖେଳ ଦେଖିଲା; ଅବି ମଧ୍ୟ ରହିଲା । ସନ୍ଧ୍ୟା ରତରତ ହୋଇଆସିଲା । ଲେଖା ଚାଲିଲା ତା’ ରାସ୍ତାରେ । ଶିକାର ପଛରେ ଶିକାରୀ ଗୋଡ଼ାଇଲାପରି ଅବି ତା’ ପଛେ ପଛେ ଗଲା । ତାକୁ ପଛରୁ ଡାକିଲା । ସାଥିହୋଇ ଯିବାପାଇଁ । ଲେଖା ସରଳବିଶ୍ଵାସ କରି ଠିଆ ହୋଇଗଲା । ତା’ ମନକୁ ପାପ ମୋଟେ ଛୁଇଁ ନ ଥିଲା । ଅବି କହିଲା, ‘ତତେ ଅନେକଥର କହିବି କହିବି ହେଲିଣି; କିନ୍ତୁ କହିପାରୁନି । ଗୋଟାଏ ମନିବ୍ୟାଗ ବୁଣିଦିଅନ୍ତୁ ? ମୁଁ ସୂତା ଆଣି ଦେବି ।’ ଲେଖା କହିଲା, ‘ମଲା, ଏଇ ଗୋଟାଏ ସାମାନ୍ୟ ଜିନିଷ, ଏଥିପାଇଁ ତୁମେ ସୂତା ଦେଲେ ହେବ, ନ ହେଲେ ନାହିଁ ! ବୁଣିଦେବି ଗୋଟାଏ, ଆଉ କ’ଣ; କିନ୍ତୁ ଏଇକ୍ଷଣି ନୁହେଁ । ଛୁଟିରେ ନିଶ୍ଚୟ ଦେବି ।’ ତା’ର ସମ୍ମତିସୂଚକ କଥା ଶୁଣି ଅବି ଖୁସି ହେଲା ଖୁବ୍ । ଭାବିଲା ଯିମିତି କି ତା’ର କୌଣସି କଥାକୁ ସେ ଏଡ଼ାଇ ଦେବାକୁ ଚାହେଁନି । ଏଇ କଥା ତା’ ମନରେ ଦୃଢ଼ୀଭୂତ ହେଲା; କହିଲା, ‘ଲେଖା, ତତେ ପଦେ କଥା ମନଖୋଲି କହିବି କହିବି ବୋଲି ଆଜିଯାଏ କହିପାରିନି । କହିବାକୁ ବି ସାହସ କରିନି, କାଳେ ତୁ ରାଗିବୁ କି ଗାଳିଦେବୁ, ଏଇଥିପାଇଁ ।’ ଲେଖା କହିଲା, ‘କଥା କ’ଣ ? ରାଗିବି, ଗାଳିଦେବି କାହିଁକି ମ ? କ’ଣ କହିବାର ଅଛି, କହୁନା !’ ଏତକ ଶୁଣି ଅବି ଆଉରି ଦମ୍ଭ ଧରିଲା; ଭାବିଲା ଯାହାହେଉ ଏଥର ନିଶ୍ଚୟ କାମଟା ହାସଲ ହେବ । ଉପର ପକେଟରୁ ଖଣ୍ଡିଏ ଛୋଟିଆ କାଗଜ କାଢ଼ି ତା’ ହାତକୁ ବଢ଼ାଇଦେଲା; କହିଲା, ନେ, ଏଥିରୁ ସବୁ ଜାଣିପାରିବୁ ।’ କ’ଣ ଲେଖିଥିଲା କେଜାଣି, ଲେଖା ତାକୁ ପଢ଼ି ଜଉଘର ନିଆଁ ପାଇ ହୁ ହୁ ହୋଇ ଜଳିଉଠିଲା ପରି ଜଳିଉଠିଲା ଲେଖା । ଆଖି ଦି’ଟାରୁ ତା’ର ନିଆଁ ବାହାରିଗଲା । ଯାହା ପାଟିରୁ ବାହାରିଲା, କହିଗଲା ତାକୁ । ଚିଠିକୁ ସାଇତି ରଖିଲା; ଘରେ ପହଞ୍ଚି ଭୋ ଭୋ ହୋଇ କାନ୍ଦିଲା । ତା’ ବୋଉ ଦଉଡ଼ିଆସି କଥାଟା କ’ଣ ଜାଣିବାକୁ ବ୍ୟସ୍ତ ହେଲେ । ସେ ସବୁ ଘଟଣା କହିଗଲା; ଚିଠିଟା ବୋଉ ହାତକୁ ବଢ଼ାଇଦେଲା । ସେଇ ଚିଠି ତା’ ବାପା ଆମ ହେଡ୍‍ମାଷ୍ଟରଙ୍କୁ ଦେଖାଇ ବିଚାର ପାଇଁ ଦେଇଛନ୍ତି । ସେଇଦିନୁ ଅବି ଆସୁନାହିଁ ସ୍କୁଲକୁ ।’’

 

‘‘ସୁରଭାଇଙ୍କର କଥା ସରିଲା । ମୁଁ ଏତେଗୁଡ଼ାଏ କଥା ଶୁଣି ଭାବିଲି, ହୋଇପାରେ, ଅସମ୍ଭବ ନୁହେଁ । ମାଈକିନିଆ ଝିଅ; ତା’ର କ’ଣ ମାନସମ୍ମାନ ନାହିଁ ? ସେ ଠିକ୍‍ କରିଛି; ଲୁହା ଜାଣି ପାଣି ଦେଇଛି । କୁକୁର ଗୋଟାଏ ପତରରୁ ଆଉ ଗୋଟାଏ ପତରକୁ ଖାଇବାକୁ ଦୌଡ଼ିଲେ କାମୁଡ଼ା ଖାଇବା ସ୍ୱାଭାବିକ । ଏଡ଼େ ନିର୍ଲ୍ଲଜ୍ଜ ସେ ! ଗଛରେ ଫଳ ଫଳିଛି, ୟା’ ବୋଲି ସବୁଗୁଡ଼ା ଅଇଁଠା କରି ଦେଇଯିବେ ! ଲେଖାଟି ଭଲ ପିଲା । ତା’ପ୍ରତି ମୋର ଯେଉଁ ଧାରଣା ଥିଲା ସେସବୁ ଭୁଲ ବୋଲି ଜାଣିଲି । ତା’ର ଛବି ମୋ ଆଖି ଆଗରେ ନାଚିଉଠିଲା । ନିଶ୍ଚୟ ସେ ହିଂସୁକ ନାଗୁଣୀପରି ଆଘାତ ଦେଇଥିବ । ଆଉ ଏଇ ସୁରେନ୍ଦ୍ରଭାଇ, ମୋ ଆଗରେ ତାଙ୍କ ଦୁହିଁଙ୍କର ଘଟଣାକୁ ପ୍ରକାଶ କରିବାକୁ ଏତେ ବିକଳ ହୋଇଉଠିଲେ କାହିଁକି ? ସେ ତ ଡାଆଣା ପିଲାଙ୍କ ଭଳି ଲେଖା ପଛରେ କେତେଥର ଗୋଡ଼ାଇଛନ୍ତି । ସେଇଥିଲାଗି ସାଥିପିଲା ତାଙ୍କୁ କେତେ ଥଟ୍ଟା କରିବାର ମୋ କାନରେ ବାଜିଛି । ତେବେ କାହିଁକି ? ଲେଖାଠୁଁ ହୁଏତ କେଉଁଦିନ ଏ ମଧ୍ୟ ଠୋକର ଖାଇଛନ୍ତି; ବ୍ୟର୍ଥତାରେ ଫରିଆସିଛନ୍ତି ତା’ ନିକଟରୁ । ଏ ଜନ୍ତୁର ବିଷ ବି ଉତ୍କଟ । ଏଇଭଳି କଥା କହି ମୋ ମନଟାକୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ବୋଧହୁଏ । ଘୁରୁଥିବା ଚକ ଉପରେ ଖଣ୍ଡିଏ ଛିଣ୍ଡା କାଗଜ ପଡ଼ିଲେ ସେ ଯିମିତି ଛାଏଁ ବହୁତ ଦୂରରେ ଯାଇ ପଡ଼େ, ମୁଁ ତାଙ୍କ କଥା ଶୁଣି ସିମିତି ଦୂରକୁ ଘୁଞ୍ଚିଯାଇଥିଲି । ମେଘ ଛାଡ଼ି ନ ଥାଏ । ସେ ମୋତେ କହିଲେ, ‘ଆହା, ତିନ୍ତିଯିବୁ ଯେ, ଛତାତଳକୁ ଆ ।’ ମୁଁ ତାଙ୍କ କଥାକୁ ଛଳନା ମନେକରି ରାଗିଉଠିଲି ତାଙ୍କ ଉପରେ । ରାଗକୁ ଚାପିରଖି କହିଲି, ‘ହେଇପରା ସ୍କୁଲ ଦିଶିଲାଣି ! ଆସ, ମୁଁ ଏଥର ଚାଲିଯିବି ଯେ ।’’

 

‘‘ସ୍କୁଲରେ ରମା, ଲୀଳା, କାମିନୀ ସେଇକଥା ମତେ କହିଲେ । ବଡ଼ ଚାଞ୍ଚଲ୍ୟ ଖେଳିଥାଏ କଥାଟା ଉପରେ । ଆମେ ଝିଅପିଲାସବୁ ଠିକ୍‍ କଲୁଁ, ଏଣିକି ପୁଅପିଲାଙ୍କ ସାଙ୍ଗରେ ଆଉ କଥାବାର୍ତ୍ତା କରିବୁଁ ନାହିଁ । ତାଙ୍କର ସିନା କିଛି କ୍ଷତି ହେବ ନାହିଁ, ଆମର ମାନଇଜ୍ଜତ ଯିବ । କେଉଁ କୁଳର ହେବୁ ନାହିଁ । ସେତେବେଳେ କିଏ ପିଠିରେ ପଡ଼ିବ ? ଘରେ ବି ସେହିଭଳି କଡ଼ା ଶାସନ ହେଲା ।’’

 

‘‘ସ୍କୁଲରେ ମିଟିଂ ହେଲା । ଉଭୟଙ୍କ ଅଭିଭାବକ ଆସିଲେ । ଅବିଭାଇ ମଧ୍ୟ ଆସିଲେ । ବହୁତ ଆଲୋଚନା ହେଲା; କିନ୍ତୁ କିଛି ପ୍ରମାଣ ମିଳିଲା ନାହିଁ । ସେ କାଗଜଟି ତାଙ୍କ ହାତଲେଖା ନୁହେଁ । ବିଚାରରେ ଅବିଭାଇ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହେଲେ । ଆମେସବୁ ଏକଥା ଶୁଣି ତାଟକା ହୋଇଗଲୁଁ । ଆମର ବା ସେ ବିଷୟରେ ମୁଣ୍ଡ ଖେଳାଇ ଲାଭ କ’ଣ ?’’

 

‘‘ନିଜ ଲାଜ ନିଜକୁ ଖାଏ । ସେହିଦିନଠୁଁ ଅବିଭାଇ ମତେ ଆଉ ଡାକିଆସନ୍ତିନି, ମୁଁ ବି ତାଙ୍କୁ ଅପେକ୍ଷା କରେନି । ବାଟରେ ଗଲାବେଳେ ତାଙ୍କ ବାଟରେ ସେ ଚାଲିଯାଆନ୍ତି, ମୁଁ ମୋ ବାଟରେ ତଳକୁ ମୁହଁକରି ଚାଲିଯାଏ । ଅବିଭାଇଙ୍କୁ ମନେମନେ ଘୃଣା କରେଁ, ଯିମିତି କି ସେ ମୋ’ଠାରୁ ବଳାତ୍କାରରେ କିଛି ନେଇଯାଇଛନ୍ତି । ଆଉରି ଭଣ୍ଡିବାର ମନୋଭାବ ପୋଷଣ କରି ହୁଏତ ପୁଣି କେତେବେଳେ କ’ଣ କରିପକାଇବେ । ଯେ ଦାଗୀ ତାକୁ ସମସ୍ତେ ଡରନ୍ତି ।’’

 

‘‘ଏଇମିତି ଦିନେ ଅଧେ ନୁହେଁ, କେତେଟା ମାସ ଚାଲିଗଲା । ତାଙ୍କ ବିଷୟରେ ଗାଁରେ କେତେ ଲୋକ କେତେ ଆଲୋଚନା କଲେ । ପ୍ରଶଂସା ବି କଲେ ବହୁତ ଲୋକ । ମୋ ବାପା ବୋଉ ବି ତାଙ୍କୁ ପ୍ରଶଂସା କରନ୍ତି । ଥରେ ସେ ଆମ ଘରଆଡ଼କୁ ଆସିଥାନ୍ତି । ବୋଉକୁ ଦେଖିବାରୁ କହିଲେ, ‘ଆମ କୁରାଢ଼ିଟା ଦିଅ ।’ ବୋଉ ଗୋବର ଟୋକେଇ ଧରି ବାହାରିଥାଏ ଘଷି ପକାଇବାକୁ-। ମତେ କହିଲା, ‘ଭାଡ଼ିତଳୁ କୁରାଢ଼ିଟା ଆଣି ଦେଇଦେଲୁ ସାବି !’ ବୋଉର ବୋଲ ମାନି କୁରାଢ଼ିଟା ଖୋଜିଆଣି ଦେଲି । ସେ ଠିଆ ହୋଇଥାନ୍ତି ଦୁଆରମୁହଁରେ । ମତେ ଚାହିଁଲେ । ମୁଁ ଟିକେ ହସିଦେଲି । କାହିଁକି ଯେ ହସିଲି, କିଛି ସ୍ଥିର କରିପାରିଲି ନାହିଁ । ପୂର୍ବକଥାକୁ ମନେ ପକାଇ ମନଟା ଆଉରି ଛନକିଲା ।’’

 

‘‘ଖେଳ ଆଉ ପାଠପଢ଼ା ମୋର ହେଲା ଦୈନନ୍ଦିନ କାର୍ଯ୍ୟର ପ୍ରଧାନ ଅଙ୍ଗ । ବିଶେଷତଃ ଖେଳଟା ସବୁଠାରୁ ବଡ଼ । ଖେଳସାଥୀ ଭିତରେ କେତୋଟି ଝିଅପିଲା ଆଉ କେତୋଟି ସାନସାନ ପୁଅପିଲା । କିନ୍ତୁ କେହି ସମାନ ବୟସର ନୁହନ୍ତି । ତେଣୁ ତାଙ୍କ ସାଙ୍ଗରେ ଖେଳ ଖେଳିବାରେ ସେତେ ମଉଜ ଉଠେନି । ତାଙ୍କଠୁଁ କିଛି ନୂଆ କଥା ମିଳେନି । ମିଳିଲା ଭଳି ବି ମନ ବୁଝେନି । ଏଇଭଳି ନିର୍ବୋଧ ସାଥୀ ଆଉ ନିଷ୍ପ୍ରାଣ ବହି ଖାତା ଆଦିଙ୍କୁ ନେଇ ମୁଁ ସଦାବେଳେ ନୀରସତା ବୋଧ କଲି । କ୍ଷତ ସ୍ଥାନଟାର ଅଭାବ ପୂରଣ ପାଇଁ ଯିମିତି ରକ୍ତମାଂସର ଉପାଦାନ ଶୀଘ୍ର ଆବଶ୍ୟକ ହୋଇଥାଏ, ମୋ କ୍ଷତବିକ୍ଷତ ମନଟା ସେହିପରି କ’ଣ ଗୋଟାଏ ଆବଶ୍ୟକ ବୋଧକଲା ।’’

 

‘‘କାର୍ତ୍ତିକମାସ ହୋଇଥାଏ । ଆମ ଗାଁଯାକ ଲୋକ ଘଡ଼ିଏ ରାତିରୁ ନଈକୁ ସବୁଦିନେ ଗାଧୋଇଯାନ୍ତି । ମୁଁ ବୋଉ ହେରିକାଙ୍କ ସାଙ୍ଗରେ ଯାଏ । ଶୀତ ଯେତେ ହେଉଥିଲେ ବି ଗାଧୋଇବାକୁ ପଡ଼େ । ହେଲେ କାହାରି ବାଧ୍ୟବାଧକତାରେ ନୁହେଁ, ଗୋଟାଏ ଆନନ୍ଦରେ । ସମସ୍ତେ ଧର୍ମବିଶ୍ୱାସ ରଖି ଗାଧାନ୍ତି । ମୋର କିନ୍ତୁ ସେ ଚିନ୍ତା ମୁଣ୍ଡକୁ କାହିଁକି ଢୁକି ନ ଥାଏ । ଝାଡ଼ା, ଦାନ୍ତଘଷା କାମ ସାରି ଗାଧୋଉ ଗାଧୋଉ ପ୍ରାୟ ଫରଚା ହୋଇଯାଏ । ଅବିଭାଇଙ୍କୁ ସେଇଠି ଦେଖେ । ସେ ଗାଧୋଉଥାନ୍ତି । ମୁଁ ତାଙ୍କ ଆଡ଼େ ବେଳେ ବେଳେ ଆଖି ବୁଲାଇ ଚାହିଁଦିଏ । ତାଙ୍କ କଜଳକଳା ମୁଣ୍ଡର ବାଳଗୁଡ଼ାକ ଦେଖି ଖୁସି ଲାଗେ । ତାଙ୍କ ମୁହଁରେ ହସ ଦେଖି ମୁଁ ହସିଉଠେ । ମୁଁ ଯେତେବେଳେ ପାଣିରୁ ଉଠିପଡ଼ି ଲୁଗା ବଦଳାଏ, ସେ ମୋ ଆଡ଼କୁ ଚାହାନ୍ତି । ମୁଁ ପେଟତଳେ କାନିଟାକୁ ଗୁଞ୍ଜିଦେଇ ଲୁଗା ଧୁଏ । ସାଙ୍ଗପିଲା ସେତିକିବେଳେ ଯିବା ପାଇଁ ଡାକନ୍ତି । ମୁଁ କହେଁ, ‘କାହିଁକି ଘରେ କ’ଣ ଛାଡ଼ିଆସିଚ କି ? ତୁମେ ସବୁ ପାଣିରେ ବୁଡ଼ିବ ତ ଉଠିବ । ମୁଁ କିନ୍ତୁ ଟିକିଏ ଘଷିଘାଷି ନ ହେଲେ ମତେ ଦିନଟାଯାକ ଖରାପ ଲାଗିବ । ସେଇଥିପାଇଁ ମୋର ଡେରି । ରୁହ, ଯିବା ତ !’ ସେମାନେ କହନ୍ତି, ‘ହଁ, ଦେହଟାକୁ ଘଷିମାଜି ସଫା ନ କଲେ.... ।’ ମୁଁ କହେଁ, ‘ହଁ, ବହୁତ କଥା ତ ଶିଖିଲଣି । କେଉଁଠି ତାଲିମ ହୋଇଥିଲା ମ ?’ ଆମର ଏଇ କଥାବାର୍ତ୍ତାକୁ ସେ ଶୁଣନ୍ତି । ମୋର ମଧ୍ୟ ଶୁଣାଇବାର ଆକାଙ୍‍କ୍ଷା ବେଶୀ । ସାଧାରଣତଃ ଝିଅପିଲାମାନେ ପୁଅପିଲାଙ୍କୁ ଦେଖିଲେ ବା ପୁଅପିଲାମାନେ ଝିଅପିଲାଙ୍କୁ ଦେଖିଲେ ଥଟ୍ଟା ତାମସା ହୋଇଥାନ୍ତି ଯିମିତି । ଏଇଟା ଆଉ କିଛି ନୁହେଁ । କେବଳ ବୟସର ଚାପ ବୋଲି ବୁଝିବାକୁ ହେବ ।’’

 

‘‘ପୁର୍ଣ୍ଣିମାର ପୂର୍ବଦିନ । ଡଙ୍ଗା କେତେଟା କରିବାକୁ ହେବ । ଆମ ବାଡ଼ିଟାରେ କଦଳୀଗଛ ବହୁତ । ମାତ୍ର କରିଦେବ କିଏ ? କାହାକୁ ଯିମିତି ମୁଁ ଖୋଜୁଥାଏ । ଅବିଭାଇ ଗୋଟାଏ କଟୁରି ଧରି ଆସି ପହଞ୍ଚିଲେ । ବୋଉକୁ କହିଲେ ଦି’ଖଣ୍ଡ ବାସୁଙ୍ଗା ନେବାପାଇଁ । ବୋଉ କହିଲା, ‘ଅଣକଦଳିଆ ଗଛ ଦେଖି କାଟିବୁ । ଆମ ସାବିକୁ ଦି’ଟା ସେଥିରୁ କରିଦେବୁ । ମତେ ସେଗୁଡ଼ା ଆସେନି ।’ ମୋର ପେଟ ପୂରିଉଠିଲା । ମୁଁ ତାଙ୍କ ପଛେ ପଛେ ଗଲି । ସେ କଦଳୀଗଛଟାଏ କଟୁରିରେ କାଟି ଚିରିଲେ । ଜଣେ ଜଣକର କାମଟା କରିଦେଲେ ସ୍ୱତଃ କୃତଜ୍ଞତା ଆସିଥାଏ । ତେଣୁ ମୁଁ ତାଙ୍କୁ ମନେମନେ ପ୍ରଶଂସା କଲି । ତାଙ୍କ ନାଁରେ ଯେଉଁ ଗୁଜବ ଉଠିଥିଲା, ସେଥିପାଇଁ ଦୁଃଖିତ ହେଲି । ଭାବିଲି, ସେ କ’ଣ ଏମିତି ଦୁଷ୍ଟ ? କେବେ ନୁହେଁ । ଦିନେ ତ କେହି ତାଙ୍କୁ ଚିଡ଼ିକରି ପଦେ କଥା କହିବାର ଶୁଣାଯାଇନାହିଁ । ଏ ଯେଉଁ ଲେଖା, ଓହୋ ! ନ ହେଲା କଥାକୁ ହେଲା କରିଦେଲା । କ’ଣ ପାଇଲା ? ନିଜ ଉପରେ ନିଜେ ଦାଗଟାଏ ରଖିଲା ।’’

 

‘‘ମୁଁ ନୀରବ ପାଲଟିବା ଦେଖି କି କ’ଣ ସେ ମତେ କହିଲେ, ‘ଖଡ଼ିକା ଦି’ଟା ଆଣିଲୁ ନାହିଁ ?’ ମୁଁ କହିଲି,‘ ହଉ ଯାଉଛି ।’ ପୁଣି ଲେଉଟିପଡ଼ି କହିଲି, ‘ଆଉ ତୁଳା ?’ ସେ ହଁ ମାରିଲେ । ମୁଁ ଖଡ଼ିକା ଓ ତୁଳା ଆଣି ପହଞ୍ଚିଲି । ତୁଳାକୁ ସୁଆଁରି ଖଡ଼ିକାରେ ବଳିଦେଲି । ବଳିବା ବେଳେ ସେ ମୋ ଜଙ୍ଘଆଡ଼କୁ ଏକ ଦୃଷ୍ଟିରେ ଚାହିଁଥାନ୍ତି । ମୁଁ ମଧ୍ୟ ବଳୁ ବଳୁ ତାଙ୍କଆଡ଼େ ଚାହିଁଦେଉଥାଏ । ସେତେବେଳେ ଖଡ଼ିକାର ଦେହସାରା ତୁଳା ଗୁଡ଼େଇହୋଇଯାଉଥାଏ । ସେ ହସିଲେ । ମୁଁ ବି ଭୁଲଟା ପାଇଁ ଟିକିଏ ଅପମାନିଆ ହସ ହସିଲି । ସେ ସେଇଠୁ ଛଡ଼ାଇ ନେଇ ନିଜେ ବଳିଲେ । ବାସୁଙ୍ଗାକୁ ଛୋଟ ଛୋଟ ଖଣ୍ଡ କରି ସେଥିରେ ତାକୁ ପୋତିଲେ । ତାଙ୍କ ପ୍ରତି ମୋର ଧାରଣା ସେଇଠୁ ବଦଳିଗଲା । ତାଙ୍କ ରୂପରେ ଚୁମ୍ବକ ଥାଏ କି କ’ଣ ମତେ ନ ଝିଙ୍କି ରଖାଇ ଦେଲା ନାହିଁ । କହିଲେ, ‘ଦେଖ୍‍, କାହାକୁ ନବୁ ।’ ମୁଁ କହିଲି, ‘ଦଉନା ଯୁଆଡ଼ୁ ହେଲେ ।’ ସେ ମତେ ଚାରିଟା ଦେଇ ଅବଶିଷ୍ଟ ଧରି ଚାଲିଲେ । ମୋ ମନଟା କିନ୍ତୁ ତାଙ୍କୁ ଆଉ କିଛି ସମୟ ଅଟକାଇବାକୁ ବ୍ୟସ୍ତ ହେଲା-। ଜାଣିଶୁଣି ଗୋଟାଏ ଡଙ୍ଗା ହାତରୁ ଖସାଇ ପକାଇ ଡାକିଲି, ‘ଅବିଭାଇ, ପଡ଼ିଗଲା ।’ କହିଲେ, ‘ଖାଉନୁ କି ଜମା ? ଏଇ ସାମାନ୍ୟ ଜିନିଷ ଧରିପାରୁନାହୁଁ ? ଭାଙ୍ଗିଦେଲୁ ତ ଆଉ କ’ଣ-!’ ମୁଁ ତଳକୁ ନଇଁପଡ଼ି ଉଠାଇବାକୁ ଗଲାବେଳକୁ ସେ କହିଲେ, ‘ଥାଉ ଥାଉ, କାହିଁକି ସେଟା ଆଉ ଉଠାଉଚୁ । ଚାଲ, ଆଉ ଗୋଟାଏ କରିଦେବି ।’ ସେ ତିଆରି କରି ବସିଲେ । ମୁଁ ତାଙ୍କ ପାଖରେ ବସିଲି । ‘ଏଇଠି ଖରାପ ହେଲା’ କହି ତାଙ୍କ ହାତକୁ ଠେଲିଦେଲି । ସେ ଯେଉଁ ସ୍ଥାନରେ ଖଡ଼ିକା ବସାଇଥିଲେ ସେଠାରୁ ଉଠାଇ ଅନ୍ୟଠି ପୋତିଲେ । ସେ କାମଟା ଅବା କେତେ ସମୟ ଲାଗନ୍ତା-! ପଳାଇଗଲେ ସେ । ମୁଁ ବି ଘରକୁ ଫେରିଲି । କ’ଣ କହି ତାଙ୍କୁ ଆଉ ଫେରାଇ ହେଲା ନାହିଁ ।’’

 

‘‘ଗାଧୋଇ ଆସି ଠାକୁରାଣୀଙ୍କ ନିକଟକୁ ଗଲି । ସେଠାରୁ ଦର୍ଶନ କରି ଫେରୁଥାଏ ଏକୁଟିଆ । ଅବିଭାଇ ଅକସ୍ମାତ୍‍ ପଛରୁ ଡାକି ଡାକି ଆସିଲେ । ତାଙ୍କ ଡାକରେ ମୋ ଦେହରେ ପ୍ରାଣ ପଶିଗଲା ଯିମିତି । ସେ ଠାକୁରାଣୀଙ୍କ ଛଡ଼ା ଫୁଲହାରଟିଏ ହାତରେ ଧରିଥାନ୍ତି । ଚାରିଆଡ଼କୁ ଚାହିଁ ମୋ ବେକରେ ଲମ୍ବାଇଦେଲେ । କହିଲେ, ‘ନେ, ତୋର ଭଲପାଇବାର ନିଦର୍ଶନ ସ୍ୱରୂପ ଏଇ ଫୁଲହାରଟି । ତୁ ମତେ ଭଲପାଉ, ମୁଁ ଜାଣେ । ମୁଁ କିନ୍ତୁ ଦୁର୍ବଳ । ସେ ଦିନର ଲେଖା ଘଟଣା ନେଇ ମୁଁ ବଡ଼ ମର୍ମାହତ ହୋଇପଡ଼ିଚି । ତୁମ୍ଭମାନଙ୍କ ସାଙ୍ଗରେ ଆଉ କଥାବାର୍ତ୍ତା କରିବାକୁ ସାହସ ହେଉନାହିଁ । କେବଳ ତୋର ହସ ହସ ମୁହଁକଥା ମନେପକାଇ ଦିନଗୁଡ଼ାକ କଟାଇଦେଉଚି । ତତେ ହାତରେ ପାଇ ନ ଥିଲେ ସୁଦ୍ଧା ପାଇବାପାଇଁ କୌଣସିପ୍ରକାର ପ୍ରତିବନ୍ଧକ ବା ତୋର କୌଣସି ଆପତ୍ତି ନାହିଁ ବୋଲି ଜାଣି ମୁଁ ଭଲ ଭାବରେ ମଜଭୁତ ହୋଇ ବସିଚି । ସମାଜର ଯେଉଁ ବିରୋଧ ପାଚିରୀ ଅଛି, ତାକୁ ଭାଙ୍ଗିଲେ ଭାଙ୍ଗିବା ଆମେ ଦୁଇଜଣ ।’’

 

‘‘ମୁଁ କହିଲି, ‘ଅବିଭାଇ, ଆମେ ଖାଲି କଳ୍ପନା ଭିତରେ ନିଶ୍ଚେଷ୍ଟ ହୋଇ ଯାନ୍ତ୍ରିକ ଭାବରେ ଘୂରି ବୁଲୁଛେ । କଳ୍ପନାର ଯେଉଁ ଅଡ଼ୁଆ ମଡ଼ୁଆ ଖିଅ, ତାକୁ କରାୟତ୍ତ କରିବା ବଡ଼ କଠିନ । ସେ ଯେ କେତେବେଳେ ଆମକୁ ଦୋହଲାଇ ନ ଦେବ, କହି ହେଉନି ।’ ପୁଣି କହିଲି, ‘ଅବିଭାଇ, ଏ ଫୁଲହାର କ’ଣ ସତରେ ରହିବ ? ଏ ଯେତେବେଳେ ମଉଳିଯିବ, ତୁମେ ନ ଥିବ ଏହାର ଶୁଖିଲା ପାଖୁଡ଼ାଗୁଡ଼ା ଦେଖିବାକୁ । ଦେଖିବି ମୁଁ, ତାକୁ ଦେଖି ମଉଳା ମନରେ ତୁମକୁ ଝୁରିହେବି ଖାଲି । ବେଦନାଟାକୁ କ’ଣ ବଢ଼ାଇବାପାଇଁ ମତେ ୟାକୁ ଦେଇଚ ? ସହିପାରିବିନି ଏହାର ଆଘାତ । ସହିପାରିବିନି ଏହାର ଭାରା । ଏହାରି ଭିତରେ ଆମର ଏକତ୍ଵର ଗ୍ରନ୍ଥି ନାହିଁ । ଅଛି ଖାଲି ପୀଡ଼ା, ଆଉ ବେଦନାର କ୍ଷୁଦ୍ର କ୍ଷୁଦ୍ର ଅଦୃଶ୍ୟ କୀଟ । ହୋଇପାରେ, ଏ ଦେବତାର ଆଦରର ଧନ । ମୋ ପାଖରେ କିନ୍ତୁ ତୁଚ୍ଛ, ଅତି ନଗଣ୍ୟ । ନିଅ, ଫିଙ୍ଗିଦିଅ । ଚାହେଁନା ମୁଁ ଫୁଲ । ଚାହେଁ ତୁମର ମନ; ମୋ’ ଦେହ ଭିତରେ ତା’ର ମୃଦୁ ନର୍ତ୍ତନ, ଯାହାର ନୃତ୍ୟ ଛନ୍ଦରେ ମୋର ବେସୁରା ବୀଣାତନ୍ତ୍ରୀ ଝଙ୍କାରିଉଠିବ ।’’

 

ଫୁଲହାରଟାକୁ ବେକରୁ କାଢ଼ିପକାଇ ହାତରେ ଧରିଲି । ପଚାରିଲି, ‘କ’ଣ କହୁଚ ଅବିଭାଇ ? ନୀରବ ରହିଲ କାହିଁକି ?’ ଅବିଭାଇ ଯେ ସେତେବେଳେ କେଉଁ ଅବସ୍ଥାରେ ଥିଲେ କିଛି ଠିକ୍‍ କରିପାରିଲି ନାହିଁ । ମନେକଲି ଯିମିତି ଗୋଟାଏ ପଥର ଦେବତା ନିକଟରେ ମୁଁ ଅଳି କରୁଚି । ଉତ୍ତର ଦେବାପାଇଁ ତାଙ୍କ ପାଟିର ଦ୍ୱାର କେଉଁ ଅଜ୍ଞାତ ଶିଳ୍ପୀ ଜବରଦସ୍ତ ହୁଏତ ବନ୍ଦ କରିଦେଇଚି । ହାତକୁ ହଲାଇଲି ତାଙ୍କର । କହିଲି, ‘କୁହ, କୁହ ଅବିଭାଇ !’ ପାଇଲି ନି ଉତ୍ତର କିଛି-। ଖାଲି କ୍ଷୀଣସ୍ୱରରେ ଏକ ଆଭାସ ମିଳିଲା, ‘ସାବି, !’ ଏତିକି, ଆଉ ଯିମିତି କିଛି କହିବାକୁ ସାହସ କଲେନି ସେ । ରାସ୍ତାଟାର ଆଗରେ ପଛରେ ଲୋକଙ୍କର ଯିବାଆସିବା ଆରମ୍ଭ ହୋଇଗଲା-। ଆମକୁ ଯିମିତି କିଏ ବାଧ୍ୟ କଲା ପଳାଇଯିବାପାଇଁ । ସେ ଫେରିଲେ ତାଙ୍କ ରାସ୍ତାରେ-। ମୁଁ ମଧ୍ୟ ଚାଲିଗଲି ।

 

‘‘ଷାଣ୍ମାସିକ ପରୀକ୍ଷା ନିକଟ ହୋଇଆସିଲା । ମୁଁ ପଢ଼ାପଢ଼ିରେ ମନ ଦେଲି । କିମିତି ମୁଣ୍ଡରୁ ବୋଝଟା ଖସିଗଲେ ଯାଏ । ଗଣିତରେ ମୁଁ ବେଶି ଦୁର୍ବଳ । ସେଇଟା ଉପରେ ଟିକେ ବେଶି ଜୋର ଦେଲେ ପାସ୍‍ଟା କରିବାକୁ ମତେ ଆଉ ଭିଡ଼ ପଡ଼ିବ ନାହିଁ । କ’ଣ କରିବି, କେହି ଟିକେ ସାହାଯ୍ୟ ବି ଦିଅନ୍ତି ନାହିଁ । ଟିଉସନ ହେବାକୁ ବା ଧନ କାହିଁ ? ଏଇକଥା ବୋଉ ଆଗରେ ଦିନେ କହିଲି । ବୋଉ କାହାରିକୁ ନ ପାଇ ସେଇ ଅବିଭାଇଙ୍କୁ କହିଲା, ‘ତୁ ଟିକେ ଆସି ତାକୁ ଖଣ୍ଡେ ଦି’ଖଣ୍ଡ ଅଙ୍କ ବତାଇ ଦେଇ ଯାଆନ୍ତୁନୁ । ମାଇକିନିଆ ଝିଅ, ଆଉ କ’ଣ ସତରେ ପାଠ ପଢ଼ିବ ? ଏଇ ଏତକ କିମିତି ଡେଇଁଗଲେ ଯାଏ । ଆଉ ମୋର ବେଶି ଦରକାର ନାହିଁ ।’ ଅବିଭାଇ କହିଲେ, ‘ମୋର ତ ପରୀକ୍ଷା ପଡ଼ିବ । ମୁଁ କ’ଣ ସବୁବେଳେ ଆସିପାରିବି ? ତା’ର ଯେଉଁଥିରେ ସନ୍ଦେହ, ଚିହ୍ନ ଦେଇଥିବ । ସୁବିଧା ଅନୁସାରେ ମୁଁ ଆସି ବୁଝାଇ ଦେଇଯିବି ।’’

 

‘‘ସେଇଆ ହେଲା । ଅବିଭାଇ ଆସିଲେ, ମତେ ଗଣିତ ବୁଝାଇଲେ । ଖଣ୍ଡେ ଖଣ୍ଡେ ବୁଝୁଥାଏ, ତେଣିକି ମନଟା ମୋର ଉଡ଼ିବୁଲେ ଅନ୍ୟଆଡ଼େ । ଦିନେ କହିଲି, ‘ବୋଉ କହିଚି, ଆଜି ଆମଘରେ ଖାଇକରି ଯିବ ।’ ସେ କହିଲେ, ‘ଆଜି କ’ଣ ହେଇଚି କି ?’ ବୋଧହୁଏ ଭାବିଥିଲେ ଗୋଟାଏ କିଛି ବଡ଼ ଉତ୍ସବ ହେଇଥବ । ମୁଁ କହିଲି, ‘ନାଇଁ, ହେବ ଆଉ କ’ଣ ? ଖୁସିରେ ସିମିତି କ’ଣ ଖାଆନ୍ତିନି ?’ ସେ କହିଲେ, ‘କାହିଁ, ଆଉ କେଉଁଦିନ ତ ଡାକୁ ନ ଥିଲୁ ?’ ମତେ ଟିକେ ବାଧିଲା କଥାଟା । ବାସ୍ତବିକ ମୁଁ ଏମିତି କୌଣସି ଦିନ କାହାରିକୁ ଡାକି ନି । ଏମିତି ଉତ୍ତରଟା ଠୋସ୍‍କରି ଦେଇଦେବେ ବୋଲି ପ୍ରତ୍ୟାଶା କରି ନ ଥିଲି । ତାଙ୍କର ସ୍ପଷ୍ଟବାଦିତାର ସାହସ ଦେଖି ମୁଁ ନିର୍ଭୀକଭାବରେ କହିବାକୁ ବାଧ୍ୟ ହେଲି, ‘ତୁମର ମୋର ତ ସେତେବେଳକୁ ଏଭଳି ସମ୍ପର୍କ ନ ଥିଲା, କିମିତି ଡାକିଥାନ୍ତି ?’ ଅପେକ୍ଷା କଲି ଉତ୍ତରକୁ । କି ଯୁକ୍ତି ଦେଖାଇବେ ? ମୁହଁରେ ମୋର ଆକ୍ରମଣର ଅସଂଖ୍ୟ ମୃଦୁ ଅଗ୍ନିକଣା । ସେ ମୋ ପିଠିରେ ଥରେ ହାତ ବୁଲାଇଆଣି କହିଲେ, ‘ବାଃ, ସମ୍ପର୍କ ! ଏତେ ସମ୍ପର୍କ ଜଡ଼ିଗଲାଣି ମୋଠି ! ସମ୍ପର୍କଟାର ଧକ୍କା ସହିପାରିବୁ ତ ?’ ‘ହଁ, ମନର ବଳ ଥିଲେ ସବୁ ହେଇଯିବ ।’ କହିଲି ଅତି ନମ୍ରଭାବରେ । ଭାବିଲି ସମ୍ପର୍କଟା ମଣିଷ ଜାଣିଶୁଣି ଛିନ୍ନ କରେ । ଲୌକିକତାର ବାହ୍ୟ ଆଡ଼ମ୍ବର ଦେଖାଇବାକୁ ଯାଇ ସମାଜ ବନ୍ଧୁତାର ଅବମାନନା କରେ-। ଯେଉଁଠି କ୍ଷୀରନୀର ସମ୍ପର୍କ ଥାଏ, ସେଠି ଦେଖାଦିଏ ଘଣା, ଅବିଶ୍ୱାସ, ଆଭିଜାତ୍ୟ ଆଉ ଅନାଦର ଅତି ଜଘନ୍ୟ ଭାବରେ । ଏସବୁ ପ୍ରତିବନ୍ଧକ ସୃଷ୍ଟି ହେବାକୁ ମୁଁ କାହିଁକି ପ୍ରଶ୍ରୟ ଦେବି-? ମତେ ନୀରବ ଦେଖି ସେ ପୁଣି ଅଙ୍କ ବୁଝାଇ ବସିଲେ । ଭାବନାର ଅସଂଖ୍ୟ ଖିଅ ଲୋଚାମୋଚା ହୋଇ ରହିଗଲା ଦେହର କେଉଁ ଅଜଣା ସ୍ଥାନରେ ମୋର । ଆଗରେ ପରୀକ୍ଷା, ଏହି କଥା ଭାବି ମୁଣ୍ଡଟାକୁ ପୂରାଇଲି ଅଙ୍କରେ । କିନ୍ତୁ ବାରମ୍ବାର ଭୁଲ କଲି । କହିଲି, ‘ଏ ଦୁଇଖଣ୍ଡ ଥାଉ, କଲି କରିଦେଇଥିବି । ତୁମେ ଚାଲ ।’’

 

‘‘ବହି ବସ୍ତାନି ସଜାଡ଼ି ମୁଁ ଆଗ ଉଠିଗଲି । ବୋଉ ରନ୍ଧାବଢ଼ା ସାରି ଚୁଲିମୁଣ୍ଡରେ ବସିଥାଏ । ମତେ ଦେଖି କହିଲା, ‘ମୁଁ, ବାଢ଼ି ଦେଉଚି, ତୁ ଖାଇବାକୁ ଦେଇଆ ।’ ମୁଁ ତାଙ୍କ ପାଖରେ ପାଣି ଢାଳଟେ ଥୋଇଦେଇ ମୁହଁ ଧୋଇବାକୁ କହିଲି । ସେ ମୋର ଅନୁରୋଧକୁ ଆଉ ଭାଙ୍ଗି ପାରିଲେ ନି, ଆସି ଖାଇ ବସିଲେ । ବୋଉ କହିଲା, ‘ବାପା, ଆମେ କ’ଣ ଦେବୁ ତତେ ? ହାଟ ବଜାର କରିବାକୁ ତ ପଇସା ଅଭାବ । ବାଡ଼ିଘରୁ ଯାହା ଶାଗ ମାଛଟାଏ ମିଳିଲା ସେଇଥିରେ ଚଳିଯାଉ । ଆଉ ତତେ ବଡ଼େଇ ଦେଖାଇବି କ’ଣ ? ଭଦ୍ରଲୋକର ପୁଅକୁ ଡାକି ଏଇଆ ଖାଇବାକୁ ଦେବି ! ମୋର ମୋଟେ ମନ ନ ଥିଲା । ସାବି ମୋ କଥାକୁ ମାନିଲା ନି, କହିଲା, କାହିଁକି, ସେ କ’ଣ ଆମ ଘରକଥା ଜାଣନ୍ତି ନି ? ଆମେ ଯାହା ଖାଉଛେ ସେଇଆ ଦେବା । ପରଘରୁ କାଢ଼ିଆ କରି ବନ୍ଧୁଚର୍ଚ୍ଚା କରିବା ଗୋଟାଏ ଦେଖେଇ ହେବା କଥା । ତା’ କଥା ଶୁଣି ମୁଁ ତ ତାଟକା ।’’

 

‘‘ଅବିଭାଇ କହିଲେ, ‘ମାଉସୀ, ସେ ଠିକ୍‍ କହିଚି । ବାହାରେ ଗୋଟାଏ କଥା, ଭିତରେ ଗୋଟାଏ କଥା, ଏଇଟା ଭଲ ନୁହେଁ । ବନ୍ଧୁତା କ’ଣ ମାଛ ମାଂସ, ଘିଅ ଦୁଧରେ ବାନ୍ଧିହୁଏ ? ସେଇଟାକୁ ଯେ ବଡ଼ ବୋଲି ଭାବନ୍ତି, ବଡ଼ ଭୁଲ କରନ୍ତି ସେମାନେ । ମୁଁ ବନ୍ଧୁ ଘରକୁ ଗଲେ ଶାଗଭାତ ଗଣ୍ଡାକରେ ଖୁସି ହୁଏ । ସବୁ ତ ଭଲ ହେଇଚି, ଆଉ ଅଧିକ କ’ଣ ଦରକାର ? ତୁମେ ମତେ ଆଜି ଖାଇବାକୁ ଦେଇ ଋଣୀ କଲ । ଏହାର ପ୍ରତିଦାନ ଦେବାକୁ ମୋର ଶକ୍ତି ନାହିଁ ।’ ମୁଁ ଆଉ ସମ୍ଭାଳି ହୋଇପାରିଲିନି, କହିଲି, ‘ସେହି ପୁରୁଣା ଖତିଆନକୁ ପୁଣି ଓଲଟାଇଲ ? ନା, ତାକୁ ପୂରାପୂରି ଭୁଲିଯିବାକୁ ହେବ । ଏଣିକି ତୁମକୁ ସବୁଦିନେ ଖାଇବାକୁ ହେବ ।’ ସେ କହିଲେ, ‘ଚାଉଳ ସେର କେତେ ତତେ ତ ଜଣାନାହିଁ; ସେଇଥିଲାଗି କହୁଚୁ ।’ ମୁଁ ହସିଲି, କହିଲି, ‘ଜଣା ନଥାଇ ତ ବେଶ୍ ସୁଖ । ଆଉ ଜାଣିବା ଦରକାର କ’ଣ ?’ ବୋଉ କହିଲା, ‘ହଉ, ଦେଖିବି ଯେ ! ବାପ, ଏଟା ଭାରି ଉପରପଡ଼ି, କଥା ଉପରେ କଥା କହିବ, ନ ଚିଡ଼ୁଥିବା ଲୋକ ଛିଡ଼ିବ, ତା’ କଥାରେ ରାଗ କରିବୁ ନାହିଁ ।’ ସେ କହିଲେ, ‘ମାଉସୀ, ରାଗିବି ନାହିଁ କହୁଚ । ସେ ଯିମିତି ତାତିବ, ମୁଁ ତାକୁ ସେଇମିତି ତତାଇବି; ବଳେ ବଦଳିଯିବ ।’

 

‘‘ହଁ, ପରିବର୍ତ୍ତନଟା ତ ସମସ୍ତେ ଚାହାନ୍ତି । କ୍ଷତି କ’ଣ ? କହିଦେଇ ଚାଲିଗଲି ପାନ ଭାଙ୍ଗିବାକୁ । ସେ ମୋ ପାଖରେ ଯାଇ ବସିଲେ; ପାନରେ ଖଇର ଦେବାକୁ ମନାକଲେ । ମୁଁ ପାନ ଭାଙ୍ଗିଦେଇ ତାଙ୍କ ହାତକୁ ବଢ଼ାଇଦେଲି । ତାଙ୍କ ଆଖି ମୋ ଆଖିରେ ପଡ଼ିଗଲା । ଅପଲକ ନେତ୍ରରେ ଚାହିଁରହିଲି ତାଙ୍କୁ । ହୃଦୟଟା ଉଚ୍ଚାଟ ହେଲା, ତାଙ୍କୁ କୁଣ୍ଢାଇ ଧରିବାପାଇଁ । ମୋର ଗୋଟାଏ ଜିନିଷ ତାଙ୍କ ନିକଟରେ ରହିଯାଇଚି ବୋଲି ମନେହେଲା । କ’ଣ ବା କହନ୍ତି ତାଙ୍କୁ, ସେ କାଳେ କ’ଣ ଭାବିବେ ! କାକୁତି ମିନତିର ଠାଣି ନେଇ ଠିଆ ହୋଇ ରହିଲି ତାଙ୍କ ପାଖରେ ନିର୍ଜୀବ ଭଳି ! ସେ ବୋଧହୁଏ ବିପଦପାଇଁ ପ୍ରମାଦ ଗଣୁଥିଲେ–ଆମର ଗୁପ୍ତ ପ୍ରଣୟ ଏଇ ଘରର ଅନ୍ଧାର ଭିତରେ ଲୀନ ହେବ କି ଆତ୍ମପ୍ରକାଶ କରିବ । କ’ଣ ଭାବି ସେ ମୋ ଗାଲରେ ତାଙ୍କ ହାତର କୋମଳ ପ୍ରଲେପଟାଏ ଲଗାଇଦେଲେ । ମୁଁ ଚେତନା ଲାଭ କଲି ଯିମିତି । ଆଉ ମୁହୂର୍ତ୍ତେ ସେ ମୋ ପାଇଁ ଠିଆ ହୋଇପାରିଲେ ନି, ଅବଶୋଷ ରହିଗଲା । ଦେଇପାରିଲିନି ତା’ର ପ୍ରତିଦାନ କିଛି । କହିଲେ, ‘ସାବି, ଥା, ଯାଉଚି । ରାତି ଏଗାରଟା ହୋଇଯିବ’ ।’’

 

‘‘ସେ ଚାଲିଗଲେ । ମତେ କିନ୍ତୁ ବେଦନାର ଅତଳ ଗଣ୍ଡ ଭିତରକୁ ଠେଲିଦେଇ ଚାଲିଗଲେ । ସଂଜ୍ଞାହୀନ ଅବସ୍ଥାରେ ଉବୁଟୁବୁ ହେଲି, କୂଳ କେଉଁଠି ଥୟ କରିପରିଲିନି । ମୁଖମଣ୍ଡଳରେ ଅଶ୍ରୁର ବନ୍ୟା ଛୁଟାଇଦେଲି । ଖୋଜିହେଲି ତାଙ୍କୁ, ଖୋଜିହେଲି ତାଙ୍କର ସେଇ କଥା ପଦକୁ, ‘ଯାଉଚି, ରାତି ଏଗାରଟା ହୋଇଯିବ ।’ ମନେମନେ ଧିକ୍‍କାରିଲି ରାତିଟାକୁ । ଏତେ ଶୀଘ୍ର ଗଡ଼ିଗଲା ରାତିଟା ! କେଇଟା ମିନିଟ ଅବା କଟିଚି ! ନାହିଁ ସୁଖଦୁଃଖ, ନାହିଁ ହସଖୁସି, ନାହିଁ କିଛି, ଟିକିଏ ଅଟକିପାରିଲାନି ଆମ ଲାଗି ? ନିଷ୍ଠୁର, ଜଡ଼, ନିର୍ବୋଧ ! ମରଦେହୀର ବ୍ୟଥା ସେ ବା କ’ଣ ବୁଝନ୍ତା ! ବୋଉ ଡାକ ଉପରେ ଡାକ ଦେଲା ଖାଇବା ପାଇଁ । ନିଜକୁ ସଂଯତ କରିନେଇ ସ୍ୱାଭାବିକ ସ୍ୱରରେ ‘ଯାଉଚି’ ବୋଲି କହିଲି । ସେଦିନର ଏଇ କେତେପଦ କଥାବାର୍ତ୍ତା ମତେ ବେଶ୍‍ ଆନନ୍ଦ ଦେଲା । ସେଇ ଆନନ୍ଦ ଟିକକ ପାଇବାପାଇଁ ମୁଁ ତାଙ୍କର ଖାଇବାଟାକୁହିଁ ମାଧ୍ୟମ କରିଥିଲି–ଖାଲି ମୋ ପାଇଁ ନୁହେଁ; ସେହି ଆନନ୍ଦାସ୍ତ୍ର ମାରି ତାଙ୍କର ଆନନ୍ଦ ଆଉ ଆବେଗକୁ ଦ୍ୱିଗୁଣିତ କରିବାକୁ ।’’

 

‘‘ସୂର୍ଯ୍ୟ ତା’ର ଖର ରଶ୍ମି ବଳରେ ଜୀବଜଗତକୁ ଯେତେ କଷ୍ଟ ଦେଲେ ସୁଦ୍ଧା ଆନନ୍ଦ ମଧ୍ୟ ଦିଏ । କବି ଲେଖନୀରେ ଭରିଦିଅ କେତେ ରସାଣିତ କାବ୍ୟ କବିତାର ଅବର୍ଣ୍ଣିନୀୟ ଛନ୍ଦ–ବିରହିଣୀର ପ୍ରାଣରେ ସମ୍ଭୋଗର ନିଶା । ମୋ ବ୍ୟଥାକୁ ନ ବୁଝି ଯଦିଓ ସେ ଚାଲିଗଲେ, ତଥାପି ଅଜ୍ଞାତ ଆନନ୍ଦ ପାଇଁ ମୁଁ ଏଇ ସାନ୍ତ୍ୱନା ନିଜକୁ ଦେଲି, ‘ହଉ, କାଲି ତ ପୁଣି ସୂର୍ଯ୍ୟ ଉଇଁବେ’ !’’

 

‘‘ପଢ଼ାଇବା ପାଇଁ ସେ ତାଙ୍କ ସୁବିଧା ଅନୁସାରେ ଆସନ୍ତି । ମୋର ଯେତେ କାମ ଥିଲେ ସୁଦ୍ଧା ମୁଁ ଛାଡ଼ିଦେଇ ଆସି ବସେ, ବହି ଖୋଲେ, ଅଙ୍କ କରେ । ତା’ ଭିତରେ ଅନେକ କିଛି ଘଟଣା ଏ ଦେହକୁ ଛୁଇଁ ଚାଲିଗଲା । ମୋଟ ଉପରେ ଏତିକି ବୁଝ ଯେ, ମୋର ତାଙ୍କ ପ୍ରତି ଯେଉଁ ଲଜ୍ଜା ସଙ୍କୋଚ ବା ଭୟ ଟିକକ ଥିଲା, ସେ ଏକାବେଳେକେ କେଉଁଆଡ଼େ ଚାଲିଗଲା । ଦୁହେଁ ପରସ୍ପରର ଅଲକ୍ଷରେ ସେହି ବାଟ ତିଆରି କରିଥିଲୁଁ । ତାହା ପୂର୍ଣ୍ଣତା ଲାଭ କଲା ବହୁଦିନ ପରେ ।’’

 

‘‘ଷାଣ୍ମାସିକ ପରୀକ୍ଷାଟା ଦେଇଆସିଲି । ପରୀକ୍ଷାରେ ଯେଉଁଥିପାଇଁ ଭୟ ଥିଲା, ତାହା ଦୂର ହେଲା । ବୋଉ ଆଗରେ ପିଲାସବୁ କହିଲେ, ‘ସାବି ତୁମର ଭଲ କରିଚି ପରୀକ୍ଷାରେ ।’ ବୋଉର ସେଇଦିନୁ ଅବିଭାଇଙ୍କ ପ୍ରତି ସ୍ନେହଟା ବଢ଼ିଗଲା । ଟିକେ ଟିକେ କଥାରେ ତାଙ୍କୁ ଡକାଇ ପଠାଇଲା । ଯାହାହେଉ, ବୋଉ ବି ଆମର ବାଟଟାକୁ ଭଲଭାବରେ ଉନ୍ମୁକ୍ତ କରିଦେଲା ବୋଲି ଭାବିଲି । ଉଦଣ୍ଡା ମନଟା ଗୁମୁରି ଉଠିଲା ଏକ ସ୍ୱରହୀନ ସଙ୍ଗୀତ ତୋଳି ।’’

 

‘‘କିନ୍ତୁ କେଇଟା ଦିନରେ ମୋର ପାଠପଢ଼ା ଇତି ହେଲା । ବାର୍ଷିକ ପରୀକ୍ଷାଟା ଦେଇ ଦେଇଥଲେ ସାଧାରଣ ଗାଉଁଲି ଝିଅ ଜୀବନରେ ମୋର ଅମର ସମ୍ପଦ ଲାଭ ହୋଇଥାନ୍ତା, ଯାହା ଲାଗି ହୁଏତ ଏ ଜୀବନରେ ଗୁରୁତ୍ୱ ବଢ଼ିଥାନ୍ତା । ବୋଉ ମୋଟେ ସାହିପାରିଲାନି ! ବୋଉକୁ ଖାଲି ଦୋଷୀ କଲେ ତ ଚଳିବ ନାହିଁ, ପ୍ରକୃତି ଅସହିଷ୍ଣୁ ହୋଇଉଠିଲା ।’’

 

‘‘ମାଘମାସର ଏକ ଅଭୁଲା ରାତି ସେ, ମୋ ଦେହର ନୂଆ ରୂପାୟନ ଘଟିଲା । ନବୋଢ଼ା କୁମାରୀ ହେଲି ସେହିଦିନ । ଦେହରେ ଗୋଟାଏ ମୃଦୁ ତରଙ୍ଗ ଖାଲିଗଲା ନୀରବରେ । ଉତ୍‍କ୍ଷିପ୍ତ ହୋଇଉଠିଲା ପ୍ରାଣଟା । ଝଟଝଟିଆ ବେଳ, ରାତି ପାହିଆସୁଥାଏ, ବୋଉ ମତେ ଏକୁଟିଆ ଘରଭିତରେ ଛାଡ଼ିଦେଇ ପଳାଇଗଲା ବାସିପାଇଟି କରିବାକୁ । ସାତଟା ଦିନ ଅଗାଧୁଆ ରହିଲି ସେଇ ଘରେ ଗୋଟାଏ ବନ୍ଦୀ ଭାବରେ । ଅବିଭାଇ କେତେଥର ଆସି ଫେରିଲେ । ବୋଉ କହିଲା, ‘ନା ରେ ବାପ, ସେ ଆଉ ପଢ଼ିବ ନାହିଁ ।’ ମୁଁ ଘରଭିତରେ ଥାଇ ଭାବୁଥାଏଁ, ଅବିଭାଇ ବୋଉଠୁଁ ଏମିତିଆ କଥା ଶୁଣି ନିଶ୍ଚୟ କିଛି ଗୋଟାଏ ସନ୍ଦେହ କରିଥିବେ ।’’

 

‘‘ତା’ପରେ ଦିନ ଗଡ଼ିଗଲା । ବୋଉ ଆଗରେ ଆପତ୍ତି କଲି ପଢ଼ିବାବୁ ଯିବାପାଇଁ । କେଇଟା ଅବା ମାସ ଆଉ । ଯେତେ ବୁଝାଇଲି ହେଲା ନାହିଁ । ଗାଁର କେତେଟା ମାଇପେ ଏମିତି ବାଘଛାଲ ଦେଖାଇଲେ ଯେ, ବୋଉ ଡରିଗଲା । ସାତ କଥାରେ ସତୀ ଭୁଲେ । ସେ ବା କ’ଣ କରନ୍ତା ! ବହିପତ୍ରଗୁଡ଼ା ସାଇତା ହୋଇ ରହିଲା ବାକ୍ସରେ । ମୁଁ ଘରଭିତରେ ଖାଲି ଏପାଖ ସେପାଖ ହୋଇ ଦିନ କାଟିଲି । ଭଲ ଲାଗିଲା ନାହିଁ ମୋଟେ ।’’

 

‘‘ଦିନେ ଅବିଭାଇ ଯାଉଥାନ୍ତି ଦାଣ୍ଡରେ । ହାତରେ କ’ଣ ଗୋଟାଏ ବହି ଧରିଥାନ୍ତି । ମୁଁ ଆମ ପିଣ୍ଡାରେ ଠିଆ ହୋଇଥାଏ । ସେ ମୋ ଆଡ଼କୁ ଆଦୌ ଚାହିଁଲେ ନାହିଁ । ମୁଁ କିନ୍ତୁ ଧୈର୍ଯ୍ୟ ଧରିପାରିଲିନି । ଡାକ ପକାଇଲି, ‘ଅବିଭାଇ, କି ବହି କି ସେଟା ?’ ସେ ମତେ ଚାହିଁ ହସିଲେ । କହିଲେ, ‘ନେବୁ, ଗୋଟାଏ ଗପବହି ।’ ମୋ ନିକଟକୁ ଲାଗିଆସି ବହିଟାକୁ ବଢ଼ାଇଦେଲେ ମୋ ହାତକୁ । ବହିଟା ସେ ଯେଉଁ ପଟରୁ ଧରିଥିଲେ ମୁଁ ଧରିଲି ତା’ର ବିପରୀତ ପଟରୁ । ଟିକେ ଛୁଇଁଦେବାର ସୁବିଧା ବି ପାଇଲି ନି । ପଛରେ ଭାବିଲି, ତାଙ୍କ ହାତ ପାଖରେ ହାତଟା ଲଗାଇଦେଇ ଆଣିଥିଲେ ଭଲ ହୋଇଥାନ୍ତା ।’’

 

‘‘ବହିଟା ପଢ଼ିଚି କି ନାହିଁ ସେ ଆସି ପହଞ୍ଚିଲେ । ଦି’ଘଡ଼ି ଖଣ୍ଡେ ରାତି ହୋଇଥାଏ ସେତେବେଳକୁ । କହିଲେ, ‘ପଢ଼ିଚୁନା ବହିଟା ?’ ମୁଁ ହସିଲି, କହିଲି, ‘ନାଇଁ, ସରିନାହିଁ । ଏତେ ଶୀଘ୍ର କ’ଣ ପଢ଼ିହୁଏ ?’ ପୃଷ୍ଠାଗୁଡ଼ା ଖାଲି ଲେଉଟାଇଦେଇ ଶେଷ କରିଦେଇଥାନ୍ତି ନା କ’ଣ ? ଆସୁନା ଆମ ଘରକୁ ! ସେ ପାଦ ଗଣିଗଣି ଆସିଲେ । ସେଦିନ ଆମର ସନ୍ଧ୍ୟା ପୂର୍ବରୁ ଖିଆପିଆ ବଢ଼ିଯାଇଥାଏ । ମୁଁ ବିଛଣା ପକାଇ ସାରିଥିଲି, ସେଇଠି ଶୋଇ ବହି ପଢ଼ିବି ବୋଲି । ପଢ଼ିବାକୁ ଆଉ ମନ ହେଲା ନାହିଁ ।’’

 

‘‘ତାଙ୍କୁ ସେଇ ବିଛଣା ଉପରେ ବସିବାକୁ କହିଲି । ସେ ନ ମାନି ଅଲଗା ହୋଇ ବସିଲେ; କହିଲେ, ‘ଅନ୍ୟର ବିଛଣାରେ ବସିବା ବା ଶୋଇବା ଉଚିତ ନୁହେଁ ।’ ‘ସ୍ୱାସ୍ଥ୍ୟବିଜ୍ଞାନ ସମ୍ବନ୍ଧରେ ତୁମର ଯଥେଷ୍ଟ ଜ୍ଞାନ ଅଛି । ବେଶ୍‍, ତେବେ ତୁମେ ସବୁଦିନେ ଏକୁଟିଆ ଶୋଇବ ତ ?’ କହୁଁ କହୁଁ ଉଚ୍ଛ୍ୱସିତ ହୋଇ ହସିଉଠିଲି । ସେ କହିଲେ, ‘ଶୋଇବା ସମୟ ହେଲେ ଦେଖାଯିବ ।’ ଶୋଇବା ସମୟ କ’ଣ ହୋଇନାହିଁ ? ମୋ’ଠାରୁ ଏତକ ଯିମିତି ଶୁଣିଲେ, କହିଲେ, ‘ସେଇଟା ନିଜର ଅଭିରୁଚି ।’ ମୁଁ କହିଲି, ‘ତା’ ନୁହେଁ । ତୁମକୁ ବାଧ୍ୟହୋଇ ଶୋଇବାକୁ ହେବ ଜଣକ ସାଙ୍ଗରେ-! ହୁଏତ ସେ କହିବା ପୂର୍ବରୁ ତୁମେ ଆଗରୁ ଶୋଇରହି ତାକୁ ଅପେକ୍ଷା କରିଥିବ-। ବ୍ୟାକୁଳ ହୋଇଉଠୁଥିବ ତୁମର ମନଟା ତା’ର ଅନୁପସ୍ଥିତିରେ । ବ୍ୟସ୍ତ ହୋଇଉଠୁଥିବ ତା’ର ପରଶ ଟିକକପାଇଁ ।’ ହସିହସି ସେ ମୋ ଗାଲରେ ଗୋଟିଏ କଅଁଳ ଚାପୁଡ଼ା ଦେଲେ । କହିଲେ, ‘କହିଲୁ ସେ କିଏ ?’ ମୁଁ ତାଙ୍କର ଚିନ୍ତାଟାକୁ ଆଉରି ଗଭୀର କରିବାପାଇଁ କହିଲି, ‘ଆଚ୍ଛା, ସେ ମୋ’ଠାରୁ ପାଖରେ କି ଦୂରରେ ଅଛି ?’ ମୁଁ କି ସହଜେ ଚିହ୍ନା ପଡ଼ିବା ଲୋକ, ମତେ ଏତେ ନିର୍ବୁଦ୍ଧିଆ ମନେକଲେଣି ସେ ? ମନ ବିଡ଼ୁଛନ୍ତି ପରା ମୋର । ମୁହଁକୁ ଓହଳାଇ ଆଉ ହଲାଇକରି କହିଲି, ‘ଯଦି ଦୂର ସମ୍ପର୍କ ହୋଇଥିବ, ତେବେ ଦୂରରେ ଥିବ ।’ ସମ୍ଭାଳିପାରିଲେନି ସେ ନିଜକୁ; ସ୍ନେହାତିଶଯ୍ୟରେ କୁଣ୍ଢାଇପକାଇଲେ ମତେ । କହିଲେ, ‘ସାବି, ତୁ ମୋର ଅତି ନିକଟର ଲୋକ-। ତୋ ମୋ ଭିତରେ ଗୋଟାଏ ବିନ୍ଦୁର ମଧ୍ୟ ବ୍ୟବଧାନ ନାହିଁ । ତତେ ଛାଡ଼ିଦେଲେ ମୁଁ ନିଃସ୍ୱ, ବୋଧଜ୍ଞାନହୀନ ମାନବ । ଏକରେ ଏକ ମିଶିଲେ କେତେ ହୁଏ କହିଲୁ ?’ ମୁଁ ହସି ହସି କହିଲି, ‘ଦୁଇ’ । ପୁଣି କହିଲେ, ‘ଆଚ୍ଛା, ଏକରୁ ଏକଟିକୁ ଯଦି କାଢ଼ିନିଆଯାଏ ?’ ମୁଁ କହିଲି, ‘ଶୂନ’-। ସେଇଠୁ କହିଲେ, ‘ତୋ ବିନା ମୋର ଠିକ୍ ସେଇ ଦଶା’ ।’’

 

‘‘ମୁଁ ତାଙ୍କ କୋଳରେ ଢଳିପଡ଼ିଥାଏ, ପଦ୍ମପତ୍ର ପାଣି ଦେହରେ ନିଜ ଅଙ୍ଗଲତାକୁ ଯିମିତି ସମ୍ପୂର୍ଣ୍ଣ ଭାବରେ ଢାଳିଦେଇଥାଏ । ପତ୍ର ନିଜ ଉପରେ ଜଳରାଶିର ନୃତ୍ୟଛନ୍ଦକୁ ଦେଖିବାକୁ ଯିମିତି ଆକାଂକ୍ଷିତ ହୋଇଥାଏ, ମୁଁ ସେହିଭଳି ଇଚ୍ଛା କରିଥାଏ ମୋ ଦେହ ଉପରେ ତାଙ୍କର ଟିକେ ଖେଳ ଦେଖିବାକୁ, ତାଙ୍କର କୋମଳ ଅଧରରୁ ଗୋଟାଏ ଚୁମ୍ବନ ପାଇବାକୁ । ମୁଁ ତାଙ୍କ ବାଁ ହାତ ଭିତରେ ପିଠିକୁ ଭରାଦେଇ ଚାହିଁଥାଏ ତାଙ୍କରି ମୁହଁଆଡ଼କୁ । ସେ ମୋ ଆଖିପତା ଦୁଇଟିରେ ଅନେକ ସମୟ ଧରି ହାତ ଚଳାଇଲେ । ମୁଁ ଅଭିମାନ କରି ତାଙ୍କ ହାତଟାକୁ ଛିଞ୍ଚାଡ଼ିଦେଲି । କହିଲି, ‘ଶୋଇବନାହିଁ କାହିଁକି କହିଲ ?’ ଦୁଃଖିତ ହୋଇ କହିଲେ, ‘ସେ ସମୟ ଆସି ନାହିଁ । ଭଗବାନ ଆମର ସେ ସମୟକୁ ଯେତେବେଳେ ପ୍ରଶସ୍ତ କରିଦେବେ, ସେତେବେଳେ ମୁଁ କ’ଣ ମନା କରିପାରିବି ? ଆଉ ତାଙ୍କର ଇଚ୍ଛାକୁ ଲଙ୍ଘିଯିବା ମାନେ….’ ।’’

 

ମଳୟା ତା’ର ହରିଣୀ ନୟନରେ ବିସ୍ମୟର ରେଖା ଟାଣି କହିଲା, ‘‘ତୁ ଏତେ ଆଗେଇପାରିଲୁ କିମିତି ? ଖୁବ୍‍ ତ ସାହସ ତୋର ! ସମାଜର ନୀତିକୁ ଅତିକ୍ରମ କରିଯିବା ମାନେ ନିଜର ଜୀବନକୁ ବିପନ୍ନ କରିବା । ନିଆଁକୁ ଦେଖି ପତଙ୍ଗ ଆନନ୍ଦରେ କୁଦାମାରିବା ଭଳି ତୁ ଭାସିଗଲୁ ତାଙ୍କ କଥାରେ !’’

 

ସର୍ବାଣୀ ଅସ୍ୱସ୍ତି ବୋଧ କଲା ମଳୟାର କଥା ଶୁଣି । କହିଲା, ‘‘ତାଙ୍କ ପ୍ରତି ମୋର କ୍ଷୁଧିତ ଦୃଷ୍ଟି ଦିନୁଦିନ ବୃଦ୍ଧି ହେଲା । ମୁଁ ହୀନତାର ଚରମ ବୃତ୍ତି ଅବଲମ୍ବନ କଲି ଶେଷରେ । ଦିନେ ଅବିଭାଇ ଆମ ଘରକୁ ଆସି ବୋଉକୁ କହିଲେ, ‘ସାବି ଆମ ଘରକୁ ଯିବ । ଆମ ସାଇକୁ ଭଲ ଯାତ୍ରାଦଳ ଆସିଚନ୍ତି । ବୋଉ କହିଚି ତାକୁ ସାଙ୍ଗରେ ଧରି ଯିବାକୁ ।’ ବୋଉ ତ ତାଙ୍କ ପ୍ରତି ବେଶ୍ ଭରସି ଯାଇଥାଏ । ଭାବିଲା ବୋଧହୁଏ, ଝିଅଟା ବାପଘର ଛାଡ଼ିଲେ ଆଉ କ’ଣ ସେ ପଦାକୁ କୁଆଡ଼େ ଗୋଡ଼ କାଢ଼ିପାରିବ ? ମତେ ପଚାରିଲା, ‘ସାବି, ଯିବୁ ଆଲୋ ?’ ମୁଁ ତ ସେତେବେଳେ ସେଇଭଳି ବାଟ ଖୋଜୁଥିଲି । ନାହିଁ କରନ୍ତି ପୁଣି ! ଆଉରି ଆନନ୍ଦିତ ହେଲି ।

 

‘‘ତାଙ୍କ ଘରକୁ ଗଲି । ତାଙ୍କ ବୋଉ ଭାରି ଭଲ ଲୋକ । ଯେ କେତେଟା ଦିନ ସେଠାରେ ରହିଲି, ସେ ମୋ ପ୍ରତି ଯେଉଁ ବ୍ୟବହାର ଦେଖାଇଲେ, ଏମିତି ନିଜର ଆତ୍ମୀୟ ଲୋକଠାରୁ ପାଇ ନ ଥିଲି ସେ ପର୍ଯ୍ୟନ୍ତ । ଯାତ୍ରା ଦେଖିଯିବାପାଇଁ ତାଙ୍କର ସଅଳ ରୋଷେଇ ଓ ଖିଆପିଆ ଆଦି ଶେଷ ହୋଇଯାଏ । ଖରାଦିନ ରାତି । ଗୋଟାଏ ରୁପେଲି ଗାଲିଚାର ପାତଳ ଆସ୍ତରଣ ପରି ଚାରିଆଡ଼େ ଜହ୍ନଆଲୁଅ ବିଛୁଡ଼ି ହୋଇ ପଡ଼ିଥାଏ । ମୁଁ ଟିକେ ମନଖୁସି କରିବାପାଇଁ ପଦାରେ ଆସି ବୁଲେ । ତାଙ୍କ ଘରର ସମସ୍ତେ ବାହାରିଯାନ୍ତି ଯାତ୍ରା ଦେଖି । ମୁଁ ବି ତାଙ୍କ ସାଙ୍ଗରେ ଯାଏ । କିଛି ସମୟ ଯାତ୍ରା ପାଖରେ କଟାଇ ମୁଁ ପଳାଇଆସେ ଶୋଇବା ବାହାନାରେ । ସମସ୍ତଙ୍କ ଜାଣିବାକୁ ଖାଲି ଯାତ୍ରା ଦେଖା । ନଚେତ୍ ମୁ କିଛି ଧାର ଧାରେ ନାହିଁ ସେଥିରୁ ।’’

 

‘‘ଅବିଭାଇ ବି ପଳାଇଆସନ୍ତି । ଦୁହେଁ ଦୁହିଁଙ୍କୁ ଭଲ ଭାବରେ ଦେଖିବାର ଆନନ୍ଦ ପାଉଁ-। ସେତିକିବେଳେ କେତେ ପରୀ ରାଇଜର ସୁଖକଳ୍ପନା ଦୁହେଁ କରୁ । ନିଜକୁ ହଜାଇଦେଉଁ ପ୍ରେମର ଅନନ୍ତ ବାରିଧି ଭିତରେ । ସଂସାରର କୌଣସି ଜଞ୍ଜାଳ ଆମକୁ ସ୍ପର୍ଶ କରିପାରେ ନାହିଁ-। ଆମେ ଯିମିତି ଅସୀମ ଆକାଶର ସ୍ୱାଧୀନ ବିହଙ୍ଗ ଦମ୍ପତି ହୋଇ କ୍ରୀଡ଼ା କରୁଥାଉଁ ନିର୍ବିବାଦରେ ।’’

 

‘‘ଦିନେ ସେ ମତେ କହିଲେ, ‘ଭଲପାଇବାର ଚିହ୍ନ କ’ଣ ଜାଣୁ ?’ ମୁଁ ଅନେକ ସମୟ ଭାବି ଭାବି କହିଲି, ‘ଜଣକର ସୁଖଦୁଃଖରେ ଅନୁରକ୍ତି ପ୍ରକାଶ କରିବା ।’ ସେ କହିଲେ, ‘ଭୁଲ ବୁଝୁଚୁ-। ଭଲପାଇବା ହେଉଚି ଜଣକୁ ସର୍ବସ୍ୱାନ୍ତ କରିବାର ଗୋଟାଏ ଖିଆଲ ।’ ମୁଁ ନିଜକୁ ଅବିଶ୍ୱାସ କଲି ସେତେବେଳେ । କାହିଁକି ଏଭଳି କଥା ସେ କହିଲେ ? ମୁଁ କ’ଣ ତାଙ୍କ ପ୍ରତି କୌଣସି କପଟତା କରିଛି ? ମୋର ଦେହ ଆଉ ମନଭିତରେ ଯେଉଁଠି ଯାହା ଅଛି, କେଉଁଟା ଅଦେୟ ହୋଇଛି ତାଙ୍କଠାରେ ? ଅତୀତର ସବୁ ଘଟଣା ଉପରେ ଥରେ ମୁଣ୍ଡଟାକୁ ଖେଳାଇନେଲି-। କାହିଁ କେଉଁଠି ତ କିଛି ବାକି ନାହିଁ । ସାହାସିକତାର ସହିତ ସେଇଠୁ ଉତ୍ତର ଦେଲି, ‘କେବେ ନୁହେଁ-। ଭଲପାଇବାର ଚିରନ୍ତନ ସତ୍ୟକୁ କେହି ଅସ୍ୱୀକାର କରିପାରିବେ ନାହିଁ ।’ ସେ ମୋର ଧାରଣାକୁ ସ୍ପଷ୍ଟ କରିବାପାଇଁ କହିଲେ, ‘ସାବି ! ଏଇ ଭଲପାଇବାର ଅନ୍ତରାଳରେ ଦୁଇଟି ଜୀବନରେ ଅନାହୂତ ଝଡ଼ ଅଚାନକ ଭାବରେ ଦେଖାଦିଏ; ଆତ୍ମପ୍ରବଞ୍ଚନା, ଅବିଶ୍ୱାସରେ ସଂଘର୍ଷ ଲାଗେ, ଯାହା ପାର୍ଥିବ ଜଗତରେ କାହାରିକୁ ବାଦ୍‍ ଦେଇ ନାହିଁ । ସତ୍ୟହିଁ ଅସତ୍ୟର ଦାସ ହୋଇପଡ଼ିଛି । କେତେ ତରୁଣ ତରୁଣୀଙ୍କର ଗୋଟିଏ ରଜ୍ଜୁରେ ଗୁନ୍ଥିହୋଇ ରହିବାର କଳ୍ପନା ଧୂଳିସାତ୍‍ ହୋଇଛି । କେହି କାହାକୁ ଚାହିଁବାକୁ ବା କଥା କହିବାକୁ ଯିମିତି ଗୋଟାଏ ବ୍ୟାଧି ମନେକରିଛନ୍ତି । ତୁ କ’ଣ ଏ କଥାକୁ ଅସ୍ୱୀକାର କରିବୁ ?’’

 

‘‘ମୁଁ କହିଲି, ‘ତାହାହେଲେ ସ୍ୱୀକାର କରିବି ଆମ ଦୁଇଜଣଙ୍କ ଭଲ ପାଇବାର ଝୁଙ୍କ ଗୋଟାଏ ଅନ୍ୟାୟ–ଗୋଟାଏ କ୍ଷଣିକ ପରିତୃପ୍ତିର ମୋହ ? ତୁମେ ଏମିତି ନିଷ୍ଠୁର, ଏମିତି ଜଟିଳ !’ ଆଖି ମୋର ଲୁହରେ ଗୋଟାପରି ବୁଡ଼ିଗଲା । ସେ ମୋର ଲୁହକୁ ପୋଛିଲେ; କହିଲେ, ‘ନିଷ୍ଠୁର, ଜଟିଳ, ମୁଁ ବା ତୁ କେହି ନୁହେଁ; କିନ୍ତୁ ସହ୍ୟ କରିପାରିଲେ ହେଲା ତା’ର ଅହେତୁକ ଆଘାତକୁ । ପାରିବୁତ ?’ କହିଲି, ‘କାହିଁକି ପାରିବିନି ? ପରିବାର ବିଶ୍ୱାସ ରଖି ମୁଁ ତୁମ ନିକଟରେ ଆତ୍ମସମର୍ପଣ କରିଛି । ସେଥିପାଇଁ ଭଗବାନଙ୍କ ନିକଟରେ ଶତ ଶତ ପ୍ରାର୍ଥନା କରୁଚି ।’ ଅବିଭାଇ, ‘ତୁମେ ମତେ ବିଶ୍ୱାସ କର, ମୁ ତୁମର । ତୁମେ ମତେ ପଳାଶଫୁଲ ମନେକରି ଫୋପାଡ଼ିଦେଲେ ମୁଁ ଉଡ଼ିଆସିବି ତୁମର ପାଦତଳକୁ । ତୁମରି ପାଦତଳେ ପେଷିହୋଇ ଲାଭ କରିବି ଜନ୍ମଜନ୍ମାନ୍ତରର ସ୍ୱର୍ଗୀୟ ଆନନ୍ଦ ।’ ଅବିଭାଇ ଗୋଟିଏ ସରୁ ଚୁମ୍ବନ ଆଙ୍କିଦେଲେ ମୋ ଗାଲରେ । କହିଲେ, ‘ତୁ ମତେ ଏତେ ଭଲ ପାଉ, ସାବି’ ?’’

 

ପାଞ୍ଚ

 

‘‘ଅବିଭାଇ ଓ ମୋ ଭିତରେ ଅବାରିତ ପ୍ରେମ ପ୍ରସ୍ରବଣର ଧାରା ବହିଚାଲିଲା । ମୁହୂର୍ତ୍ତକର ବିଚ୍ଛେଦକୁ ଉଭୟେ ଗୋଟାଏ ଯୁଗ ମନେକରି ଦୁଃଖରେ ବିବ୍ରତ ହୋଇପଡ଼ିଲୁ । ଘରେ ମୋ ଦ୍ୱାରା କୌଣସି କାମ ହୋଇପାରିଲା ନାହିଁ । ସଦାବେଳେ ତାଙ୍କର ବଳିଲା ବଳିଲା ବାହୁର ବେଷ୍ଟନୀ ଭିତରେ ନିଜକୁ ଲୁଚାଇ ରଖିବାକୁ ମନ ହେଲା । ତାଙ୍କର ସଜପୁଟା ଗୋଲାପି ମୁହଁକୁ ଯେତେ ଦେଖିଲେ ଶୋଷ ମେଣ୍ଟିଲା ନାହିଁ । ତାଙ୍କୁ ଦର୍ପଣ ପରି ଆଗରେ ଧରି ରଖିବାକୁ ଦିନରାତି ଖାଲି ଭାବନାରେ ରହିଲି । ତାଙ୍କଠାରୁ ମୁହୁର୍ମୁହୁଃ ମଧୁଚୁମ୍ବନ ପାଇବାକୁ ପ୍ରାଣକପୋତୀ ମୋର ବିକଳ କ୍ରନ୍ଦନ କଲା । ସତେ ଲୋ ମଳୟା, ସୁଖର ଦିନଗୁଡ଼ା ଏମିତି ପୁଣି ପ୍ରାଣକୁ ଦହଗଞ୍ଜ କରେ-!’’

 

‘‘ତୁ ହୁଏତ ଭାବୁଥିବୁ, ଅପା ଏତେ ନୀଚମନା, ଏତେ ବ୍ୟଭିଚାରିଣୀ ହେବାକୁ ଇଚ୍ଛା କଲା କିପରି ? ବାସ୍ତବିକ ମାନିନେବାକୁ ବାଧ୍ୟ ହେବି ଯେ କେତେ ବଡ଼ ଭୁଲ ମୁଁ କରିଯାଇଚି, ଯାହାର ଅନୁଶୋଚନା ମୋର ଜୀବନର ଶେଷ ବାୟୁରେ ମଧ୍ୟ ଜଡ଼ି ରହିଥିବ; ଯାହାର ଆଘାତ ମୋର ମୃତ ହେହକୁ ମଧ୍ୟ ବେଦନା ଦେଉଥିବ । ଏ ଭୁଲର ପରିସମାପ୍ତି ନାହିଁ । ମୁଁ ବାପାମାଆଙ୍କର ଏକମାତ୍ର ସନ୍ତାନ । ବାପାଙ୍କର ଯେଉଁ ହାଡ଼ଭଙ୍ଗା ଧନ, ମୁଁ ତାକୁ ଉଡ଼ାଏଁ ବିଳାସରେ । ବାପା ବୋଉ ସେଥିରେ ଖୁସି ହୁଅନ୍ତି । ସୁବିଧା ମଧ୍ୟ ଦିଅନ୍ତି ମତେ ନିଜର ଇଚ୍ଛା ଅନୁସାରେ କାର୍ଯ୍ୟ କରିବାକୁ । ସବୁପ୍ରକାର ସୁବିଧା ପାଇ ମୁଁ ଅତି ଉଚ୍ଛୃଙ୍ଖଳ ହୋଇଉଠିଲି । ଲୋକେ କହନ୍ତି, ଅଭିଭାବକଙ୍କୁ କୋହଳିଆ ଦେଖିଲେ ପିଲାଏ ବିଗିଡ଼ି ଯାଆନ୍ତି । ଆଜି ବାପା ମା କେଉଁଠି ଥିବେ । ମୁଁ ତାଙ୍କୁ ଦୋଷୀ କରି ବା ଲାଭ କ’ଣ ? ଆଉରି ମତେ ନର୍କ ଭୋଗିବାକୁ ହେବ । ସବୁ ମୋର ଦୋଷ ।’’

 

ମଳୟା ମୁହଁରେ ଦୁଃଖର ରେଖା ଟାଣି କହିଲା, ‘‘ଅପା, ସେଇଟା ତୋର ଦୋଷ ନୁହେଁ-। ମୁଁ ଦୃଢ଼ଭାବରେ କହିବି, ସମାଜର ଦୋଷ । ଜଣେ ଜଣକୁ ଭଲ ପାଇବାରେ କ୍ଷତି କ’ଣ-? ଉଭୟଙ୍କ ମନ ଖାପ ଖାଇପାରିଲେ ପାରିବାରିକ ଜୀବନ ଶାନ୍ତିରେ କଟନ୍ତା । କିନ୍ତୁ ସମାଜ ତାହା କରିଦେଉନାହିଁ । ସେ ତା’ର କର୍ତ୍ତୃତ୍ୱ ଜାରି କରୁଛି ଜଣକର ଅନିଚ୍ଛାରେ । ତାହା ଦ୍ୱାରା ଚିର ଅଶାନ୍ତିମୟ ହୋଇଉଠୁଚି କେତେ ଯୁବକଯୁବତୀଙ୍କ ଜୀବନ । କେତେ ଯେ ଯୁବତୀ ଏଇଥିଲାଗି ଅସମୟରେ ପ୍ରାଣକୁ ଜାଣିଶୁଣି ବିସର୍ଜନ କରୁଛନ୍ତି ତାହା ଶୁଣିଲେ ଗଭୀର ଦୁଃଖ ଆସେ । ଏହାର ସଂସ୍କାର ଆଣିବାକୁ ଆମର ଶକ୍ତି ସାମର୍ଥ୍ୟ ନାହିଁ । ସବୁଗୁଡ଼ା ସହିନେବାକୁହିଁ ଆମର ଜନ୍ମ ଯିମିତି-।’’

 

‘‘ହଁ, ସହିବାକୁ ହେଲା ମତେ । ମୁଁ ତାଙ୍କୁ ଧରି ଖେଳିବୁଲୁଥିଲି ଗଭୀର ଆନନ୍ଦର ଦରିଆ ମଝିରେ । ଭାବିଥିଲି, ବୀଚିମାଳାର ମୃଦୁ ହିଲ୍ଲୋଳରେ ଦୁହେଁ ମଧୁର ସଙ୍ଗୀତର ଝଙ୍କାର ତୋଳି ଭାସୁଥିବୁଁ; ଆସିବନି ଝଡ଼, ଆସିବନି କୁହୁଡ଼ି, ଆସିବନି ଅନ୍ଧାର କିମ୍ବା ଲୁକ୍‍କାୟିତ ଶୈଳରାଶିର ଆଘାତ । ହଠାତ୍‍ ମୋର ସୁଖର ସ୍ୱପ୍ନଟା ଭାଙ୍ଗିଯିବ ବୋଲି ଭାବି ନ ଥିଲି । କ୍ରମେ ଦୁର୍ଦ୍ଦିନର ଅନ୍ଧକାର ମୋର ସବୁଜ କୋମଳ ଜୀବନ ଉପରେ ଘୋଟିଆସିବାକୁ ଆରମ୍ଭ କଲା ।’’

 

ଗୋଟିଏ ଗୋଟିଏ ସାମାନ୍ୟ ଘଟଣାରେ କିପରି ସମ୍ପର୍କ ତୁଟିଯାଏ ସତେ ! ଅବିଭାଇଙ୍କ ଘର ପାଖକୁ ଆମର ଗୋଟିଏ ବାଉଁଶବାଡ଼ି ଥାଏ । ସେହି ବାଡ଼ିର ବାଡ଼ ମଝିରେ ଗୋଟାଏ ତେନ୍ତୁଳି ଗଛ । ତେନ୍ତୁଳି ଏତେ ହୁଏ ଯେ ଗଛଟା ଫଳଭାରାରେ ଯିମିତି ଭାଙ୍ଗିପଡ଼ିବ ! ସେଗୁଡ଼ିକ ପାଚି ଆସିଲାବେଳକୁ ବୋଉ ତୋଳିଆଣିବା ଲାଗି ବ୍ୟସ୍ତ ହୁଏ । ଆଚାର କରି ରଖିବ । ଥିଲା ନ ଥିଲା ବେଳେ ସେଥିରୁ ଫୁଟଟାଏ ହେଲେ ତରକାରୀ ଦରକାର ହେବ ନାହିଁ । ମାଇପିଟାଏ ହେଲେ କ’ଣ ହେବ, ବୋଉକୁ ମୋର ଅର୍ଥନୀତି ଖୁବ୍‍ ଜଣା । ଏତେ ସ୍ୱପ୍ନକୁ ଏବେ ରାତି କାହିଁ ? ପାଚିଲା ଜିନିଷଟାଏ ଦେଖିଲେ କାହାର ଲୋଭ ନ ହେବ ? ସବୁବର୍ଷ ଆମ ଅଜାଣତରେ କିଏ କେତେ ତୋଳି ନିଅନ୍ତି ।

 

‘‘ବୋଉ ମନଇଚ୍ଛା କାନ୍ଥବାଡ଼କୁ ଶୁଣେଇ ଗାଳିଦିଏ; ରଗ ରଗ ହୋଇ ରହେ । କାହାରି ମୁହଁରେ ଆମର ସେ ତେନ୍ତୁଳି ବାଜେନି ! ବାପା ସହି ନ ପରି ଦିନେ କହିଲେ, ‘ଆଜି ସେ ଗଛ କାଟିବି । ଗଛ ଥାଇଁ ଆଉ କ’ଣ ହେବ ? କାଠକିଣାରୁ ତ ଏଇକ୍ଷଣି ଦୁଇଟା ବର୍ଷ ରକ୍ଷା ମିଳିଯିବ ।’ କୁରାଢ଼ି ଆଉ ମୂଲିଆ ନେଇ ସେ ଗଛମୂଳରେ ପହଞ୍ଚିଲେ ।’’

 

‘‘ସକାଳ ଆଠଟା ବେଳ ହେବ । ମୂଲିଆ ସେ ଗଛରେ ଚୋଟେ ଦେବାକ୍ଷଣି ଅବିନାଶଭାଇଙ୍କ ବାପା ଗର୍ଜନ କରି ପହଞ୍ଚିଲେ; କହିଲେ, ‘ବୁଝି ଶୁଝି ଗଛରେ ଚୋଟ ଦିଅ ! ଏ ଗଛରେ ମୋର ଭାଗ ଅଛି ।’ ବାପା କି ସମ୍ଭାଳିହୁଅନ୍ତି ! କହିଲେ, ‘କ’ଣ ମତେ ବୋକା ଭାବିଲ କି-? ଏଇମିତି କହିଲେ ତିନିପୁରୁଷର ଗଛଟାକୁ ମୁଁ ତୁମକୁ ଛାଡ଼ିଦେବି ?’ ବାପା ତାଙ୍କ କଥା ନ ମାନି ଗଛ କଟାଇବାରେ ଲାଗିଲେ । ଉଭୟଙ୍କ ଭିତରେ ବହୁତ ବାଦାନୁବାଦ ଚାଲିଲା-। ମୁଁ ସେତେବେଳେ ରନ୍ଧାବଢ଼ା କରିବାକୁ ଯାଉଥାଏଁ । ବୋଉ ଏ ଖବର ପାଇ ଦୌଡ଼ିଲା । ମୁଁ ଆଉ ରାନ୍ଧିବି କ’ଣ, ମତେ ସବୁ ଅନ୍ଧାର ଦିଶିଲା । ଭାବିଲି, ଅବିଭାଇ କ’ଣ ନାହାନ୍ତି ଘରେ ? କବାଟଟା ବନ୍ଦ କରିଦେଇ ଚାଲିଲି ସେଇଆଡ଼େ ଧଇଁସଇଁ ହୋଇ ।’’

 

‘‘ଦେଖିଲି; ପାଟି ଥମି ଆସିଲାଣି । ତଥାପି ଉଭୟଙ୍କ ମୁହଁରୁ ରାଗର ରଙ୍ଗା ରଙ୍ଗା ଚିହ୍ନ ଯାଇନି । ଉଷ୍ଣ ନିଃଶ୍ୱାସ ଘନ ଘନ ବହୁଛି, ଯିମିତି କି କୁଟାଖଣ୍ଡେ ସେଥିରେ ବାଜିଲେ ଜଳି ପାଉଁଶ ହୋଇଯିବ । ଅବିଭାଇ ଠିଆ ହୋଇଛନ୍ତି ସେଇଠି । ତାଙ୍କ ମୁଣ୍ଡକୁ ବି ସେଇ ବିଷ ଘାରିଛି ବୋଲି ମୋର ମନେହେଲା । ସେ ମୋ ଆଡ଼କୁ ଆଡ଼ଆଖିରେ ଟିକେ ଚାହିଁଲେ ନି । ଭାବିଲି, କି ସ୍ୱାର୍ଥାନ୍ଧ ଲୋକ ! ସାମାନ୍ୟ ସ୍ୱାର୍ଥ ପାଇଁ ସ୍ନେହମମତାକୁ ଏଡ଼ାଇଦେଲେ ! ରାଗ ଆଉ ଅପମାନରେ ମୋ ଦେହଟା ଶିରିଶିରି ହୋଇଉଠିଲା । କେତେଜଣ ଲୋକ ଉଭୟଙ୍କୁ ବୁଝାବୁଝି କରି ଘରକୁ ଫେରାଇଲେ । ଗଛହଣା ବନ୍ଦ ହେଲା । ବାପାଙ୍କ ସାଙ୍ଗରେ ବଉ ଓ ମୁଁ ଫେରିଲୁଁ । ଅବିଭାଇଙ୍କ ପ୍ରତି ମନରେ କେମିତି ଘୃଣା ଆସିଲା । ସେ ଦିନଟା ଆଉ ଭଲ ଲାଗିଲା ନାହିଁ ।’’

 

‘‘କେତେଟା ଦିନ ମଝିରେ ବିତିଗଲା । ପୁଣି ମନଟା ଢାଳିଲା ତାଙ୍କ ଆଡ଼କୁ । ତାଙ୍କର ରୂପ ନାଚିଉଠିଲା ଆଖିରେ । ତାଙ୍କରି କଥା ଶୁଣାଗଲା କାନରେ । ଭାବିଲି, ଅବିଭାଇ ନିଶ୍ଚୟ କଳିଟାକୁ ବନ୍ଦ କରିବାକୁ ତାଙ୍କ ବାପାଙ୍କୁ କହିଥବେ । ସେ କ’ଣ ଜାଣନ୍ତି ନାହିଁ ଗଛଟା କାହାର ? ସେ ଶିକ୍ଷିତଲୋକ । କଦାପି ଭୁଲ ବାଟକୁ ଯିବେ ନାହିଁ ।’’

 

‘‘ଆମ ଘରେ ଆମେ ରହିଲୁଁ । କିନ୍ତୁ କଳିଟା ଉଡ଼ି ଉଡ଼ି ଆସିଲା ପୁଣି ବାପାଙ୍କର ରାଗଟାକୁ ବଢ଼ାଇବାକୁ । ତାଙ୍କ ଆମ ମନାନ୍ତର ଆପାତତଃ ଜଟିଳ ଆକାର ଧାରଣ କଲା । ସେହି ଦିନଠୁ ତାଙ୍କର ମୋର ଆଉ ଦେଖାଚାହାଁ ହୋଇପାରିଲାନି । ବୋଉର କଥା ମାନି ପଡ଼ିରହିଲି ଘରେ, ଖାଲି ହାହୁତାଶର ଦହନ ଭିତରେ । ବାଡ଼ିପଟକୁ ଅନେକ ଥର ଯାଏଁ । ଚାହେଁ, କାଳେ ଆସୁଥିବେ କି ! ସେଇ ବାଟେ ସେ ସ୍କୁଲକୁ ଯାଆନ୍ତି; କିନ୍ତୁ ଦେଖା ହୁଏ ନାହିଁ । ଚାହିଁ ଚାହିଁ ଆଖି ଦି’ଟା ହାଲିଆ ହୁଏ । ତାଙ୍କ ଧୋବ ଫରଫର ଲୁଗା ଆଉ କଳାମଚାମଚ ମୁଣ୍ଡଟା ନାଚିଯାଏ ମୋ ଆଖି ଆଗରେ । ସେ ଯିମିତି ଚାଲିଯାଉଛନ୍ତି ହାତରେ ବ୍ୟାଗଟାକୁ ଓହଳାଇ–ମୁଁ ତାଙ୍କ ପାଖରେ ଚାଲିଛି–ମତେ କଥା କହି ମତୁଆଲା କରୁଛନ୍ତି–ଏଇ ଅଦୃଶ୍ୟ ରୂପର ଭାବନାରେ ମନଟା ଘାଣ୍ଟି ଗୋଳେଇ ହୁଏ । ମନର ମଣିଷ ମନକୁ ଛୁଏଁ ନା, କଥାକୁ ବୁଝେ ନା । ଘରକୁ ଫେରେଁ । ବେଦନାର ନିର୍ମମ ଯାତନା ଜଡ଼ିଯାଏ ସାରା ଅବୟବରେ ।’’

 

‘‘କେତେ ଦିନ ପରେ ଶୁଣିଲି, ତାଙ୍କର ପାଠପଢ଼ା ବନ୍ଦ ହେଲାଣି । ଘରେ ଚାଷକାମ ଦେଖୁଛନ୍ତି । ଭାବିଲି, ଦୂରରେ ରହିଥିଲେ ସିନା ଆଉ ଦେଖାଚାହାଁ ହୁଅନ୍ତା ନି; ଘରେ ତ ରହିବେ, ସେ କ’ଣ ଏମିତି ଆଉ ଭୁଲିଯିବେ ! କେବେ ନୁହେଁ । ନିଶ୍ଚୟ ଆସିବେ । କଳିଟା କ’ଣ ସଦାବେଳେ ଥିବ ? ବାପା ବୋଉ ଯେତେବେଳେ ତାଙ୍କ ଘର ବିଷୟରେ କଥାବାର୍ତ୍ତା ହୁଅନ୍ତି, ମୁଁ ଶୁଣେ । ଥରେ ଥରେ କହିପକାଏଁ, ବାଡ଼ ମଝିରେ ଯଦି ଗଛଟା ଅଛି, ତେବେ ତାଙ୍କ ଭାଗଟା ସେ ପାଇବେ ନାହିଁ କାହିଁକି । ବହୁତ ଯୁକ୍ତି କରେଁ ବାପାଙ୍କ ସାଙ୍ଗରେ । ବାପା କିନ୍ତୁ ରାଗନ୍ତି ମୋ ଉପରେ-। ମୁଁ ଡରିଯାଇ ଆଉ କିଛି କହେନି । କଳିଟା ସେଇମିତି ଅଛିଣ୍ଡା ହୋଇ ରହିଲା । ମୋର କିନ୍ତୁ କଳି ଯୋଗୁଁ ସର୍ବନାଶ ହେଲା । କି ଉପାୟ ଆଉ କରିବି, କିଛି ବୁଦ୍ଧିବାଟ ଦିଶିଲା ନାହିଁ । ବିହି ବାମ ହେଲା । ଆମର ସୁଖ ସୋହାଗରେ ଈର୍ଷାପରାୟଣ ହୋଇ ପ୍ରକୃତି ଯେତେବେଳେ ପ୍ରତିକୂଳ ଅବସ୍ଥା ସୃଷ୍ଟି କରିଚି, ସେଠି ମୋର ବା ହାତ କ’ଣ ଅଛି ?’’

 

‘‘ମନରେ ଅସଂଖ୍ୟ ପ୍ରଶ୍ନର ଢେଉ ଖେଳିଲା । ଦେଖାହେଲେ ଟିକେ ପଚାରନ୍ତି, ମୋ ପାଖକୁ ଆଉ ନ ଆସିବାର କାରଣ କ’ଣ ? ମୋ ଉପରେ ରାଗ କାହିଁକି ! କଳିକଜିଆ ସମାଧାନର ଉପାୟ କ’ଣ ? ଏଇମିତି ସଂଘର୍ଷ ଭିତର ହେଇ ଗତି କଲେ ଆମ ଦୁଇଟି ଜୀବନର କି ପରିଣତି ହେବ ? ଯାତ୍ରା ଦେଖା ସମୟର ଏକ ପ୍ରଶାନ୍ତ ରାତ୍ରିରେ ମୋରି ଦେହରେ ଦେହ ମିଶାଇ ବିଭିନ୍ନ ପ୍ରଶ୍ନ ଭିତରେ ମୋ ମନ ବିଡ଼ୁଥିଲ କାହିଁକି ? ଏ ସବୁର ଉତ୍ତର ଆଦାୟ କରନ୍ତି । ନିଶ୍ଚୟ ଆଦାୟ କରନ୍ତି । ଅନୁନୟ କରନ୍ତି ନ କହିଲା ପର୍ଯ୍ୟନ୍ତ । ତା’ପରେ ମୋ କାମ ମୁଁ କରନ୍ତି ।’’

 

‘‘ଖୋଜିହେଲି ଅବିଭାଇଙ୍କୁ । ସେ ନିଷ୍ଠୁର ହୁଅନ୍ତୁ, ସେ ଘୃଣା କରନ୍ତୁ, ସେ ସ୍ୱାର୍ଥପର ହୁଅନ୍ତୁ, ମୋ ଆଖିକୁ ସେ ଗୋଟାସୁଦ୍ଧା ଉଜ୍ଜ୍ୱଳ ମଣି । ଯାହାଙ୍କର ତେଜରେ ମୋର ଆତ୍ମା ବିକାଶ ଲାଭ କରିଛି, ତାଙ୍କୁ ଭୁଲି ପାରିବିନି କୌଣସିମତେ । ମନର ଏମିତି ଅବସ୍ଥାବେଳେ ବାପା ଆହୁରି ଦୁଃଖରେ ମତେ ଭାରାକ୍ରାନ୍ତ କରିଦେଲେ । ଶୁଣିଲି, ମୋର ବିଭାଘର ଖୁବ୍‍ ଅଳ୍ପଦିନ ଭିତରେ ।’’

 

‘‘ଅନେକ ସ୍ଥାନରେ ପ୍ରସ୍ତାବ ପଡ଼ିଲା । କାହାର ଜମିବାଡ଼ି ଅଛି ତ ଶିକ୍ଷାଦୀକ୍ଷା ନାହିଁ; କାହାର ଶିକ୍ଷାଦୀକ୍ଷା ଅଛି ତ ଜମିବାଡ଼ି ନାହିଁ । ଏସବୁ ଶୁଣିଲାବେଳେ ମୋ ମୁଣ୍ଡ ଝିମିଝିମି ହୋଇଯାଏ । ଚିନ୍ତାରେ ଝାଉଁଳିପଡ଼େ । ଯେତେଆଡ଼ୁ ପ୍ରସ୍ତାବ ଆସିଲା ସବୁ ଭାଙ୍ଗିଲା । ଭାବୁଥାଏଁ, ଏଇମିତି ସବୁ ଭାଙ୍ଗିଯିବ କି ! ପ୍ରଭୁ କ’ଣ ସତରେ ମୋର ଦୁଃଖ ଶୁଣିବେ !’’

 

“ଦିନ ପରେ ଦିନ ପାଣିସୁଅ ପରି ବହିଗଲା । ତା’ ସଙ୍ଗେ ସଙ୍ଗେ ମୋର ଦୁଃଖ ଆଉ ଚିନ୍ତା ମଧ୍ୟ ବଢ଼ିଚାଲିଲା । ମୋ ମନର ବେଦନା ଉପଶମ କରିବାକୁ କେହି ନାହିଁ । ଯିମିତି ମଧ୍ୟାହ୍ନ ସମୟର ମରୁଭୂମିରେ ପାଦ ଦେଇ ମୁଁ ଖାଲି ଛଟପଟ ହେଉଛି । ଏଇମିତି ସମୟରେ ଦିନେ ମତେ କେତେଜଣ ଲୋକ ଦେଖିବାକୁ ଆସିବେ ବୋଲି ଶୁଣିଲି । ବୋଉ ଘରଦ୍ୱାର ଭଲ ଭାବରେ ଲିପାପୋଛା କରି ପରିଷ୍କାର ପରିଚ୍ଛନ୍ନ କଲା । ଗାଁରୁ ରେଖା, ମାଳତୀ, ବାସନ୍ତୀ, ଅନି ପ୍ରଭୃତି କେତେଜଣ ଝିଅ ଆସିଲେ । ରେଖା କହିଲା, ‘ସାବି, ଆଜି କି ମଜା ଲୋ !’ ମାଳତୀ କହିଲା, ‘ତା’ର ମନ କ’ଣ ଆଉ ଏଠି ଅଛି !’ ଏଇମିତି କିଏ କେତେ କଥା କହିଲେ । ମୁଁ କିନ୍ତୁ ତାଙ୍କ କଥାରେ ଲଜ୍ଜିତ ହେଉଥାଏଁ । ବାସ୍ତବିକ ସେମାନେ ମତେ ବିଦ୍ରୂପ କରୁଥାନ୍ତି ।’’

 

‘‘ବୋଉ କହିଲା, ‘ଥାଉ, ଆଉ ଥଟ୍ଟା ଖେଳନା ତା’ ସାଙ୍ଗରେ । ଭାରି ଲାଜକୁଳୀଟା ।’ ବାସନ୍ତୀ କହିଲା, ‘ଆଲୋ, ଲାଜ କରୁଚୁ ଆଉ କ’ଣ, ବାହା ହେବୁ ନାହିଁ କି ?’ କିଛି ଉତ୍ତର ଦେଲିନି-। ବୋଉ କହିଲା, ‘ରେଖା, ନେଇଯା ତାକୁ ଗାଧୋଇଆଣ ।’ ସେଥିରୁ କେତେଜଣ ମତେ ସାଙ୍ଗରେ ନେଲେ । କୂଅମୂଳକୁ ଗଲୁଁ । କିଏ ପାଣି କାଢ଼ିଦେଲା । କିଏ ସାବୁନ ଘଷିଦେଲା । ରେଖାଟା ଭାରି ଚଗଲୀ । କହିଲା, ‘ସାବି, ତୁ ଯିମିତି ସୁନ୍ଦର ଦିଶୁଛୁ ନା, କ’ଣ କହିବି ! ମତେ ବଡ଼ ଖରାପ ଲାଗିଲା-। ଗାଧୁଆଟା ଶେଷ ହୋଇ ନ ଥାଏ । ଓଦା ସର ସର ଲୁଗାରେ ଘର ଭିତରକୁ ପଶିଆସିଲି-। ସେମାନେ ମୋ ଆଡ଼କୁ ବଲ ବଲ କରି ଚାହିଁ କ’ଣ କଥାବାର୍ତ୍ତା ହେଲେ । ମୁଁ ମୋଟେ କାନ ଦେଲି ନାହିଁ ସେ କଥାରେ । ମୋ ପଛେ ପଛେ ରେଖା ଆସିଲା । କହିଲା, ‘ଖୁଡ଼ୀ, ଦେଖୁଛୁ ନା ତୋ ଝିଅକୁ, ଲୁଗା ନ ବଦଳାଇ ପଳାଇ ଆସିଲା କିମିତି !’ ବୋଉ କ’ଣ ଭାବିଲା କେଜାଣି, କହିଲା, ‘ହଉ, ଥାଉ ମା ! ଲୁଗାଟା ଏଇଠି ପଡ଼ିଥାଉ, ମୁଁ ଧୋଇଆଣିବି । ତୁମେ ଟିକେ ତାକୁ ଭଲକରି ସଜେଇ ଦିଅ ।’ ରେଖା କହିଲା, ‘କିମିତି ସଜାଇବୁଁ, ମା’ ପରି, ନା ଝିଅ ପରି ?’ ବୋଉ ହସିଦେଇ ‘ଯା ହଉ, ସଜେଇଦିଅ’ କହି ରୋଷେଇ ଘରଆଡ଼କୁ ଚାଲିଗଲା । ଏଇ ସମୟରେ ସମସ୍ତେ ଆସି ଜୁଟିଗଲେ । ସେମାନଙ୍କର କି ହସ । ମାଳତୀ କହିଲା, ‘ତାକୁ ନାଲି ଶାଢ଼ି ପିନ୍ଧାଇଦିଅ ।’ ରେଖା କହିଲା, ‘ନାହିଁ, ସାଦା ଶାଢ଼ି ବେଶ୍‍ ମାନିବ ତାକୁ ।’ ଅନି କହିଲା, ଏସବୁ ଚଳିବ ନାହିଁ । ଖଣ୍ଡେ ବାସନ୍ତୀ ଶାଢ଼ି ପିନ୍ଧେଇ ଦିଅ । ଦେଖୁନା କାଳଟା ଯେ ବସନ୍ତ !’ ହୋ ହୋ କରି ସମସ୍ତେ ହସିଉଠିଲେ । ମୁଁ ଆଉ ଧୈର୍ଯ୍ୟ ଧରିପାରିଲିନି । କାହାରି କଥା ନ ଶୁଣି ଶାଢ଼ିଯାକ ଫିଙ୍ଗିଦେଇ ସବୁଦିନିଆ ପିନ୍ଧା ଶାଢ଼ିରୁ ଖଣ୍ଡେ ପିନ୍ଧିଲି । କେତେଜଣ ସ୍ନୋ ପାଉଡର ଧରି ଠିଆ ହୋଇଥାନ୍ତି ବେଶ କରିବାକୁ । ମୁଁ କାହାରି କଥା ରଖିଲିନି ।’’

 

‘‘ଆମ ଘରଠାରୁ ଅଳ୍ପ ଦୂରରେ ସୁପ୍ରିୟା ଭାଉଜଙ୍କ ଘର । ସେ ମତେ ଖୁବ୍‍ ଭଲ ପାଆନ୍ତି-। ତାଙ୍କ ପାଖକୁ ଦୌଡ଼ିଲି । ଭାବିଲି, ଘଡ଼ିସନ୍ଧି ବେଳେ ସେ ମତେ ନିଶ୍ଚୟ ସାହାଯ୍ୟ କରିବେ-। ତାଙ୍କ ପାଖରେ ପହଞ୍ଚିଲି; କିନ୍ତୁ କହିପାରିଲି ନି କିଛି । ମୋ ମୁହଁକୁ ଚାହିଁ ସେ ଚମକି ଉଠିଲେ-। ଶଙ୍କିତ ହୋଇ ପଚାରିଲେ, ‘କ’ଣ ହେଲା ତୋର ? କାହା ସାଙ୍ଗରେ ଝଗଡ଼ା କରିଚୁ କି-?’ ମୁଁ କହିଲି ‘ହଁ’ । ସେ ନ ଜାଣିଲା ପରି କହିଲେ, ‘କାହିଁକି ?’ ମୁଁ ସାଙ୍ଗେ ସାଙ୍ଗେ ଉତ୍ତର ଦେଇପାରିଲି ନି-। ମୁହଁଟା ମୋର ରକ୍ତିମ ହୋଇଉଠିଲା । ଆଖି ଦି’ଟାକୁ ତଳକୁ କରି ନିଶ୍ଚଳ ହୋଇ ଠିଆହୋଇ ରହିଲି । କିଛିକ୍ଷଣ ପରେ କହିଲି, ‘ଆଜି ମତେ ଦେଖିବାକୁ ଆସିବେ-।’ ସେ କହିଲେ, ‘ଏମିତିଆ ଖବର ଶୁଣିଲେ ଝିଅମାନେ ଖୁସି ହୁଅନ୍ତି–ସାଙ୍ଗସାଥୀଙ୍କ ମେଳରେ ଜଣେଇ ହୁଅନ୍ତି । ଆଉ ତୁ ଏମିତି ମୁହଁଟାକୁ ହାଣ୍ଡି ଭଳିଆ କରିଚୁ କାହିଁକି ? କିଏ ତତେ ଗାଳିଦେଇଚି-?’ ମୁଁ କହିଲି, ‘ହଁ, ଗାଳିଦେଇଚନ୍ତି ରେଖା, ମାଳତୀ, ବାସନ୍ତୀ ଆଦି । ଗୋଟାଏ ଭଲ ଲୁଗା ପିନ୍ଧିବାକୁ ବା ପାଉଡର ମାଖିହେବାକୁ ମୋର ତ ଆପତ୍ତି ନାହିଁ । କିନ୍ତୁ ମୋର ଆପତ୍ତି ତାଙ୍କ ଢଙ୍ଗ ବିରୁଦ୍ଧରେ-। ବେଶଭୂଷାରେ ମୋର ଇଚ୍ଛା ଅଛି । ଏହାବୋଲି ବେଶଭୂଷାକୁ ଉପହାସ କରିପାରିବି ନାହିଁ ସେମାନଙ୍କ ଆଗରେ ରୂପର ବିଜ୍ଞାପନ ଦେବାକୁ ଯାଇଁ । ମତେ ରିହର୍‍ସଲ ଦେଉଛନ୍ତି ଆଜିକୁ ସାତଦିନ ହେଲା; ଆସ୍ତେ କଥା କହିବାକୁ ହେବ, ଆସ୍ତେ ଚାଲିବାକୁ ହେବ, ଏମିତି ଉଦ୍ଦଣ୍ଡୀ ପରି ବେଣୀକୁ ଦୋହଲାଇ ଚାଲିବାକୁ ହେବ ନାହିଁ ।’ ସୁପ୍ରିୟା ଭାଉଜ ମତେ ସାନ୍ତ୍ୱନା ଦେବାକୁ ଯାଇ କହିଲେ, ‘ତୋ ଭଲ ପାଇଁ ସେମାନେ ଏମିତି କହୁଚନ୍ତି । ତା’ଛଡା ସମସ୍ତେ ତ ଏଇ ରାସ୍ତା ଦେଇ ଯାଉଚନ୍ତି ! ତୁ ଆଉ ତାକୁ ନାପସନ୍ଦ କଲେ କିମିତି ହେବ ? ତତେ ମାନିନେବାକୁ ହେବ, ଯେଉଁ କାର୍ଯ୍ୟର ଯିମିତି ନିୟମ ।’ ମୁଁ ଚିଡ଼ି ଉଠିଲି । କହିଲି, ‘ଏମିତି କଥା ତୁମେ ପୁଣି କହିଲ-?’ ସେ ମତେ କହିଲେ, ଝିଅ ପରା ତୁ । ତୋ ପକ୍ଷରେ ଏ ବିଷୟରେ କୌଣସି ଯୁକ୍ତି କରିବା ସୁନ୍ଦର ନୁହେଁ-। ଚାଲ୍‍, ମୁଁ ସାଙ୍ଗରେ ଯାଉଚି ।’ ଏହା କହି ସେ ମୋତେ ସାଙ୍ଗରେ ଧରି ଆସିଲେ-। ମାଳତୀ ଆଉ ରେଖାକୁ ଦେଖି କହିଲେ, ‘ତୁମେ ସବୁ ଅଯଥାରେ ତା’ ସାଙ୍ଗରେ କାହିଁକି ଲାଗିଚ, ଶୁଣେ-?’ ସେମାନେ ହସିଲେ । ଆହୁରି ଚିଡ଼େଇଲେ ।’’

 

‘‘ବାପା ଆସି ଏତିକିବେଳେ ଡାକଦେଲେ, ‘ଆଲୋ, ସେମାନେ ସବୁ ଅସିଗଲେଣି । ରେଖା, ଝିଅକୁ ଘେନିଆସ ତ ! ଚଞ୍ଚଳ ହୋଇ ମତେ ସମସ୍ତେ ସଜାସଜି କରିବାରେ ଲାଗିଗଲେ । ରେଖା ମତେ ତାଙ୍କ ନିକଟକୁ ନେଲା । ଦି’ଟା ମଲ ପିନ୍ଧାଇ ଦେଇଥାନ୍ତି ଯେ ଗୋଡ଼ରେ ଗୋଡ଼ ବାଜି ସେଗୁଡ଼ା ଢଙ୍ଗର ଢଙ୍ଗର ଶବ୍ଦ କରୁଥାଏ । ଏପରି ବେଶଭୂଷାକୁ ମନେମନେ ନିନ୍ଦା କରୁଥାଏଁ । ମୁଣ୍ଡରେ ଏଣେ ଅବିଭାଇଙ୍କ ଭାବନା । ଏପରି ଅବସ୍ଥାରେ ଚାଲିବାବେଳେ ପଡ଼ିଗଲା ପରି ଟଳଟଳ ହେଉଥାଏଁ ।’’

 

‘‘ସେମାନଙ୍କ ଆଗକୁ କେତେବେଳେ ଅସିଗଲିଣି ମତେ ଜଣା ନାହିଁ । ଭାବୀ ଶଶୁର କହିଲେ, ‘ସେଇଠି ବସିପଡ଼, ମା ।’ ମୁଁ ସମସ୍ତଙ୍କୁ ନମସ୍କାର କରି ସେଇଠି ବସିଲି । ରେଖା ମତେ ବିଞ୍ଚୁଥାଏ । ସେତେବେଳକୁ ମୁଁ ଗୋଟାପରି ଝାଳରେ ତିନ୍ତିଗଲିଣି । ଓଢ଼ଣା ତଳେ ଆଖି ଦି’ଟା ଢାଙ୍କି ଖାଲି ନିଜର ପାଦ ଦୁଇଟାକୁ ଚାହିଁଥାଏ । ଟିକେ ହଲଚଲ ହେଲାବେଳକୁ ଅଳଙ୍କାରଗୁଡ଼ାକ ବାଡ଼ାବାଡ଼ି ହୋଇ ବିକଟ ଚିତ୍କାର କରୁଥାନ୍ତି । ମୁଁ ଛନକି ଯାଉଥାଏ ସେଥିଲାଗି ।’’

 

‘‘ଭାବୀ ଶଶୁର କହିଲେ, ‘ସିଧା ହେଇ ବସ । ଏମିତି କୁଜା ହେଇ ବସିଚ କାହିଁକି ? ତୁମେ ଲେଖାପଢ଼ା, ବୁଣାବୁଣି ଜାଣିଚ’ ?’’ ମୁଁ ଉତ୍ତର ନ ଦେଇ ମୁଣ୍ଡ ଟୁଙ୍ଗାରିଦେଲି । ତା’ପରେ କହିଲେ, ‘ଗୀତ ?’ ନାହିଁ କରିବା ଭଙ୍ଗୀରେ ମୁଣ୍ଡକୁ ଏପାଖ ସେପାଖ ଦୁଇତିନିଥର କରିଦେଲି । ଭାବିଲି, ଯେଉଁଠି ପରଦାତଳୁ ବୋହୂକୁ ଦେଖାଚାହାଁ ହୋଇ କଥାବାର୍ତ୍ତା ହେଉଚି, ସେଠି ଗୀତର ମୂଲ୍ୟ କ’ଣ ଏମାନେ ବୁଝିବେ ! କାହାଠାରୁ ବାଟରୁ ଶୁଣିଆସିଚନ୍ତି ବୋଧହୁଏ, ବୋହୂ ଦେଖିବାକୁ ହେଲେ ଗୀତଟାଏ ବରାଦ କରିବାକୁ ହୁଏ, କାଳେ ହୁଣ୍ଡୀ କି ଜାଡ଼ୀ ହେଇଥିବ ! ମୋ’ଠାରୁ ଯିମିତି ସେତକ ଆଦାୟ କରି ନ ପାରିଲେ, ସେଇଠୁ କହିଲେ, ‘ଆଚ୍ଛା, ତୁମ ନାଁଟା କ’ଣ କହିଲ ? ଆଉ କିଛି ଆମର ଦରକାର ନାହିଁ । ଭୟ କରୁଚ କି ଆମକୁ ଦେଖି ? କିଛି ଭୟ ନାହିଁ, କୁହ ।’ ଭାବିଲି ଏଗୁଡ଼ା ବାଘ ଭାଲୁ ନା କ’ଣ ଯେ ୟାଙ୍କୁ ଦେଖି ଡରିଯିବି ? ମୁଁ ମୋଟେ ପାଟି ଫିଟାଇଲି ନାହିଁ । ଅନେକ ସମୟ ଧରି ସେ ମତେ ସେଇକଥା ପଚାରିଲେ । ରେଖା କେତେବେଳ ପରେ କହିଲେ, ତା ନାଁ ସର୍ବାଣୀ । କାଲିଠାରୁ ତାକୁ ଜର । ଦେହ ଭଲ ନାହିଁ । ତେଣୁ... ।’ ମୁଁ ମନେମନେ ରାଗିଲି ତା’ ଉପରେ । ମୋ ଦେହକୁ ଲାଗି ଠିଆହୋଇଥାଏ ସେ । ଖୁବ୍‍ ଜୋରରେ ତା’ ଗୋଡ଼କୁ ଚୁମୁଟିଦେଲି । ସେତେବେଳେ ତାଙ୍କ ଭିତରୁ କେହି ଜଣେ କହିଲେ, ‘ହେଉ ତେବେ ନେଇଯା ତାଙ୍କୁ’-।’’

 

‘‘ମୁଁ ଯାଇଛି କି ନାହିଁ, ତାଙ୍କ ଭିତରେ କ’ଣ କଥାବାର୍ତ୍ତା ହେଲା, ପୁଣି ମତେ ଡକାଇ ପଠାଇଲେ । ଶୁଣିଲି, ମୋ ଗୋଡ଼ରେ କେଉଁଠି କାଳେ ଖୁଣ ରହିଚି । ପୁଣି ଆସିଲି । ଆସୁ ଆସୁ କହିଲେ, ‘ସିଧା ଚାଲ । ଗୋଡ଼ଟା ବଙ୍କେଇ ବଙ୍କେଇ କାହିଁକି ପକଉଚ ?’ ଭାବିଲି, ଆହୁରି ଗୋଡ଼ଟା ବଙ୍କେଇବି । କିନ୍ତୁ ଇଚ୍ଛା ହେଲା ନାହିଁ, ସେମାନଙ୍କୁ ଅପମାନଟାଏ ହେବ ବୋଲି । ଫେରିଲି କି ନାହିଁ ରେଖା ମତେ ବିଧାଏ ଦେଲା । ମାଳତୀ କହିଲା, ‘ଛୋଟୀ ବୋହୂଟାକୁ କିଏ ନେବ ?’ ମୁଁ କାହାରିକୁ କିଛି ନ କହି ଅଳଙ୍କାରଗୁଡ଼ାକ କାଢ଼ିବାରେ ଲାଗିଲି ।

 

‘‘ପରେ ଶୁଣିଲି ଯେ, ସୁରେନ୍ଦ୍ରଭାଇଙ୍କ ବାପା ଆସିଥିଲେ । ଜବାବ ଦେଇଗଲେ ବିଭାଘର କରିବାକୁ । ବାପା ବୋଉ ଏ କଥାରେ ଏତେ ଖୁସି ହେଲେ ଯେ, କହିଲେ ନ ସରେ । ମୁଁ ଖାଲି କାନ୍ଦିଲି । ସେ ଝିଅସବୁ କହୁଥାନ୍ତି, ବିଭାଘଏ ନାଁ ଶୁଣି ଏ ଟିକେ ଖୁସି ହେଉନାହିଁ ! ମୁଁ କାହିଁକି ତାଙ୍କ ସାଙ୍ଗରେ ପାଟିତୁଣ୍ଡ କରନ୍ତି ? ଭାବିଲି, କ’ଣ ଏତେବେଳେ କରିବି ? ଯାହା ହେବାର ହେବ, ଅବିଭାଇଙ୍କ ନିକଟକୁ ଯିବି । ତାଙ୍କୁ ଧରି ଗୋଟାଏ ନିର୍ଜ୍ଜନ ସ୍ଥାନକୁ ଚାଲିଯିବି । ସେଇଠି ଦୁହେଁ ବସା ବାନ୍ଧିବୁ, ବଣର ଫଳମୂଳ ଖାଇବୁଁ, ଝରଣାର ଜଳ ପିଇବୁଁ, ବଣ ଜୀବଜନ୍ତୁଙ୍କର ସାଥୀହେବୁଁ ବେଶ୍‍ ଶାନ୍ତି ମିଳିବ । କିନ୍ତୁ ଖବର ପାଇଲି ଯେ, ସେ ନାହାନ୍ତି । କିଏ କହିଲା, ପୁରୀ ଯାଇଛନ୍ତି, କିଏ କହିଲା ବନ୍ଧୁଘରକୁ ଯାଇଛନ୍ତି । ଭାବିଲି, ମୋର ଏଇ ବିବାହପୂର୍ବରୁ ସେ କ’ଣ ଫେରିବେ ନାହିଁ ! ହଠାତ୍‍ ମୋର ବିବାହ ପ୍ରସଙ୍ଗଟା ଉଠିବ, ଆଉ ସଙ୍ଗେ ସଙ୍ଗେ ସ୍ଥିର ହୋଇଯିବ, ଏକଥା ଯଦି ମୁଁ ଆଗରୁ ଜାଣିଥାନ୍ତି, ନିଶ୍ଚୟ ତାଙ୍କ ନିକଟକୁ ଖବର ଦେଇଥାନ୍ତି । ନାଇଁ ତ ନିଜେ ତାଙ୍କ ସାଙ୍ଗରେ କଥାବାର୍ତ୍ତା କରିଥାନ୍ତି । କିନ୍ତୁ ସେତକ ହୋଇପାରିଲା ନି । ସକାଳ ଯାଇ ସନ୍ଧ୍ୟା ଆସେ । ଚାହିଁ ଚାହିଁ ଆଖିଲୁହ ଆଖି କୋଣରେ ଜମାଟ ବାନ୍ଧି ରହେ; ଦେଖା ହୁଏ ନାହିଁ । ରାତିରେ ବିଛଣାରେ ଶୋଇ ଭାବେ ତାଙ୍କରି କଥା । ଟିକିଏ ଖୁଡ଼୍‍କରି ହେଲେ ମନେକରେ ସେ ଯିମିତି ଘରଭିତରକୁ ପଶିଆସୁଚନ୍ତି । ଏପାଖ ସେପାଖ ଚାହେଁ, କାହାରିକୁ ପାଏ ନାହିଁ । ଏଇମିତି ଦିନଗୁଡ଼ାକ କଟାଇଲି-। ମନର ଆବେଗ କାହାକୁ ବା ଜଣାନ୍ତି ! କିଏ ସାହାଯ୍ୟ କରିବ ଏମିତିକା ବେଳରେ-?’’

 

‘‘ଦିନେ ଲେଖା ଘରକୁ ଯାଉଚି ବୋଲି କହି ବାହାରି ପଡ଼ିଲି । ତାଙ୍କ ଘରେ ପହଞ୍ଚି ଦେଖିଲି, ତା’ବୋଉ ଜଣକ ସାଙ୍ଗରେ ଗପ କରୁଚନ୍ତି । ମତେ ଦେଖି ସେ ପଚାରିଲେ, ‘ଆଲୋ ମା କୁଆଡ଼େ ଆସିଥିଲୁ କି ?’ ମୁଁ ଲେଖାକୁ ଖୋଜି ଆସିଚି ବୋଲି କହିଲି । ସେ ମତେ କହିଲେ, ‘ଲେଖା ଅବି ଘର ଆଡ଼କୁ ଯାଇଚି ।’ ମୁଁ ତ ସେଇୟା ଚାହୁଁଥିଲି । ହେଲେ ଅବିଭାଇ ଘର ଆମର ଇତିପୂର୍ବରୁ ଯେଉଁ କଳିଗୋଳ ହୋଇଥିଲା ସେଇଥିପାଇଁ ମୁଁ ଟିକେ ଯିବାକୁ ଡରିଗଲି । ତଥାପି ଗଲି-। ତାଙ୍କ ଦୁଆରମୁହଁ ପାଖାପାଖି ହେଇ ଲେଖା ଲେଖା ବୋଲି ବଡ଼ପାଟି କରି ଡାକିଲି-। ଅବିଭାଇଙ୍କ ବୋଉ ଆସି କହିଲେ, ‘ସେ ଘର ଭିତରେ ଅଛି । ଆସୁ ନାହୁଁ, ସେଠି ଠିଆହୋଇଛୁ କାହିଁକି-? ବଡ଼ ବଡ଼ଙ୍କ ଭିତରେ ସିନା କଳିଗୋଳ ହେଲା । ତୁ ତ ସବୁରି ଝିଅ ! ଆ, ମୋ ମା ଟା ପରା-! ତୁ ଏମିତି ଭୁଲିଗଲୁ ଆମକୁ’ ?’’

 

‘‘ଭାବିଲି, ଏମାନଙ୍କର ଏତେ ସ୍ନେହ ! ଏତେ କଳିଗୋଳରେ ବି ଟିକିଏ ରାଗ ନାହିଁ । ହେଉ ଯାଉଚି କହି ପଶିଗଲି ତାଙ୍କ ଘରକୁ । ବାପା ବୋଉଙ୍କ କଥା ମନେ ପଡ଼ିଲା । ସେମାନେ ଏକଥା ଶୁଣିଲେ ନିଶ୍ଚୟ ଗାଳି ଦେବେ । ତାଙ୍କୁ କ’ଣ ଆଉ କହିବି ନାହିଁ ? ପୁଣି ଭାବିଲି, ହଁ ମ, କହିଦେବି । କଳିଟା ଅନ୍ତତଃ କେତେ ପରିମାଣରେ କମିଯିବ । ଲେଖା ବସି ଅବିଭାଇଙ୍କ ବହିପତ୍ରଗୁଡ଼ା ଖେଳାଉଥାଏ । ତାକୁ ଦେଖି ଈର୍ଷା ହେଲା କାହିଁକି । ସେ କ’ଣ ଅବିଭାଇଙ୍କୁ କିମିଆ କଲା କି ? ମୋ ବିଭାଘର ଖବରଟା ପାଇଁ ଅବିଭାଇ ସାଙ୍ଗରେ ବୋଧହୁଏ ଭାବ ଲଗେଇବାକୁ ଆସିଲାଣି । ତା’ ନ ହେଲେ ଏତେ ସାହସ ହୁଅନ୍ତା ଅବିଭାଇଙ୍କ ବହି ଖେଳାଇବାକୁ ! ରାଗଟାକୁ ଚାପିରଖି ଅଭିମାନରେ କହିଲି, ‘ମତେ ଟିକିଏ ସ୍ଵେଟରବୁଣା ଶିଖାଇଦେଲୁ ନାହିଁ ! ତୋ ଗୁଣଟା ଊଣା ହେଇଯିବ କିଲୋ ?’ ସେ କହିଲା, ‘ମତେ ଏଇକ୍ଷଣି ଆଉ ବେଳ ଅଛି ? ପରୀକ୍ଷା ପରା ଅଳ୍ପଦିନ ରହିଲା । ଖଣ୍ଡେ ବିଜ୍ଞାନ ବହି ଅବିଭାଇଙ୍କଠୁଁ ନବାକୁ ଆସିଥିଲି ଯେ, ତାଙ୍କର ଦେଖା ହେଲା ନାହିଁ । ତାଙ୍କ ବୋଉଙ୍କୁ କହି ବହିଟା ନେଉଚି । ପରୀକ୍ଷା ସରିଲେ ତତେ ଶିଖାଇଦେବି । ଏଇକ୍ଷଣି କିଛି କହନା ।’ ମୁଁ କହିଲି, ‘ହେଉ ତୋ ମନ । ଆଉ ଅବିଭାଇ କୁଆଡ଼େ ଯାଇଚନ୍ତି କି ?’ କ’ଣ ଆଉ କାଳେ ଭାବିବ, ସେତିକି କହି ତା’ ଉତ୍ତରକୁ ଅପେକ୍ଷା କଲି । ସେ କହିଲା, ‘ତାଙ୍କ ଜେଜେବାପାଙ୍କ ଶବ ନେଇ କଲିକତା ଯାଇଚନ୍ତି ଗଙ୍ଗାରେ ପକାଇବେ ବୋଲି ।’ ମନଟା ଅସ୍ଥିର ହେଲା । କେଉଁଠି ରହିଥିବେ, କିମିତି ତାଙ୍କୁ ମୋର ଏ ଦୁର୍ଦ୍ଦଶା ଜଣାଇବି ? କଲିକତାର କେଉଁ ବଜାରରେ ଅଛନ୍ତି ? ଠିକଣାଟା ଜାଣିବାପାଇଁ ମନ ହେଲା । ଲେଖାକୁ ଅପେକ୍ଷା କଲି କାଳେ ସେ କହିବ ବୋଲି । କିନ୍ତୁ ସେ ଆଉ କିଛି କହିଲା ନି ।’’

 

‘‘ଅବିବୋଉ ମାଉସୀ କହିଲେ, ‘ଆମର ଏଇ କଳିଦିନରୁ ଅବିର ମନ ମୋଟେ ଭଲ ନାହିଁ । ବାପାଙ୍କୁ କହିବୁ, ଆମର ସେ ଗଛ ଦରକାର ନାହିଁ । ଅଧା କାଟି ଛାଡ଼ିଦେଇଗଲେ କାହିଁକି-? ନେଇଯାଆନ୍ତୁ । ଅବି ଆସିଲାବେଳକୁ ଯିମିତି ନ ଥିବ । ନାଇଁ ତ ସେ ଭାରି ଚିଡ଼ିବ ଆମ ଉପରେ । ମୁଁ କେତେଥର ଖବର ଦେବି ଦେବି ହେଉଚି ଯେ, କାହାରିକୁ ଭେଟ ପାଉ ନାହିଁ । ଆଜି ତୁ ତ ଆସିଚୁ; କହିଦେବୁ ।’ ମୁଁ କହିଲି, ‘ନାହିଁ, ପ୍ରକୃତରେ ତୁମର ଯଦି ହଉଚି, ତୁମେ ନିଅ-।’ ତାଙ୍କର ଗଛ ହେଉ ବା ନ ହେଉ, ସେ ଖାଲି କହିଲେ, ‘ନାଇଁ ତୁମେ ନେଇଯାଅ ।’ ମୁଁ ଭାବିଲି ଯାହାହେଉ, କଳିଟା ଗୋଟାଏ ପଟରୁ ବନ୍ଦ ହୋଇଗଲେ ନିଶ୍ଚୟ ସମାଧାନ ହୋଇଯିବ-। ଘରକୁ ଫେରିଆସିଲି । ଅବିଭାଇ କିନ୍ତୁ ଆସିଲେ ନାହିଁ । ଶୁଣିଲି, ସେଇଠି ରହି ଚାକିରି କରିବେ-। ଭାଗ୍ୟକୁ ନିନ୍ଦା କଲି । ଚାରିଆଡ଼େ ମତେ ଶୂନ୍ୟ ଦିଶିଲା ।’’

 

‘‘ସୁରେନ୍ଦ୍ରଭାଇଙ୍କ ନାଁ ଶୁଣିଲାବେଳକୁ ମୋ ହାଡ଼ ଜଳିଲା । ତତେ ତ ଆଗରୁ କହିଚି, ସେ ଆମ ଗାଁରେ ରହି ପାଠ ପଢ଼ୁଥିଲେ । ସେତେବେଳେ ସେ ଲେଖାକୁ ଭଲ ପାଉଥିଲେ । ହେଲେ ଲେଖା ଯେପରି ପିଲା, ସେ ତାଙ୍କୁ ଧରାଛୁଆଁ ଦେଉଥିବ ବୋଲି ମୋର କାହିଁକି ମନେହେଲା ନାହିଁ । ମୋ ବିଭାଘର ପ୍ରସ୍ତାବବେଳେ ସେ କଲେଜରେ ପଢ଼ୁଥାନ୍ତି । ତାଙ୍କ ବାପାଙ୍କର ଇଚ୍ଛା ଯେ, ଧନ ଆମର କ’ଣ ହେବ, ବୋହୂଟିଏ ତ ଭଲ ପାଉଛେ । ତାଙ୍କ ଭାଗ୍ୟରେ ଥିଲେ ସେ କେତେ ଧନ ଘରେ ପୂରେଇବେ । ଖବର ଥରକୁ ପାଞ୍ଚ ଥର ଦିଆନିଆ ହେଲା । କୌଣସିମତେ ଭାଙ୍ଗିଯିବାର ଉପାୟ ଆଉ ଦେଖିଲି ନାହିଁ ।’’

 

‘‘ଭାବିଲି, ସ୍ଵୟମ୍ବର ପ୍ରଥାଟା କେଡ଼େ ଭଲ ! ତାକୁ କାହିଁକି ସମାଜରୁ ଉଠାଇଦେଲେ ? ଆଜି ଯଦି ସେତିକି ସୁବିଧା ପାଆନ୍ତି, ମୋର ଆଉ କିଏ ଭେଟ ପାଆନ୍ତା ! ସମାଜରୁ କୁସଂସ୍କାର ଲୋପ ପାଇବ କ’ଣ, ଯେଉଁଗୁଡ଼ା ଗ୍ରହଣୀୟ, ତାହାହିଁ ଲୋପ ପାଉଛି । ହେ ଭଗବାନ, କେବେ ସେ ଅଧ୍ୟାୟ ରଞ୍ଜିତ ହୋଇଉଠିବ ଇତିହାସ ପୃଷ୍ଠାରେ ? ମୋ ପରି କେତେ ଝିଅ ଏଇମିତି ବିକଳ ଆର୍ତ୍ତନାଦ କରୁ ନ ଥିବେ ଏ ଦେଶରେ ! ସେଇମାନ କ’ଣ ମତେ ଏତେବେଳେ ସାହାଯ୍ୟ ଦେବେନି-? ମୁଁ ହୁଅନ୍ତି ସେମାନଙ୍କର ଅଗ୍ରଣୀ; ଶୋଭାଯାତ୍ରା କରି ବିପ୍ଳବିଣୀ ବେଶରେ ରାଜଦରବାରରେ ଆମର ଦାବି ଉପସ୍ଥାପିତ କରନ୍ତି; ଅନୁମୋଦନ ନ କଲାପର୍ଯ୍ୟନ୍ତ ଅନଶନ କରନ୍ତି-। ମନ ଭିତରେ ସିନା ଏତେ ପ୍ରତିକ୍ରିୟା ସୃଷ୍ଟି ହେଉଥାଏ; କିନ୍ତୁ ବାହାରକୁ ବାହାରିପାରୁ ନ ଥାଏ-। କାହାରି ସାଙ୍ଗରେ ସେ ବିଷୟରେ ପଦେ କଥାବାର୍ତ୍ତା କରିବାକୁ ବି ସାହସ ହେଲା ନାହିଁ-। ସମାଜର ଏତେବଡ଼ ପରମ୍ପରାକୁ ଭାଙ୍ଗିଦେବାକୁ ଆମ ଭଳି ଲୋକଙ୍କର ଶକ୍ତି ନାହିଁ ବୋଲି ଭାବିଲି-।’’

 

‘‘ସୁରେନ୍ଦ୍ରଭାଇଙ୍କ ସାଙ୍ଗରେ ପିଲାବେଳେ ପଢ଼ିଲାବେଳେ ସ୍କୁଲକୁ ଦିନେ ଦିନେ ଯାଉଥିଲି । ସେତେବେଳେ ତାଙ୍କୁ ପ୍ରତି ମୋର ଶ୍ରଦ୍ଧା ନ ଥିଲା । କେବଳ ପୁରୁଷପୁଅର ସଙ୍ଗ ଲାଭ କରିବା ଗୋଟାଏ ଝୁଙ୍କ । କିନ୍ତୁ ସେ ଯେତେବେଳେ ଅବିଭାଇଙ୍କ ନିନ୍ଦା କଲେ, ସେଇଠୁ ତାଙ୍କ ଉପରେ ମୋର ଭାରି ରାଗ ହୋଇଥିଲା । ମୋର ଚାଲିଚଳନରୁ ମଧ୍ୟ ସେ ମୋ କଥାଟା ଜାଣିପାରିଛନ୍ତି । ଆଜି ଯଦି ତାଙ୍କ ସହିତ ବିବାହଟା ହୋଇଯାଏ, ସେ କ’ଣ ନ କହିବେ ମତେ ? ଦାମ୍ପତ୍ୟ ଜୀବନଟା କ’ଣ ଆଉ ସୁଖରେ କଟିବ ? ସେତେବେଳେ କିଏ ମୋର ଦୁଃଖ ଜାଣିବ ? ମୋର ଇଚ୍ଛା ବିରୁଦ୍ଧରେ ଏ କାର୍ଯ୍ୟ ହେବାକୁ ଯାଉଛି କାହିଁକି ? ସେ ତ ସହଜେ ବଡ଼ଘର ପୁଅ, ବଡ଼ ଆଖି ବଡ଼ କଥା । ଆମେ ତ ଗରିବ, ରାସ୍ତାକଡ଼ର ଅଦରକାରୀ କାଠିକୁଟାଭଳି । ଏତେ ଯେଉଁଠି ବୈଷମ୍ୟ ରହିଛି, ସେଠି କିମିତି ବିଭାଘର ହେବାର ପ୍ରଶ୍ନ ଉଠିଲା ? ସେଇ କଥାକୁ ମନେପକାଇଲାବେଳେ ଶୁଣେ–‘ସାବି ଭାଗ୍ୟଟା ଭଲ । ବର ଯିମିତି, ଘର ସିମିତି । ଦୁଃଖ କ’ଣ, ଦିନେ ଜାଣିବ ନାହିଁ ।’ ସେମାନଙ୍କ କଥା ଶୁଣି ଭାବିପାରେ ନାହିଁ, ସୁଖ କି ଦୁଃଖ ମୋ’ପାଇଁ ଆଗକୁ କ’ଣ ଅଛି !’’

 

‘‘ଅବିଭାଇଙ୍କୁ ଭୁଲିଯିବାକୁ ଇଚ୍ଛା ନ ଥିଲେ ବି ପ୍ରକୃତି ମତେ ଭୁଲିବାକୁ ବାଧ୍ୟ କଲା । ସେ ରହିଲେ ସୁଦୂର ବିଦେଶରେ । ଏପରି ଆକସ୍ମିକ ଭାବରେ ଭଗବାନ ତାଙ୍କୁ ମୋ’ଠାରୁ ଦୂର କରିବେ ବୋଲି କେବେ କଳ୍ପନାରେ ଆଣି ନ ଥିଲି । ତାଙ୍କ ମୋ ଭିତରେ ଯେଉଁ ନିବିଡ଼ ସମ୍ପର୍କ, ତାହା ହୁଏତ ଭଗବାନଙ୍କର ଚକ୍ଷୁଶୂଳ ହୋଇଉଠିଲା । ଚକୁଆ ଚକୋଈଙ୍କର ବିଚ୍ଛେଦର ଦୁଃଖ ଭିତରେ ଅନାଗତ ଆନନ୍ଦରେ ଆଶା ପ୍ରାଣ ଭିତରେ ମଧୁ ଗୁଞ୍ଜରଣ ସୃଷ୍ଟି କରୁଥାଏ । କିନ୍ତୁ ଅବିଭାଇ ଓ ମୋ ଭିତରେ ଯେଉଁ ବିଚ୍ଛେଦ ଘଟିଲା ତାହା ମତେ ବୈଧବ୍ୟ ଯନ୍ତ୍ରଣାଠାରୁ ଅଧିକ ଦୁଃଖ ଦେଲା । ତାଙ୍କୁ ଧରି ଜୀବନର ରଙ୍ଗମଞ୍ଚ ଉପରେ ନାୟିକା ସାଜିବାର ଆଶା ସମ୍ପୂର୍ଣ୍ଣ ଲୋପ ପାଇଲା । ସେଇ କଳିଟି ହିଁ ମୋର ପ୍ରତିବନ୍ଧକ ହେଲା । ନଚେତ୍‍ ମତେ ନ ପଚାରି ସେ କେଉଁଆଡ଼େ ଅନୁକୂଳ କରି ନ ଥାନ୍ତେ । ଯାଇଥିଲେ ବି ଚିଠିପତ୍ର ଦିଆନିଆ ନ କରି ରହିପାରି ନ ଥାନ୍ତେ ।’’

 

‘‘ବିଭାଘର ପାଇଁ ବାପା ବୋଉ ସମସ୍ତ ପ୍ରକାର ଆୟୋଜନରେ ଲାଗିପଡ଼ିଲେ । ପାଣି ଶଙ୍ଖେ ଟେକିଦେଲେ ତାଙ୍କର ଛୁଟି । କିନ୍ତୁ ମୋ ଅନ୍ତର ଯେ ଭିତରେ ଭିତରେ କୁହୁଳୁଛି, ଏ କଥା ସେ ବା ଜାଣନ୍ତେ କିମିତି । ତାଙ୍କୁ ସଫା ସଫା କହିଦେବି ବୋଲି ଭାବିଲି, ‘ବାପା, ତୁମେ ମତେ କାହିଁକି କନ୍ଦାଉଛ ? ମୋର ଆଦୌ ଇଚ୍ଛା ନୁହେଁ ସେଠି ବିଭା ହେବାକୁ । ବିବାହଟା ମୋର ଆଗରୁ ବଢ଼ି ଯାଇଛି ।’ କିନ୍ତୁ ହେଲା ନାହିଁ । କଥାଟା କଣ୍ଠ ପର୍ଯ୍ୟନ୍ତ ଆସି ପୁଣି କୁଆଡ଼େ ମିଳାଇଗଲା । ବାପା ତ ରାଜି ହେବେ ନାହିଁ, ବରଞ୍ଚ ଲୋକ ଅପବାଦ ତେଜିବ । ତେଣୁ କଥାଟା ମୁଣ୍ଡପାତି ସହିଯିବା ଛଡ଼ା ଆଉ କିଛି ଉପାୟ ନାହିଁ, ଦେଖିଲି ।’’

 

‘‘ବିଭାଘର ଚାରି ଦିନ ଥାଏ, ସୁରେନ୍ଦ୍ରଭାଇ କଲେଜରୁ ଛୁଟିନେଇ ଆସିଲେଣି ବୋଲି ଶୁଣିଲି । ସେ କୁଆଡ଼େ ରାଜି ହେଉ ନ ଥାନ୍ତି ବର୍ତ୍ତମାନ ବିବାହ କରିବାକୁ । ଅନ୍ତତଃ ବି.ଏ.ଟା ପାସ୍‍ କରିବା ପରେ ବିବାହ କରିବେ । ମୋର ଏ କଥା ଶୁଣି ଟିକେ ଦମ୍ଭ ଆସିଲାବେଳକୁ ବାପା ପୁଣି ଲୋକ ପଠାଇଲେ । ତାଙ୍କ ବୋଉ ଖବର ଦେଲେ ଯେ, ପିଲା ମନ ତ, କ’ଣ ଗୋଟାଏ ବୁଝିଯାଇଥିଲା; ସେ କ’ଣ ଆମ କଥାରୁ ବାହାରିଯିବ ?’’

 

‘‘ଯିମିତି କାଚ ଜିନିଷଟାଏ ହାତରୁ ଖସିପଡ଼ିଲେ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯାଏ, ମୋ ମନ ଭିତରଟା ସିମିତି ଚୁର୍‍ମାର୍‍ ହୋଇଗଲା । କାହାକୁ କିଛି ନ ଜଣାଇ ଅନୁଯୋଗ କରି ଖଣ୍ଡିଏ ଚିଠି ଲେଖିଲି ଅବିଭାଇଙ୍କ ପାଖକୁ, ଶୀଘ୍ର ଆସି ମତେ ଏଭଳି ବିପଦରୁ ରକ୍ଷା କରିବାକୁ । ବୋଉ ଆସି ପଚାରିଲା, ‘କ’ଣ ଲେଖୁଛୁ କି ଲୋ ?’ ମିଛରେ କହିଲି, ‘ଗୋଟାଏ ଗୀତ’ । ବୋଉ ବିଶ୍ୱାସ କଲା କି କ’ଣ ଆଉ କିଛି ନ କହି ପଳାଇଗଲା । ଚିଠିଟା ମୋଡ଼ିମାଡ଼ି ଅଣ୍ଟାରେ ଗୁଞ୍ଜିଦେଇ ଏକମୁହାଁ ହୋଇ ଚାଲିଲି ଅବିଭାଇଙ୍କ ଘରଆଡ଼କୁ । ତାଙ୍କ ବୋଉ ମୋର ଦେଖା ହେଲେ । ଦ୍ଵନ୍ଦ୍ୱ ଭିତରେ ଆତ୍ମୀୟତା ବେଶି ଜଡ଼ିରହିଥାଏ ବୋଧହୁଏ । ସେ ମତେ କୁଣ୍ଡାଇପକାଇ ଦୁଃଖରେ କହିଲେ, ‘ଆଉ କାହିଁକି ଆମ ଘରକୁ ଆସନ୍ତୁ ! ବାପା ତ ତୋର ବାଟରେ କଣ୍ଟା ପକେଇଲେ । ତୋ ବୋଉ ପାଖକୁ ଦିନେ ଖବର ଦେଲି ଯେ, ସେ ତତେ ପଠାଇବାକୁ ମନା କରିଦେଲେ । ଝିଅ ଯେତେବେଳେ ତାଙ୍କର, ଆଉ ଯିବାବେଳେ... !’ ମୁଁ ମନେମନେ କହିଲି, ହଁ, ଯିବାବେଳେ ଶେଷଥର ପାଇଁ ଟିକେ ଦେଖା କରିବାକୁ ଆସିଛି । ଯେଉଁ ସ୍ନେହ ତୁମମାନଙ୍କଠୁଁ ପାଇଥିଲି, ତା’ରି ବଦଳରେ ଆସିଛି ବିନ୍ଦୁଏ ଲୁହ ଏଠି ଢାଳିଦେଇଯିବାକୁ । ଅତି ଦୁଃଖରେ କହିଲି, ‘ଅବିଭାଇଙ୍କ ଠିକଣାଟା ଟିକେ ଦେବ କି ?’ ସେ କହିଲେ, ‘ଅବି ତ ଶୁଣିନାହିଁ ତୋ ବିଭାଘର କଥା । ସେ ଶୁଣିଲେ କେତେ ଦୁଃଖ କରିବ ଆସିପାରିଲା ନାହିଁ ବୋଲି । କ’ଣ କରିବି ମା, ପାଖରେ ନା ଆଖରେ !’ ଏହା କହି ଠିକଣାଟି ମତେ ଆଣି ଦେଲେ । ମୁଁ ଠିକଣା ଲେଖି ଚିଠିଟା ପଠାଇଦେଲି ।’’

 

‘‘ଭାବନାରେ ଭାବନାରେ ଦିନ ସିନା ଗଡ଼ିଗଲା; କିନ୍ତୁ ଫଳ କିଛି ହେଲା ନାହିଁ । ଅସ୍ଥିର ହୋଇଉଠିଲି ବେଳୁବେଳ । ସେ ନ ଆସିଲେ ନାହିଁ; ମୁଁ କିନ୍ତୁ ପଳାଇଯିବି ଗାଁଗଣ୍ଡା, ନଈନାଳ, ସମୁଦ୍ର ପର୍ବତ ପାରିହୋଇ ଗୋଟାଏ ନିଛାଟିଆ ସ୍ଥାନକୁ–ଯେଉଁଠାରେ କିଛି ବନ୍ଧନ ନ ଥିବ–କିଛି ଆକର୍ଷଣ ନ ଥିବ–କିଛି ଦୁର୍ବଳତା ନ ଥିବ । ପୁଣି ପରମୁହୂର୍ତ୍ତରେ ଭାବିଲି, ଦୁର୍ବଳତା ମନୁଷ୍ୟର ଗୋଟାଏ ଧରାବନ୍ଧା ରୋଗ; ସେଥିରୁ ବାଦ୍‍ ଯିବି କିମିତି ? ଅନନ୍ୟୋପାୟ ହୋଇପଡ଼ିଲି । ସେତେବେଳେ ମୋର ଯେଉଁ ବୁକୁଫଟା ଦୁଃଖ, ତାକୁ ଭଗବାନଙ୍କ ବ୍ୟତୀତ ଆଉ କେହି ଜାଣିନାହାନ୍ତି । ସେଇ ମୋ ଦୁଃଖଟାକୁ ବଢ଼ାଇଦେଲେ । ସେତେବେଳେ ଇଚ୍ଛା ହେଲା, ସେହି ନିର୍ବୋଧ ଭଗବାନ ହାବୁଡ଼ରେ ପଡ଼ିଲେ ପଚାରନ୍ତି, ‘ଯାହାର ଦଣ୍ଡିବାର ଶକ୍ତି ଅଛି, ସେ ଅତି ଦାରୁଣ ଭାବରେ ଜଣକୁ ଦଣ୍ଡବିଧାନ କରି କି ପ୍ରଶଂସା ପାଇବ’ ?’’

 

ମଳୟା ତା’ର କଥାଗୁଡ଼ାକ ଶୁଣି ଶୁଣି କହିଲା, ‘‘ଭଗବାନଙ୍କର କିଛି ଦୋଷ ନାହିଁ । ଏଥିଲାଗି ଆମର ସମାଜ କେବଳ ଦାୟୀ । ଏଥିପାଇଁ ବହୁତ ନାରୀ ବିଦ୍ରୋହ କରି ଆସିଛନ୍ତି; କିନ୍ତୁ କୃତକାର୍ଯ୍ୟ ହୋଇନାହାନ୍ତି । ଆମ୍ଭମାନଙ୍କର ସ୍ୱାଧିକାର ପ୍ରଚେଷ୍ଟା ସେହିଦିନ ସଫଳ ହେବ, ଯେଉଁଦିନ ପୁରୁଷ ଓ ନାରୀର ମୂଲ୍ୟ ସମାନ ହେବ ସମାଜରେ । ଆଜି ନାରୀର ବ୍ୟକ୍ତିତ୍ୱକୁ ଅସ୍ୱୀକାର କରୁଛି ସମାଜ । ନାରୀ ପୁରୁଷ ନିକଟରେ ପଣ୍ୟଦ୍ରବ୍ୟ ହୋଇଛି । ତା’ର ରୂପଯୌବନ ଆଉ ଦେହ ବ୍ୟତୀତ ମନୁଷ୍ୟତ୍ୱକୁ କେହି ଚିହ୍ନିପାରି ନାହିଁ । ବ୍ୟକ୍ତି ସ୍ଵାତନ୍ତ୍ର୍ୟ ପ୍ରତି ଭ୍ରୂକ୍ଷେପ ନ କରି ଆମେ ଆଜି ସ୍ୱାଧୀନ ରାଷ୍ଟ୍ରର ସ୍ୱାଧୀନ ନାଗରିକ ବୋଲି କହିହେବା ମାନେ ସ୍ୱାଧୀନତା ନାମରେ କଳଙ୍କ ବୋଳିବା ।’’

 

ଛଅ

 

ସୁରେନ୍ଦ୍ରଭାଇଙ୍କ ସାଙ୍ଗରେ ମୋର ବିଭାଘରଟା ହୋଇଗଲା । ବୋହୂ ହୋଇ ତାଙ୍କ ଘରେ ପାଦ ଦେବାକୁ ପଡ଼ିଲା । ଅନିଶ୍ଚିତ ଭବିଷ୍ୟତକୁ ଭୁଲି ନିଶ୍ଚିତ ବର୍ତ୍ତମାନ ପଛରେ ତାଳ ଦେଇ ଚାଲିଲି । ଚଉଠି ରାତିଟା ଉପାସ କରି ଦେହଟା ଝୋଲା ମାରିନେଉଥାଏ । ରାତିକୁ ତାଙ୍କର ଜଣେ ଭାଉଜ ମତେ ମଧୁଶଯ୍ୟା ଘର ଭିତରେ ଛାଡ଼ିଦେଇଗଲେ । ମୁଁ କବାଟ ଶିକୁଳି ଦେଇ ତାଙ୍କ ଆଡ଼କୁ ଟିକେ ତେରେଛେଇ ଚାହିଁଲି । ସେ ଶୋଇଥାନ୍ତି ପଲଙ୍କ ଉପରେ । ଲଣ୍ଠନଟି ମିଞ୍ଜି ମିଞ୍ଜି ହୋଇ ଜଳୁଥାଏ । ତା’ରି ଆଲୋକରେ ପଲଙ୍କରେ ବୋଳାଯାଇଥିବା ବାର୍ନିସ ରଙ୍ଗ ଠାଏ ଠାଏ ଚିକ୍‍ଚିକ୍‍ ମାରୁଥାଏ । ଘରଟା ଯିମିତି ସ୍ଵାଗତିକାର ପରିପାଟୀରେ ଝଙ୍କୃତ ହୋଇ ଉଠୁଥାଏ । ମୁଁ କବାଟଠାରୁ କିଛି ବାଟ ଘୁଞ୍ଚିଯାଇ ତାଙ୍କ ଆଡ଼କୁ ପଛ କରି ଠିଆ ହୋଇ ରହିଲି । ମନ ଭିତରେ କେତେ କଥା ଖେଳିଲା । ତାଙ୍କ ପାଖକୁ କିମିତି ଯିବି ? ସେ ମତେ କ’ଣ ଭାବିବେ ? ପ୍ରାୟ ଦୁଇ ଘଣ୍ଟା କଟିଲା । ତଥାପି ତାଙ୍କର କୌଣସି ସୋରଶବ୍ଦ ମିଳିଲା ନାହିଁ । ସେ ଯେ ପ୍ରକୃତରେ ଶୋଇଥିଲେ ଏ କଥା ମୋର ମନେ ହେଲା ନାହିଁ । କିନ୍ତୁ ତାଙ୍କ ନିଃଶ୍ୱାସ ନେବାରୁ ଜାଣିଲି, ସେ ଗାଢ଼ ନିଦରେ ଶୋଇପଡ଼ିଛନ୍ତି ।

 

ମନେ ପଡ଼ିଲା ରେଖା, ବାସନ୍ତୀ ଆଉ ସୁପ୍ରିୟା ଭାଉଜ କଥା । ସେମାନେ ମତେ କେତେ ସାବଧାନ କରି କହିଥିଲେ: ସେ ଯାହା କହିବେ ତାଙ୍କ କଥା ଏଡ଼ିଦେବୁ ନାହିଁ । ତାଙ୍କ ସେବାରେ ମନପ୍ରାଣ ଢାଳିଦେବୁ । ମୁଁ ଆଉ କେଉଁ କଥା ତାଙ୍କର ମାନିଲି ନାହିଁ ? ମୁଁ ସିନା ନୂଆ ଭୂଆ; ଲାଜ କରିବି । ତାଙ୍କର କି ଲାଜ ? ସୁରେନ୍ଦ୍ରଭାଇ ତ ଲାଜକୁଳା ନୁହନ୍ତି । ପାଠ ପଢ଼ିଲାବେଳେ ମୁଁ କ’ଣ ତାଙ୍କ ଢଙ୍ଗଢାଙ୍ଗ ଦେଖିନି ? ଝିଅମାନଙ୍କ ସାଙ୍ଗରେ ହସକୌତୁକ ହେବା ପ୍ରତିଦିନ ତାଙ୍କ କାମର ଗୋଟାଏ ଅଂଶ ଥିଲା ସେତେବେଳେ । ଏଇକ୍ଷଣି କ’ଣ ଏମିତି ଋଷି ପାଲଟିଗଲେ ! ତାଙ୍କର ଏମିତି ମାନ ମାରିବାର ଭିତିରି ରହସ୍ୟ କିଛି ଠଉରାଇପାରିଲି ନାହିଁ ।

 

Unknown

ପଥର ପରି ଅନେକ ସମୟ ଧରି ଠିଆ ହୋଇ ଗୋଡ଼ ଦି’ଟା ବିନ୍ଧିଉଠିଲା । ସହିପାରିଲିନି ଶରୀରର ଅବାଞ୍ଛନୀୟ ପୀଡ଼ାକୁ । ଢଳିପଡ଼ିଲି ସେଇଠି ଭୂଇଁଟା ଉପରେ । ତା’ପରେ ଆସିଯାଇଛି ନିଦ । ନିଘୋଡ଼ ନିଦ । ହୁଏତ ତାଙ୍କର ସୁସୁପ୍ତିରେ ବାଧା ନ ଦେବାପାଇଁ କିଏ ଯିମିତି ମୋର ଅନିଚ୍ଛାସତ୍ତ୍ୱେ ବାଧ୍ୟ କଲା ଶୋଇପଡ଼ିବାକୁ । ବିଭା ହୋଇ ଆସିବା ଦିନ ଆତ୍ମୀୟସ୍ଵଜନଙ୍କୁ ଛାଡ଼ି ଆସିବାରେ ଯେତିକି ଦୁଃଖ ଥିଲା, ତା’ଠୁଁ ବେଶି ଆନନ୍ଦ ଥିଲା ସ୍ୱାମୀଙ୍କର ସଙ୍ଗସୁଖ ପାଇବା ଆଶାରେ । ଏଇ ଚୁମ୍ବକୀୟ ଆଶାରେ ମୁଁ ବିଭୋର ହୋଇ ମିଳନର ମୁହୂର୍ତ୍ତକୁ ହେଜି ହେଉଥିଲି । ସେଇ ମୁହୂର୍ତ୍ତଟା ତ ଆସିଲା । ତେବେ କାହିଁ ? ମୁଁ ସ୍ଵପ୍ନ ଭିତରେ ଭାସିବୁଲୁଛି କି ପ୍ରକୃତ କ୍ଷେତ୍ରରେ ଉପସ୍ଥିତ ହୋଇଛି, କିଛି ଠିକ୍‍ କରିପାରିଲି ନି ।

 

ସକାଳ ହୋଇସାରିଛି । ଘର ଭିତରେ ପ୍ରଭାତୀ ଆଲୋକ ଲେସି ହୋଇଯାଇଛି । କିଏ ଜଣେ କବାଟ ଠକ୍‍ ଠକ୍‍ କରି ବାହାର ପଟରୁ ମତେ ଡାକ ଦେଲେ । ମୋ ନିଦ ଭାଙ୍ଗିଗଲା । ଚାହିଁଲି, ସେ ସେ ଶୋଇଛନ୍ତି ସିମିତି । କବାଟଟା ଖୋଲିଦେଇ ପଳାଇଗଲି ବାହାରକୁ । ବାହାରେ ଥିବା ସ୍ତ୍ରୀଲୋକ ଜଣକ ମତେ ଚାହିଁ ଟିକେ ମୁରୁକି ମୁରୁକି ହସିଲେ । ମତେ ଘରକୁ ବୋହୂ କରି ଆଣିବାରେ ତାଙ୍କ ହୃଦୟଟା ଯିମିତି ଆନନ୍ଦରେ ଫାଟିପଡ଼ୁଥାଏ । ମୋ ମୁହଁରୁ କିନ୍ତୁ ହସ ବାହାରିଲା ନାହିଁ । ତାଙ୍କ ସାଙ୍ଗରେ ଯାଇ ନିଜର ନିତ୍ୟକର୍ମ ଶେଷ କଲି । ଦିନଯାକ କେତେ ଲୋକଙ୍କୁ ନିଜର ରୂପ ଦେଖାଇବାରେ କଟିଲା ।

 

ପୁଣି ରାତି ଆସିଲା । ମୁଁ ଗଲି ଶୋଇବାକୁ । ଭାବିଲି, ଯାହାହେଉ ଆଜି ତାଙ୍କ ପାଖକୁ ଯିବି । ଏହା ଭାବି ପଲଙ୍କ ନିକଟରେ ଯାଇ ଠିଆ ହେଲି । ତାଙ୍କ ମୁହଁ ସିଧାରେ ମୁହଁଟିକୁ ତଳକୁ ଓହଳାଇ କାନ୍ଦିଲି । ଅନ୍ତର ଭିତରୁ ଖାଲି କୋହ ଉଠିଲା । ସେ ମତେ ଚାହିଁଲେ । ମୋ ଗାଲରୁ ଲୁହଗୁଡ଼ା ପୋଛିଲେ । କହିଲେ, ‘‘କାନ୍ଦୁଛୁ କାହିଁକି ?’’ ମୁଁ କହିଲି, ‘‘କନ୍ଦାଉଛ ତୁମେ ।’’ ସେ ମୋର ବାଁ ହାତଟିକୁ ଧରି ନିଜ ଛାତି ଉପରକୁ ଭିଡ଼ିନେଲେ । ମୁଁ ଢଳିପଡ଼ିଲି ତାଙ୍କ ଉପରକୁ । ସେ କହିଲେ, ‘‘ପ୍ରକୃତରେ ମୁଁ ତତେ କନ୍ଦାଇଛି । କାଲି ରାତିର ଯେଉଁ ଅଳ୍ପ କେତେକ ସମୟ ତୋ ସାଙ୍ଗରେ ଦେଖା ହେବାର ସୁଯୋଗ ମିଳିଥିଲା ତା’ ହୋଇପାରିଲାନି କେବଳ ଶାରୀରିକ ଦୁର୍ବଳତା ଯୋଗୁଁ । ଦିନ ଓ ରାତିସାରା ଖଟଣି ପରେ କ୍ଳାନ୍ତ ଶରୀର ମୋର ପ୍ରତୀକ୍ଷା କରିପାରିଲାନି ତୋର ଆଗମନକୁ । ଭୋର ହୋଇଗଲା । ନିଦୁଆ ଆଖିରେ ନାଚିଉଠିଲା ତୋରି ରୂପଠାଣି । ଭୋକିଲା କଣ୍ଠରେ ଖୋଜି ହେଲି ତତେ । କିନ୍ତୁ ପାଇଲିନି ଶେଯରେ ।’’ ତାଙ୍କ କଥା ଶୁଣି ମୁଁ ବେଶ୍‍ ବୁଝିଗଲି ।

 

ମଝିରେ କେତୋଟି ଦିନ କଟିଲା । ଦିନରେ କିନ୍ତୁ ତାଙ୍କ ସାଙ୍ଗରେ ମୋର ଦେଖାହୁଏ ନାହିଁ । ଦେଶାଚାର ତ ଗୋଟାଏ ଅଛି ! କେହି ନ ଥିଲା ବେଳେ ତାଙ୍କ ଆଡ଼େ ଟିକେ କଣେଇ କଣେଇ ଚାହେଁ । ସେ ମୋ ଉପରେ ଥରେ ଆଖି ବୁଲାଇନେଇ ଚାଲିଯାଆନ୍ତି । ଦିନ ଯାଇ ରାତି ଆସେ । ମୋର ପେଟ ପୂରିଉଠେ । କିମିତି କାମ ସରିବ ସେଥିପାଇଁ ହାତ ଚଞ୍ଚଳ ହୋଇଉଠେ । ଦିନେ ଭାବିଲି, ଆଜି ରାତିଟା ଖାଲି କଥାବାର୍ତ୍ତା କରି ମଉଜରେ କଟାଇବି । ତାଙ୍କ ପାଖକୁ ଚାଲିଗଲି । ସେ ଖଣ୍ଡିଏ ବହି ଧରି ପଢ଼ୁଥାନ୍ତି । ମତେ ଦେଖି ବହିଟି ଥୋଇଦେଇ ପଲଙ୍କ ଉପରେ ମୋ ମୁହଁକୁ ଦୁଇ ହାତରେ ଚାପି ଧରି କହିଲେ, ‘‘ସତେ ସାବି, ତୁ କେଡ଼େ ସୁନ୍ଦର ? ତତେ ସବୁଦିନେ ଏଇ ତରଙ୍ଗାୟିତ ଯୌବନର ଅକ୍ଷତ ରୂପରେ, ଅବଗୁଣ୍ଠନବତୀ ଲଜ୍ଜାଶୀଳା ବୋହୂ ବେଶରେ ଦେଖିବାକୁ ମୋର ଇଚ୍ଛା । ତୁ ଏଇ ମୁହଁଟିକୁ ଓଢ଼ଣା ତଳୁ ଦେଖାଇ ଲୁଚାଇ ଦେଉଥିବୁ, ଚୁପ୍‍ ଚୁପ୍‍ କରି କଥାବାର୍ତ୍ତା କରୁଥିବୁ, ଏଇଥିରେହିଁ ମୋର ତୃପ୍ତି ।’’ ମୁଁ କହିଲି, ‘‘ତୁମେ କଲେଜପଢ଼ୁଆ ଲୋକ ହୋଇ ପୁରୁଣା ରୀତିନୀତିକୁ ଏଭଳି ପସନ୍ଦ କର ? ମୁଁ ଆଶା କରିଥିଲି ତୁମଠୁଁ ଗୋଟେ କିଛି ନୂଆ କଥା ଶୁଣିବି ବୋଲି । ବହୁତ ସ୍ତ୍ରୀପୁରୁଷ ସହର ବଜାରରେ ତୁମ ଆଖିରେ ପଡ଼ିଥିବେ । ସେମାନେ ତାଙ୍କର ଜୀବନକୁ ପ୍ରେମୋଚ୍ଛଳ କରିବାପାଇଁ କିପରି ରାସ୍ତାଧାରରେ ଖୋଲା ପବନରେ ବୁଲୁଥାନ୍ତି ତାହା କ’ଣ ଜାଣି ନାହଁ ?’’ ସେ କହିଲେ, ‘‘ବଜାର ଭିତରେ ସ୍ତ୍ରୀର ରୂପଯୌବନକୁ ଲୋକଙ୍କ ଆଖିରେ ବିକେଇହେବାକୁ ମୁଁ ପସନ୍ଦ କରେ ନାହିଁ ।’’ ମୁଁ କିନ୍ତୁ ବୁଝିଲିନି ।

 

ଝରକାଟାକୁ ଚାହିଁଲି, ବନ୍ଦ ହୋଇଛି । ତା’ରି ଫାଙ୍କ ଦେଇ ଗୋଟାଏ ରୁପେଲି ଆଲୋକରେଖା ତୀର ପରି ପଡ଼ିଛି ଘରଭିତରେ । ଭଲ ଭାବରେ ଆଲୋକ ପାଇବା ପାଇଁ ଖୋଲିଦେଲି ଝରକାଟା । କହିଲି, ‘‘ତୁମେ ଏମିତିଆ ମଣିଷ ? ଚନ୍ଦ୍ରପକ୍ଷ ରାତିଟା । ଝରକାଟା ଖୋଲିଦେଲେ ଟିକେ ଆଲୁଅ ପଡ଼ନ୍ତା ନାହିଁ ଘରଭିତରେ ! ଏଇ ଦେଖିଲି, ତୁମ ମୁହଁଟି କେଡ଼େ ସୁନ୍ଦର ଦିଶିଲା ଏଥର ! ଭଲ ଲାଗୁନି ?’’ ସେ କହିଲେ, ‘‘ଚନ୍ଦ୍ର ତା’ର ରୂପ ନେଇ ଜନ୍ମ । ଆମେ ତା’ର ରୂପରୁ ଟିକେ ଲେସିହୋଇଗଲେ କ’ଣ ଆମ ଦେହର ଉଜ୍ଜ୍ୱଳତା ବଢ଼ିଯିବ ?’’ ମୁଁ କହିଲି, ଟିକେ ଆନନ୍ଦ ତ ପାଇବା ! ଏଇଠିକି ଉଠିଆସ, ବସ, ମୋ ରାଣ । ରାତିଟା କ’ଣ ଅନ୍ଧାର ଭିତରେ କଟାଇବାକୁ ଭଲ ଲାଗୁଚି ? ଆସ ।’’ ସେ ମୋଟେ ଉଠିଲେନି । ଆଉରି ମତେ ଟାଣିନେଇ ଶୋଇପକାଇଲେ । ମୋର ସେତେବେଳେ ଶୋଇବାକୁ ମୋଟେ ଇଚ୍ଛା ନ ଥାଏ । କହିଲି, ‘‘ହଉ, ଗୋଟାଏ ଗପ କୁହ, ଶୁଣିବି ।’’ ସେତିକିବେଳେ ପହଡ଼ିକିଆ କେତୋଟି ଶିଆଳଙ୍କ ହୁକେ ହୋ ଶବ୍ଦ ଶୁଭିଲା । ସେ କହିଲେ, ‘‘ରାତି ବେଶି ହୋଇଗଲାଣି, ଶୋଇପଡ଼ । ରାତି ପାହିଲେ କଟକ ଯିବି । ଅନିଦ୍ରା ହେଲେ କଲେଜରେ ଯୋଗଦେଇପାରିବିନି ।’’ ତାଙ୍କ କଲେଜ ଯିବା କଥା ଶୁଣି ମୋ ହଲକ ଶୁଖିଲା । ସେ ତ ପଳେଇବେ; କିମିତି ମୁଁ ଦିନଗୁଡ଼ା କଟାଇବି ? କଲେଜକୁ ଏମିତି ବଡ଼ ମନେ କରନ୍ତି ! ମୋ କଥା ଆଉ ଟିକେ ଭାବୁନାହାନ୍ତି ।’’ ଚାହିଁଲାବେଳକୁ ସେ ଶୋଇପଡ଼ିଲେଣି । କାଳେ ରାଗିବେ, ଆଉ ଉଠାଇବାକୁ ସାହସ କଲିନି ।

 

ତହିଁ ଆରଦିନ ସେ କଟକ ଯିବାପାଇଁ ନିଜର ଜିନିଷପତ୍ର ସଜାଡ଼ସଜଡ଼ି କଲେ । ତାଙ୍କୁ ଯିଏ ଯେତେ ଅଟକା ଅଟକି କଲେ, କାହାରି କଥା ରଖିଲେ ନାହିଁ । ଖିଆପିଆ ବଢ଼ାଇ ଦିନ ନ’ଟା ବେଳକୁ ବାହାରିଗଲେ । ମୁଁ ନିଜ ପେଟକଥା ପେଟଭିତରେ ରଖି କାଇଲି ମାଇଲି ହୋଇ ଘର କଣରେ ବସିଥାଏଁ । ଯିବାବେଳେ ସେ ଯିମିତି ହେଉଥାନ୍ତି ସେଇକଥା ମତେ ବ୍ୟତିବ୍ୟସ୍ତ କରିପକାଇଲା । ଭାବିଲି, ଆଉ କିମିତି ତାଙ୍କୁ ରଖାଇଥାନ୍ତି ? ତାଙ୍କର ଯଦି ମନ ନାହିଁ, ମୋ କଥାରେ ସେ କ’ଣ ଭୁଲିଯିବେ ? ଲୋକେ କହନ୍ତି, ନାରୀ ପୁରୁଷକୁ ମୃତସଞ୍ଜୀବନୀ ସୁଧା ପିଆଏ, ଯେଉଁଥିରେ କି ପୁରୁଷ ବାନ୍ଧି ହୋଇ ରହିଯାଏ । କାହିଁ, ମୁଁ ତ ରଖିପାରିଲିନି ତାଙ୍କୁ ! କେଉଁ ଉପାୟ ଆଉ କରିଥାନ୍ତି ? ପୁଣି ଭାବିଲି, ଯାଇଛନ୍ତି ଭଲ ହୋଇଛି । ସେ ଦିନେ କହିଥିଲେ, ସବୁ ସମୟରେ ଗୋଟାଏ ଜିନିଷକୁ ଦେଖିବାରେ ସୁଖ ନ ଥାଏ । ଦୂରେଇ ରହିବା ବରଂ ଭଲ । କାହିଁକି ମୁଁ ଧରିସରି ହେବି ? ତାଙ୍କର ଯାତ୍ରା ଶୁଭ ହେଉ । ବିଜୟର ରକ୍ତଟୀକା ହସିଉଠୁ ତାଙ୍କ ଲଲାଟରେ । ସେଇଥିରେ ହିଁ ମୋର ସୁଖ, ଆନନ୍ଦ । ତାଙ୍କର ମଙ୍ଗଳରେ ହିଁ ମୋର ଗର୍ବ ।

 

ମନଟାକୁ ଏଇମିତି ବୁଝାଇ ରହିଲି । ଘରକୁ କେତେଦିନ ପରେ ସେ ଖଣ୍ଡିଏ ଚିଠି ଦେଲେ । କିନ୍ତୁ ମୋ ପାଖକୁ ବକଟେ କାଗଜରେ ଧାଡ଼ିଏ ସୁଦ୍ଧା ଲେଖିଲେ ନାହିଁ । ଭାବିଲି, କଲେଜରେ ପଢ଼ିଲେ କ’ଣ ହେବ, ଭାରି ଲାଜକୁଳା ମଣିଷ । ତାଙ୍କଠାରୁ ମନ ଖୁସି ହେବାଭଳି କୌଣସି ଖବର ନ ପାଇ ଘରଟା ଭିତରେ ସଦାବେଳେ ଓଢ଼ଣା ତଳେ ରହି ରହି ମତେ ବଡ଼ ଖରାପ ଲାଗିଲା । ଟିକେ ବାହାରକୁ ଆସିଲେ ଶାଶୁ ରାଗରେ କଡ଼ମଡ଼ ହୁଅନ୍ତି । କ’ଣ କରିବି ? ତାଙ୍କରି କଥା ମାନିଥାଏଁ । ଖାଇପିଇ ଦିନେ ବସିଛି, ଶାଶୁ କହିଲେ, ‘‘ଖଣ୍ଡିଏ ଭଲ ଆସନୀ ବୁଣିଦେବୁ । ଲେଖା ଆସିଥିଲା ଯେ, ମତେ ଟାହୁଲାଇ ଯାଇଛି । କହିଛି, ତୁମ ବୋହୂ ଆସିଲେ କହିବ, ମତେ ଗୋଟାଏ ଆସନୀ ବୁଣିଦେବ । ଝିଅପୁଅ ଲୋକ ? କ’ଣ କହିବ ସେ ! ତୁ ଟିକେ ଚଞ୍ଚଳ ବୁଣି ଦେ । ସୁର ଆସିଲେ ତା’ ହାତରେ ପଠାଇଦେବି ।’’ ମୁଁ କହିଲି, ‘‘ସେ ତ ଆମ ଗାଁ ଝିଅ-। ତୁମେ ତାକୁ ଚିହ୍ନିଲ କିମିତି ?’’ ସେ କହିଲେ, ‘‘ଲେଖା ପରା ସୁର ସାଙ୍ଗରେ ଆମ ଘରକୁ ଆସିଥିଲା । ଭଲ ପିଲାଟିଏ; କହିଯାଇଛି ପୁଣି ସୁବିଧା ହେଲେ ଆସିବ ।’’ ଲେଖା କଥା ଶୁଣି ମୁଁ କାହିଁକି ଟିକିଏ ଅସହଣି ହୋଇପଡ଼ିଲି ।

 

କହୁଁ କହୁଁ ଛଅ ମାସ ବିତିଲା । ପରୀକ୍ଷାଟା ଶେଷ କରି ସେ ଘରକୁ ଆସିଲେ । ଦିନେ ରାତିରେ ମୁଁ ତାଙ୍କ ଗୋଡ଼ ମୋଡ଼ୁଥାଏଁ । ଜହ୍ନ ରାତି । ଝରକା ବାହାରେ ଗୋଟାଏ ବଡ଼ ଗୋଲାପ ଗଛ । ସେଥିରେ ଗୋଟିଏ ବୋଲି ଫୁଲ ଫୁଟିଥାଏ । ତାହାରି ସୌରଭରେ ଆମୋଦିତ ହୋଇ ଉଠୁଥାଏ ଘରଟା । ଚନ୍ଦ୍ରାଲୋକ ବାଜି ଫୁଲଟା ଅଧିକ ସୁନ୍ଦର ଦିଶୁଥାଏ ଆଖିକୁ । ମନଟା ମୋର ଭରିଉଠିଲା ଆନନ୍ଦରେ । ଇଚ୍ଛା ହେଲା, ତାଙ୍କୁ ଧରି ପଦାକୁ ଯିବି । ଘୁମନ୍ତ ରାତ୍ରିର କୋଳରେ ବୁଲି ପ୍ରକୃତିକୁ ଉପଭୋଗ କରିବି । ଆକାଶର ଖୋଲା ଛାତ ତଳେ ବସି ଗୀତ ଗାଇ ତାଙ୍କୁ ଶୁଣାଇବି । ସେ ଗୀତ ଆଉ କିଛି ନୁହେଁ–ଖାଲି ବିରହକଷଣ-ନିଷ୍ପେଷିତ ଜୀବନର ବୁକୁଫଟା ଗୀତ । ତାଙ୍କରି କୋଳରେ ଢଳିପଡ଼ିବି, ଯିମିତି ସମସ୍ତଙ୍କ ମନ ଚାହୁଁଥାଏ । ସେ ଶୁଣିବେ–ପ୍ରକୃତି ଶୁଣିବ । ଆଉ ଗୋଟାଏ ଆନନ୍ଦ କ’ଣ କି–ଫୁଟିକୁ ସେ ନିଜ ହାତରେ ଛିଣ୍ଡାଇବେ; ମୋ କବରୀରେ ଖୋଷିଦେବେ-। ସେତେବେଳେ ହୁଏତ ଦୁହେଁ ଭୁଲିଯିବୁଁ ଏ ପାର୍ଥିବ ଜଗତକୁ, ଖାଲି ଭଲ ପାଇବାର ନୂଆ ନୂଆ ତଥ୍ୟ ଆବିଷ୍କାର କରି ।

 

ଦେଖିଲି, ସେ ଶୋଇପଡ଼ିଲେଣି ନିଦରେ, ମୂଲିଆ ପୁଅ କାମରୁ ଫେରି ହାଲିଆ ହୋଇ ଯିମିତି ପଡ଼ିଥାଏ । ମୁଣ୍ଡକୁ ଧରି ହଲାଇଲି । ଡାକିଲି, ‘‘କ’ଣ ଏତେ ଚଞ୍ଚଳ ନିଦ ହୋଇଗଲାଣି ? ସଞ୍ଜ ପହରୁ କ’ଣ ଯେ ଏମିତି ଶୁଅ, ମତେ କିମିତିଆ ଲାଗୁଚି । ପାଠ ପଢ଼ୁଥିଲ କିମିତି ରାତିରେ ? ଟିକିଏ ହସ ଖୁସି ନାହିଁ–ଗପସପ ନାହିଁ ।’’ ସେ ଆଖି ମଳିମଳି ଉଠିଲେ । କହିଲେ, ‘‘ତୁ କେତେବେଳେ ଆସିଲୁ ? ଶୋଇପଡ଼ ।’’ ମୁଁ କହିଲି, ‘‘ଆଜି ଶୋଇବାକୁ ହେବ ନାହିଁ । ବାହାରେ ବୁଲିବା–ଗୀତ ବୋଲିବା । ଏଭଳି ରାତିରେ କ’ଣ ଶୁଅନ୍ତି ? ଦେଖିଲ, କେଡ଼େ ସୁନ୍ଦର ଗୋଲାପ ଫୁଲଟିଏ ଫୁଟିଚି । ଚାଲ, ଆଣିବା ।’’ ଉଠିପଡ଼ି ବାହାରକୁ ସେ ଚାହିଁଲେ । ତା’ପରେ କହିଲେ, ‘‘ସେ ଫୁଲଟା ଛିଣ୍ଡାଯିବ ନାହିଁ ।’’ ମୋର ଶ୍ରଦ୍ଧାଟାକୁ ଏଡ଼ାଇ ଦେଉଛନ୍ତି ଜାଣି ଦୁଃଖିତ ହେଲି । କହିଲି, ‘‘ନିଶ୍ଚୟ ଛିଣ୍ଡାଯିବ । ମୁଁ ଛିଣ୍ଡାଇବି । ଗଛରେ ଫୁଲ ଫୁଟିଛି ମୋ ପାଇଁ । ଅକାରଣରେ ମଉଳିଯିବ କାହିଁକି, ଶୁଣେ ?’’

 

ସେ କହିଲେ, ‘‘ତା’ ଦେହରେ ଜଡ଼ିରହିଛି ଲେଖାର ସ୍ମୃତି । ଲେଖାର ଆନନ୍ଦ ଆଉ ବିଷାଦ ପୁଞ୍ଜୀକୃତ ହୋଇଛି ସେଥିରେ ।’’ ମୁଁ ଭିତରେ ଭିତରେ ତାତିଉଠିଲି ତାଙ୍କ ଉପରେ । ତାଙ୍କ ରୂପଟା ମୋ ଆଖିକୁ ବଡ଼ ଅସୁନ୍ଦର ଦିଶିଲା । ତାଙ୍କ କଥାଗୁଡ଼ାକ ମୋ କାନକୁ ବଡ଼ କଟୁ ବୋଧହେଲା । ତଥାପି ରହସ୍ୟଟା ଜାଣିବାପାଇଁ ନିଶ୍ଚଳ ହୋଇ ବସିଥାଏଁ । ସେ କହିଚାଲିଥାନ୍ତି ଲେଖା କଥା–କଲେଜରୁ ମୁଁ ଫେରୁଥାଏଁ ଛୁଟିରେ । ଷ୍ଟେସନଠାରେ ଦୁହିଁଙ୍କର ଭେଟାଭେଟି ହେଲା । ତା’ ହାତରେ ଏଇ ଗୋଲାପ ଗଛଟିକୁ ଦେଖିଲି । କୁଣ୍ଡଭିତରେ ଚାରାଗଛଟି ରହିଥାଏ । ଅତି ଯତ୍ନସହକାରେ ସେ ନେଉଥାଏ ତାଙ୍କ ଘର ଆଗରେ ଲଗାଇବ । ବନ୍ଧୁତା ଖାତିରିରେ ମୁଁ ତାକୁ ମୋର ଶ୍ରଦ୍ଧା ଜଣାଇ କହିଲି, ‘‘ଲେଖା ଘରକୁ ଫେରୁଛୁ ତ ? ଚାଲ, ଆମ ଘରବାଟେ ଯିବା । ଆଜି ଦିନଟା ରହି କାଲି ସକାଳୁ ସକାଳୁ ତୁମ ଘରକୁ ବାହାରିଯିବୁ । ଛୁଟିଟାରେ ଘରେ ଏଇକ୍ଷଣି ଖେଳବୁଲ କରିବୁ ତ ଆଉ କ’ଣ ?’’ ସେ ମୋ କଥା ଭାଙ୍ଗି ନ ପାରି କହିଲା, ‘‘ହଉ ତେବେ ଚାଲ-।’’

 

ଦୁହେଁ ଆସି ପହଞ୍ଚିଲୁ ଆମ ଘରେ । ଏଇ ଗଛଟାକୁ ଦେଖାଇ ସେ କହିଲା, ‘‘ସୁରେନ୍ଦ୍ରଭାଇ, ମୁଁ ଏଇ ଗଛଟିକୁ ପୋତିଦେଇ ଯାଉଚି ତୁମ ବାଡ଼ିରେ । ମୋର ଗୋଟାଏ ସ୍ମୃତି ରହିଥିବ ସବୁଦିନ ପାଇଁ । କେତେବେଳେ ଭୁଲିଯାଇଥିଲେ ଏଇ ଗଛଟାକୁ ଦେଖିଲେ ନିଶ୍ଚୟ ମନେପକାଇବ ମୋ କଥା । ଆଉ ଗୋଟିଏ କଥା, ପ୍ରଥମ ଫୁଲଟି ମୋର ।’’ ମତେ ବଡ଼ ହସ ମାଡ଼ିଲା ତା’ କଥା ଶୁଣି । କହିଲି, ‘‘ଫୁଲ ତ ନିଶ୍ଚୟ ଫୁଟିବ; କିନ୍ତୁ ଘେନିପାରିଲେ ହେଲା ।’’ ସେ କହିଲା, ‘‘ଫୁଲ ନିଶ୍ଚୟ ଫୁଟିବ, ଏକଥା ଯିମିତି ସତ, ମୋ ନିକଟରେ ଫୁଲଟା ପହଞ୍ଚିବ, ତୁମେ ସେହିଭଳି ଦୃଢ଼ ହେଲେ ହେଲା ।’’ ବିଭାଘରବେଳେ ତାକୁ ନିମନ୍ତ୍ରଣ କରିଥିଲି ଆମ ଘରକୁ ଆସିବା ପାଇଁ । ଆସିଥିଲେ ଦେଖିଯାଇଥାନ୍ତା ଗଛଟି ତା’ର କିପରି ପଲ୍ଲବିତ ହୋଇଉଠିଛି । ତା’ର ଏତେବଡ଼ ଅନୁରୋଧଟାକୁ ଭାଙ୍ଗିଦେଲେ ମୁଁ କିମିତି ମୁହଁ ଟେକି କଥା କହିବି ତା’ ଆଗରେ ? ଅପେକ୍ଷା କର, କେତେ ଫୁଲ ଫୁଟିବ ଏ ଗଛରେ । ଇଚ୍ଛା ଅନୁସାରେ ଯେତେ ଯାହା କରିପାରିବୁ ।’’ ମୁଁ ଦୁଃଖରେ ଭାଙ୍ଗିପଡ଼ିଲି ଗୋଟାପରି । ସ୍ୱାମୀ ହୋଇ ମୋର ଅନୁରୋଧ ରକ୍ଷା କଲେ ନାହିଁ ! ଲେଖା ତାଙ୍କର ମୋ’ଠୁଁ ବେଶି ଆଦରର, ମୁଁ ତାଙ୍କର କେହି ନୁହେଁ ? ଲେଖା ତାଙ୍କର ହୃଦୟକୁ ଏମିତି ଅଧିକାର କରିଛି ? ତା’ ବିରୁଦ୍ଧରେ ମନଟା ବିଦ୍ରୋହୀ ହୋଇଉଠିଲା ମୋର । ଭାବିଲି, ଏଇକ୍ଷଣି ହାବୁଡ଼ରେ ପଡ଼ିଲେ ସଳଖେ ସଳଖେ ବତେଇଦିଅନ୍ତି ଦି’କଥା । ଏକାଥରେ ପିଲାର ମନ ଘର ଧରିଯା’ନ୍ତା । ଖାଣ୍ଟି ସୁନା ବୋଲି ଜଣେଇ ହେଉଥିଲା ସମସ୍ତଙ୍କ ଆଗରେ ! ମୁଣ୍ଡଟା ମୋର ଭ୍ରମିଗଲା । ବାଣାହତ ହରିଣୀ ପରି କରୁଣ ଆଖି ଦୁଇଟି ତୋଳି କହିଲି, ‘‘ତେବେ ଫୁଲଟି ମତେ ଦେବନି ? ମୋର ଅଧିକାର ଉପରେ ଅନ୍ୟ ଜଣେ ହସ୍ତକ୍ଷେପ କରିବ; ତୁମେ ପ୍ରତିବାଦ କରି ମତେ ବଞ୍ଚିତ କରିବ ସେଥିରୁ ? ଲେଖା ଆଉ ସର୍ବାଣୀ ଭିତରେ କ’ଣ କିଛି ପ୍ରଭେଦ ନାହିଁ ?’’ ବିରକ୍ତ ହୋଇ କହିଲେ, ‘‘ଜାଣେ, ସର୍ବାଣୀ ସ୍ତ୍ରୀ–ସବୁ ଦିନର ସାଥୀ । ଏଇ ହିସାବରେ ଦୁଃଖ, ନିର୍ଯ୍ୟାତନା, ଲାଞ୍ଛନା ସହିବାକୁ ତା’ର ଜନ୍ମ । କିନ୍ତୁ ଲେଖା ଜଣେ ବନ୍ଧୁ । ଅକସ୍ମାତ୍‍ ଦେଖାସାକ୍ଷାତରେ ପଦେ ମାମୁଲି କଥାବାର୍ତ୍ତା । ତା’ର ହକ ଦାବି ନିକଟରେ ମୁଁ ନିଜକୁ ଏତେ ଦୁର୍ବଳ କରିପାରିବି ନାହିଁ ତୋ କଥାରେ । ବିବେକକୁ କଳୁଷିତ କରିବାକୁ ମତେ ଶିଖାନା, ସର୍ବାଣୀ !’’ ରାଗରେ ତାଙ୍କର ଆଖି ଦୁଇଟିରୁ ନିଆଁ ବାହାରିଯାଉଥାଏ ଯିମିତି । କଡ଼ ଲେଉଟାଇ ଶୋଇଲେ । ମୁଁ ତାଙ୍କଠାରୁ ଏମିତି ବ୍ୟବହାର ପାଇ ଡରିଗଲି ଆଉ କିଛି କହିବାକୁ । ତାଙ୍କରି ପାଖକୁ ଲାଗି ଶୋଇପଡ଼ିଲି । ଯୁଗଳ ବେଶରେ ପ୍ରକୃତି କୋଳରେ ବିହାର କରିବାର ଆଶା ମରୀଚିକା ପରି ପ୍ରଲୋଭନ ଦେଖାଇ କେଉଁଆଡ଼େ ଅପସରିଗଲା ।

 

ପରଦିନ ସେ ବାହାରିଲେ କଟକ । ଏହା ପୂର୍ବରୁ ଲେଖା କଟକ ଫେରିଯାଇଛି । ସେ ଫୁଲଟିକୁ ଛିଣ୍ଡାଇ ଅତି ଯତ୍ନରେ ରଖିଲେ ପକେଟ ଭିତରେ । ସେଦିନ ମତେ ଆଉ ପୂର୍ବ ପରି କାହିଁକି ଟିକେ ଚାହିଁଲେ ନାହିଁ କି ପଦେ କଥା କହିଲେ ନାହିଁ । ଅଳ୍ପ କେତେଟା ଦିନ ରହି ପଳାଇଯାଉଥିବାରୁ ଶାଶୁ ତାଙ୍କୁ ଅଟକାଇଲେ । ସେ କହିଲେ, ‘‘ବୋଉ କେଉଁଠି ଖଣ୍ଡେ ଚାକିରି ନ କଲେ ଚଳିବ ନାହିଁ । ମୁଁ ଯାଉଛି କେଉଁଠି ଚେଷ୍ଟା କରିବି ।’’

 

ଶାଶୁ ଆସି ମତେ କହିଲେ, ‘‘ଏତେ ଶୀଘ୍ର ପଳାଇଗଲା କାହିଁକି ? ତୁ ତାକୁ କ’ଣ କହିଲୁ କି ?’’ ଜଳନ୍ତା ନିଆଁରେ କୁଟା ପକାଇଲା ଭଳି ମୋ ଦେହର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ରାଗରେ ଜଳିଉଠିଲା । କହିଲି, ‘‘କହିବି ନାହିଁ ? ଘରେ ବସି ଖାଇଲେ କିଏ ଦେବ ?’’ ସେ ତ ରାଗିଗଲେ । କହିଲେ, ‘‘ହଇଲୋ, ତୁ କ’ଣ ତାକୁ ଖାଇବାକୁ ଦେଉଥିଲୁ ? ତୋର କାହିଁକି ମୁଣ୍ଡ ବଥେଇଲା ? ତା’ ନୁହେଁ ଯେ, ଏଠି ମନଇଚ୍ଛା ଡିଆଁ ମାରିବାକୁ ସୁବିଧା ପାଇଲୁ ନାହିଁ । ସେ ଚାକିରି କଲେ ତତେ ସୁବିଧାଟାଏ ମିଳିଯିବ ।’’ ଶାଶୁଙ୍କ କଥାରୁ ଜାଣିଲି, ପୁଅ ତାଙ୍କର ପଳାଇଯିବାପାଇଁ ମୁଁ ଯିମିତି ଦାୟୀ; ସେ ଯିମିତି ମୋ’ରି କଥାରେ ଚାଲିଯାଇଛନ୍ତି । କହିଲି, ‘‘ନ ବୁଝି ନ ଶୁଝି ଏମିତି କଥା କାହିଁକି କୁହ ? ସେ ତ ଗୋଲାପଫୁଲ ନେଇ ଗଲେ ଲେଖାକୁ ଦେବା ପାଇଁ; ଆଉ ମୋର କ’ଣ ଦୋଷ ହେଲା ?’’ ବଦଳିପଡ଼ିଲେ ସେ ସାଙ୍ଗେ ସାଙ୍ଗେ; କହିଲେ, ‘‘କ’ଣ ହେଲା ? ପ୍ରଥମ ଫୁଲଟାକୁ ଗାଁ ଭଗବତୀ ଠାକୁରାଣୀଙ୍କୁ ଦେବାପାଇଁ ମୁଁ ମନ କରିଥିଲି । ସେ ନେଇ ଚାଲିଗଲା ଲେଖା ପାଇଁ !’’ ମୁଁ କହିଲି, ‘‘ସେ ତ ପଥର, ମୂକ; ତାଙ୍କର କ’ଣ ବର ଦେବାର ଶକ୍ତି ଅଛି ?’’ ଶାଶୁ ତ ରାଗରେ ମତେ ମାରନ୍ତି ନ ମାରନ୍ତି !

 

ସେ ଏମିତି ରାଗିଯିବେ ବୋଲି ମୁଁ ଜାଣି ନ ଥିଲି । ତା’ ହୋଇଥିଲେ ମୋଟେ କହି ନ ଥାନ୍ତି । ଫଳରେ ମୋରି ନିନ୍ଦା । ସମସ୍ତେ କହିବେ, ବର୍ଷ ଗୋଟାଏ ପୂରିନି, ବୋହୂଟା ଆସିଲା ଯେ କେତେ କଳି ଭେଇଲାଣି । ସେ ସେଇ ଅବସ୍ଥାରେ ପଳାଇଗଲେ ଘର ଭିତରକୁ । ମୁଁ ସେଇକଥାକୁ ଭାବିହେଲି । ବାପଘର ଛାଡନି ଝିଅମାନେ ଶାଶୁଘରକୁ ଆସିଲାବେଳେ ତାଙ୍କ ମନରେ ଯେଉଁ ଦୁଃଖ ଜନ୍ମିଥାଏ ସେ ଲିଭିଯାଏ ସ୍ୱାମୀଙ୍କ ଆଦର ଆଉ ସ୍ନେହରେ, ପଦେ ପଦେ କଥାରେ । କିନ୍ତୁ ହତଭାଗୀ ମୁଁ । ସେ ସବୁରୁ ବଞ୍ଚିତ ହେଲି । କେହି ମୋ ସାଙ୍ଗରେ କଳି କରିନି । ଖାଇବାରେ, ପିଇବାରେ କେଉଁଥିରେ ମୋର ଊଣା ହୋଇନାହିଁ । ସବୁ ଭରପୂର ଥିଲେ କ’ଣ ହେବ, ମନଟା ଆଦୌ ମାନିଲା ନାହିଁ ।

 

ଅବିଭାଇଙ୍କ ମାଉସୀଘର ମୋ ଶାଶୁଘର ଗାଁରେ । ସେ କଲିକତାରୁ ଫେରି ଏତେଦିନେ ଇଆଡ଼େ ଆସିଛନ୍ତି ବୋଲି ଶୁଣିଲି । ଭାବିଲି, ବିଭାଘରଟା ଶେଷ ହୋଇଯିବଣି ଭାବି ବୋଧହୁଏ ଆସିଲେନି । ମୁଁ ବା କ’ଣ କରିଥାନ୍ତି ? ସେତେବେଳେ ମୋର କି ଉପାୟ ଥିଲା ? ଦିନେ ସେ ମୋ ପାଖରେ ଆସି ପହଞ୍ଚିଲେ । ଶାଶୁ ତାଙ୍କୁ ପିଢ଼ାପାଣି ଦେଲେ । ମତେ ବରାଦ କଲେ ପାନ ଭାଙ୍ଗିବାକୁ । ପଚାରିଲେ, ‘‘ଏଇକ୍ଷଣି ଆଉ କ’ଣ କରୁଛୁ, ଅବି ?’’ ସେ କହିଲେ, ‘‘କଲିକତା ଯାଇଥିଲି । ସେଠି ଖଣ୍ଡେ କାମ ଜୁଟିଲା, ରହିଗଲି । ଯୁଆଡ଼ୁ ହେଲେ ଦି’ପଇସା ଆୟ କରି ଚଳିଗଲେ ଯାଏ । ବାପା ତ ଘରେ ଚାଷବାସ ଦେଖୁଛନ୍ତି । ଦେଖେଁ, କେତେଦିନ ଏମିତି କଟୁଛି ।’’ ଶାଶୁ କହିଲେ, ‘‘ହଁ ବାପ, ବସି ଖାଇଲେ ନଈବାଲି ସରେ । ଭଲ କଲୁ । ଆମ ସୁର ତ କ’ଣ ଗୋଟାଏ ଚାକିରି କରିବ ବୋଲି କଟକ ଯାଇଛି । କଲାଣି କାଳେ । ମନଟା ଖାଲି ଗଳେଇଘାଣ୍ଟି ହେଉଛି । ଖବର ଟିକେ ଦେଲା ନାହିଁ ।’’ ଅବିଭାଇ କହିଲେ, ‘‘ପୁଅ କ’ଣ ହଜିଯାଉଛି କି ? ଏତେ ବ୍ୟସ୍ତ ହେଉଛ କାହିଁକି ?’’

 

ତା’ପରେ ଅବିଭାଇ ମୋ ନିକଟକୁ ଆସିଲେ । ତାଙ୍କୁ ଦେଖି ମୁଁ କଇଁ କଇଁ ହୋଇ କାନ୍ଦିଲି । ସେ ମତେ ଆଶ୍ୱାସନା ଦେଇ କହିଲେ, ‘‘କାନ୍ଦୁଛୁ କାହିଁକି ? ଏଠି ତ ତୋର ଅସୁବିଧା କିଛି ନାହିଁ । ବାଟ ବି ବେଶି ଦୂର ନୁହେଁ । ଯେତେବେଳେ ଚାହିଁବୁ, ଘରୁ ଖବରଟାଏ ଅନ୍ତତଃ ପାଇବୁ । ତୋ ଭଲମନ୍ଦ ବି ଆମେ ଜାଣିପାରିବୁ । ଆଉ କ’ଣ ?’’ ମୁଁ ଭାବିଲି, ଅଭାବ ଅସୁବିଧା କ’ଣ ନାହିଁ ବୋଲି ମୋର ବୁଝିଲେ ? ୟାଙ୍କର ଏହି ଘରଦ୍ୱାର ଧନସମ୍ପତ୍ତିରେ କ’ଣ ମୋ ଦୁଃଖ ଯିବ ? ମୁଁ ତ ଗରିବ ଘରେ ବିବାହ ହୋଇଥିଲେ କେତେ ସୁଖରେ ଥାଆନ୍ତି । ଧନସମ୍ପତ୍ତି ଦେଖି ବାପା ମତେ ନିଆଁ ଭିତରକୁ ପେଲିଦେଲେ । ଆଖିରୁ ଲୁହ ପୋଛିଲି । ପଚାରିଲି, ‘‘ବାପା ବୋଉ ଭଲ ଅଛନ୍ତି ? ବୋଉ ମତେ ଟିକେ ନେବାପାଇଁ କହୁ ନ ଥିଲା ? ଏଠିକି ଏତେ ଦିନ ହେଲା ଆସିଲି, ବାପା ଥରଟାଏ ସୁଦ୍ଧା ଆସିଲେନି ।’’ ସେ କହିଲେ, ‘‘ଯେତେଦିନ ବାପମାଙ୍କର ହୋଇଥିଲୁ, ସେତିକି ଦିନ-। ଆଉ ସେକଥା କାହିଁକି ଭାବୁଛୁ ? ବାପା କ’ଣ ଆସିବେନି !’’ ମୁଁ ତାଙ୍କ କଥାବାର୍ତ୍ତାରୁ ଦେଖିଲି, ସେ ଯିମିତି ମୋର ଶାଶୁଘରେ କ’ଣ କର୍ତ୍ତବ୍ୟ ଏଇ କଥା ମତେ ବୁଝାଇବାକୁ ଆପ୍ରାଣ ଚେଷ୍ଟା କରୁଛନ୍ତି । ହେଲେ ମୋ ମନ ବୁଝୁ ନ ଥାଏ ।

 

ତାଙ୍କ ଦେହ ଉପରେ ଥରେ ଆଖି ବୁଲାଇଆଣିଲି । ଦେଖିଲି, ପୂର୍ବ ଚେହେରା ତାଙ୍କର କେତେ ବଦଳିଯାଇଛି । ଦେହ ସାଙ୍ଗକୁ ପୋଷାକ ପରିଚ୍ଛେଦ ମଧ୍ୟ ସେହିପରି । ବହୁଦିନ ପରେ ତାଙ୍କୁ ଦେଖିବାକୁ ପାଇ ଖୁବ୍‍ ଆନନ୍ଦିତ ହେଲି । ସିନେମା ଫିଲିମର ରିଲରୁ ଗୋଟି ଗୋଟି ହୋଇ ଚିତ୍ର ବାହାରିଲା ପରି ପୂର୍ବ ଘଟଣା ସବୁ ମୋର ମନେ ପଡ଼ିଲା । ଦୁହେଁ ଦୁହିଁଙ୍କୁ କେତେ ଭଲ ପାଉଥିଲୁଁ । ଆଉ ସେହି ଭଲ ପାଇବାଟାକୁ ସୁଦୃଢ଼ କରିବାକୁ କେତେ ବଡ଼ ବଡ଼ କଳ୍ପନା କରିଥିଲୁଁ । କିଛି ତ ରହିପାରିଲାନି ! ସେ ନିଶ୍ଚୟ ମତେ ଠକିଛନ୍ତି । ସେ ମୋ ସାଙ୍ଗରେ ଗୋଡ଼ାଉଥିଲେ କ୍ଷଣିକ ଅଙ୍ଗସୁଖ ଆଶାରେ । ସେଥିରେ ନ ଥିଲା ପ୍ରକୃତ ପ୍ରେମର ନିଦର୍ଶନ । ମୁଁ ଯଦି ଏକଥା ଆଗରୁ ଜାଣିଥାନ୍ତି ତେବେ ନିଶ୍ଚୟ ମୋ କାମ ମୁଁ କରିଥାନ୍ତି । କିନ୍ତୁ କାହିଁ ଥାଏ ! ଯୌବନର ତରଙ୍ଗରେ ପ୍ରକମ୍ପିତ ହୋଇଉଠିଲି ମୁଁ ତାଙ୍କ ପାଖରେ ନିଜକୁ ଖାଲି କରିଦେବାକୁ । ସମ୍ଭାଳି ପାରିଲିନି ନିଜକୁ ସେତେବେଳେ ।

 

ଭାବିଲି, ତେବେ ଆଜି ଆସିଛନ୍ତି କାହିଁକି ? ଥଟ୍ଟା କରିବାକୁ ନା ଆଉରି ପୋଡ଼ିଜାଳି ମାରିବାକୁ ? ତାଙ୍କର କ’ଣ ଆଉରି ଆଶା ମେଣ୍ଟିନାହିଁ ? ଯେତେବେଳେ ଚିଠି ଦେଲି, ତାଙ୍କର ସ୍ନେହଶ୍ରଦ୍ଧା ଥିଲେ ସେ କ’ଣ ସାଙ୍ଗେ ସାଙ୍ଗେ ଦୌଡ଼ି ଆସି ନ ଥାନ୍ତେ ! ମନଟା ଖୁବ୍‍ ବିରକ୍ତ ହୋଇଉଠିଲା ତାଙ୍କ ଉପରକୁ । ପାନ ଖଣ୍ଡଟା ତାଙ୍କ ହାତକୁ ବଢ଼ାଇଦେଇ ବ୍ୟସ୍ତ ହେଲି ବିଦାୟ ଦେବାକୁ । କହିଲି, ‘‘ହଉ, ଆଉ କେବେ ମନ କରି ଆସିବ । ଭୁଲିଯିବ ନାହିଁ ।’’ ଶାଶୁ ଆସି ପହଞ୍ଚିଲେ । ଅବିଭାଇ ବାହାରିଯାଉଥିବା ଦେଖି କହିଲେ, ‘‘ପୁଅ, ଆଜି ଆମ ଘରେ ରହିବୁ । ତୋ ମାଉସୀ ନିକଟକୁ ଖବର ଦେଉଛି, ସେ ବ୍ୟସ୍ତ ହେବ ନାହିଁ । ସୁର ଥିଲେ ଦିନକରେ କ’ଣ ତତେ ଛାଡ଼ିଦିଅନ୍ତା ?’’

 

ସେତେବେଳକୁ ବେଳ ବୁଡ଼ିଆସିଲାଣି । ମୁଁ ତରତର ହୋଇ ରନ୍ଧାବଢ଼ା କରିବାକୁ ଗଲି-। ଅବିଭାଇ ରୋଷେଇଘର ଆଗରେ ଥିବା କୋଠରୀଟିର ବସିଲେ । ମୋ ଆଡ଼କୁ ମୁହଁ କରିଥାନ୍ତି-। ମୁଁ ଚୁଲି ଲଗାଉ ଲଗାଉ ତାଙ୍କ ଆଡ଼କୁ ଚାହିଁଦେଉଥାଏଁ । ହୃଦୟ ଭିତରଟା ଆନନ୍ଦରେ ଗୁମୁରି ଉଠିଲା କାହିଁକି । ଚୁଲିଟା ଲାଗିଲାନି ମୋଟେ । ନଇଁପଡ଼ି ନଳ ଧରି ଫୁଙ୍କିଲି । ତାଙ୍କ ଆଡ଼କୁ ଥିବା ଛାତି ପାଖଟାରୁ ଲୁଗାଟା ତଳକୁ ଓହଳିପଡ଼ିଲା । ମୁହଁକୁ ଟେକି ସେଆଡ଼କୁ ଚାହିଁଲି । ସେ ମତେ ସେଇମିତି ଚାହଁଥାନ୍ତି । ମୁଁ ଲୁଗାଟାକୁ ସଜାଡ଼ିନେଇ ହସିଲି । କହିଲି, ‘‘କଞ୍ଚା ଜାଳଗୁଡ଼ା ମୋଟେ ଜଳୁନି ।’’ ଆଖିରୁ ବୋହିଆସୁଥିବା ପାଣିକୁ କାନିରେ ପୋଛିଲି । ସେ ସେଇଠି ଥାଇଁ କହିଲେ, ‘‘ଫୁଙ୍କିବା କିଛି ଦରକାର ନାହିଁ । ସେକିହୋଇ ଜଳିଯିବ ଯେ ।” ଭାବିଲି, ଅବିଭାଇ କ’ଣ ସତରେ ମୋ ଉପରେ ଆଉ ସ୍ନେହ ରଖିଛନ୍ତି, ନା ମୁଁ ବ୍ୟସ୍ତ ହେଉଥିବା ଦେଖି ଟିକେ ଆଶ୍ୱାସନା ଦେଉଛନ୍ତି ? ମୁଣ୍ଡଟା ଖେଳିଲା ତାଙ୍କରି କଥାରେ । ଏତିକିବେଳେ ଚୁଲିଟା ହୁହୁ ହୋଇ ଜଳିଲା । ଭାତହାଣ୍ଡିଟା ବସାଇଦେଇ ପାଣି ଦୁଇ ଗରା ଢାଳିଦେଲି । ବାଉଁଶିଆଟା ଧରି ଚାଉଳ ଆଣିବାକୁ ଗଲି ସେ ଘରକୁ-। ଦେଖିଲି, ସେ ଯେମିତି ଅପରାଧୀ ପରି ମତେ ଚାହିଁଛନ୍ତି । ମୋ ମନଟା ମଧ୍ୟ କଲବଲ ହେଲା ତାଙ୍କଠୁଁ ପଦେ କଥା ଶୁଣିବାକୁ । ସେ କହିଲେ, ‘‘ଏ ବାଉଁଶିଆଟା କ’ଣ ଆମଆଡ଼ର ବୁଣା ପରି ଜଣାଯାଉଛି ।” ମୁଁ କହିଲି, “ହଁ, ବୋଉ ଦେଇଥିଲା ପରା । ତୁମେ ଗଲେ କହିବ, ଆଉ ଦି’ଟା ପଠାଇବ ।” ସେ ପୁଣି କହିଲେ, “ଏ କାନଫୁଲ ହଳକ ତ ତୋର ନ ଥିଲା । ଆସିଲୁ, ଆସିଲୁ, ଦେଖିବା । ବଡ଼ ସୁନ୍ଦର ହେଇଛି ତ !’’ ମୁଁ ଖୁସି ହେଲି । କେତେଦିନ ଧରି ତାଙ୍କର ପରଶ ପାଇ ନ ଥିଲି । ଲୋମମୂଳ ମୋର ଟାଙ୍କୁରିଉଠିଲା । ସେ ମୋ ଆଖିକୁ ଗୋଟିଏ ଦେବପ୍ରତିମା ଭଳି ଦିଶିଲେ ସେତେବେଳେ । ସତେ ଯେମିତି ମୋ ଯୌବନର ଦୁର୍ଦ୍ଦମନୀୟ ଜ୍ୱାଳାକୁ ଶାନ୍ତ କରିବାକୁ ଆସିଛନ୍ତି । ଏଇମିତି ଗୋପପୁରରେ ଦିନେ ରାଧା କୃଷ୍ଣପ୍ରେମରେ ବାଇ ହୋଇଥିଲେ; ଝଡ଼ିବର୍ଷା, ଅନ୍ଧାର, ନଈନାଳ ମାନି ନ ଥିଲେ । ସ୍ୱାମୀ, ଶାଶୁ, ଶଶୁର, ନଣନ୍ଦ କାହାରିକୁ ନ ଜଣାଇ ରାତିଅଧରେ ଧାଉଁଥିଲେ ମତ୍ତମାତଙ୍ଗିନୀ ପରି । ମନଟା ମୋର ତାଙ୍କ ସାଙ୍ଗରେ ଅଭିସାର କରିବାକୁ ଆଟୁପାଟୁ ହେଲା । ଭୁଲିଗଲି ସେତେବେଳେ ସମସ୍ତଙ୍କୁ । ଭୁଲିଗଲି ଅନାଗତ ଭବିଷ୍ୟତର ଅଜଣା ବିପଦକୁ । ପାଖକୁ ତାଙ୍କର ଲାଗିଗଲି । କାନପାଖରୁ ଲୁଗାଟାକୁ ଟେକିଦେଇ ତାଙ୍କୁ ଦେଖାଇଲି । କହିଲି, ‘‘ୟାକୁ ଶାଶୁଘର କରିଛନ୍ତି ।’’ ସେ ମୋ କାନମୂଳରୁ ବାଳଗୁଡ଼ାକ ଉପରକୁ ଟେକି ଗୁଞ୍ଜିଦେଲେ । ତା’ପରେ କାନଫୁଲରେ ହାତ ମାରି କହିଲେ, ‘‘ବେଶ୍‍ ସୁନ୍ଦର ହୋଇଛି ତ ! କଟକରୁ ଆସିଛି ନା ?” ମୁଁ କହିଲି, “କେଜାଣି ମୁଁ ଜାଣେନା । ଏ ତ ବହୁତ ଓଜନିଆ ହୋଇଛି । କାନ ଚିରିପକାଉଛି । ୟାକୁ ଓହ୍ଲାଇ ଆମଘର ଇଅରରିଙ୍ଗ ହଳକ ପିନ୍ଧିବି ।” ସେ କହିଲେ, ‘‘ନାହିଁ, ଥାଉ, କିଛିଦିନ ପିନ୍ଧିଥା । ତାଙ୍କ ମନଟା କଷ୍ଟ ହେବ ।” ବିରକ୍ତ ଭଙ୍ଗୀରେ କହିଲି, ‘‘ହଁ, କଷ୍ଟ ହେଲେ ହେଲା । ମୋର କିଏ ଏତେ ଓଜନିଆ ଜିନିଷ ପିନ୍ଧିବ !” ପାଖକୁ ମୋତେ ଟାଣିନେଇ କାନରେ ହାତ ମାରିଲେ ସେ । କହିଲେ, ‘‘କାହିଁ କେଉଁଠି ଚିରିପକାଉଛି ?” ମୁଁ ତାଙ୍କ ଆଙ୍ଗୁଠିଟାକୁ ସେଇଠି ଲଗାଇ କହିଲି, ‘‘ହେଇ, ଜାଣିପାରୁନା ?”

 

ଚାହିଁଲି ଭାତହାଣ୍ଡିଆଡ଼କୁ । ପାଣିଗୁଡ଼ା ଗରଜିଲାଣି । ନଇଁପଡ଼ି ଖଟ ତଳ ବସ୍ତାରୁ ଚାଉଳ ପୂରାଇଲି ବାଉଁଶିଆରେ । ଖଞ୍ଜା ଦୁଆରକୁ ଯାଇ ଚାଉଳ ଧୋଇଲି । ହାଣ୍ଡିରେ ଚାଉଳ ପକାଇ ଅନ୍ୟ କାମ କଲି । ଭାତ ତରକାରୀ ମୋର ରନ୍ଧା ସରିଲା । ସେ ସେଇମିତି ବସିଥାନ୍ତି ଖଟ ଉପରେ । ତାଙ୍କୁ ଦେଖି ସେଦିନ ମୋ ହାତ ଦି’ଟା କାହିଁକି ଚଞ୍ଚଳିଆ ହୋଇଉଠିଲା । ମନଟା ଉଲୁସିଉଠିଲା । ଶାଶୁ ଆସି ଦେଖିଲେ ଯେ ରନ୍ଧାବଢ଼ା ସରିଲାଣି । ବଢ଼ାବଢ଼ି କରିବାକୁ ମତେ କହିଲେ ।

 

ଖିଆପିଆ ଶେଷରେ ସମସ୍ତେ ଶୋଇଲେ । ମୁଁ ଅବିଭାଇଙ୍କ ବିଛଣା ପାଖରେ ବସିଲି । କହିଲି, ‘‘ବୋଉକୁ କହିବି, ମତେ ନେବ । କିଛିଦିନ ବୁଲିଆସିବି ।” ସେ କହିଲେ, ‘‘ତୋ ଶାଶୁ କହୁଥିଲେ, ସେ ଆସିଲା ଦିନୁ ମୁଁ ଟିକିଏ ବସିଛି । କାମଧନ୍ଦାକୁ ଆଉ ବଳ ପାଉନାହିଁ । ସେଇଥିଲାଗି ବାହାଘର କଲି । ପୁଅ ତ ମୋଟେ ମଙ୍ଗୁ ନ ଥିଲା । ତତେ ସେ କିମିତି ଛାଡ଼ିଦେବେ କହନି ?” ମୁଁ ପ୍ରକୃତ ସତ୍ୟଟାକୁ ପ୍ରକାଶ କରିବାକୁ ଉଚ୍ଛନ୍ନ ହୋଇଉଠିଲି । କହନ୍ତିନି, ଲୁଚିଚି ନା ଗୋଡ଼ ଦି’ଟା ଦିଶୁଚି ! କହିଲି, “ଶାଶୁ ସିନା ନିଜକୁ ହାଲୁକା କରିବାପାଇଁ ବୋହୂଟିଏ ଘରକୁ ଆଣିବାକୁ ଚାହିଁଲେ । ପୁଅ କ’ଣ ତା’ ଚାହୁଁଥିଲେ ? ପୁଅ ଚାହୁଁଥିଲେ ନିଜର ଇଚ୍ଛା ଅନୁସାରେ ବିଭା ହେବାକୁ । ସେଇଥିଲାଗି ରାଜି ହେଉ ନ ଥିଲେ । ସେ ଯେତେବେଳେ ଏତେଗୁଡ଼ାଏ ପାଠ ପଢ଼ିଛନ୍ତି ସେହିପରି ପାଠୋଈ ଝିଅଟିଏ ସେ ଚାହୁଁଥିଲେ । ମୁଁ ତ ସେତେଦୂର ପାଠ ପଢ଼ିନି । ସେଇଥିଲାଗି ପସନ୍ଦ ହେଉନି ତାଙ୍କ ଆଖିକୁ ।’’ କହୁ କହୁ କାନ୍ଦି ପକାଇଲି । ଅବିଭାଇ ମୋତେ ସାନ୍ତ୍ୱନା ଦେଲେ-

 

ପୁଣି କହିଲି; ‘‘ଲେଖାକୁ ସେ ଭଲ ପାଆନ୍ତି । ଲେଖା ବି ତାଙ୍କୁ ପ୍ରାଣଭରି ଭଲ ପାଏ । ସେଇ ଲେଖା ଆଜି ମୋର ମୁଦେଇ । ସେ ଜାଣୁନାହିଁ ଯେ ଏହାଦ୍ୱାରା ସାବିର ଅବସ୍ଥା କ’ଣ ହେବ-।” ସେ ଆଶ୍ଚର୍ଯ୍ୟ ହୋଇ କହିଲେ, ‘‘ଲେଖା ! ସେ ତ କଟକରେ ପାଠ ପଢ଼ୁଛି । ସେ କ’ଣ ତେବେ.... ?” ମୁଁ କହିଲି, “ହଁ’ ସେ କଟକରେ ଥାଇ ଅଭିନୟ କରୁଛି ତାଙ୍କ ସାଙ୍ଗରେ । ମୋ ଆସିବା ପୂର୍ବରୁ ଏଠିକି ମଧ୍ୟ କେତେଥର ଆସିଛି । ଆମ ବାଡ଼ିରେ ଗୋଟାଏ ଗୋଲାପଗଛ ପୋତିଦେଇ ଯାଇଛି । ତାହାରି ଫୁଲ ଏ ନେଇ ଯାଇଛନ୍ତି ତାକୁ ଭେଟି ଦେବାକୁ ।” ସେ କହିଲେ; ‘‘ଏଇ ସାମାନ୍ୟ କଥା ଲାଗି ଏତେ ବ୍ୟସ୍ତ ହୋଇପଡ଼ୁଛୁ ? ଲେଖା ବଳେ ଆଡ଼େଇହୋଇଯିବ-।’’

 

ମୁଁ କିନ୍ତୁ ତାଙ୍କ କଥାରେ ସନ୍ତୁଷ୍ଟ ହେଲି ନାହିଁ । କହିଲି, ‘‘ହଉ, ମୁଁ ଯାଉଛି ।’’ ଅବିଭାଇ କିଛି ଉତ୍ତର ଦେଲେ ନାହିଁ । ମୁଁ ଆସିଲି ଶୋଇବାକୁ । ସେଦିନଟି ମତେ ବେଶ୍‍ ଆନନ୍ଦ ଦେଲା । ଭାବିଲି, ସକାଳ ହେଲେ ଅବିଭାଇ ତ ପଳାଇଯିବେ । ଆଉ କ’ଣ କେବେ ତାଙ୍କ ସାଙ୍ଗରେ ଦେଖାହେବ ? ସେ ବା କାହିଁକି ଆସିବେ ? ଚାହିଁଲି ଅବିଭାଇ ଶୋଇଥିବା ଘରକୁ । ଦ୍ୱାରଟି ପୂର୍ବ ପରି ଖୋଲା ଅଛି । ମିଞ୍ଜି ମିଞ୍ଜି ହୋଇ ଜଳୁଥିବା ଲଣ୍ଠନର କ୍ଷୀଣ ଆଲୋକରେ ଘର ଭିତରର କେତେଗୁଡ଼ାଏ ଜିନିଷ ଆଖିକୁ ଅସ୍ପଷ୍ଟ ହୋଇ ଦେଖାଯାଉଛି ।

 

ପାଦ ଚିପି ଚିପି ସେ ଘରକୁ ପୁଣି ଗଲି; ଦେଖିଲି, ଶୋଇଛନ୍ତି ଅବିଭାଇ । ଶୁଭ୍ର ଶଯ୍ୟା ଉପରେ ତାଙ୍କର ଘୁମନ୍ତ ମୂର୍ତ୍ତିଟା ବେଶ୍‍ ଦେଖାଯାଇଥାଏ ଆଖିକୁ । ନିଦ୍ରିତ ଅବିଭାଇ–ମୁଣ୍ଡକୁ କୌଣସି ଦୁଶ୍ଚିନ୍ତାରେ ଭାରାକ୍ରାନ୍ତ ନ କରି ଶୋଇଯାଇଛନ୍ତି ଖୁବ୍‍ ଆରାମରେ । ନିଃଶ୍ୱାସର ତାଳେ ତାଳେ ଛାତିଟା ସଙ୍କୁଚିତ ଆଉ ବିସ୍ଫାରିତ ହେଉଛି । ଲଣ୍ଠନଟି ଆଉ ଟିକେ ତେଜିଦେଲି । ତାଙ୍କ ମୁହଁଟି ଖୁବ୍‍ ଭଲଭାବରେ ଦିଶିଲା ଏଥର । ସେହି ପରିଚିତ ମୁହଁ । ସେଥିରେ ସଜ ଫୁଟନ୍ତା ଫୁଲର ସୌନ୍ଦର୍ଯ୍ୟ । ବିଞ୍ଚିହୋଇ ପଡ଼ିଛି ସେ ସୌନ୍ଦର୍ଯ୍ୟର ଅଣୁପରମାଣୁଗୁଡ଼ାକ ଯିମିତି ସେ ଘରଟା ଭିତରେ । ତାଙ୍କର ପ୍ରତ୍ୟେକ ଅବୟବ ଦିଶୁଛି ମୋ ଆଖିକୁ ସୁନ୍ଦର । ମୁଣ୍ଡ ଉପରେ କଳା ମଚମଚ କେଶ, ତା’ ପାଖକୁ ଲାଗିରହିଛି ଉଚ୍ଚ କପାଳ । ତୂଳୀ ଧରି କଜଳରେ ଚିତ୍ର କଲାଭଳି ଦୁଇ ପାଖକୁ ସମାନ ମାପର ଢଳିପଡ଼ିଛି ଦୁଇଟି ଭ୍ରୂଲତା । ତା’ ତଳକୁ ନିମୀଳିତ ଚକ୍ଷୁ । ତାଙ୍କ ମୁଖମଣ୍ଡଳର ପ୍ରତ୍ୟେକ ଅଂଶ ମୋ ଆଖିରେ ଲୋଭନୀୟ ହୋଇଉଠିଲା । ପିଲାଦିନର ସାଥି ଏଇ ଅବିଭାଇ–ପିଲାବେଳର ଧୂଳିଖେଳ ଆଉ ପାଠପଢ଼ା ସମୟରେ ପରସ୍ପର ନିକଟରେ ଦୁହିଁଙ୍କର ହୋଇଥିଲା ଅବାଧ ମିଳାମିଶା, ନିଷ୍କପଟ ଆତ୍ମୋତ୍ସର୍ଗ । କୌଣସି ଦୁରଭିସନ୍ଧି ଖେଳି ନ ଥିଲା ଆମ ଦୁଇଜଣଙ୍କ ଭିତରେ । ଆଉ ଆଜି ? ଭାବିଲି, ଶାଶୁଘରେ ବୋହୂରୂପେ ଠିଆହୋଇ ଅବିଭାଇଙ୍କ ବିଛଣା ନିକଟକୁ ଆସିବା ଅନ୍ୟାୟ, ଅସଙ୍ଗତ । ଆଉ ଦୁଇ ପାଦ ଆଗେଇଗଲି । ଅବିଭାଇଙ୍କ ସୁନ୍ଦର ଚେହେରା ମୋର ବୁଦ୍ଧିବୃତ୍ତିକୁ ଲୋପ କରିଦେଲା । ଶିରାପ୍ରଶିରାରେ ଗୋଟାଏ ପ୍ରଳୟଙ୍କରୀ ଝଞ୍ଜା ବହି ଚାଲିଗଲା । କି ଯନ୍ତ୍ରଣା–ଯାହାକୁ କହିହୁଏ ନାହିଁ କଥାରେ–ଯାହାର ଅସ୍ତିତ୍ୱ ଲୋପ ହୁଏନାହିଁ ଆମରଣ । କାହିଁକି ସେ ଯନ୍ତ୍ରଣା ? ତାଙ୍କ ମଥାଉପରେ ହାତ ଚଳାଇଲି ଧୀରେ ଧୀରେ । କି ମଧୁର, କି କୋମଳ ସେ ସ୍ପର୍ଶ ! ଆତ୍ମହରା ହୋଇପଡ଼ିଲି । ନିଜର ଅବସ୍ଥାନ ନିର୍ଣ୍ଣୟ କରିପାରିଲିନି-। ପ୍ରାଣଟା କଲବଲ ହୋଇଉଠିଲା । ସେ ଚମକିଉଠି ମୋ ଆଡ଼କୁ ଚାହିଁଲେ-। ଦୀର୍ଘନିଃଶ୍ୱାସ ଛୁଟିଚାଲିଥାଏ ତାଙ୍କର ଦୁଇ ନାକପୁଡ଼ାରୁ । ମତେ ଦେଖି ପ୍ରକୃତିସ୍ଥ ହେଲେ । କହିଲେ, ‘‘କିଏ, ସାବି ? ସେଠି ପଛଟାରେ କାହିଁକି ? ଆଗକୁ ଆ । ତୁ ତ ଅନେକ ଦିନରୁ ମୋର ଆପଣାର ହୋଇସାରିଛୁ । କିନ୍ତୁ ମୁଁ ହୋଇପାରିନି ତୋର; ବିଶ୍ୱାସଘାତକତା କରିଛି । ମୋ ପାଇଁ କ୍ଷମା ନାହିଁ, ବିଚାର ନାହିଁ, ପ୍ରାୟଶ୍ଚିତ୍ତ ନାହିଁ । ଏହା କହି ମୋ ହାତକୁ ଧରି ଆଗକୁ ଟାଣିନେଲେ-। ନିଶ୍ଚଳ ହୋଇ ଠିଆହୋଇ ରହିଲି । କ’ଣ କରିବାକୁ ମୁଁ ଯାଉଛି ? କିଏ ମୋର ସ୍ୱାମୀ–ଅବିନାଶ ନା ସୁରେନ୍ଦ୍ର ? କାହାକୁ ଧରି ଜୀବନର ଅଗଣନ ଦିନଗୁଡ଼ାକ କଟାଇବି, କାହା କୋଳରେ ସ୍ଵଚ୍ଛନ୍ଦ ବିହାର କରି ପ୍ରକୃତିର ନିରାଟ ସତ୍ୟକୁ ପ୍ରତିପାଦନ କରିବି ? କିଏ ମୋର ଆପଣାର, ଏଇ ଦୃଢ଼ ସତ୍ୟକୁ ଜାଣିବାକୁ କ’ଣ ଆଉରି ବାକି ଅଛି ? ଆଶ୍ରୟଅଭିମୁଖୀ ନାରୀହୃଦୟ ମୋର ଉନ୍ମନା ହୋଇଉଠିଲା । କ’ଣ ହେଲା ମୋର ? ଅଙ୍ଗ ଭିତରର କେଉଁ ଅଂଶ ମୋର ନିଷ୍କ୍ରିୟ ହେଲା-? ମୁଁ ପାଗଳୀ, ନା ଉନ୍ମାଦିନୀ, ନା ବିଟପୀ ? ଝିମ୍‍ ଝିମ୍‍ ହୋଇଉଠିଲା ଦେହଟା । ଥରିଲି ଗୋଟାପରି, ଆନନ୍ଦରେ କି ଦୁଃଖରେ, ଚେତନରେ କି ଅଚେତନରେ, ଲଜ୍ଜାରେ କି ଘୃଣାରେ, ଜାଣିପାରିଲିନି କିଛି-। ଅବିଭାଇ ମତେ ଆଉରି ଟାଣିନେଲେ ପାଖକୁ; ମୁଁ ଶୋଇଲି ତାଙ୍କ ବିଛଣାକୁ ଲାଗି-। କହିଲି, ‘‘ଅବିଭାଇ, କେତେଦିନ ଆଉ ଏ ଗୁପ୍ତ ପ୍ରଣୟ ? ତୁମକୁ ଆଜି ଦେଖି ମୁଁ ପାଗଳୀ ପାଲଟିଯାଇଛି-। ତୁମେ ଭୁଲିହେଉନା ମୋ ଅନ୍ତର ଭିତରୁ । ତୁମରି ଆକର୍ଷଣୀ ମତେ ବିପଥକୁ ଟାଣିନେଇଛି-। କାହିଁକି ତୁମେ ଆସିଲ ? କାହିଁକି ତୁମେ ଦେଖାଦେଲ ? ମତେ ମଣିଷ ପରି ଏ ଦୁନିଆରେ ବଞ୍ଚିବାକୁ ଦିଅ, ମତେ କର୍ତ୍ତବ୍ୟବୋଧ ଜ୍ଞାନ ଭରିଦିଅ ।’’

 

ସେ ନିସ୍ପୃହ କଣ୍ଠରେ କହିଲେ, ‘‘ଠିକ୍‍ କହିଛୁ ସାବି, ମୁଁ ତତେ ମାରିବାକୁ ଆସିନି । ମତେ ଦେଖି ତୁ ଯଦି ହିତାହିତ ଜ୍ଞାନ ହରାଉଛୁ, ତେବେ ତତେ ଦେଖା ଦେବାହିଁ ମୋର ଅନ୍ୟାୟ ହୋଇଛି-। ଆଶୀର୍ବାଦ କରୁଛି, ତୋ ଜୀବନଯାତ୍ରା ନିଷ୍କଣ୍ଟକ ହେଉ । ମନପ୍ରାଣ ଢାଳିଦେ ପତିଦେବତାଙ୍କ ସେବାରେ । ତାଙ୍କ ପାଇଁ ହସିହସି ସବୁ ଦୁଃଖକୁ ସହିନେ । ଘରସଂସାର ତୋର ଉଜ୍ଜ୍ଵଳ ହୋଇଉଠୁ-। ଯା, ଶୋଇପଡ଼ିବୁ ଯା ।’’

 

ଅବିଭାଇ ଏତେ ବଦଳିଯିବେ ବୋଲି ଜାଣି ନ ଥିଲି । ସେ କ’ଣ ତେବେ ଆଜି ନିରାଶ କରିବେ ? ଶୂନ୍ୟହସ୍ତରେ ଫେରାଇଦେବେ ଏଇଭଳି ଆଶୀର୍ବାଦ ବାଣୀ ଶୁଣାଇ ? ସେ କହିଲେ ସମସ୍ତେ ଯିମିତି କହନ୍ତି; ଏଇଟା ନିହାତି ମାମୁଲି । କିନ୍ତୁ ମୁଁ ପାଇଲି କ’ଣ ? କାହିଁ, ମନଟା ତ ବୁଝୁନି, କ୍ଷୁଧିତ ଶରୀରଟା ତ ହାଁ ହାଁ ହେଉଛି ! ନିଜର ଶୋଇଲା ଶେଯ ଛାଡ଼ି କ’ଣ ଦଉଡ଼ିଆସିଥିଲି ଏଇଥିଲାଗି ? ଉତ୍ତୁଙ୍ଗ ଶିଖର ଉପରୁ ଯେପରି ଜୋରରେ ପଡ଼ିଗଲି ଭୂଇଁରେ । କହିଲି, ‘‘ଯେଉଁଠି ନିଜ ଅଧିକାର ମୂଲ୍ୟ ନାହିଁ, ଆଉ କେଉଁଥିପାଇଁ ମନ ପ୍ରଫୁଲ୍ଲ ହେବ ? ଦରକାର ନାହିଁ ମୋର ସେ ଘରସଂସାର, ଦରକାର ନାହିଁ ପତିସେବା, ଆଦର, ଅଭ୍ୟର୍ଥନା ଲାଭ, ଲୋଭ, ତ୍ୟାଗ ଗ୍ରହଣ କିଛି ମାତ୍ର । ତୁମେ ବି ବୁଝିପାରିବନି ନାରୀହୃଦୟର ଦୁଃଖ । କାପୁରୁଷ ତୁମେ । ଖାଲି ଭରିଦେଇପାର ଯାତନା, ବେଦନା ।’’

 

ହସିଲେ ସେ; କହିଲେ, ‘‘ବେଦନା ମୁଁ ଦେଉନି କି କେହି ଦେଉନି । ଜାଣିଶୁଣି ତୁ ନିଜେ ଡାକିଆଣୁଛୁ ।’’ ମୁଁ ଅତି ଉଚ୍ଛୃଙ୍ଖଳ ହୋଇ ଜୋରରେ ଭିଡ଼ିଧରିଲି ତାଙ୍କୁ; ମୁହଁଟାକୁ ଗେଞ୍ଜିଦେଲି ତାଙ୍କ ଛାତି ଭିତରେ । ସବୁ ଦୁଶ୍ଚିନ୍ତା କେଉଁଆଡ଼େ ଉଭେଇଗଲା ମୋର । ଅପୂର୍ଣ୍ଣ ଦୈହିକ କ୍ଷୁଧା ପୂର୍ଣ୍ଣତା ଲାଭ କଲା ଯିମିତି । ମୋ ମୁହଁରେ ହାସ୍ୟର କଳିକା ଫୁଟିଉଠିଲା । କହିଲି, ‘‘ଅବିଭାଇ, ବେଦନା ମୋର ତୁମରି ଲାଗି । ତୁମେ ତାକୁ ଘୁଞ୍ଚାଇବ । ତା’ ନ ହେଲେ ମୁଁ ବାଧ୍ୟ ହେବି...... । କୁହ, ପାରିବ ତ ?’’

 

ସେ କହିଲେ, ‘‘କି ଆଶା ଦେଇ ତତେ ଏତେବେଳେ ଖୁସି କରିବି ? ତୁ ଯେ ପରାଧୀନା-। ମତେ ଆଉ ବିଚଳିତ କରନା । ଏହା ଫଳରେ କ୍ଷତି ହେବ ତୋ’ର । ଆଉ ମରୀଚିକା ପଛରେ ଧାଇଁବାକୁ ଇଚ୍ଛା କରନା । ଯାହା ହେବାର କଥା, ହୋଇଯାଇଛି । ତାହାହିଁ ତୋର ମଙ୍ଗଳ-।’’ ମୁଁ କହିଲି, ‘‘ମଙ୍ଗଳ ନୁହେଁ ଭାଇ, ଅମଙ୍ଗଳ । ମୋର ମନ ବୁଝିବ ନି ସେକଥାରେ-। ତୁମେ ଆଉ କେବେ ଆସିବ, କୁହ ।’’ ସେ କହିଲେ, ‘‘ହଉ, ଆସିବାକୁ ଚେଷ୍ଟା କରିବି ।’’

 

ରାତି ସେତେବେଳକୁ ବେଶି ହୋଇଗଲାଣି । ନିଜ ବିଛଣାକୁ ଆସି ଶୋଇଲି । ନିଦଟା ଭଲକରି ଆଖିରୁ ଛାଡ଼ି ନ ଥାଏ । ପକ୍ଷୀର କଳକାକଳୀ-ମୁଖର ପ୍ରଭାତ ମତେ ଶୋଇଦେଲା ନାହିଁ ବିଛଣାରେ । ଆଗାମୀ ଦିନର ଦାୟିତ୍ୱ ତୁଲାଇବାକୁ ମନ ଭିତରେ କିଏ ମୋର ବାରମ୍ବାର ଧକ୍କା ଦେଲା । ଚାହିଁଲି, ଉଷାର ଆଲୋକ ବିଞ୍ଚିହୋଇ ପଡ଼ିଲାଣି ଘର ଭିତରେ । ବାଡ଼ିପଟ କବାଟ ଖୋଲି ଶାଶୁ ବାହାରିଗଲେଣି ପଦାକୁ । ଓଳିତଳୁ ପଡ଼ିଶାଘର ଝାଡ଼ୁ ଶବ୍ଦ ଶୁଭିଲାଣି । ମୁଁ ଉଠିଆସିଲି । ଅବିଭାଇଙ୍କୁ ଦେଖି ଟିକେ ଲାଜରା ହୋଇଗଲି ।

 

ସେ ଦିନ ମନଟା ଦୁଃଖିତ ହେଲା । ଅବିଭାଇ ଆଉ ଟିକକୁ ହୁଏତ ପଳାଇଯିବେ । ତାଙ୍କ ପାଇଁ ଭାତ ବସାଇଲି । ଶାଶୁ ଆଉ ତାଙ୍କୁ ଛାଡ଼ିଲେ ନାହିଁ । ସେ ଦିନଟି ପୁଣି ତାଙ୍କୁ ରହିବାକୁ ହେଲା । ମୁଁ ମଧ୍ୟ ବାହାରିପଡ଼ି କହିଲି, ‘‘କ’ଣ ଆଉ ତୁମର କାମ ?” ହସିଦେଇ ପଳାଇଗଲି ବାଟଣ ବାଟିବାକୁ । ତାଙ୍କରି ଦର୍ଶନରେ, ତାଙ୍କରି ଧ୍ୟାନରେ ମୋର ଦିନଟି କଟିଲା । ଦିନଟାକୁ ନିନ୍ଦା କଲି ଏତେ ବଡ଼ ହୋଇଗଲାଣି ଆଜିକାଲି । ରାତି ଆଉ କେତେବେଳେ ହେବ ?

 

ରାତି ଆସିଲା । ବୁକୁ ଯନ୍ତ୍ରଣା ମୋର କ୍ରମେ ଉପଶମିତ ହୋଇଆସିଲା । ମୁଁ ଅବିଭାଇଙ୍କ ବିଛଣା ପକାଇଦେଇ ଆସି ମୋ ବିଛଣା ପକାଇଲି । ଅବିଭାଇ ଦାଣ୍ଡପିଣ୍ଡାର ବସି ଶାଶୁଙ୍କ ସାଙ୍ଗରେ ଗପସପ କରୁଥାନ୍ତି । ମୁଁ ବଡ଼ ବ୍ୟସ୍ତ ହୋଇପଡ଼ିଲି । ଭାବିଲି, ଡାକିଦେବି–ସେତିକି ଥାଉ । ରାତି ଆସି କେତେ ହେଲାଣି ଆଜି କ’ଣ ଶୋଇବ ନାହିଁ ? ଡାକିବାକୁ ସାହସ ହେଲା ନାହିଁ । ବିଛଣା ଉପରେ ପଡ଼ି ଏକଡ଼ ସେକଡ଼ ହେଲି । ନିଦ ଆସିଲାନି ଆଖିକୁ । ଦେହ ଗରମ ହୋଇ ଆଖିରୁ ପାଣି ଗଡ଼ିଲା । ହାଇ ଉପରେ ହାଇ ଆସିଲା । ଶାଶୁଙ୍କ କଥା କାନରେ ବାଜିଲା– ଦୁଇମାସ ହେବ ଗଲାଣି । ଖଣ୍ଡେ ମାତର ଚିଠି ଦେଇଛି । ଚାକିରି କଲାଣି ବୋଲି ଶୁଣିଛି-। ହୋଟେଲରେ ଖାଉଛି । ଆସିବା କଥା ମୋଟେ ଲେଖିନାହିଁ । ନ ଆସିଲେ ମୋର କିଛି ଆପତ୍ତି ନାହିଁ । ହୋଟେଲରେ ଖାଇବା ଅପେକ୍ଷା ବସାରେ ଦି’ଟା ଫୁଟାଇ ଖାଇଲେ ହୁଅନ୍ତା ନାହିଁ-? ଏଣେ ଯୁବତୀ ବୋହୂଟା ଘରେ । ତାକୁ ନେଇଗଲେ ହୁଅନ୍ତା ନାହିଁ ? ଅବିଭାଇ କହିଲେ–ବୋଧହୁଏ ବୋହୂଝିଅ ଚଳିବାପାଇଁ ସିମିତି ସୁବିଧା ଘର ମିଳିନି । ସେ ନିଶ୍ଚୟ ଚେଷ୍ଟା କରୁଥିବ-। ଶାଶୁ କହିଲେ ନାଇଁରେ ବାପ, ସେ ମୋ କଥା ମାନିବ ନା ବୁଝିବ । ଖାଲି କହିବ, କାହିଁକି ଗୋଟାଏ ଦିନରାତି ବକରବକର ହେଉଛୁ ? ମୋ କାମ ମୁଁ କରିବି, ମୋ ଅସୁବିଧା ମୁଁ ଭୋଗିବି-। ତୁ କ’ଣ ପାଇବୁ ଶୁଣେ ? କଥାରେ କହନ୍ତିନି କୂଳ ଛାଡ଼ିଲେ କି କରେ ନାଆ ନା, କ୍ଷୀର ଛାଡ଼ିଲେ କି କରେ ମାଆ । ତାଙ୍କ ମନ ତାଙ୍କ ଖୁସି । ଯାହା କରିବାର କରିଯାଆନ୍ତୁ । ମୋର କ’ଣ ଅଛି ସେଥିରେ-? ମୁଁ ବିଛଣାରେ ପଡ଼ି ଭାବୁଥାଏ, ସେ ଯଦି ଘରକୁ ଆସିବେ ତେବେ ଲେଖା କଥା ବୁଝିବ କିଏ-? ଗୋଡ଼ରେ ତ ଦଉଡ଼ି ଲଗାଇ ସେ ଛନ୍ଦିରି ଧରିଛି–ସେ ଛାଡ଼ୁଛି ନା ଏ ଆସୁଛନ୍ତି ! ତାଙ୍କ ସୁଖରେ ସିଏ ରହିବେ । ମୁଁ ଏଠି ମରି ପାଉଁଶ ହୋଇଗଲେ ତାଙ୍କର କ’ଣ ହୋଇଗଲା ? ଦୁଃଖର ଭାରାରେ ତାତିଉଠିଲା ଦେହଟା ମୋର । ହୃତ୍‍ପିଣ୍ଡ ଯିମିତି ଅଚଳ ହୋଇପଡ଼ିଲା । କାନ ଭିତର ଝାଇଁ ଝାଇଁ ହୋଇଉଠିଲା ।

 

ଶାଶୁ ଯେତେବେଳେ ସଦର କବାଟଟା ଧଡ଼୍‍ କରି ପକାଇଲେ, ମୁଁ ଭାବିଲି, ଏଇଥର ବୋଧହୁଏ କଥାବାର୍ତ୍ତା ସରିଲା । ପଦାକୁ ଚାହିଁ ଅପେକ୍ଷା କଲି ଅବିଭାଇଙ୍କୁ । ଅନେକ ସମୟ ମୁଣ୍ଡ ଟେକି ଚାହିଁଲି । କିନ୍ତୁ ଦେଖିପାରିଲି ନି ତାଙ୍କୁ । ଭାବିଲି, ତେବେ କୁଆଡ଼େ ଗଲେ ? ଆଉ କ’ଣ ଏତେ ରାତିରେ ପଳାଇଗଲେ ମାଉସୀ ଘରକୁ ? ଇଏ ବି ଏମିତି ଠକ ମଣିଷ ? କାଲି ମୋ କଥା ଶୁଣି ରାଗିଛନ୍ତି କି ଆଉ ? ମୁଁ ତ ତାଙ୍କୁ ଅପମାନ ଦେଇନି । ବରଞ୍ଚ ସେ ଯିମିତି ଖୁସି ହେବେ ସିମିତି ଖୁସି କରିଛି । ଆଉ ମୋର ଦୁଃଖଟାକୁ ଲାଘବ କରିବାପାଇଁ କରିଛି ଅନୁରୋଧ, ଅନୁଯୋଗ, ଅଭିମାନ, ଅଭିଯୋଗ । ସେ ଯଦି କୌଣସି ପ୍ରକାର ସାହାଯ୍ୟ ନ କରିବେ ଦୁଃଖ ନାହିଁ ମୋର ସେଥିରେ । ଏଇଥିପାଇଁ କ’ଣ ରହିଲେ ନାହିଁ ? ଆଉ କ’ଣ ସେ ଚାହୁଁଥିଲେ ମୋ’ଠାରୁ ? ଶାଶୁଘରେ ବୋହୂ ହୋଇ ଦେହ ମନ ସବୁ ତ ସମର୍ପଣ କଲି ! ଏଇମିତି ଭାବନା ଭିତରେ ନିଦ ଲାଗିଯାଇଛି ମତେ । ଦୂରେଇଯାଇଛନ୍ତି ଅବିଭାଇ କୁଆଡ଼େ ମନ ଭିତରୁ ।

 

ସାତ

 

ସବୁଦିନ ଭଳି ନୀରବତା–ପ୍ରିୟା ନିଶୀଥିନୀର ଆବିର୍ଭାବ ହୋଇଛି । କାର୍ମୁକ ଓଟାରି ଦିଗେ ଦିଗେ ନିକ୍ଷେପ କରିଛି ତନ୍ଦ୍ରାର ଅପର୍ଯ୍ୟାପ୍ତ ତୀର । ତାହାର ବଳିଷ୍ଠ ଶକ୍ତି ପାଖରେ ପରାଜୟ ସ୍ୱୀକାର କରି ନିଦ୍ରା ଯାଇଛି ସଚରାଚର ପୃଥିବୀ ।

 

ଗାଁ ତୋଟା ଭିତରୁ କେତେଟା ଅଜଣା ପକ୍ଷୀଙ୍କ ଡାକ ଶୁଭିଲା ମଳୟାକୁ । ଚେତନା ପଶିଲା ତା’ଠି, ରାତି ପାହିଯିବ ଏଥର । ଆଉ କେତେଟା ଦିନ ପରେ ଅପା ଚାଲିଯିବ ତା’ର ଶାଶୁଘରକୁ । ଏତେଦିନ ଧରି ଯେଉଁ ଆନନ୍ଦଟା ଲାଗିଥିଲା ତା’ ଆଉ ମିଳିବନି । ହଲାଇଲା ତାକୁ ଖୁବ୍‍ ଜୋରରେ । ନିଦ ଭାଙ୍ଗିବା ପାଇଁ ବ୍ୟସ୍ତ କଲା । ସର୍ବାଣୀ ଉଠିଲା । ଜବାବ ଦେଲା, ରହ, ପୁଅ ଉଠିଛି, ଟିକିଏ ଶୋଇପଡ଼ୁ । ତା’ ପୁଅ ଶୋଇପଡ଼ିଛି । ମଳୟାର ଅନୁରୋଧରେ ସର୍ବାଣୀ ନିଜ ଜୀବନର ବାକି ଘଟଣାତକ କହିଚାଲିଛି :

 

ସ୍ୱାମୀ ମୋର କଟକରେ ରହି ଚାକିରି କଲେ । ଏଥିରେ ମନରେ ଟିକେହେଲେ କାହିଁକି ଆନନ୍ଦ ଆସିଲା ନାହିଁ । କାରଣ ସ୍ୱାମୀଙ୍କ ସଙ୍ଗରେ ସୁଖରେ ଦିନଗୁଡ଼ାକ କଟାଇବାର ଆଶା ମୋର ପ୍ରଥମରୁ ଲୋପ ପାଇଥିଲା । ସେଥିଲାଗି ମୋର ଯେଉଁ ବୁକୁଫଟା ନିଃଶ୍ୱାସ ବାହାରେ, ଅନ୍ତର ଭିତରେ ଯେଉଁ ବିଷାକ୍ତ ଭାବନା ଆନ୍ଦୋଳିତ ହୁଏ, ତାହା ଏକା ମୁହିଁ ଜାଣେ ।

 

ଦିନେ ଖରାବେଳେ ସମୟ । ଘରେ କେହି ନ ଥାନ୍ତି । ମୁଁ ଏକୁଟିଆ ବସିଥାଏ । ସୂର୍ଯ୍ୟାଲୋକ ପାଇ ବାଲିମାଟି ତାତି ଉଠିଲା ପରି ମୋ ଦେହଟାର ଉତ୍ତାପ ଦୁଃଖରେ ବଢ଼ିଯାଇଥାଏ । ଭାବୁଥାଏଁ, ଏଇ ନିତିଦିନିଆ ସଂସାରରେ କେତେ ସ୍ୱାମୀ-ସ୍ତ୍ରୀ ହୋଇ ଅଛନ୍ତି । କେତେ ଆନନ୍ଦରେ ଦିନ କାଟୁଛନ୍ତି ସେମାନେ । ମୋ କରମରେ କ’ଣ ଏଇ ହୀନସ୍ତା ଥିଲା ? ଭାବୁ ଭାବୁ ଅଜାଣତରେ ଲୁହଧାର ବହିଚାଲିଲା ।

 

ସେ ଆସି କେତେବେଳେ ଠିଆ ହୋଇଗଲେଣି ମତେ ଜଣା ନାହିଁ । କହିଲେ, “କ’ଣ, କାନ୍ଦୁଛୁ ? କ’ଣ ହେଲା ?” କହିଦେଇ ପଶିଗଲେ ଭିତରକୁ । ସେତେ ଝୁଙ୍କ ନ ଥିଲା ତାଙ୍କର କଥାଟା ବୁଝିବାରେ । ପୁଣି ଆସିଲେ । ସେଇକଥା ପଚାରିଲେ । କହିଲି, ‘‘ଯେ କନ୍ଧାଇପାରେ, ସେ ପୁଣି ପଚାରେ–କାହିଁକି କାନ୍ଦୁଛୁ ? ତୁମକୁ କ’ଣ ଜଣାନାହିଁ ?” କହିଲେ, “ସିମିତି କହିବୁ ତ ପୁଣି... । ବୋଉ କୁଆଡ଼େ ଯାଇଛି ?” ମୁଁ କହିଲି, “ମତେ କ’ଣ କହିକରି ଯାଇଛନ୍ତି ? ଖୋଜୁନା ତୁମେ ।” ଏତିକିରେ ମତେ ଗୋଟାଏ ଚାପୁଡ଼ା ଦେଲେ ଯେ କାନମୁଣ୍ଡା ମୋର ଝାଏଁ ଝାଏଁ ହୋଇଗଲା । ମୁଁ ଧୈର୍ଯ୍ୟ ଧରିପାରିଲିନି । ବଡ଼ ପାଟିକରି କାନ୍ଦିଲି ।

 

ଶାଶୁ ଆସି ଏତିକିବେଳେ ପହଞ୍ଚିଗଲେ । ମୋତେ କାନ୍ଦୁଥିବାର ଦେଖିଲେ । କହିଲେ, ‘‘କ’ଣ ହେଲା ତୋର ? ଆଲୋ, କଥା କ’ଣ ?” କାନ୍ଦିବାବେଳେ କି କଥା କହିହୁଏ ? ମୁଁ ସେହିପରି କାନ୍ଦୁଥାଏଁ । ସେ କହିଲେ, ‘‘ଆସୁ ଆସୁ ମୋ ସାଙ୍ଗରେ ପାଟି କରୁଛି । ତା’ କଥାକୁ ମୋ କଥା ।” ଶାଶୁତ ନିଆଁ ଖପରା ହୋଇଗଲେ ! କହିଲେ, “ଆଲୋ ଡାଆଣୀ, ମୋ ପୁଅକୁ ତୁଇ ବିଗାଡ଼ିଲୁ । ମୁଁ କହୁଥିଲି, ତୋର କିଛି ଗୁଣ ନାହିଁ ! ଅସଲ ମଉନମୁହୀଁ । ଛୁଆଟା ମୋର ଏତେ ଦିନେ ଘରକୁ ଆସିଲା ଯେ ତାକୁ ପାଣି ଢାଳେ ନ ଦେଇ ଖାଇବାକୁ ନ ବାଢ଼ି ଆଉରି ତା’ ସାଙ୍ଗରେ କଳି ! ଏତେ ବୁଦ୍ଧି ହୋଇଗଲାଣି ତୋଠି ? ମା ତ ସେଇମିତି ବଢ଼େଇଛି । ସାଇପଡ଼ିଶାରୁ ତ ସେଇଆ ଶିଖିକରି ଆସିଛୁ । ତୁଟା କିଏ ମ ତାକୁ ଧମକେଇବାକୁ ? ଆଲୋ, ସେ ମୋର ଥିଲେ ଘରେ କେତେ ବୋହୂ ଠେଲି ହୋଇ ପଶିବେ । ଆଉ ତୋ ପରି ବୋହୂ ଥାଇଁ ଯେତେ ନ ଥାଇଁ ସେତେ । ସବୁ ବାବୁ, ସୁଖର ସାଥୀ–କ’ଣ ଆଉ କହିବି ତତେ..... ।”

 

ଦୁମ୍ ଦୁମ୍ ହୋଇ ଚାଲିଗଲେ କୁଅଆଡ଼କୁ । ପୁଅ ତାଙ୍କର ଜାମାପଟା କାଢ଼ିପକାଇ ବାରଣ୍ଡାରେ ଟହଲୁଥାନ୍ତି । ମୁଁ ଘର ଭିତରକୁ ପଶିଯାଇ ତଳେ ଖଣ୍ଡିଏ ସଉପ ପକାଇ ଶୋଇପଡ଼ିଲି-। ସେତେବେଳେ ରାଗରେ ମୋ ଦେହଟା ଗୋଟାପରି ଥରୁଥାଏ । ଭାବିଲି, ତାଙ୍କ ସାଙ୍ଗରେ ପାଟିକରି କିଛି ଲାଭ ନାହିଁ । ସେ ଯେତେବେଳେ ଶାଶୁ, ବାର କଥା କହିବେ । ଭୁଲ ହେଉ ତ ଠିକ୍‍ ହେଉ, ତାଙ୍କୁ କ’ଣ କିଏ ଦୋଷୀ କରିବେ ? ଦୋଷୀ କରିବେ ମତେ । ଚୁପ୍‍ ହୋଇ ରହିଯିବି-। ଆଜି କିଛି କାମ କରିବି ନାହିଁ । ମୁଁ କ’ଣ ପୋଇଲି ଏ ଘରେ, କାମଧନ୍ଦା କରି ପେଟକୁ ଗଣ୍ଡେ ଖାଇବାକୁ ଏଠିକି ଆସିଛି ? ତାଙ୍କ ପୁଅ ଭଲ, ମୁଁ ତାଙ୍କୁ ବିଗାଡ଼ିଦେଲି । ତାଙ୍କ ପୁଅକୁ ବୋହୂ ମିଳିବ; ମତେ କ’ଣ ବିଷ ଟିକିଏ ମିଳିବ ନାହିଁ ? ଏଇମିତି ଭାବୁଥାଏଁ । ଶାଶୁ ପୁଅ ପାଖରେ ପାଣିଢାଳଟେ ଥୋଇଦେଇ ମତେ ଖୋଜି ଖୋଜି ଆସି ସେ ଘରଭିତରେ ପହଞ୍ଚିଲେ । କହିଲେ, ‘‘ହୁଁ, ସ୍ୱାମୀ ଶରଧା ଏଇଥିଲାଗି ? କିଲୋ, ଯାଉଚୁ ନା ଭାତ ବସାଇବୁ ! ସେ ଦଉଡ଼ି ଦଉଡ଼ି ଆସିଛି, ତତେ ନିଦ ମାଡ଼ିଲା ଏତେବେଳେ ?” ମୁଁ ମୋଟେ ଶୁଣିଲି ନାହିଁ । ସେ ଜଳଖିଆ ଆଣି ପୁଅକୁ ଖାଇବାକୁ ଦେଲେ । କିଛି ବେଳ ଗଲା । ମୁଁ ଆଉ ନ ଉଠିବାର ଦେଖି ନିଜେ ଭାତ ବସାଇଲେ । ଭାବିଲି, ଭଲ–ତାଙ୍କର ପୁଅ, ତାଙ୍କର ଆନନ୍ଦ, ମୋର କ’ଣ କି ? କେଉଁଥିଲାଗି ମନ ମାଡ଼ିପଡ଼ିବ ?

 

ସେ ଜଳଖିଆ ଖାଇଦେଇ ବାଡ଼ିପଟକୁ ବୁଲିଗଲେ । ଦେଖିଲେ ଗୋଲାପଗଛର ପୂର୍ବପରି ଆଉ ବହଳତା ନାହିଁ । ଖେଣ୍ଟା କେତେଟା ଠିଆହୋଇଛି । ରାଗରେ ସେଇଠୁ ପାଟି କରି କରି ଆସିଲେ । ଶାଶୁ କହିଲେ, ‘‘ଦିନେ ମତେ ସାବି ଦେଖାଉଥିଲା ସେ ଡାଳଗୁଡ଼ା; କହିଲା, ଦେଖ ଉଇ କିପରି କାଟିପକାଉଛନ୍ତି ।” ସେ କିନ୍ତୁ ତାଙ୍କ କଥାକୁ ମୋଟେ ବୁଝିଲେନି; କହିଲେ, ‘‘ସେ କଥା ନୁହେଁ । ଗଛଟାକୁ ନିଜେ ହାଣି ତୋ ପାଖରେ ସାଧୁତା ଦେଖାଇଛି ।” ବୋଉ ସେଇଠୁ କହିଲେ, ‘‘ତା’ପରି ବୋହୂକୁ, ଦି’ଦଶମାସିଆ ଯେ ହୋଇଥିବ, ସେଇ ଚଳାଇବ ଏ ଘରେ ।’’

 

ଦେଖିଲି, ମା ପୁଅ ବେଶ୍‍ ଯୋଡ଼ିଯାଉଛନ୍ତି । ଏଠି କଥା କହିଲେ ସୁଅ ମୁହାଣରେ ଭାସିଯିବାଭଳି ହେବ । କାହିଁକି ପାଟି ଫିଟାଇବି ? କ୍ରମେ ରାତି ହେଲା, ମା ପୁଅ କେତେ ଦୁଃଖସୁଖ ହେଲେ, ମୁଁ କାନ ଡେରି ସବୁ ଶୁଣୁଥାଏଁ । ଶାଶୁକହିଲେ, ‘‘ତୁ ସେ ଲେଖା ସାଙ୍ଗରେ କାହିଁକି ଏତେ ଭାବ ଲଗେଇଛୁ, ଶୁଣେ ? ଏତେ ମାସ ହେଲା ଚାକିରି କଲୁ, ଘରକୁ ଗୋଟାଏ ଟଙ୍କା ହେଲେ ଦେଲୁନାହିଁ । କ’ଣ ତୋ ମତଲବଟା କହନି ? ଏମିତି କଲେ ତ ବେଶ୍‍ ନାମଟାଏ ଅରଜିବୁ ।” ସେ କହିଲେ, ‘‘କାହିଁକି, କ୍ଷତି ହେଲା କ’ଣ ? ସେ ତ ଏତେ ମଫସଲିଆଣୀ ନୁହେଁ । ଯେତେବେଳେ ଦେଖାହେଲା ତ ପଦେ କଥାବାର୍ତ୍ତା କଲୁଁ । ଆଗରୁ ଚିହ୍ନା ନ ଥିଲେ ସେ କାହିଁକି ମୋ ନିକଟକୁ ଆସନ୍ତା ? ଏଇଥିଲାଗି ପରା ଟଙ୍କାକଥା ପଚାରୁଛୁ ? ବେଶ୍‍, ମୋର ଯେତେବେଳେ ଯାହା ଇଚ୍ଛା ହେଲା ତାହା ଖର୍ଚ୍ଚ କଲି । ମତେ କ’ଣ ତୁମେ ଘରୁ ଦେଉଛ ?’’ ଶାଶୁଙ୍କର ଗୋଟିଏ ବୋଲି ଆଖି ସେ । ତାଙ୍କ ବିନା ଆଗକୁ ପଛକୁ ଆଉ କେହି ନାହାନ୍ତି । ପୁଅ ରାଗିଆସିବା ଦେଖି ଶାଶୁ ଆଉ କିଛି ନ କହି ଚୁପ୍‍ ରହିଲେ । ତା’ପରେ ଖିଆପିଆ କଲେ । ମତେ ଡାକିଲେ । ମୁଁ କାହିଁକି ଟିକିଏ ଶୁଣନ୍ତି-? ସେଇମିତି କାଠଟି ପରି ଉପାସରେ ପଡ଼ିରହିଲି ।

 

ସେ ଶୋଇବାକୁ ଆସିଲେ ସେ ଘରକୁ । ମତେ ପାଟି ଫିଟାଇଲେ ନାହିଁ । କବାଟ ଦେଲେ; ବିଛଣା ଝଡ଼ାଝଡ଼ି କରି ଶୋଇଲେ । ତାଙ୍କର ରାଗକୁ ମୋର ରାଗ । କିଏ କାହାକୁ ଡାକୁଛି-? ଯିଏ ଯେଉଁଠି ସିଏ ସେଇଠି ଶୋଇଲୁଁ । ତାଙ୍କୁ ଆଗ ନିଦ ଲାଗିଗଲା । ମୁଁ ଚାହିଁ ଚାହିଁ କେତେବେଳ ପରେ ଶୋଇଲି । ସକାଳୁ ଉଠି ଦେଖିଲି, ଶାଶୁ ଘରଦ୍ୱାର ଝାଡ଼ୁ ଦେଉଛନ୍ତି । ମତେ କିଛି କହିଲେ ନାହିଁ । ଭାବିଲି, ଏମାନଙ୍କ ସଙ୍ଗେ ରାଗ କରି ଲାଭ କ’ଣ ? ମୋ ରାଗ ମୋ’ଠେହିଁ ମରିବ । ଏମିତି ସାତଦିନକକାଳ ମୁଁ ଉପାସରେ ରହିଲେ କେହି ପଚାରିବେ ନାହିଁ । ବାପା ମା ହୋଇଛନ୍ତି ଯେ ପେଟ କଥା ଜାଣିବେ ? ସେକଥା ଆଉ କିଛି ନ ଭାବି ଗାଧୋଇଗଲି-। ଗାଧୋଇଆସି ଲୁଗା ପାଲଟିବାକୁ ସେ ଘରକୁ ପଶିଗଲି । ଦେଖିଲି, ସେ କ’ଣ ଫଟଟାଏ ଦେଖୁଛନ୍ତି । ମତେ ଦେଖି ତର ତର କରି ଗୋଟାଏ ବହି ଭିତରେ ଲୁଚାଇଦେଲେ ଫଟଟାକୁ-। ମୁଁ ତାଙ୍କ ଆଡ଼କୁ ପିଠିକରି ଲୁଗା ପାଲଟିଲି । ସେ ପଳାଇଗଲେ ବାହାରକୁ । ମୁଁ ସେ ଫଟଟାକୁ ଖୋଜିବାରେ ଲାଗିଲି । କେତେଟା ବହି ଖୋଜି ଖୋଜି ପାଇଲି ସେଟାକୁ । ଲେଖା ଆଉ ସେ ବସିଛନ୍ତି ଫଟଟିରେ । ଦୁଇ ପାଖରେ ତାଙ୍କର ଦୁଇଟି ଫୁଳକୁଣ୍ଡ ରହିଛି । ପଛପଟରେ କେଉଁ ଏକ ଅଜଣା କୋଠା ଠିଆ ହୋଇଥାଏ । ଦେଖିଲି, ଯୌବନପରିପକ୍ୱା ଲେଖା ହସୁଛି । ମନଭୁଲା ରୂପ ଆଉ ବେଶଭୂଷାରେ ସେ ହୋଇଛି ତାଙ୍କର ଆଦରିଣୀ–ଚିର ସ୍ନେହଶୀଳା । ଘୃଣା ଆସିଲା ଲେଖା ଓ ସ୍ୱାମୀଙ୍କ ପ୍ରତି ।

 

ଭାବିଲି, ତା’ହେଲେ ହିନ୍ଦୁଶାସ୍ତ୍ରମତେ ଆଉ ବିବାହ ଦରକାର କ’ଣ ? ଅଗ୍ନିଦେବତାଙ୍କୁ ସାକ୍ଷୀ ରଖି କି ଲାଭ ? ଅବିବାହିତା କନ୍ୟା ବିବାହ ବେଦୀରେ ଶପଥ କରେ, ଦୁଃଖ ଦୈନ୍ୟ ଭିତର ଦେଇ ଜୀବନକୁ ପଳପଳ କରି ନଷ୍ଟ କରିଦେବ ସ୍ୱାମୀଙ୍କ ସୁଖଲାଗି । ସ୍ୱାମୀହିଁ ତା’ର ସମସ୍ତ ଶକ୍ତିର ଆଧାର । ସ୍ୱାମୀ ଘରେ ଏଇଭଳି ବ୍ରତକୁ ଚିରାଶ୍ରିତ କରି ଚାଲିଆସୁଥିବା ନାରୀ ନିଜକୁ ସମ୍ମାନିତ ମନେ କରେ; ସେଥିପାଇଁ ଭୋକଶୋଷ ଭୁଲିଯାଏ । ଏହାର ପ୍ରଧାନ କାରଣ ହେଲା ସ୍ୱାମୀ ଉପରେ ଓ ସ୍ୱାମୀ ସଂସାରର ସମସ୍ତ ବିଷୟବସ୍ତୁ ଉପରେ ତା’ର ଥାଏ ଅବାଧ ଅଧିକାର । କିନ୍ତୁ ମୋର ଅଧିକାର କ’ଣ ଅଛି ତାଙ୍କ ଉପରେ ନା ତାଙ୍କର କୌଣସି ଜିନିଷପତ୍ର ଉପରେ ? ଏ ତ ମତେ ସେଥିରୁ ବଞ୍ଚିତ କରୁଛନ୍ତି । ମୁଁ ତେବେ ତାଙ୍କର ଅନୁଗ୍ରହକୁ ଅପେକ୍ଷା କରିବି କାହିଁକି ?

 

ଶାଶୁ ଆସି ସେଇ ଫଟଟିକୁ ମୋ ହାତରେ ଦେଖିଲେ । କହିଲେ, ‘‘କିଲୋ ସେଇଟା କେଉଁଠୁ ଆଣିଲୁ ?” ଏହା କହି ଛଡ଼ାଇ ନେଲେ ମୋ ହାତରୁ । ମୁଁ କହିଲି, ‘‘ଦେଖ ତୁମ ପୁଅଙ୍କର ଛବି, ଆଉ ତାଙ୍କର ପ୍ରାଣାଧିକ ପ୍ରିୟା ଲେଖା । ଭଲ ଦିଶୁନି ?” ସେ କହିଲେ, ‘‘ହଁ, କଣଟାଏ ହେଇଗଲା ? ଫଟଟାଏ ଉଠାଇଦେଲା ବୋଲି....ବେଶ୍‍ ତ କହିଶିଖିଲୁଣି ? ସେ ପାଞ୍ଚଟା ବିଭା ହେବ । ତୁ କେତେ ନାଚିବୁ ନାଚୁ ନି ।” ଦେଖିଲି ସେ ମତେ ବିଦ୍ରୂପ କରିବାକୁ ବେଶ୍‍ ଫୁର୍ତ୍ତି । ଏଇମିତି ଜବାବ ଦେଇ ପ୍ରଭୁତ୍ୱ ବଜାଏ ରଖିବାକୁ ବେଶ୍‍ ପାରଗ । କହିଲି, ‘‘ହଉ, ଭଲ କଥା । ମତେ ତେଣିକି ଯେଉଁ ବୁଦ୍ଧି ଦିଶିବ, ମୁଁ କରିବି ।” ଏତିକି କହି ପଳାଇଗଲି ।

 

ରାତିରେ ଦୁହେଁ ଗୋଟିଏ ଘରେ ଶୋଉଁ । ସମସ୍ତେ ଜାଣିବାକୁ ଆମେ ଦୁହେଁ ସ୍ୱାମୀ ସ୍ତ୍ରୀ-। କିନ୍ତୁ ପ୍ରକୃତରେ ତାହା ମୁଁ ଅନୁଭବ କରୁ ନ ଥିଲି । ମୁଁ ଶୁଏଁ ପଲଙ୍କପାଖରେ ତଳେ ଖଣ୍ଡିଏ ସଉପ ପକାଇ । ସେ ଶୁଅନ୍ତି ପଲଙ୍କ ଉପରେ । କାହା ସଙ୍ଗେ କାହାର କଥାବାର୍ତ୍ତା ହୁଏନା । ସେ ସୂର୍ଯ୍ୟପରି ଉତ୍ତପ୍ତ ହେଲେ ମୁଁ ଅଗ୍ନିପରି ସର୍ବଗ୍ରାସ ମୂର୍ତ୍ତି ଧାରଣ କରେଁ । ତେଣୁ କେହି କାହାରି ଦାମ୍ଭିକତା ଭାଙ୍ଗିପାରୁନା । ଦିନେ ରାତିରେ ସର୍ବାଙ୍ଗ ମୋର ସ୍ପର୍ଶକାତର ହୋଇ ଉଠିଲା । ସ୍ୱାମୀଙ୍କର ବିଶାଳ ବକ୍ଷତଳେ ଆଶ୍ରୟ ନେବାଲାଗି ଅନ୍ତର ତଳେ ଆବେଦନ ନିବେଦନାର ଭାଷା ସଞ୍ଚାର ହେଲା-। ସେ ସ୍ଵାମୀ, ଚିର ଉପାସ୍ୟ ଦେବତା । ତାଙ୍କ ସଙ୍ଗେ କଳି ଲଗାଇ କି ବାହାଦୁରି ନେବି-? ଉଠି ଠିଆହେଲି । ସେ ଶୋଇଥାନ୍ତି । ଚାହିଁଲି ତାଙ୍କୁ–ଏଇ ପିଲାଦିନର ସାଥୀ, ଯାହାଙ୍କୁ ଉଲଗ୍ନ ଅବସ୍ଥାରେ ଦିନରେ, ରାତିରେ, ଆଲୋକରେ, ଅନ୍ଧାରରେ କେତେଥର ଦେଖିଛି । ଖେଳିବାବେଳେ ଯାହାଙ୍କ ସାଙ୍ଗରେ କେତେ ଭଲମନ୍ଦ ଘଟଣା ଏ ଜୀବନ ଉପରେ ବହି ଚାଲିଯାଇଛି । ଆଜି ବୟସ ଆସିଛି; ବୟସ ସଙ୍ଗରେ ବୁଦ୍ଧିର ବିକାଶ ଘଟିଛି । ସାହିପାରିବି ନି ତାଙ୍କର ସାମାନ୍ୟ ଆଘାତକୁ-? ଆଉ ପାଦେ ଆଗେଇଲି । ତାଙ୍କ ଗୋଡ଼ତଳ ତକିଆରେ ହାତ ମାରିଲି । ଧୂଳିଗୁଡ଼ାଏ ପଡିଥାଏ-। ତାଙ୍କରି ଗୋଡ଼ଧୂଳି । ଦୁଇଟି ଆଙ୍ଗୁଠିରେ ତାକୁ ଉଠାଇ ଘଷିଲି । ଘର୍ଷଣ ଭିତରୁ ଧୂଳିକଣାଗୁଡ଼ା ବାହାରି ପଳାଇବାକୁ ବ୍ୟସ୍ତ ହୋଇଉଠିଲେ । ଭାବିଲି, ଏଇ ଧୂଳି ଟିକକର ମଧ୍ୟ ମୋ ପ୍ରତି ଘୃଣା-। ତା’ ପ୍ରତି କିନ୍ତୁ ମୋର ଶ୍ରଦ୍ଧା ଜନ୍ମିଥିଲା ହୃଦୟରେ ଅତି ନିବିଡ଼ ଭାବରେ । କି ସୁନ୍ଦର ତା’ର ପରଶ-! କି ଅନନୁଭୂତପୂର୍ବ ତା’ର ଅନୁଭୂତି ! ମଥାରେ ମାରିଲି ତାକୁ ବଡ଼ ଦାଣ୍ଡର ଧୂଳି ପରି । ତା’ପରେ ପଲଙ୍କ ଉପରେ ବସି ତାଙ୍କ ଗୋଡ଼କୁ ଆଉଁସିବାରେ ଲାଗିଲି । ନିଦ ଭାଙ୍ଗିଗଲା ତାଙ୍କର । ମତେ ଦେଖି ଭୀଷଣ ରାଗିଉଠିଲେ । ଗୋଟାଏ ଗୋଇଠା ଦେଲେ ଯେ ଗଡ଼ିଗଡ଼ି ପଡ଼ିଗଲି ତଳେ-। ସେତିକିରେ ଡରି ନ ଯାଇ ପୁଣି ଆସିଲି ତାଙ୍କ ନିକଟକୁ । ଆଖିରୁ ମୋର ଲୁହ ଗଡ଼ିଚାଲିଥାଏ-। ତାଙ୍କ ଛାତି ଉପରେ ଭାରାଦେଇ ବସିପଡ଼ି କହିଲି, ‘‘ମାରିବାର ଅଧିକାର ଅଛି ତୁମର, ତୁମେ ମାରିବ । ସହିବାପାଇଁ ସହନଶୀଳ ଏ ଦେହ । ମାର ଯେତେ ମାରିବ । ତୁମରି ହାତରୁ ମାଡ଼ ଖାଇ ତୁମରି କୋଳରେ ମରିବି । ଦୁର୍ବଳ ନାରୀ ମୁଁ । ଆଘାତ ତୁମଠାରୁ ବହୁତ ପାଇଛି । ଆଉରି ପାଇବାକୁ ଆସିଛି ।” ଏତେ ନିଷ୍ଠୁର ସେ ! ମତେ ଟିକେ ନ ଚାହିଁ କଡ଼ ଲେଉଟାଇଲେ । ମୁଁ ଡାକି ଡାକି ଥକିଲି । ଶୁଣିଲେ ନାହିଁ ସେ । ବ୍ୟର୍ଥ ହେଲା ମୋର ଯେତେ ସୁଖର କଳ୍ପନା ।

 

କିଛିଦିନ ପରେ ପଳାଇଗଲେ ସେ । ତାଙ୍କୁ ଅଟକାଇବାକୁ ମୋର ସାହସ ହେଲା ନାହିଁ-। ମୋ କାର୍ଯ୍ୟରେ ମୁଁ ବ୍ୟସ୍ତ ରହିଲି । ଇଚ୍ଛାକଲି ଏ ବିଷୟରେ ଲେଖା ନିକଟକୁ ଖଣ୍ଡେ ଚିଠି ଲେଖିବାକୁ । କାଗଜ ଖଣ୍ଡିଏ କାଢ଼ିବାପାଇଁ ଟ୍ରଙ୍କ ଖୋଲିଲି । ତା’ ଭିତରେ ଅଳଙ୍କାର ବାକ୍ସଟା ଥିଲା-। ତାକୁ ସ୍ଥାନାନ୍ତର କରିବାବେଳେ ହାଲୁକା ବୋଧହେଲା ହାତକୁ । ଖୋଲି ଦେଖେଁ ତ ସୁନାର ଅଳଙ୍କାରଗୁଡ଼ାକ ଯାଇଛି । ଜାଣିଲି, ସେ ନିଶ୍ଚୟ ନେଇଯାଇଛନ୍ତି । ଶାଶୁଙ୍କୁ ବି ସେକଥା କହିଲି ନି-। କହିଲେ ବା ସେ ମୋ କଥାକୁ କେଉଁ ବିଶ୍ୱାସ କରିବେ ? କାଗଜ ଆଣି ଦୁଇଚାରି ଧାଡ଼ି ଲେଖିଲି-। ପୁଣି ଚିରି ଫିଙ୍ଗିଦେଲି । ଭାବିଲି, କାଳେ ପୁଣି କ’ଣ ଘଟିବ ! ବିଛଣାରେ ଶୋଇପଡ଼ିଲି-। ନିଦ ହେଲା ନାହିଁ । ପୁଣି ଲେଖିଲି :

 

ଲେଖା,

 

ତୁ ମୋର ପିଲାଦିନର ସାଙ୍ଗ । ମୁଁ ପାଠପଢ଼ା ଛାଡ଼ି ବୋହୂ ହୋଇ ସଂସାରର ମାୟାଜଞ୍ଜାଳ ଭିତରକୁ ପଶିଆସିଲି । ତୁ ଏତେଦୂର ଆଗେଇପାରିଛୁ ଏଥିପାଇଁ ତତେ ଆନ୍ତରିକ ଶୁଭେଛା ଜଣାଉଛି ।

 

ଏତେଦିନେ ତୋ ନିକଟକୁ ଚିଠିଟାଏ ଲେଖିବାର କୌଣସି ଆବଶ୍ୟକତା ବା ଆନନ୍ଦ ନ ଥିଲା । ପ୍ରକୃତିର ତାଡ଼ନାରେ ହିଁ କେବଳ ଲେଖୁଛି । ଚିଠିଟା ପଢ଼ିପାରୁ ନ ପାରୁ, ପଢ଼ି ଫିଙ୍ଗିଦେଇପାରୁ, ଅନାଦର କରିପାରୁ । କିନ୍ତୁ ଏଇ ଚିଠିର ମୂଲ୍ୟ ମୋ ନିକଟରେ ଢେର ବେଶି । ତାହାର ପ୍ରତି ଧାଡ଼ି ଭିତରେ କେତେ ଯେ ଅଶ୍ରୁସଜଳ ବେଦନା ଭରିରହିଛି, ସେଥିରେ ଯଦି ଗଭୀରଭାବରେ ପ୍ରବେଶ କରୁ, ସବୁ ପରିଷ୍କାର ବୁଝିପାରିବୁ; ମୋ ବୁକୁତଳର ଉତ୍ତାପକୁ ମାପିପାରିବୁ । ଉତ୍ତାପ ଆଧିକ୍ୟ ଯୋଗୁଁ ଧାତବ ବସ୍ତୁ ତା’ର ସ୍ଵାତନ୍ତ୍ର୍ୟ ହରାଇଥାଏ; ଉପାୟନ୍ତର ନ ପାଇ ଅନନ୍ତ ଶୂନ୍ୟମଣ୍ଡଳରେ ନିଜର ସ୍ଥାନ ବାଛିନିଏ । ମୁଁ ସେହି ଅବସ୍ଥାରେ ପାଦ ଦେଇଛି । ତୁ ମତେ ସେହିଭଳି ମନେକରି ଦହନ କରିବାରେ ଲାଗିଛୁ । ମୋର ଶରୀରଟାକୁ ନିଶ୍ଚିହ୍ନ କରିଦେବାପାଇଁ ଅଗ୍ନିଠାରୁ ଅଧିକ ଦାହିକା ଶକ୍ତି ପ୍ରୟୋଗ କରିଛୁ । କାହିଁକି ତୋର ମୋ ପ୍ରତି ଏତେ ରାଗ ? ତୋର କି ଦୋଷ କରିଥିଲି ମୁଁ ? ମୁଁ ତ ମରିଯିବି; କିନ୍ତୁ ମୋର କ୍ଷୁଧିତ ଆତ୍ମା ଘୂରିବୁଲିବ ତୋ’ରି ପାଖରେ, ତୁଇ ମୋର ସର୍ବସ୍ଵ ଅପହରଣ କରିଛୁ ବୋଲି, ମୋର ଜୀବନଟାକୁ ମୃତ୍ୟୁର ଦରଜା ପର୍ଯ୍ୟନ୍ତ ଠେଲିଦେଇଛୁ ବୋଲି ।

 

ମୁଁ ଯେଉଁଥିପାଇଁ ତୋ ପ୍ରତି ବିକ୍ଷୋଭ ଦେଖାଇ ଏ ଚିଠିଟି ଦେଲି ତାହାସବୁ ଉପଲବ୍ଧ କରିପାରିବୁ, ଆଉ ରାଗିବୁ ନିଶ୍ଚୟ । ତୁ ଯଦି ସତ୍ୟାନୁରାଗିଣୀ ହୋଇଥିବୁ, ରାଗିବୁନି କେବେ । ସ୍ଵଚ୍ଛନ୍ଦ ବିହାର ପାଇଁ ନିଜକୁ ଆବିଷ୍କାର କରିପାରିବୁ–ଆତ୍ମଚେତନାରେ ବଳୀୟାନ ହୋଇଉଠିବୁ । ମନସ୍ତତ୍ୱ ସମ୍ବନ୍ଧରେ ମୋର ସିନା କିଛି ଜ୍ଞାନ ନାହିଁ, କିନ୍ତୁ ମୋର ମନ ଅଛି, ବିରହାତୁରା ନାରୀର ମନ ।

 

ମୋର ଏହି ଚିଠି ପଢ଼ି ଯଦି କୌଣସି ସ୍ଥଳରେ ଅନାଧିକାର ଚର୍ଚ୍ଚା ହୋଇଛି ବୋଲି ମନେକରୁ ତାହାହେଲେ ମତେ ଜଣାଇବୁ । ଭୁଲ ପାଇଁ କ୍ଷମା ମାଗିନେବି ତୋଠୁଁ ।

 

ଏତିକିରେ ଚିଠି ଶେଷ କରିଦେଇ ପକାଇଦେଲି ଡାକରେ । ଚାହିଁରହିଲି ଉତ୍ତରକୁ ।

 

ସ୍ୱାମୀ ଘରର ତେଲ, ଲୁଣ, ଚାଉଳ, ଡାଲି ସଂସାର ଭିତରେ କେବଳ ମୋର ଦିନ କଟିଲା । କିଏ ଖାଇଲା, କିଏ ନ ଖାଇଲା, କେଉଁ କାମଟା ହେଲା, କେଉଁଟା ନ ହେଲା ଏଇଥିରେ ଧନ୍ଦିହେଲି । ମୋର ସୁଖସ୍ଵାଚ୍ଛନ୍ଦ୍ୟର ଆଶା କେଉଁଆଡ଼େ ଲୀନ ହୋଇଗଲା । ଭବିଷ୍ୟତ କଥା ମନକୁ ଛୁଇଁଲେ ମୁଣ୍ଡଟା ବଥେଇଉଠିଲା । ଭାବିଲି, ଲେଖା ଦ୍ୱାରା ମୋ କୃତ ପାପର ପ୍ରାୟଶ୍ଚିତ୍ତ କରାଇବାପାଇଁ ଭଗବାନ କ’ଣ ଆଉ ଏମିତି ଚକ୍ରାନ୍ତ କରିଛନ୍ତି ? ମୁଁ ସେତକ କ’ଣ ବୁଝିପାରିଲିନି-? ହଉ, ସେ କ’ଣ ଉତ୍ତର ଦେଉଛି ଦେଖେଁ । ତା’ଠାରୁ ଆଶାନୁରୂପ ଉତ୍ତର ପାଇଲେ ତା’ର ପାଦ ପୂଜା କରିବି, ତା’ଠାରୁ ପ୍ରିୟତମଙ୍କର ଆରାଧନା ମନ୍ତ୍ର ଶିଖିବି, ଅଜ୍ଞାତ ଈଶ୍ୱରଙ୍କ ନିକଟରେ ତା’ର ଦୀର୍ଘଜୀବନ କାମନା କରିବି ।

 

ମଝିରେ କେତେଟା ଦିନ କଟିଗଲା । ଭାବିଲି, ଏଇଥର ନିଶ୍ଚୟ ଆସିବ । ହୃଦୟର ସମସ୍ତ ଆକାଙ୍‍କ୍ଷା କେନ୍ଦ୍ରୀଭୂତ ହେଲା ଉତ୍ତର ଅପେକ୍ଷାରେ । ତା’ରି ହାତରେ ମୋର ଯେପରି ଭାଗ୍ୟଡୋରି ଅଛି ।

 

ଏଇପରି ସମୟରେ ସିନେ ଅବିଭାଇ ଆସି ପହଞ୍ଚିଲେ । ଯିମିତି ଅମା ପରେ ଚନ୍ଦ୍ର ଆସେ, ମୋ ଭଙ୍ଗା ମନଟା ଯୋଡ଼ିହୋଇଆସିଲା । ଦୁଃଖର ସାଗର ଭିତରୁ ନିଜକୁ ରକ୍ଷା କରିବାକୁ ଯିମିତି ଗୋଟାଏ ତରୀ ପାଇଗଲି । ଶାଶୁ ଆମ ଘରର ଭଲମନ୍ଦ ତାଙ୍କୁ ପଚାରିଲେ । ଅବିଭାଇ କହିଲେ, ‘‘ତା ବୋଉଙ୍କ ଦେହ ଅସୁସ୍ଥ ଅଛି । ମତେ ପଠାଇଛନ୍ତି ସାବିକୁ ନେବାକୁ । କେତେଟା ଦିନପରେ ମୁଁ ନିଜେ ଆଣି ଛାଡ଼ିଦେଇଯିବି ।’’ ଶାଶୁ ଟିକେ ଗୁମ୍‍ମାରି ଠିଆହୋଇ ରହିଲେ । ମୋ ମନଟା ପୁଣି ଚହଲିଗଲା । ଭାବିଲି, ନା, ତାଙ୍କ ସାଙ୍ଗରେ ଯିବି ନାହିଁ । ବୋଉର ଟିକେ ବୁଦ୍ଧି ନାହିଁ ! ସେ ବାପାଙ୍କୁ କି ଦାଦାଙ୍କୁ ପଠାଇପାରିଲା ନାହିଁ ? ସେ ଯେତେବେଳେ ଶୁଣିବେ ମୁଁ ଅବିଭାଇଙ୍କ ସାଙ୍ଗରେ ଚାଲିଯାଇଛି, ମତେ କ’ଣ ଆଉ ଏ ଘରେ ରହିବାକୁ ଟିକେହେଲେ ସ୍ଥାନ ଦେବେ ? କାହିଁକି କାଇଲି ହେବାକୁ ଯିବି ? ଅବିଭାଇଙ୍କ ସାଙ୍ଗରେ ଗୋଟାଏ ଖିଆଲରେ କେତେବେଳେ କ’ଣ କରିପକାଇଛି ବୋଲି ବର୍ତ୍ତମାନ ତାଙ୍କ ସାଙ୍ଗରେ ଘରୁ ଗୋଡ଼ କାଢ଼ିବି ? ନା, ସେ ଚାଲିଯାନ୍ତୁ । ଅପେକ୍ଷା କଲି, କିମିତି ସେ ପଳାଇଯିବେ ଶୀଘ୍ର । ତାଙ୍କର କଥାବାର୍ତ୍ତା ଆଉ ତାଙ୍କର ଉପସ୍ଥିତି ମତେ ବଡ଼ ଅସହ୍ୟ ବୋଧ ହେଲା ।

 

ଶାଶୁ କହିଲେ, ‘‘ଗହଣାଗୁଡ଼ାକ ତ ସବୁ ପୁଅ ନେଇଯାଇଛି ଆଉ କିଛି ସୁନା ପକାଇ ନୂଆ ଢଙ୍ଗରେ ଗଢ଼ିବ ବୋଲି । ଟିକିଏ ଅପେକ୍ଷା କର, ଜିନିଷ ସବୁ ଆସିଗଲେ ମୁଁ ଖବର ଦେବି, ଆସି ନେଇଯିବ ।” ଭାବିଲି, ଫୋଟକା ଉପରେ ଏ ଆଉରି ଚିଆଁ ଦେଉଛନ୍ତି । ପୁଅ ତ ଗହଣା ନେଲେ ଯେ ମତେ ଆଦୌ ଜଣାଇନାହାନ୍ତି । ଯାହାର ଜିନିଷ ଗଢ଼ିବାର ଇଚ୍ଛା ସେ କ’ଣ ଚୋର ପରି ନିଏ ? ଦରକାର ନାହିଁ ମୋର ସେ ଜିନିଷ । ଯେଉଁଠି ଫୁଲର ମୂଲ୍ୟ ଲୋକେ ବୁଝନ୍ତିନି ସେଠି ସୌରଭର ଆବଶ୍ୟକତା କ’ଣ ? ଅବିଭାଇ କହିଲେ, ‘‘ହଉ, ମୁଁ ଯାଉଛି । ଆଠଦିନ ପରେ ଆସିବି-। ସେତେବେଳେ ଆଉ ଯିମିତି ଲେଉଟି ନ ଯାଏଁ ।’’

 

ବାହାରିଗଲେ ସେ । ମୁଁ ତାଙ୍କର ବାଟକୁ ଚାହିଁରହିଲି । ଦୂର ବାଟ ବୋଲି କି କ’ଣ, ପାଦ ପଡ଼ୁଥାଏ ଖୁବ୍‍ ଜୋରରେ ତାଙ୍କର । ପଛକୁ ଆଉ ଫେରି ଚାହିଁନାହାନ୍ତି । ଭାବିଲି, କଥାଟା ଚୂଡ଼ାନ୍ତ କରିଦେଇ ଯାଇଛନ୍ତି ଯେତେବେଳେ ଆଉ କାହିଁକି ବା ସେ କାହାକୁ ଅପେକ୍ଷା କରନ୍ତେ ? ମୋର କିନ୍ତୁ ଭୁଲ ହେଲା, ଦିନଟାଏ ଅନ୍ତତଃ ଅଟକାଇ ପାରିଲିନି । ଠିଆଏ ଠିଆଏ ପଳାଇଗଲେ । ମତେ କ’ଣ ଭାବିଥିବେ ? କଥାବାର୍ତ୍ତା ଭଲ କରି ପଦେ କରିପାରିଲିନି । ଛୋଟ ଆଖି ଦି’ଟା ମୋର ସୁଦୀର୍ଘ ରାସ୍ତା ଉପରେ ଯେତେ ଦୂର ଗତିକଲା ସେତିକି । ତେଣିକି ଆଉ ଦିଶିଲା ନାହିଁ ତାଙ୍କ ଦେହର କୌଣସି ଅଂଶ । ଫେରିଆସିଲା ଆଖି ଦି’ଟା ପରାଜୟର ଅଶ୍ରୁ ବୋଳି; ହ୍ରାସ ପାଇଲା ତା’ର ଉଜ୍ଜ୍ଵଳତା ।

 

ଘର ଭିତରକୁ ପଶିଆସିଲି । ବୋଉର ସ୍ନେହ ଆଦର କଥା ମନେପଡ଼ିଲା । ପିଲାବେଳେ କୋଳରେ ଧରି କହୁଥିଲା–ଝିଅକୁ ମୋର ଭଲ ଘରେ ଦେବି, ଭଲ ବର ହାତରେ ସମର୍ପିଦେବି ମୋର ସାବିକୁ । କହି ଆନନ୍ଦରେ ଶିହରି ଉଠୁଥିଲା । ଗାଲରେ ମୋର ବୋକ ଦେଇ ନିଜକୁ ନିଜେ ସାନ୍ତ୍ୱନା ଦେଉଥିଲା । ଆଜି ତା’ର ସମସ୍ତ ଆକାଙ୍‍କ୍ଷା ପୂର୍ଣ୍ଣ କରି ଭଗବାନ ମତେ ପଠାଇଦେଲେ ଏଇ ଘର ଭିତରକୁ । ତେବେ ସୁଖ କାହିଁ, ଶାନ୍ତି କାହିଁ ? କେଉଁଠି ତା’ର ଅମୃତମୟୀ ଶକ୍ତି ଆତ୍ମଗୋପନ କରିଛି ଏ ଘର ଭିତରେ ? କିପରି ମଧୁର ତା’ର ଆଲିଙ୍ଗନ, ସମ୍ଭାଷଣ ! ବୋଉ କ’ଣ କେବେ ଜାଣିଥିଲା ନା କଳ୍ପନା କରିଥିଲା, ମତେ ଏପରି ଦୁଃଖର ଆବର୍ତ୍ତନ ଭିତରେ ଚକାଭଉଁରୀ ଖେଳିବାକୁ ହେବ ବୋଲି ? ଆଜି ତା’ ପାଖରେ କିମିତି ଯାଇ ମୁହଁ ଦେଖାଇବି ? ସେ ଯେତେବେଳେ ମୋର କୁଶଳ ଖବର ଜାଣିବାକୁ ହସି ହସି ଦଉଡ଼ିଆସିବ, କ’ଣ ଶୁଣାଇବି ତାକୁ ? ନା, ଯିବି ନାହିଁ, ଏଇଠି ପଡ଼ିରହିବି ।

 

ଘଣା ବଳଦ ପରି ପ୍ରତିଦିନ ଗୋଟାଏ କାମରେ ଲାଗି ଲାଗି ବଡ଼ ଅଡ଼ୁଆ ଲାଗିଲା । ଘଣା ବଳଦ ସିନା ଆଶା କରିଥାଏ, ଖଟିବା ପରେ ଖାଉନ୍ଦ ତାକୁ ଗଣ୍ଡେ ପେଟପୂରା ଖାଇବାକୁ ଦେବ । ମୁଁ କ’ଣ ତା’ପରି ଗଣ୍ଡେ ଖାଇବାର ଆଶା ନେଇ ପଡ଼ିରହନ୍ତି ? ସିମିତି ପଶୁ ଜୀବନ ଧରି କେତେଦିନ କିଏ ଚଳିବ, କହନି ? ତାଙ୍କୁ ପରିବର୍ତ୍ତନ କରିବା, ତାଙ୍କଠାରୁ ଟିକେ ସ୍ନେହ ଶ୍ରଦ୍ଧା ପାଇବା ପାଇଁ ମୁଁ ନାନା ଉପାୟ ପାଞ୍ଚିଲି । କିନ୍ତୁ ସବୁ ବ୍ୟର୍ଥ ହେଲା । ସମୁଦ୍ରର ଗଭୀରତା ମାପିବାକୁ ଯାଇ ତା’ର କୋପଦୃଷ୍ଟିରେ ମୋର ଦମ୍ଭ, ମୋର ସମସ୍ତ ଶକ୍ତିର ଅବସାନ ଘଟିଲା ।

 

ଲେଖା ଆଉ ମୋ ନିକଟକୁ ଚିଠି ଦେଲା ନାହିଁ । ଚିଠି ବା ସେ କାହିଁକି ଦିଅନ୍ତା, ମୋର ଅନୁଗ୍ରହପ୍ରାର୍ଥିନୀ କାହିଁକି ହୁଅନ୍ତା ? କାହିଁକି ଅଯଥା ଫାଳେ କାଗଜ ଗାରେଇ ସମୟର ଅପବ୍ୟବହାର କରନ୍ତା ? ସେ ଜାଣେ ଯେ ସାବି ସେଇଭଳି ଭୁକି ଭୁକି ରହିବ । ଭୁକିଲା କୁକୁର କ’ଣ ବା କରିପାରେ ?

 

କେତେଦିନ ପରେ ଚିଠିଟିଏ ଆସିଲା । ଭାବିଲି, ଲେଖାର ଏତେ ଦିନେ ବୋଧହୁଏ ମନେ ପଡ଼ିଲା । କ’ଣ ଲେଖିଛି ପଢ଼ିବାପାଇଁ ବ୍ୟଗ୍ର ହୋଇ ଚିରିପକାଇଲି ଖୋଳଟା । ଦେଖିଲି, ତାଙ୍କ ଅକ୍ଷର । ଆନନ୍ଦ ଲାଗିଲା ମତେ । ଭାବିଲି, ନିଶ୍ଚୟ ବଦଳିଗଲେଣି । ଚିଠିଟି କିନ୍ତୁ ବୋଉଙ୍କ ନିକଟକୁ ଲେଖା ହୋଇଥିଲା । ମନଟା ମୋର ପିତାପିତା ହୋଇଉଠିଲା । ପଢ଼ିଲି, ଲେଖିଛନ୍ତି :

 

ବୋଉ,

 

ଲେଖା ସହିତ ମୋର ଯେଉଁ ବନ୍ଧୁତା ଅଛି, ତୁ ତ ଆଗରୁ ଜାଣିଛୁ ! ପ୍ରକୃତରେ ଅମାୟିକ ସ୍ନେହ ସୌହାର୍ଦ୍ୟର ମୂଳଭିତ୍ତି ଉପରେ ବନ୍ଧୁତା ସ୍ଥାପିତ ନ ହେଲେ ତାହାର ମୂଲ୍ୟ କିଛି ରହେ ନାହିଁ, ଜୀବନର ସତ୍ୟତା ନିରୂପଣ କରିହୁଏ ନାହିଁ । ଏହି ସତ୍ୟକୁ ବାସ୍ତବ କରିବାପାଇଁ ଲେଖା ଆଉ ମୁଁ ଆମେ ଦୁହେଁ ଦୁହିଁଙ୍କ ଉପରେ ସ୍ନେହଶ୍ରଦ୍ଧାର ଅସରନ୍ତି ଉତ୍ସ ଖେଳାଇଦେଉଁ, ଯେଉଁଟା ପ୍ରକୃତିର ଅମର ଦାନ ଏ ପ୍ରାଣୀଜଗତକୁ, ଯେଉଁଥିରେ କାୟମନୋବାକ୍ୟରେ ସନ୍ଦେହର କୌଣସି ପ୍ରଶ୍ନ ନାହିଁ । ଏଇ ହେଲା ଆମର ବନ୍ଧୁତା, ଆତ୍ମୀୟତା ।

 

ଏହାକୁ ଅତି ହୀନ ଚକ୍ଷୁରେ ଦେଖିଛି ସାବି । ତା’ ନ ହୋଇଥିଲେ ଏପରି ନିନ୍ଦନୀୟ ଚିଠି ଦେଇ ନ ଥାନ୍ତା ଲେଖା ନିକଟକୁ: କନ୍ଦାଇ ନ ଥାନ୍ତା ତାକୁ । କିନ୍ତୁ ସେ ଲେଖାକୁ କନ୍ଧାଇବାକୁ ଯାଇ ମୋ’ଠାରୁ ସ୍ନେହଟିକକ ହରାଇବାର ବାଟକୁ ପ୍ରଶସ୍ତ କରିଦେଇଛି । ତାକୁ କହିଦେବୁ ନିଜକୁ ସଂଶୋଧନ କରିବାକୁ ଚେଷ୍ଟା କରୁ ।

 

ଲେଖା ସହିତ ଆଜି ମୁଁ ପୁରୀ ଯାଉଛି; ଗୋବିନ୍ଦ ଦ୍ୱାଦଶୀରେ ମହୋଦଧି ସ୍ନାନ ଓ ଜଗନ୍ନାଥ ଦର୍ଶନ କରି ଫେରିବି । ଛୁଟି ପାଇଲେ ଘରକୁ ଯିବି ।

 

ଏତିକି ହେଲା ତାଙ୍କର ଚିଠି । ଲେଖାକୁ ସଂଶୋଧନ କରିବାକୁ ଯାଇ ମତେ ସଂଶୋଧିତ ହେବାକୁ ପଡ଼ିଲା, ସ୍ୱାମୀସ୍ନେହରୁ ବଞ୍ଚିତ ହେବାକୁ ପଡ଼ିଲା । ତାଙ୍କୁ ଲେଖାଠାରୁ ଅନ୍ତର କରିଆଣିବା ମୋ ଆୟତ୍ତର ବାହାର ହୋଇପଡ଼ିଲା । ବହୁତ ସେଥିପାଇଁ ଚିନ୍ତା କଲି । ନିଜର ଭୁଲ ସ୍ୱୀକାର କରି ତାଙ୍କ ନିକଟକୁ କେତେ ଖଣ୍ଡ ଚିଠି ଦେଲି । କିନ୍ତୁ ସେ କିଛିହେଲେ ଉତ୍ତର ଦେଲେ ନାହିଁ । ମୋର ଆଶାର ବାଲିବନ୍ଧ ଭାଙ୍ଗିଗଲା । ଯାହାକୁ ଚାହିଁଲି, ଦେଖିଲି, ସମସ୍ତେ ଯିମିତି ନୀରବ ବେଦନାରେ ଶିଥିଳ ନିଶ୍ଚେଷ୍ଟ ହୋଇପଡ଼ିଛନ୍ତି । ଭାବିଲି, ଆଉ କାହା ଯୋଗୁଁ ସଂସାରରେ ସୁଖୀ ହେବି ? କ’ଣ ଦରକାର ମୋର ନାରୀତ୍ୱର ମର୍ଯ୍ୟାଦା–ପତ୍ନୀତ୍ୱର ଏକନିଷ୍ଠା–ସତୀତ୍ୱର ଗୌରବ ? ଏଇଭଳି ଗୋଟାଏ ସଂସାରୀ ଜୀବନରେ କି ସୁଖ ଆଉ ? ପାଷାଣୀ ହୋଇ ସବୁ ତ ସହିଲି, ତା’ ବିନିମୟରେ ଯଦି ଧକ୍‍କା ପାଇଲି, ତେବେ କି ଆଶାରେ ଏ ଘରେ ପଡ଼ିରହିବି ? ସରଳ ପ୍ରାଣକୁ ମୋର ଜଟିଳ କରିବାକୁ ଶିକ୍ଷା ପାଇଲି ତାଙ୍କରି ଚିଠିରୁ–ତାଙ୍କରି ବ୍ୟବହାରରୁ । ସେ ସ୍ୱାମୀ ହୋଇ ଆଳ ଖୋଜି ବସିଲେ ମୋଠୁଁ ଦୂରେଇ ଯିବାଲାଗି–ଲେଖାର ବିଶ୍ୱାସଭାଜନ ହେବାଲାଗି–ଲେଖାକୁ ଲୁଣ୍ଠନ କରିବାଲାଗି । ମୁଁ ସେତେବେଳେ ଆଉ କ’ଣ କରନ୍ତି, କହିଲୁ ?

 

ମଳୟା ଗଭୀର ଚିନ୍ତା କରି କହିଲା, ‘‘ସହିଯିବାଟା ସବୁଠୁଁ ଭଲ । ସୁଖ କେଉଁଠୁ ଗଛରୁ ଛିଡ଼ିପଡ଼େ ନାହିଁ । ନିଜକୁ ତା’ର ବାଟ ତିଆରି କରିବାକୁ ପଡ଼ିବ । ବିବାହିତ ଜୀବନ ହେଲେ ପୁରୁଷ ଏ କଥା ଉପରେ ସଦାବେଳେ ଦୃଷ୍ଟି ରଖିବା ଆବଶ୍ୟକ ଯେ, ସ୍ତ୍ରୀ କ’ଣ ଚାହେଁ ଜୀବନରେ, ତାହାର କାମନା କେତେ ଦୂର ଯୁକ୍ତିଯୁକ୍ତ, ନିଜର ଆର୍ଥିକ ଅବସ୍ଥା ପ୍ରତି ଦୃଷ୍ଟି ଦେଇ ଶାନ୍ତ ସରଳ ଭାବରେ ବିଚାର କରି କିପରି ତାହା ଦୂର କରାଯାଇ ପାରିବ । ସ୍ତ୍ରୀ ମଧ୍ୟ ସେହିପରି ସ୍ୱାମୀର ମନ ଅନୁରୂପ କାମ କରିବା ଉଚିତ ? ତାହାହେଲେ ମାନସିକ ଶାନ୍ତି ଓ ସୁଖ ମିଳିବ । ଏସବୁର ଅଭାବରେ ବିପରୀତ ଫଳ ମିଳିବା ସ୍ୱାଭାବିକ ।’’

 

ସର୍ବାଣୀ କହିଲା: ତେଣିକି ଖାଇବା ପିଇବା ସବୁ ମତେ ବିଷପରି ଲାଗିଲା । ଦିନେ ଅବିଭାଇଙ୍କୁ ଖବର ଦେଇ ଡକାଇ ପଠାଇଲି । ସେ ଆସି ପହଞ୍ଚିଗଲେ । ସେ ଦିନଟି ମୋ ଜୀବନରେ ଗୋଟାଏ ଅଭିନବ ଇତିହାସ ସୃଷ୍ଟି କଲା । ନିଜର ସମସ୍ତ ବୁଦ୍ଧିବୃତ୍ତି ପ୍ରୟୋଗ କରି ଯାହାକୁ ହାତଠାରି ଡାକିଥିଲି, ଆଖି ଲୁହରେ ଯାହାର ଆଗମନୀ ଭିକ୍ଷା କରିଥିଲି ଭଗବାନଙ୍କ ନିକଟରେ, ମନପ୍ରାଣ ଦେଇ ଯାହାର ସ୍ତୁତି ଗାନ କରିବାକୁ ବ୍ୟାକୁଳ ହୋଇଥିଲି, ତାଙ୍କୁ ପଚାରିଲି, ‘‘ଅବିଭାଇ, ସତ କୁହ, ମୋ ପାଇଁ ତୁମେ କ’ଣ କରିପାରିବ ? ତୁମକୁ ଭଲ ପାଇଥିଲି ପିଲା ଦିନରୁ, ଆଉ ସେହି ଭଲ ପାଇବାରେ ନିଜକୁ ଲୀନ କରିଦେବାପାଇଁ ଦୃଢ଼ପ୍ରତିଜ୍ଞ ହୋଇଥିଲି ତୁମ ନିକଟରେ-। କିନ୍ତୁ ରଖିପାରିଲିନି ପ୍ରତିଜ୍ଞା, ସମାଜକୁ ଡରିଲି । ସେହି ସୁଯୋଗ ନେଇ ବାପ ମା ମୋତେ ନେଇ ଖେଳ ଖେଳିଲେ । ତା’ରି ଫଳ ଭୋଗୁଛି ଏବେ । କୁହ, ଏ ଭୁଲ ପାଇଁ ମତେ କ୍ଷମା ଦେଇପାରିବ ନି-?’’ ସେ କହିଲେ, ‘‘କାହିଁକି ପାଗଳୀ ପରି ହେଉଛୁ ? କ’ଣ ଚାହୁଁ ତୁ ? ମୁଁ ଯେତେଦୂର ପାରେ, ତତେ ସାହାଯ୍ୟ କରିବି ।’’ ମୁଁ କହିଲି, ‘‘ଅବିଭାଇ, ବୁଝିପାରୁନା ମୋ କଥା ? ତୁମେ ବି ମତେ ଜଟିଳ ମନେ କରୁଛ । ଏତେ ଦିନ ମୋ ମନସାଙ୍ଗରେ ଦଉଡ଼ି ଦଉଡ଼ି କୁସ୍ତି କସରତ୍‍ କରି କିଛି ଗ୍ରହଣ କରିନାହଁ ?’’

 

ଅବିଭାଇଙ୍କ ଆଖି ଫିଟିଗଲା ଯିମିତି । ତାଙ୍କ ଅଙ୍ଗ ପ୍ରତ୍ୟଙ୍ଗର ପ୍ରତ୍ୟେକ ସ୍ନାୟୁ ଜୀବନ୍ତୁ ହୋଇଉଠିଲେ ଯିମିତି । ସେ ବୀର ଦର୍ପରେ କମ୍ପିଉଠିଲେ । କହିଲେ, ‘‘ସମାଜ ଆମ୍ଭମାନଙ୍କୁ ନେଇ ଗଢ଼ା । ସମାଜର ଆଇନ ପ୍ରଣୟନ କରିବା ଆମ୍ଭେମାନେ–ଭାଙ୍ଗିବା ଆମ୍ଭେମାନେ । କିନ୍ତୁ ସମସ୍ତଙ୍କ ଯୋଗେ ପରମ୍ପରା ନୀତିବାଦର ପରିବର୍ତ୍ତନ ଘଟେ ନାହିଁ । ଜଣ ଜଣକର ବିଚାର, ପ୍ରଚେଷ୍ଟା ଓ ବିପ୍ଳବରେ ଅସାଧ୍ୟ ସାଧନ ହୁଏ । ମୁଁ ପାରିବି । ମୁଁ ସବୁ କିଛି କରିପାରିବି । ତୋ ଲାଗି ଏ ଜୀବନକୁ ରଣପ୍ରାଙ୍ଗଣକୁ ପଠାଇଦେବି । ତତେ ସାଥିରେ ଧରି ନିଆଁ ଭିତରକୁ ପଶିବି । ତତେ ଧରି ପ୍ରେମର ଜୟଗାନ କରି ଚାଲିବି ଜୀବନର ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ । ତୁ ପଛଘୁଞ୍ଚା ଦେବୁନାହିଁ ତ ?’’ କହିଲି, ‘‘କିଏ......ମୁଁ ?’’ ଦୁଇ ଆଖିରୁ ମୋର ଦୁଇଟି ଲୁହ ବିନ୍ଦୁ ଅଜଣାରେ ଗଡ଼ିପଡ଼ି ତାଙ୍କ ପାଦରେ ଶରଣ ଭିକ୍ଷା କରିଥିଲା ।

 

ସେ ଦିନର ସେଇ ମୁହୂର୍ତ୍ତ–ହଁ ଲୋ ମଳୟା, ତତେ ମିଛ ମତେ ସତ–ମତେ ସର୍ବହରା କରି ତୋଳିଲା ସେଇ ମୁହୂର୍ତ୍ତ । କି ଅଶୁଭ ବେଳା ଥିଲା କେଜାଣି ! ଭୁଲଟା ଶୀଘ୍ର କରିହୋଇଯାଏ, କିନ୍ତୁ ସଂଶୋଧନ ଶୀଘ୍ର ହୋଇପାରେ ନି । ସେଥିପାଇଁ ମନ ସାଙ୍ଗରେ ଚିନ୍ତାର ଖାପ ଖାଏ ନାହିଁ । ତା’ ହୋଇପାରୁଥିଲେ ମୁଁ ଆଜି ଏତେ ସରି ହୋଇ ନ ଥାନ୍ତି । ଉତ୍ତେଜନାର ଆତିଶଯ୍ୟରେ, ନିର୍ଲ୍ଲଜ୍ଜ ଭାବନାର ଇଙ୍ଗିତରେ ଅମାନୁଷିକ ବର୍ବରୋଚିତ କାର୍ଯ୍ୟକୁ ପ୍ରୟୋଜନ ପର୍ଯ୍ୟାୟର ଅନ୍ତର୍ଭୁକ୍ତ କଲି ।

 

ଦ୍ୱିପ୍ରହର ସମୟ । ଶାଶୁ କହୁଥାନ୍ତି, ‘‘ପୁଅ ଆସିଗଲେ ତତେ ପଠାଇଦେବି ।’’ ମୁଁ କିନ୍ତୁ ରଖିଲିନି ତାଙ୍କ କଥା । ତାଙ୍କଠାରୁ ସମସ୍ତ ସମ୍ପର୍କ ତୁଟାଇଦେଇ ଯିବାକୁ ମତେ ଯିମିତି କିଏ ଘନ ଘନ ବାଧ୍ୟ କଲା । ଘରୁ ଗୋଡ଼ କାଢ଼ି ବାହାରିପଡ଼ିଲି ଅବିଭାଇଙ୍କ ସାଙ୍ଗରେ । ଶାଶୁ ଡାକୁଥାନ୍ତି, ‘‘ସାବି, ଫେରିଆ, ଫେରିଆ ! ମାନ ଇଜ୍ଜତକୁ ଉପହାସ କର ନା, ବଂଶର ମର୍ଯ୍ୟାଦାକୁ ଦାଣ୍ଡ ମଝିରେ ପକାନା । ସବାରୀ ଅଛି, ଗାଡ଼ି ଅଛି । ଚାଲିଚାଲି ଯାଆନା । ଏ ଦରମଲା ଶାଶୁର କଥାରେ ଅବାଧ୍ୟ ହୋନା ତୁ, ଫେରିଆ ! ଫେରିଆ !’’ କାନ୍ଦି କାନ୍ଦି ସେ ରହିଲେ । ଚାହିଁଥାନ୍ତି ଗାଁ ଗୋଟାକର ଲୋକେ । ଆପତ୍ତି ଅନୁରୋଧ କରୁଥାନ୍ତି ଆସି । କାହାରି କଥା ଶୁଣିଲିନି ।

 

ବହୁଦୂର ଚାଲିଗଲି । ଦୂର ବିଲ, ବଣ ପାହାଡ଼ ଡେଇଁ ମୋ କାନ ଭିତରେ ବେଳେବେଳେ ଆସି ପଶିଯାଉଥାଏ, ‘‘ସାବି, ଫେରିଆ, ଫେରିଆ !’’ ଏ ପାଖୁ ସେ ପାଖୁ ଚାହୁଁଥାଏଁ-। ବେଳେବେଳେ ଛନକିଯାଉଥାଏଁ । ଅବିଭାଇ ପଚାରୁଥାନ୍ତି, ‘‘ସାବି, ଏମିତି ହେଉଛୁ-? କ’ଣ ହେଲା କି ?’’ କହୁଥାଏଁ, ‘‘ନାହିଁ, କିଛି ନାହିଁ, ଚାଲ । ଆଉ କେତେ ବାଟ ରହିଲା ?’’ ମନଭିତରେ ମୋର ଆଶା ନିରାଶାର ଦ୍ଵନ୍ଦ୍ୱ ଚାଲିଥାଏ । ତାଙ୍କ ଘରେ ଆସି ଆଶ୍ରୟ ନେଲି । କେତୋଟି ଦିନ ମଝିରେ ବିତିଗଲା । ମୋର ବାପ ମା ଆଉ ମତେ ଚାହିଁବାକୁ ଆସିଲେଣି । ଗାଁରେ ଆମରି ବିଷୟରେ ସମସ୍ତଙ୍କର ଆଲୋଚନା ଚାଲିଲା । ଏ ଖବର ଖେଳିଗଲା ଶାଶୁଘର ଗାଁକୁ-। ଦୋଚାରୁଣୀ ବୋହୂ ବୋଲି କେହି ଆଉ ସେଠୁ ମତେ ନେବାକୁ ଆସିଲେନି । ମୁଁ ସବୁ ନ ଶୁଣିଲା ପରି ଚୁପ୍‍ ହୋଇ ରହିଲି । ଗାଁ ସାରା ମେଳି ହେଲେ ଆମକୁ ସେଠାରୁ ତଡ଼ିବାକୁ । ନାନାପ୍ରକାର ଧମକ ଦେଲେ ଅତ୍ୟାଚାର କରିବାକୁ ।

 

ଅବିଭାଇ କହିଲେ, ‘‘ଏ ଲୋକଗୁଡ଼ାକଙ୍କର ବ୍ୟବହାର ବଡ଼ ଖରାପ । ତୁ ଏଠି ଚଳିପାରିବୁନି । ସୁଖ ପାଇବା ଆଶାରେ ଆସି ସଦାବେଳେ ନିର୍ଯ୍ୟାତିତ ହେବୁ କାହିଁକି ଏଠି ଆଉ ? ଚାଲ, କଲିକତା ବାହାରିଯିବା ।’’ ଅବିଭାଇ ମୁହଁଟାଣ ଦେଖାଇ ସମସ୍ତଙ୍କ ସାଙ୍ଗରେ ଯୁକ୍ତିତର୍କ କଲେ-। କିନ୍ତୁ ପାରିଲେନି । ନିଜେ ଯେତେବେଳେ ଗୋଟାଏ ଭୁଲ କାମ କରିଛନ୍ତି, ଆଉ କହନ୍ତେ ବା କ’ଣ-? ହିଂସ୍ରଜନ୍ତୁଙ୍କ ମଧ୍ୟରେ ଗୋଟାଏ ମନୁଷ୍ୟ ରହିଲେ ଆସନ୍ନ ବିପଦ ପାଇଁ ସଦାବେଳେ ଯିମିତି ଭୟଭୀତ ହେଉଥାଏ, ଆମେ ଦୁହେଁ ସେହିପରି ହେଲୁଁ । ଆଉ କୌଣସି ଉପାୟ ନ ଦେଖି ମୁଁ ତାଙ୍କ କଥାରେ ରାଜି ହୋଇଗଲି ।

 

ଦିନେ ବେଳ ବୁଡ଼ିଆସିଲାଣି । ଦୁହେଁ ଚାଲିଲୁଁ ଷ୍ଟେସନ ଅଭିମୁଖରେ । ପୃଥିବୀଟା ସତେ ଯିମିତି ବିଷାଦରେ ଭରିଗଲା ପରି ଜଣାଯାଉଥାଏ । ଖୋର୍ଦ୍ଧାରୋଡ଼ରେ ଗାଡ଼ି ଚଢ଼ିଲୁଁ । ଆଉ ବିପଦର କୌଣସି ଆଶଙ୍କା ନ ଜାଣି ମନଟା ଟିକେ ପ୍ରଫୁଲ୍ଲ ହୋଇଉଠିଲା । ଆଶାର ଶୁଷ୍କ ଅଙ୍କୁର ମୋର ସଜୀବ ହୋଇଉଠିଲା । ଗାଡ଼ିଭିତରେ ତାଙ୍କ ପାଖକୁ ଲାଗିବସି ସୁଖର ସ୍ଵପ୍ନରେ ବିଭୋର ହୋଇଉଠିଲି । କଲିକତା ମହାନଗରୀ କୋଳରେ ଆଶ୍ରୟ ନେବି । ପୁଣ୍ୟତୋୟା ଗଙ୍ଗାରେ ନିତି ସ୍ନାନ କରିବି । ସିନେମା, ଥିଏଟର ଦେଖିବି । ସନ୍ଧ୍ୟାର ଘୁମନ୍ତ ପବନରେ ଅବିଭାଇଙ୍କ ହାତ ଧରି ଗଙ୍ଗାନଦୀର ଧାରେ ଧାରେ, ଆଉ ପାର୍କ ଭିତରେ ବୁଲିବି । ବିଗତ ଦିନଗୁଡ଼ିକର କେତେ ମଧୁସ୍ମୃତିଜଡ଼ିତ ଓ ବିଷାଦସିକ୍ତ କାହାଣୀ ଜମେଇଆସୁଥିବ ଦୁହିଁଙ୍କ କଣ୍ଠ ପାଖରେ । କୁହାକୁହି ହେଉଥିବୁଁ ଦୁହେଁ ପ୍ରାଣ ଖୋଲି ନିର୍ଭୟରେ, ନିର୍ବିବାଦରେ । ପ୍ରେମର ଅବାରିତ ମନ୍ଦାକିନୀ ଲାସ୍ୟମୟୀ ଭାବରେ ବହିଚାଲିଥିବ ଦୁହିଁଙ୍କ ଛନଛନିଆ ମନ ଉପରେ । ଯୌବନର ଚିରନ୍ତନ ସତ୍ୟର ଦୁନ୍ଦୁଭି ବାଜିଉଠୁଥିବ । କ’ଣ କରିବ ଏ ସମାଜ ? ତା’ରି ଛାତି ଉପରେ କୁଦା ମାରି ଦୁହେଁ ଆମର ସ୍ୱପ୍ନର ସଂସାର ଗଢ଼ିବୁଁ ।

 

ଗାଡ଼ି ଆସି ଯାଜପୁର ରୋଡ଼ରେ ଅଟକିଲା । ସେତେବେଳକୁ ଭୋକ ହେଲାଣି । ଜଳଖିଆ କିଣି ଗାଡ଼ିରେ ଦୁହେଁ ଖାଇଲୁଁ । ଗାଡ଼ି ଛାଡ଼ିବାକୁ ଆଉ ଅଳ୍ପ ସମୟ ଥାଏ, ସେ ମୋ ହାତକୁ ଗୋଟାଏ ଟିକେଟ୍‍ ବଢ଼ାଇଦେଇ ପାଣି ଆଣିବାକୁ ପ୍ଲାଟଫର୍ମ ଭିତରକୁ ପଶିଗଲେ । ଚାହୁଁ ଚାହୁଁ ଗାଡ଼ି ଛାଡ଼ିଦେଲା । ମୁଁ ବ୍ୟସ୍ତ ହୋଇଉଠିଲି । ଅପେକ୍ଷା କଲି ଆଗ ଷ୍ଟେସନରେ ଦେଖା ହେବ ବୋଲି । କିନ୍ତୁ କେତୋଟି ଷ୍ଟେସନ ମଝିରେ ଚାଲିଗଲା । ତାଙ୍କ ସାଙ୍ଗରେ ଆଉ ଦେଖା ହେଲା ନାହିଁ; ଦେଖା ହେବାର କଳ୍ପନା ମୋର ଦମିତ ହୋଇଆସିଲା । ଟିକେଟ୍‍ଟାକୁ ଦେଖିଲି, ଲେଖା ହୋଇଛି, ଖୋର୍ଦ୍ଧାଠାରୁ ଭଦ୍ରଖ ।

 

ମୁଣ୍ଡଟା ମୋର ଘାଉଁରେଇଦେଲା । ଉପାୟହୀନ ହୋଇପଡ଼ିଲି । ଆଖି ଆଗରେ ଭାସି ବୁଲିଲା ଅବିଶ୍ୱାସୀ ଅବିଭାଇଙ୍କ ରୂପ: ହେଇ, ବିବେକହୀନ, ପୁରୁଷତ୍ୱହୀନ ଅବିଭାଇ ଲୁଚିଯାଉଛନ୍ତି ଜନଗହଳି ଭିତରେ । ମୁଣ୍ଡରେ ତାଙ୍କର ପଳାୟନପନ୍ଥୀ ବନ୍ଦୀର କଳ୍ପନା, ପାଦରେ ଅପହରଣକାରୀର ଚଞ୍ଚଳତା, ହୃଦୟରେ ଆତ୍ମଗୋପନର ଅଭିଳାଷ । ଛି, ଛି, ନିର୍ଲ୍ଲଜ୍ଜ ଅବିଭାଇ, ଶେଷରେ ମତେ ଏଇଆ କଲ ? ତୁମର ମନସ୍କାମନା ଏତେଦିନେ ପୂର୍ଣ୍ଣ ହେଲା ? ଭାବିଲି, ସବୁ ଆଶା ଭରସା ତ ଛାଡ଼ିଲି; ଏଇକ୍ଷଣି କି ଉପାୟ ? କେଉଁ ମୁହଁରେ ଆଉ ଫେରିବି ବାପ ମା’ଙ୍କ ପାଖକୁ ନା ସ୍ୱାମୀଘରକୁ ? ଭଦ୍ରଖ ଷ୍ଟେସନରେ ଗାଡ଼ି ପହଞ୍ଚିଲା । ଗାଡ଼ିରୁ ଓହ୍ଲାଇପଡ଼ିଲି ସେଇଠି ।

 

ମନେପଡ଼ିଲା ସ୍ୱାମୀଙ୍କ ଚିଠିର ପଦେ କଥା–ସାବିକୁ ସଂଶୋଧିତ ହେବାକୁ ପଡ଼ିବ । ଆଉ ଜନଗହଳି ଭିତରୁ କାନରେ ଆସି ବାଜିଲା ସେଇ ଗୋଟାଏ ଶବ୍ଦ, ଗୋଟାଏ କଥା, ‘‘ସାବି, ତୁ ଫେରିଆ, ଫେରିଆ !’’

Image